ଚିତ୍ରପୁରୀ : ୩ଟି ସୂତ୍ର

ଭାଗ : ୧୨

ବସନ୍ତ ପଟ୍ଟନାୟକଙ୍କ ପ୍ରକାଶିତ ଓ ସମ୍ପାଦିତ ‘ଚିତ୍ରପୁରୀ’ ପ୍ରକାଶନ ଓ ସମ୍ପାଦନା କ୍ଷେତ୍ରରେ ଯେଉଁସବୁ ନୂଆ ନୂଆ ଦିଗ ଉନ୍ମୁକ୍ତ କଲା, ସେଥିରୁ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାକୁ ଅବଦାନ ସମ୍ପନ୍ଧରେ ଅନ୍ତତଃ ତିନିଟି ପର୍ଯ୍ୟାୟରେ ଲକ୍ଷ୍ୟ କରିବାକୁ ହେବ । ଏକ: ପତ୍ରିକାର ଆକାର ଓ ପ୍ରକାଶନ ଶୈଳୀ, ଦୁଇ: ସମ୍ପାଦକୀୟ ଧାରା ଓ ତିନି: ପ୍ରକାଶକାଳ ସମ୍ପର୍କିତ ପରୀକ୍ଷା ନିରୀକ୍ଷା ।

ଆକାର ଓ କଳେବର ସମ୍ବନ୍ଧରେ ଗତ ସଂଖ୍ୟା ସବିଶେଷ ଚର୍ଚ୍ଚା ହୋଇଛି । ଏଠି ସ୍ପଷ୍ଟ କରିଦିଏ ଯେ ଯେବେ ସତୁରି ଓ ଅଶି ଦଶକରେ ଓଡ଼ିଆ ଚଳଚ୍ଚିତ୍ର ସଂଖ୍ୟା କ୍ରମେ ବଢ଼ିଲା ସେବେ ଚଳଚ୍ଚିତ୍ର ସହ ସମ୍ପୃକ୍ତ ଅନ୍ୟ ଶିଳ୍ପର ମଧ୍ୟ ରୂପରେଖ ଓ ବ୍ୟାବସାୟିକ ଶୈଳୀରେ ମଧ୍ୟ ପରିବର୍ତ୍ତର୍ନ ହେଲା । ଏହି ପରିବର୍ତ୍ତର୍ନ କ୍ରମରେ ‘ଚିତ୍ରପୁରୀ’ ଥିଲା କିନ୍ତୁ ନିଜ ସର୍ତ୍ତରେ ପ୍ରକାଶିତ ହେଉଥିଲା । ସତୁରିରୁ ତେସ୍ତେରି ମସିହା ପର୍ଯ୍ୟନ୍ତ କୌଣସି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରି ନଥିଲା । ତେସ୍ତୋରି ମସିହାରୁ ଓଡ଼ିଆ ଚଳଚ୍ଚିତ୍ର ସଂଖ୍ୟାରେ ବୃଦ୍ଧି ହେଲା ଏବଂ ‘ରିଲିଜ୍ ଋତୁ’ ପ୍ରବାହ ଆରମ୍ଭ ହେଲା । ନୂଆବର୍ଷ, ରଜ ଓ ଦୁର୍ଗାପୂଜାରେ ଓଡ଼ିଆ ଚଳଚ୍ଚିତ୍ର ରିଳିଜ୍ ହେବାର ପରମ୍ପରା ଆରମ୍ଭ ହେଲା, ‘ଚିତ୍ରପୁରୀ’ କିନ୍ତୁ ନିଜ ପ୍ରକାଶନ ଶୈଳୀକୁ ପରିବର୍ତ୍ତନ କଲାନାହିଁ । ଅବଶ୍ୟ ପଚାଶ ଦଶକରୁ ଓଡ଼ିଆ ପତ୍ରିକା ପ୍ରକାଶନ କ୍ଷେତ୍ରରେ ବଙ୍ଗୀୟ ପ୍ରଭାବ ବିସ୍ତରି ଥିଲା ଓ ପୂଜା ପତ୍ରିକାର ଚକ୍‌ମକ୍ ପ୍ରକାଶନ ଆରମ୍ଭ ହୋଇଥିଲା । କଲିକତାରୁ ପ୍ରକାଶିତ ‘ଆସନ୍ତାକାଲି’ ଥିଲା ଏହି କ୍ଷେତ୍ରରେ ଅଗ୍ରଣୀ । ଅତଏବ ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ ପ୍ରକ୍ରିୟାରେ ଯେତେବେଳେ ଦୁର୍ଗାପୂଜାକୁ ସଂଯୁକ୍ତ କରାଗଲା, ଚଳଚ୍ଚିତ୍ର ପତ୍ରିକା ଭାବରେ ‘ଚିତ୍ରପୁରୀ’ ମଧ୍ୟ ଏହି ପ୍ରକ୍ରିୟାରେ ସମ୍ପୃକ୍ତ ହେଲା । ତେବେ ‘ଚିତ୍ରପୁରୀ’ର ବିଶେଷ ସଂଖ୍ୟା କେବଳ ପୂଜାରେ ସୀମିତ ନଥିଲା ବରଂ ଯେତେବେଳେ ବି କୌଣସି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରୁଥିଲା ସେହି ଚଳଚ୍ଚିତ୍ରର ନାମ ଅନୁସାରେ ବିଶେଷ ସଂଖ୍ୟା ପ୍ରସ୍ତୁତ ହେଉଥିଲା । ତେବେ ପୂଜା ‘ଚିତ୍ରପୁରୀ’ରେ ସାହିତ୍ୟ ଅଧିକ ରହୁଥିଲା ଏବଂ ସେହି ଦଷ୍ଟିରୁ ଅନ୍ୟ ସାହିତ୍ୟ ପତ୍ରିକାର ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିଲା ।

