Latest Odisha News

BREAKING NEWS

ଚିଲିକା ଡ଼ଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଲା : ୪ଟି ମୃତଦେହ ଉଦ୍ଧାର ପରେ ଉଦ୍ଧାର କାର୍ଯ୍ୟ ଶେଷ ହେଲା

ବାଲୁଗାଁ : ଚିଲିକାରେ ଶନିବାର ସନ୍ଧ୍ୟାରେ ଡ଼ଙ୍ଗା ଘଟିଥିବା ମର୍ମନ୍ତୁଦ ଡ଼ଙ୍ଗାବୁଡ଼ି ଘଟଣାରେ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଏହି ଉଦ୍ଧାର କାର୍ଯ୍ୟ ବାଲୁଗାଁ ଦମକଳ ବାହିନୀ ସହିତ ଓଡ଼୍ରାଫ ଟିମର ଉଦ୍ଧାରକାରୀ କରୁଥିଲେ । ତେବେ ଉଦ୍ଧାର କାର୍ଯ୍ୟ ସମାପ୍ତ ପରେ ନିଖୋଜ ଥିବା ୪ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହି ଡ଼ଙ୍ଗାବୁଡ଼ି ଘଟଣାରେ ମୃତ୍ୟୁସଂଖ୍ୟା ୬ରେ ପହଞ୍ଚିଛି । ଚିହ୍ନିତ ହୋଇଥିବା ମୃତକ ବ୍ୟକ୍ତିମାନେ ହେଲେ ପ୍ରମୋଦିନୀ ଦାସ, ଶ୍ରଦ୍ଧାଞ୍ଜଳି ଦାସ, ସୁଧାଂଶୁ ଶେଖର ଦାସ (୪), ମୀରା ପଟ୍ଟନାୟକ (୧୧), କଳ୍ପନା ମହାନ୍ତି ଓ ତାଙ୍କ ଭଉଣୀ ।

ଉଦ୍ଧାରକାରୀ ଦଳକଳ କେନ୍ଦ୍ରର ମୁଖ୍ୟ ଅଗ୍ନିନର୍ବାପକ ଅଧିକାରୀ ସୁକାନ୍ତ ସେଠୀଙ୍କ କହିବା ମୁତାବକ ଦମକଳ କେନ୍ଦ୍ରର ୫୦ ଜଣ ଏବଂ ଓଡ଼ିଶା ଓଡ୍ରାଫ ଟିମ୍ ର ୪୦ ଜଣ ସଦସ୍ୟ ତଥା ୧୬ ଜଣ ସ୍କୁବା ଡ଼ାଇଭର (ବୁଡ଼ାଳୀ) ଏବଂ ସ୍ଥାନୀୟ କିଛି ମତ୍ସ୍ୟଜୀବିଙ୍କ ସହଯୋଗରେ ଉଦ୍ଧାର ସମାପ୍ତ ହୋଇଛି ।

ଏହି ଘଟଣାର ସମ୍ପର୍କରେ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ ଉଦ୍ଧାରକାର୍ଯ୍ୟ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା ମଧ୍ୟ କରିଥିବାର ସୂତ୍ରରୁ ଜଣାପଡ଼ିଛି ।

ଏହି ଘଟଣାରେ ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଦୁଃଖପ୍ରକାଶ କରିଛନ୍ତି ।

ମିଳିଥିବା ସୂଚନାରୁ ଜଣାପଡ଼ିଛି, ଯେଉଁ ୧୬ ଜଣ ଯାତ୍ରୀ ଚିଲିକାର କାଳିଯାଇ ଠାକୁରାଣୀଙ୍କୁ ଦର୍ଶନ କରିବାକୁ ଦେଶୀ ଡ଼ଙ୍ଗାରେ ଯାତ୍ରା କରିଥିଲେ ସେମାନେ ହେଲେ ; ନୟାଗଡ଼ ଶରଣକୂଳ ଅଞ୍ଚଳର ରବିନାରାୟଣ ଦାସ ଏବଂ ତାଙ୍କ ପତ୍ନୀ ପ୍ରମୋଦିନୀ ଦାସ, ତାଙ୍କ ପୁଅ ସୁଧାଂଶୁ ଦାସ, ଝିଅ ଶ୍ରଦ୍ଧାଞ୍ଜଳି ଦାସ । ସେହିପରି ନୟାଗଡ଼ର ରଣପୁର ଅଞ୍ଚଳର ପ୍ରଦୀପ ମହାନ୍ତି ଏବଂ ତାଙ୍କର ଦୁଇ ଝିଅ ଓ ଦୁଇ ଭାଣିଜୀ । ଏଥିରେ ମଧ୍ୟ ଭୁବନେଶ୍ୱର ଝାରପଡ଼ା ନିବାସୀ ଭୀଷ୍ମ ପାତ୍ର, କଳ୍ପନା ମହାନ୍ତି ଓ ତାଙ୍କ ଭଉଣୀ, କଟକ ଜିଲ୍ଲାର ମୀରା ପଟ୍ଟନାୟକ ଯିଏକି ବାଲୁଗାଁର କୈଳାଶ ପଟ୍ଟନାୟକଙ୍କ ଝିଅ ଯାତ୍ରା କରୁଥିଲେ ।

କାଳିଯାଇ ଦର୍ଶନ ପରେ ସେମାନେ ବାଲୁଗାଁକୁ ଫେରୁଥିବା ବେଳେ ଏହି ଡ଼ଙ୍ଗା ବୁଡ଼ି ଦୁର୍ଘଟଣା ଘଟିଥିଲା । ବର୍ଷା ପବନରେ ନାଉରୀ ଜଣକ ଡ଼ଙ୍ଗାର ନିୟନ୍ତ୍ରଣ ହରାଇବା ପରେ ଡ଼ଙ୍ଗାଟି ବୁଡ଼ିଯାଇଥିଲା ।

ତେବେ ସ୍ଥାନୀୟ ମାଛଧରାଳୀମାନେ ଏହା ଦେଖି ବୁଡ଼ିଯାଇଥିବା ୭ଜଣ ଯାତ୍ରୀଙ୍କୁ ପାଣିରୁ ଉଦ୍ଧାର କରିଥିଲେ ଏବଂ ତିନୋଟି ମୃତଦେହ ଉଦ୍ଧାର କରିଥିଲେ । ପରେ ଘଟଣା ସମ୍ପର୍କରେ ଖବର ପାଇ ବାଲୁଗାଁ ଦମକଳ ବାହିନୀ ଏବଂ ଓଡ୍ରାଫ ଟିମର ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଜାରି ରଖିଥିଲେ ।

ଜିଲ୍ଲାପାଳ ଏହି ଦୁର୍ଘଟଣାକୁ ଦୃଷ୍ଟିରେ ରଖି ହ୍ରଦ ମଧ୍ୟରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ସୁରକ୍ଷା ଲାଗି ପଦକ୍ଷେପ ନେବାକୁ କହିଛନ୍ତି । ସମସ୍ତ ଯାତ୍ରୀ ନିଶ୍ଚିତ ରୂପେ ଲାଇଫ ଜ୍ୟାକେଟ ପିନ୍ଧି ଯାତ୍ରା କରିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.