Latest Odisha News

BREAKING NEWS

ଚକ୍ରବ୍ୟୂହର ଚରିତ୍ରଲିପି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

ମହାଭାରତର ଚକ୍ରବ୍ୟୂହକୁ ବର୍ଣ୍ଣନା କରାଯାଇପାରେ, ମାତ୍ର ଆମ ସମୟର ଚକ୍ରବ୍ୟୂହ ଅବର୍ଣ୍ଣନୀୟ । କେବଳ ଅବର୍ଣ୍ଣନୀୟ ନୁହେଁ – ଅଦୃଶ୍ୟମାନ । ଏହି ଅଦୃଶ୍ୟମାନ ଚକ୍ରବ୍ୟୂହରେ ପ୍ରତିନିୟତ ଅଗଣିତ ଅଭିମନ୍ୟୁଙ୍କୁ ନିଧନ କରାଯାଉଛି । ସାରା ପୃଥିବୀର ତାରୁଣ୍ୟ ଏଇ ଚକ୍ରବ୍ୟୂହ ମଧ୍ୟରେ ତୀରବିଦ୍ଧ, ଅସିବିଦ୍ଧ ଅବସ୍ଥାରେ ଉର୍ଦ୍ଧଶ୍ୱାସ – ଅଥଚ ଏ ଅବସ୍ଥା ଦେଖିବାକୁ ଆଖି ନାହିଁ କି ସାକ୍ଷୀ ନାହିଁ । ଏହା ତେବେ କିଭଳି ଚକ୍ରବ୍ୟୂହ? କେଉଁଠି ଯୁଦ୍ଧ ଚାଲିଛି ? କାହିଁକି?

ପ୍ରଶ୍ନ ପ୍ରଚୁର । ମାତ୍ର ଉତର ନାହିଁ । ଯୁଆଡେ ଅନାଇବେ କେବଳ କବନ୍ଧ । ଗୋଟିଏ ବି ମୁହଁ କେଉଁଠି ଦିଶୁ ନାହିଁ । ମୁହଁ ଥିଲେ ସିନା କଥା ଶୁଣିବା, ମୁଖାଗୁଡାକ କଣ କହିବେ?

ଆମ ଆଗରେ ଏବେ ଖାଲି ମୁଖାପିନ୍ଧା କୋଳାହଳକାରୀ । ମନର କଥା ନାଆଁ ନେଇ ଯାହାସବୁ କୁହାଯାଉଛି ଆଉ ଶୁଣାଯାଉଛି – ସେସବୁ କଥା ମୁଖାର କଥା । ଭାରି ଭଲ ଶୁଣାଯାଏ, କିନ୍ତୁ ସାମ୍ନାର ଶ୍ରୋତା ସମାଜକୁ ଭୁଲେଇ ଭାଲେଇ ନିଜ ମତଲବ ଚରିତାର୍ଥ ଚୋରା ସ୍ୱାର୍ଥଟାଏ ତା’ ଭିତରେ ଛପି ରହିଛି ।

ଏସବୁ ପ୍ରହସନ ଦିନୁଦିନ ବଢି ଚାଲିଛି । ମୁଖାର କଥା ଶୁଣି ଏତେ ମୁଗ୍ଧ ହୋଇପଡୁଛୁ ଯେ ବେଶ୍ ଆରାମ୍‌ରେ ଆମେସବୁ ଶୋଇପଡୁଛୁ – ଘୁଂଘୁଡି ମାରୁଛୁ – ନିଦରେ ସ୍ୱପ୍ନ ଦେଖୁଛୁ । ଶୋଇପଡୁଛୁ – ଶୋଇ ଶୋଇ ଏପରି ଅଭ୍ୟାସ ହୋଇଯାଇଛି ଯେ ଉଠିବାକୁ ଇଚ୍ଛା ନାହିଁ । ଘୁଂଘୁଡି ମାରୁଛୁ – ତେଣୁ ଶୟନକକ୍ଷ ବାହାରେ ଯେ ଘଡଘଡି ଚଡଚଡି ମାରିଲାଣି ଶୁଭୁନାହିଁ । ସ୍ୱପ୍ନ ଦେଖୁଛୁ – ଏଣୁ ଚକ୍ରବ୍ୟୂହ ରଚନା କରି ଆଜିର ଅଭିମନ୍ୟୁମାନଙ୍କ ଅନ୍ତ ପାଇଁ ଚକ୍ରାନ୍ତ ଚଳାଇଥିବା କୁଟିଳ ଚେହେରାଗୁଡାକ ଦିଶୁନାହିଁ । ଯଦି ଶୋଇବାର ଅଭ୍ୟାସ ଛାଡି ଉଠିବାକୁ ଆରମ୍ଭ କରିବା, ମୁଖାଗୁଡାକୁ ଚିହ୍ନିପାରିବା । ଯଦି ଘୁଂଘୁଡି ଛାଡି ଗର୍ଜିବାକୁ ପଣ କରିବା, ମୁଖାପିନ୍ଧା ମତଲବୀଗୁଡାକର ରଡି ପଛର ରହସ୍ୟ ଠଉରେଇପାରିବା । ଯଦି ସ୍ୱପ୍ନରେ ବାଉଳା ନ ହୋଇ ଆଖି ଫିଟାଇବା, ଭୟାବହ ବାସ୍ତବତାର ଅସଲ ଉଦ୍ଦେଶ୍ୟଗୁଡାକୁ ଚିହ୍ନଟ କରିପାରିବା ।

