Latest Odisha News

BREAKING NEWS

କେବେଠାରୁ ପାଳନ କରାଯାଉଛି ଏହି ଛଟ୍ ପୂଜା, ରାମାୟଣ ଓ ମହାଭାରତ ସହିତ ଜଡିତ ଏହାର ରୋଚକ ତଥ୍ୟ, ଜାଣନ୍ତୁ…

ଭୁବନେଶ୍ଵର: ଆଜିଠୁ ଆରମ୍ଭ ହୋଇଛି ଛଟ୍‌ ପର୍ବ । ଏଥିପାଇଁ ସବୁଠି ଉତ୍ସାହର ମାହୋଲ । ଚାରିଦିନ ଧରି ଚାଲିବାକୁ ଥିବା ଏହି ମହାପର୍ବ ଛଟ୍ ପୂଜା ଆରମ୍ଭ ହୋଇ ନଭେମ୍ବର ୨୦ରେ ଶେଷ ହେବ । ଏହି ଛଟ୍ ପୂଜାରେ ସୂର୍ଯ୍ୟ ଦେବଙ୍କୁ ପୂଜା ଓ ଆରାଧନା କରି ତାଙ୍କର କୃପା ଭିକ୍ଷା କରିଥାନ୍ତି ବ୍ରତଧାରୀ । ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦରୁ ଘରେ ଧନଧାନ୍ୟ ବୃଦ୍ଧି ହେବା ସହ ସମସ୍ତେ ନିରୋଗୀ ରୁହନ୍ତି । ତା ସହ ଛଟୀ ମାତାଙ୍କ ଆାଶୀର୍ବାଦରୁ ଉତ୍ତମ ସନ୍ତାନ ପ୍ରାପ୍ତ ହୁଏ । ଏହି ବ୍ରତ ସବୁଠୁ କଷ୍ଟ ଓ ଏହାର ନିୟମ ମଧ୍ୟ ଖୁବ କଠିନ । ସେଥିପାଇଁ ଖୁବ ନିଷ୍ଠା ଓ ଭକ୍ତିର ସହ ଏହି ଛଟ ପୂଜା ପାଳନ କରିଥାନ୍ତି ମହିଳା ମାନେ ।

ହିନ୍ଦୀ ଭାଷାଭାଷୀ ଲୋକମାନଙ୍କର ଏକ ବଡ଼ ପର୍ବ ହେଉଛି ଛଟ୍ । ପ୍ରତିବର୍ଷ ଦେଶବିଦେଶରେ ରହୁଥିବା ହିନ୍ଦୀ ଭାଷାଭାଷୀ ଲୋକ ନିଷ୍ଠାର ସହ ଏହି ପର୍ବକୁ ପାଳନ କରିଥାନ୍ତି। ପୂର୍ବରୁ ଏହି ପ୍ରାଚୀନ ହିନ୍ଦୁ ପର୍ବକୁ ବିଶେଷ ଭାବେ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଓ ନେପାଳ କିଛି ଅଂଶରେ ପାଳନ କରାଯାଉଥିଲା । ଧିରେ ଧିରେ ହିନ୍ଦୀ ଭାଷାଭାଷୀ ଲୋକ ରହୁଥିବା ସବୁ ସ୍ଥାନରେ ଏହି ପର୍ବ ପାଳନ ହେଉଛି ।

