Latest Odisha News

BREAKING NEWS

ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ଧାନକିଣା ସ୍ଥିତି ସମୀକ୍ଷା

ଭୁବନେଶ୍ବର : ଚାଷୀଙ୍କ ସୁବିଧା ପାଇଁ ଅଧିକରୁ ଅଧିକ ସଂଖ୍ୟକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଆର୍.ଏମ୍.ସି. ଏବଂ କୃଷି ବିପଣୀ ସଂସ୍ଥାଙ୍କୁ ନିୟୋଜିତ କରାଯିବ । ଏନେଇ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ସମବାୟ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାରେ ଧାନ କିଣା ସ୍ଥିତିର ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଧାନବିକ୍ରି ପାଇଁ ଚାଷୀ ଯେପରି ଅସୁବିଧାର ସମ୍ମୁଖୀନ ନହୁଏ, ତା’ଉପରେ ଦୃଷ୍ଟି ରଖିବାକୁ କୁହାଯାଇଛି ।

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ନଭେମ୍ବର-ଡିସେମ୍ବରରୁ ଜାନୁଆରୀ-ଫେବୃଆରୀ ପର୍ଯ୍ୟନ୍ତ, ଏବଂ ଉପକୂଳ ଜିଲ୍ଲାରେ ଡିସେମ୍ବର-ଜାନୁଆରୀରୁ ମାର୍ଚ୍ଚ-ଏପ୍ରିଲ୍ ପର୍ଯ୍ୟନ୍ତ ଧାନ କିଣା ହୋଇଥାଏ । ସେହି ଅନୁସାରେ ବର୍ତ୍ତମାନ ବରଗଡ଼, ସମ୍ବଲପୁର, କଳାହାଣ୍ଡି, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗିର, ରାୟଗଡ଼ା ଆଦି ଜିଲ୍ଲାରେ ଧାନକିଣା ଅବ୍ୟାହତ ରହିଛି । ଅନ୍ୟାନ୍ୟ ଜିଲ୍ଲାରେ ଧାନକିଣା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । କୋରାପୁଟ, ମାଲକାନାଗିରି, ବାଲେଶ୍ବର, ବୌଦ୍ଧ ଆଦି ଜିଲ୍ଲାରେ ମଧ୍ୟ ବିଭିନ୍ନ ମଣ୍ଡିରେ ଧାନକିଣା ଚାଲିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୮ ହଜାର ଚାଷୀଙ୍କ ଠାରୁ ୫.୧୩ ଲକ୍ଷ ମାଟ୍ରିକ୍ ଟନ୍ ଧାନ ସଂଗ୍ରହ ଶେଷ ହୋଇଛି ।

ବିଭିନ୍ନ ମଣ୍ଡିରେ ଅଧିକ ସଂଖ୍ୟାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଆର୍.ଏମ୍.ସି. କର୍ମଚାରୀ, ଯୋଗାଣ ସହାୟକ, କୃଷି ବିଭାଗ ଅଧିକାରୀ, ସମବାୟ ବିଭାଗ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗରୁ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମୁତୟନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟବସ୍ଥାକୁ ଚାଷୀମାନଙ୍କ ପାଇଁ ଅଧିକ ସୁଗମ କରିବା ପାଇଁ ଜିଲ୍ଲାପାଳମାନେ ଜିଲ୍ଲାସ୍ତରରେ କାର୍ଯ୍ୟ କରୁଥିବା ସଂସ୍ଥା ଓ ବିଭାଗକୁ ମଧ୍ୟ ମୁତୟନ କରିପାରିବେ ।

ଧାନକିଣା ପି-ପାସ୍ ନାମକ ଅନଲାଇନ୍ ବ୍ୟବସ୍ଥା ମାଧ୍ୟମରେ କରାଯାଇଛି ବୋଲି କହିଛନ୍ତି ପ୍ରମୁଖ ଶାସନ ସଚିବ । ଏହା ଏକ ସ୍ବୟଂକ୍ରିୟ ଓ ସରଳ ବ୍ୟବସ୍ଥା । ଏଥିରେ ଦୈନିକ ଧାନକିଣା ତଥ୍ୟ ଅପଲୋଡ ହୁଏ । ଏବଂ ସେହି ତଥ୍ୟ ଭିତ୍ତିରେ ଚାଷୀଙ୍କୁ ଧାନର ମୂଲ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍ ମାଧ୍ୟମରେ ସିଧାସଳଖ ପଠାଇ ଦିଆଯାଏ । ଅନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରକ୍ରିୟା ବିଷୟରେ ତୁରନ୍ତ ଅନଲାଇନ୍ ତାଲିମ୍ ଦିଆଯିବ । ଜିଲ୍ଲାସ୍ତରରେ ଥିବା ସମବାୟ ବିଭାଗ ଏବଂ ଯୋଗାଣ ବିଭାଗ ଅଧିକାରୀ ମଧ୍ୟ ଏଥିରେ ସକ୍ରିୟ ଭାବେ ସାମିଲ୍ ହେବେ ।

Leave A Reply

Your email address will not be published.