ସମସ୍ତେ – ହଁ, ଆମେ ସମସ୍ତେ ପ୍ରତାରିତ ।

ମୁଖାର କଥା ଯେ ମନର କଥା ନୁହେଁ, କେତେ ସହଜରେ ବୁଝିଯିବା ଭଳି ଏ ମିଛଟାକୁ ମହାସତ୍ୟ ମଣି ଏଯାବତ୍ ମୁଣ୍ଡେଇ ଚାଲୁଚୁ । ଆମରି ଏ ସରଳ ବିଶ୍ୱାସ ଯୋଗୁ ମିଛକୁ ମଣିମା ଆସନ ମିଳିଛି – ସତଟା ମିଛ ଦ୍ୱାରା ଜାରି କରାଯାଇଥିବା ବନବାସ ଆଜ୍ଞା ପାଳି କୋଉଠି କୋଉ ଅପନ୍ତରାର ଆପଦ ମଝିରେ ମଣିଷ ଖୋଜୁଛି ।

ମିଛ ଦ୍ୱାରା ସତ୍ୟ ପ୍ରତି ଏ ଶାସ୍ତିବିଧାନକୁ ମାନିନେବା ପାଇଁ ଆମେ ଜନ୍ମ ହୋଇନାହୁଁ । ସ୍ୱାଧିକାର ଯଦି ମଣିଷର ଜନ୍ମଗତ ଅଧିକାର, ତା’ହେଲେ ସେଇ ଅଧିକାରକୁ ଆମେ ଆଜିଠାରୁ ପୁନଘୋଷଣା କରିବାର ସାହସ ପ୍ରଦର୍ଶନ କରିଚାଲିବା ଆମରଣ । ଅମଣିଷ ଦଳର ଅପଶକ୍ତି ପ୍ରଦର୍ଶନ ଆଗରେ ଆମର ଏ ଆମରଣ ସତ୍‌ସାହସ ପ୍ରଦର୍ଶନ ଦ୍ୱାରା ସତ୍ୟର ବନବାସ ଶେଷ ହେବ – ମନୁଷ୍ୟତ୍ୱର ଅଜ୍ଞାତବାସ ଅନ୍ତ ହେବ ।

ଚକ୍ରବ୍ୟୂହରେ ପ୍ରବେଶ କରିବାକୁ ରଥ ଆରୋହଣ ଯେପରି ପ୍ରୟୋଜନ, ଚକ୍ରବ୍ୟୂହରୁ ବାହାରି ଆସିବାକୁ ପଥ ଅନ୍ୱେଷଣ ସେହିପରି ଆବଶ୍ୟକ । ଏ ରଥରେ ଆମେ ରଥୀ, ମାତ୍ର ସାରଥି ହେଉଛି ଆମର ସଂକଳ୍ପ । ଏ ପଥରେ ଆମେ ପଦାତି, ମାତ୍ର ସେନାପତି ହେଉଛି ଆମର ସୂକ୍ଷ୍ମବିଚାର ।

ସୂକ୍ଷ୍ମବିଚାରବଦ୍ଧ ସଂକଳ୍ପ ସମ୍ମୁଖରେ ଚକ୍ରବ୍ୟୂହ ଦୀର୍ଘସମୟ ତିଷ୍ଠି ପାରେନା ।

ଚକ୍ରବ୍ୟୂହ ରଚନା କରିଚାଲୁଥିବା ଚରିତ୍ରଗୁଡାକୁ ଆମେ ଚେତନାସ୍ତ୍ର ସହାୟତାରେ ଭୂଲୁଣ୍ଠିତ କରିଦେଇପାରିବା । ଏଇ ଚେତନାସ୍ତ୍ରର ଅଧିକାର ହୋଇପାରିଲେ ହିଁ ଆଜିର ‘ଅବର୍ଣ୍ଣନୀୟ’ ଓ ‘ଅଦୃଶ୍ୟମାନ’ ଚକ୍ରବ୍ୟୂହର ଚରିତ୍ର ଅନାୟାସରେ ଚିହ୍ନଟ ହୋଇପାରିବ । ଜଳଜଳ ଦିଶିବ ଛଦ୍ମବେଶର ଛଳନାସବୁ । ତା’ପରେ ବାକି କାମ ଆମର ।

ଜଳ, ଜମି, ଜଙ୍ଗଲ । ଚାରିପଟେ ଦଳ, ଦଲାଲ୍‌, ଦଙ୍ଗଲ । ଇଏ ଚକ୍ରବ୍ୟୂହର ଗୋଟିଏ ଝଲକ ।
ଖେତ, ଖମାର, ଖଣି । ଆଖେପାଖେ ଖଳ, ଖଚଡ, ଖୁଣୀ । ଚକ୍ରବ୍ୟୂହର ଇଏ ଆଉଗୋଟିଏ ଦୃଶ୍ୟ ।
ଚରମାନେ ଚାରିଆଡେ । ଚୋରମାନେ ଚାରିଆଡେ । ଚର ଆଉ ଚୋରମାନେ ଚରିଯାଇଛନ୍ତି ସବୁଠି – ଚଳ୍ରବ୍ୟୂହ ତିଆରିଚାଲିଛି ସବୁଠି । ରାଜନୀତି, ଅର୍ଥନୀତି, ସଂସ୍କୃତି – ସବୁ ଆଜି ପାଲଟିଯାଇଛି ଚକ୍ରବ୍ୟୂହର ଚକବନ୍ଦି !