କାହିଁକି ପାଳନ କରାଯାଏ ? :-

ଏହି ପର୍ବ ହିନ୍ଦୁ ଭକ୍ତିର ବଡ ପର୍ବ। ଏହି ଉପବାସ ସହ ଜଡିତ ଅନେକ ମାନ୍ୟତା ମଧ୍ୟ ରହିଛି । ଏହି ପର୍ବର ଆରମ୍ଭ ମହାଭାରତ ଯୁଗରୁ ହୋଇଛି ବୋଲି ଉଲ୍ଲେଖ କରାଯାଇଛି । ମହାଭାରତ କାଳରେ ଯେତେବେଳେ ପାଣ୍ଡବ ନିଜର ସମସ୍ତ ରାଜପାଟ ଜୁଆରେ ହାରିଯାଇଥିଲେ ସେହି ସମୟରେ ଦ୍ରୋପଦୀ ଏହି ଚାରି ଦିନ ଉପବାସ ରଖିଥିଲେ । ଏହି ପର୍ବରେ ଭଗବାନ ସୂର୍ଯ୍ୟଙ୍କ ଉପାସନା କରି ମନୋକାମନାରେ ନିଜର ରାଜପାଟ ପୂନର୍ବାର ମାଗିଥିଲେ। ଏଥିସହ ଅନ୍ୟ ଏକ ମାନ୍ୟତା ଅନୁଯାୟୀ ଭଗବାନ କର୍ଣ୍ଣ ସୂର୍ଯ୍ୟଙ୍କର ପରମ ଭକ୍ତ ଥିଲେ ଏବଂ ପାଣିରେ ଘଣ୍ଟା ଘଣ୍ଟା ଛିଡା ହୋଇ ସୂର୍ଯ୍ୟଙ୍କ ଉପାସନା କରିଥିଲେ । ଯାହାଦ୍ୱାରା ଭଗବାନ ସୂର୍ଯ୍ୟ ପ୍ରସନ୍ନ ହୋଇ ତାଙ୍କୁ ମହାନ୍‌ ଯୋଦ୍ଧା ହେବାର ଆଶୀର୍ବାଦ ଦେଇଥିଲେ।

ରାମାୟଣରେ ବର୍ଣ୍ଣିତ କଥା ଅନୁଯାୟୀ, ମାତା ସୀତା ଛଟ୍‌ ପୂଜା କରିଥିଲେ । ୧୪ ବର୍ଷ ବନବାସ ପରେ ଯେତେବେଳେ ଭଗବାନ ରାମ ଅଯୋଧ୍ୟା ଫେରିଥିଲେ ସେତେବେଳେ ରାବଣ ବଧ ପାପରୁ ମୁକ୍ତ ହେବା ପାଇଁ ଋଷି-ମୁନିଙ୍କ ଆଦେଶ ପରେ ରାଜସୁୟ ଜଜ୍ଞ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ମୁଗ୍ଦଲ ଋଷିଙ୍କୁ ଆମନ୍ତ୍ରଣ କରାଯାଇଥିଲା କିନ୍ତୁ ମୁଗ୍ଦଲ ଋଷି ଭଗବାନ ରାମ ଏବଂ ସୀତାଙ୍କୁ ନିଜ ଆଶ୍ରମକୁ ଆସିବାକୁ ଆଦେଶ ଦେଇଥିଲେ । ଋଷିଙ୍କ ଆଜ୍ଞାରେ ଭଗବାନ ରାମ ଏବଂ ସୀତା ସ୍ୱୟଂ ଏଠାକୁ ଆସିଥିଲେ ଏବଂ ତାଙ୍କୁ ଏହି ପୂଜା ବିଷୟରେ କୁହାଯାଇଥିଲା। ମୁଗ୍ଦଲ ଋଷି ମାଁ ସୀତାଙ୍କ ଉପରେ ଗଙ୍ଗା ପାଣି ଛିଞ୍ଚି ପବିତ୍ର କରିଥିଲେ ଏବଂ କାର୍ତ୍ତିକ ମାସର ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ସୂର୍ଯ୍ୟଦେବଙ୍କ ଉପାସନା କରିବା ପାଇଁ ଆଦେଶ ଦେଇଥିଲେ। ଏହାପରେ ମାତା ସୀତା ଏଠାରେ ରହି ୬ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟଦେବଙ୍କ ପୂଜା କରିଥିଲେ।

 

 

 

Leave A Reply

Your email address will not be published.