‘ଚିତ୍ରପୁରୀ’ର ଆକାର ଯେପରି ଭିନ୍ନ ଭିନ୍ନ ତାହାର ପ୍ରକାଶନ ତିଥି ମଧ୍ୟ ଭିନ୍ନ ଭିନ୍ନ । ପ୍ରଥମେ ଏହା ଅନିୟମିତ ମାସିକ ଥିଲା, ପରେ ନିୟମିତ ମାସିକ ହେଲା । ସତୁରି ଦଶକର ମଧ୍ୟ ଭାଗରେ ଯେତେବେଳେ ଲୋକପ୍ରିୟତାର ଶୀର୍ଷରେ ଥିଲା ସେତେବେଳେ ଟେବଲଏଡ୍ ଆକାରରେ ପାକ୍ଷିକ ଓ ସାପ୍ତାହିତ ହୋଇ ମଧ୍ୟ କେତେକ ସଂଖ୍ୟା ପ୍ରକାଶିତ ହେଲା ।

ଚଳଚ୍ଚିତ୍ରର ମୁକ୍ତିଲାଭ ପୂର୍ବରୁ ଓ ପରେ ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶନରେ ‘ଚିତ୍ରପୁରୀ’ ଥିଲା ଆଗ୍ରଣୀ । ଯଦି ଚଳଚ୍ଚିତ୍ରର ବିଜ୍ଞାପନ ଡିଜାଇନ୍ ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରସ୍ତୁତ ହୋଇନାହିଁ ତେବେ ‘ଚିତ୍ରପୁରୀ’ ସମ୍ପାଦକ ବସନ୍ତ ପଟ୍ଟନାୟକ ନିଜେ ଡ଼ିଜାଇନ୍ କରି ତାହାକୁ ପ୍ରଚ୍ଛଦ ଭାବେ ପ୍ରକାଶିତ କରୁଥିଲେ । ପ୍ରମାଣ ସ୍ୱରୂପ ଏହି ଲେଖା ସହ ସେମିତି ଏକ ପ୍ରଚ୍ଛଦ ଛବି ଏଠାରେ ସଂଲଗ୍ନ ହୋଇଛି ।