ଆଜି ଶଗଡିଆକୁ ପଗଡିଆ ବାନ୍ଧି ନେଉଛି, ମାତ୍ର ଦିଗୋଡିଆ ଦୁରାତ୍ମାମାନେ ପାଟ ଶିରିପା ଆଉ ପାଗପଗଡି ବାନ୍ଧି ମଠ, ମହଲ, ମସ୍‌ନଦ୍ ସବୁକିଛି ଅକ୍ତିୟାର କରିଯାଇଛନ୍ତି । ଆମେ ସ୍ୱପ୍ନାବିଷ୍ଟ ଅବସ୍ଥାରେ ଅଛୁ ବୋଲି ଆଜି ଏଇଭଳି ବିକଟାଳ ବାସ୍ତବତା ସାରାଦୁନିଆଟାକୁ କରିସାରିଲାଣି ଚତୁର ଚଂଚକମାନଙ୍କ ଚକ୍ରବ୍ୟୂହ ।

ଏଇଭଳି ଚକ୍ରବ୍ୟୁହ ରଚନା କରିଚାଲୁଥିବା ଚରିତ୍ରଗୁଡାକୁ ଆମେ ଚେତନାସ୍ତ୍ର୍ର ସହାୟତାରେ ଭୁଲୁଣ୍ଠିତ କରିପାରିବା । ଏହି ଚେତନାସ୍ତ୍ର୍ରର ଅଧିକାରୀ ହୋଇପାରିଲେ ହିଁ ଆଜିର ‘ଅବର୍ଣ୍ଣନୀୟ’ ଓ ‘ଅଦୃଶ୍ୟମାନ’ ଚକ୍ରବ୍ୟୁହର ଚରିତ୍ର ଅନାୟାସରେ ଚିହ୍ନଟ ହୋଇପାରିବ । ଜଳଜଳ ଦିଶିବ ଛଦ୍ମବେଶର ଛଳନା ସବୁ ।

ଆମେ ଭସ୍ମାସୁରମାନଙ୍କୁ ଶାସନବ୍ୟବସ୍ଥା ସମର୍ପଣ କରିସାରିଛୁ । ଆମରି ସମ୍ମିଳିତ ସମର୍ଥନର ଶକ୍ତିରେ ସେମାନଙ୍କର ସୃଷ୍ଟି – ମାତ୍ର ସେ ଶକ୍ତିର ପରୀକ୍ଷା ପାଇଁ ଆମକୁ ହିଁ ଆଗେ ଖର୍ବ କରି ଗର୍ବ ପ୍ରକଟ କରୁଛନ୍ତି ସେମାନେ । ରାଜକୋଷ, ଜନକୋଷ ଆଜି ଅପ୍ରମିତ ଅପଚୟରେ ଆକ୍ରାନ୍ତ । ଅର୍ଥନୀତିକ ମାନ୍ଦାବସ୍ଥାକୁ ନେଇ ବିଦେଶୀ ତତ୍ୱର ନାଗରା ପିଟାଯାଉଥିଲାବେଳେ ପୃଥିବୀର ସର୍ବାଧିକ ବ୍ୟୟରେ ନିର୍ମିତ ଦେଶୀ ପୁଞ୍ଜିପତି ମୁକେଶ ଆମ୍ବାନିଙ୍କ ବାସଗୃହ ବାବଦରେ ରୋଚକ ବିବରଣୀ ପଢୁଛୁ । ଏଇଭଳି ଅଜସ୍ର ବିରୋଧାଭାସ ସଂପ୍ରତି ସ୍ପଷ୍ଟ । ଯେଉଁ ସମୟ ଆଜି ଆମେ ସାମ୍ନା କରୁଛୁ, ସେ ସମୟ ଐକ୍ୟବଦ୍ଧ ଅମଣିଷବର୍ଗ ଦ୍ୱାରା ସରଳ ନିରୀହ ମଣିଷମାନଙ୍କ ମୂଲ୍ୟବୋଧକୁ ମୂଳପୋଛ କରିଦେଉଥିବାର ଦୁଃସମୟ ।

ଯାଜପୁର ରୋଡ, ଯାଜପୁର, ମୋ : ୯୮୬୧୦୩୪୧୬୩

(ଲେଖକ ଜଣେ ବରିଷ୍ଠ ଶ୍ରମିକ ନେତା ଓ ସ୍ତମ୍ଭକାର)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Leave A Reply

Your email address will not be published.