Latest Odisha News

BREAKING NEWS

ରାୟଗଡାରେ ଏକ ପ୍ଲାନେଟାରିଅମ ଏବଂ ଜୟପୁରରେ ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ରାୟଗଡାରେ ଏକ ପ୍ଲାନେଟାରିଅମ ଏବଂ କୋରାପୁଟ ଜିଲ୍ଲାର ଜୟପୁରରେ ଏକ ଜିଲ୍ଲା ବିଜ୍ଞାନ କେନ୍ଦ୍ର ପାଇଁ ଭିତ୍ତି ପ୍ରସ୍ତର ରଖିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷାରେ ମନୋନିବେଶ କରିବା ସହିତ ବୈଜ୍ଞାନିକ ମନୋବୃତି ନେଇ ଜୀବନରେ ଆଗକୁ ବଢିବା ପାଇଁ ପରାମର୍ଶ ଦେଇଛନ୍ତି । 

ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ବର୍ତ୍ତମାନ ଦୁଇଟି ପ୍ଲାନେଟାରିଅମ ଅଛି । ଏହାସହିତ ଆଉ 6 ଟି ପ୍ଲାନେଟାରିଅମ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । 30 ଟି ଜିଲ୍ଲା ରେ ମଧ୍ୟ 30 ଟି ଜିଲ୍ଲା ବିଜ୍ଞାନ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ । ଏଥିପାଇଁ   100 କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭୁବନେଶ୍ବରର ପଠାଣୀ ସାମନ୍ତ ପ୍ଲାନେଟାରିଅମ୍‌କୁ ଏକ 3-D ପ୍ଲାନେଟାରିଅମରେ ପରିଣତ କରାଯିବ ବୋଲି  ସେ କହିଥିଲେ ।

ମଣିଷ ସଭ୍ୟତାର ବିକାଶରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ବିଜ୍ଞାନ ବିନା ଆଜି ଜୀବନଯାପନ କରିବା ସମ୍ଭବ ନୁହେଁ । ଯଦି ଆଜି ମଣିଷ ସଭ୍ୟତାର ଶିଖରରେ ପହଞ୍ଚିପାରିଛି, ତେବେ ଏହା ହେଉଛି ବିଜ୍ଞାନର ଅବଦାନ । ବିଜ୍ଞାନ ଓ ବିକାଶ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ । 

ଓଡିଶା ଆଜି ବିକାଶ ପଥରେ ଅଗ୍ରଗତି କରି ବିଜ୍ଞାନ ଓ ବୈଷୟିକ ଶକ୍ତିର ପ୍ରୟୋଗରେ ଏକ ଜ୍ଞାନ ଅର୍ଥନୀତି ଦିଗରେ ଅଗ୍ରସର ହେଉଛି । ବିକାଶର ଏହି ପ୍ରକ୍ରିୟାକୁ ଜାରି ରଖିବା ପାଇଁ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ଭିତରେ ବୈଜ୍ଞାନିକ ମନୋବୃତି, ଅନୁସନ୍ଧିତ୍ସୁ ମନୋଭାବ ଏବଂ ଯୁକ୍ତିଯୁକ୍ତ ଚିନ୍ତାଧାରା ରହିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । 

ରାଜ୍ୟ ସରକାର ଓଡିଶାରେ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ଇଞ୍ଜିନିୟରିଂ ଓ ଗଣିତ ଶିକ୍ଷାରେ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ପଦକ୍ଷେପ ନେଉଛନ୍ତି । 

ବିଜ୍ଞାନ ଶିକ୍ଷା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଦ୍ବାରା ସମାଜରେ ବୈଜ୍ଞାନିକ ମନୋଭାବ ବୃଦ୍ଧି ପାଇବା ସହିତ ପିଲାମାନଙ୍କ ମଧ୍ୟରେ ତର୍କସଙ୍ଗତ ଚିନ୍ତାଧାରା ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଠାରେ ଅନୁସୂଚିତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ କହିଲେ, ବିକାଶର ଧାରାରେ ବିଜ୍ଞାନର ସହାୟତା ସବୁବେଳେ ଜରୁରୀ । ରାୟଗଡାରେ ପ୍ଲାନେଟାରିଅମ୍‌ ସ୍ଥାପନ ଦ୍ବାରା ସ୍ଥାନୀୟ ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ବୃଦ୍ଧି ପାଇବ ବୋଲି ସେ ଆଶାପ୍ରକାଶ କରିଥିଲେ ।

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ରାଜ୍ୟରେ ବିଜ୍ଞାନ ଶିକ୍ଷାର ପ୍ରସାର ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ଲାନେଟାରିଅମ୍‌ ଓ ଜିଲ୍ଲା ଗୁଡିକରେ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି । ଭୁବନେଶ୍ବରର ପ୍ଲାନେଟାରିଅମ୍‌କୁ ଆହୁରି ବଡ କରାଯାଇ ଏଥିରେ ୧୨୦ ଜଣ ବସିବାର  ବ୍ୟବସ୍ଥା କରାଯାଉଛି ବୋଲି ସେ କହିଥିଲେ ।

ସେହିପରି ଜୟପୁରଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କହିଲେ ଜୟପୁରରେ ପ୍ଲାନେଟାରିଅମ୍‌ ପ୍ରତିଷ୍ଠା ସମଗ୍ର କୋରାପୁଟ ଜିଲ୍ଲା ପାଇଁ ଖୁସିର କଥା ।   ଆଧୁନିକ ସମାଜରେ ବିଜ୍ଞାନଭିତ୍ତିକ ଜୀବନଶୈଳୀ ବହୁତ ଜରୁରୀ ବୋଲି ପ୍ରକାଶ କରି ଏହି ପଦକ୍ଷେପ ଦ୍ବାରା ବିଜ୍ଞାନ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଅଗ୍ରହ ବୃଦ୍ଧି ପାଇବ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ଲାନେଟାରିଅମ ଓ ଜିଲ୍ଲା ବିଜ୍ଞାନ କେନ୍ଦ୍ର ସଂପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ 5-T ସଚିବ ଭି.କେ. ପାଣ୍ଡିଆନ, ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓ, ଏବଂ ସ୍ଥାନୀୟ ବିଧାୟକମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.