ଯେଣୁ ଚଳଚ୍ଚିତ୍ରର ମୁକ୍ତିଲାଭ ପୂର୍ବରୁ ସେହି ଚଳଚ୍ଚିତ୍ରର ଲେଖା ଓ ଛବି ମଧ୍ୟ ‘ଚିତ୍ରପୁରୀ’ରେ ପ୍ରକାଶିତ ହେଉଥିଲା, ଏଣୁ ଓଡ଼ିଆ ଚଳଚ୍ଚିତ୍ରର ସମ୍ପୂର୍ଣ୍ଣ ଇତିହାସ ‘ଚିତ୍ରପୁରୀ’ର ପୁରୁଣା ପୃଷ୍ଠାରୁ ରହିଛି । ଏକ ଉଲ୍ଲେଖନୀୟ ଉଦାହରଣ ଦେଉଛି: ଅଧିକାଂଶ ଓଡ଼ିଆ ଚଳଚ୍ଚିତ୍ର ଅନୁରାଗୀ ଜାଣନ୍ତି ଯେ ୧୯୬୮ ମସିହାର ସଫଳ ଚଳଚ୍ଚିତ୍ର ‘କିଏ କାହାର’ର ନାୟିକା ଥିଲେ ସୌଦାମିନୀ । କିନ୍ତୁ ଅଧିକାଂଶ ଜାଣନ୍ତି ନାହିଁ ଯେ ଏହି ଭୂମିକା ପାଇଁ ପ୍ରଥମ ଚୟନ ଥିଲେ ସଂଧ୍ୟା ମହାପାତ୍ର । ସଂଧ୍ୟା କୌଣସି କାରଣରୁ ‘କିଏ କାହାର’ରେ ଅଭିନୟ କଲେ ନାହିଁ ଓ ସୌଦାମିନୀ ସେହି ଭୂମିକାକୁ ଆସିଲେ । ଏହିପରି ତଥ୍ୟ ପ୍ରକାଶ କରିବାରେ ‘ଚିତ୍ରପୁରୀ’ ଥିଲା ଅନ୍ୟତମ । ସେହି ସମୟର ଅନ୍ୟ ଚଳଚ୍ଚିତ୍ର ପତ୍ରିକାରେ ‘ପରଦାର ଅନ୍ତରାଳେ’ ପ୍ରକାଶନ ପ୍ରାୟ ନଥିଲା କେବଳ ‘ଚିତ୍ରପୁରୀ’ ବ୍ୟତୀତ । ଏବେ ‘ଚିତ୍ରପୁରୀ’ର ସବୁତକ ସଂଖ୍ୟା ମିଳୁନାହିଁ । ମିଳିଗଲେ ଓଡ଼ିିଆ ଚଳଚ୍ଚିତ୍ରର ସ୍ୱଷ୍ଟ ଓ ସମ୍ପୂର୍ଣ୍ଣ ଇତିହାସ ରଚନା ଆହୁରି ସହଜ ହୋଇଯାଆନ୍ତା ନିଶ୍ଚୟ । ଏହି ଲେଖା ସହ ସେହି ଛବି ମଧ୍ୟ ସଂଲଗ୍ନ ରହିଛି ଯାହା ପ୍ରମାଣିତ କରୁଛି ଯେ କିଏ କାହାର’ର ନାୟିକା ଭୁମିକା ପାଇଁ ପ୍ରଥମ ଚୟନ ଥିଲେ ସନ୍ଧ୍ୟା ମହାପାତ୍ର । ଏମିତି କେତେ କେତେ କଥା ‘ଚିତ୍ରପୁରୀ’କୁ ନେଇ ଅଛି । ପର ସଂଖ୍ୟାରେ ସେହି କଥାସବୁ ରହିବ ନିଶ୍ଚୟ ।