Latest Odisha News

BREAKING NEWS

ନବମ ଦିନରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ‘ଆମ ଓଡିଶା ନବୀନ ଓଡିଶା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ଵକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ନବମ ଦିନରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।

ଏଥିପାଇଁ କଳାହାଣ୍ଡି ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୫୫ କୋଟି  ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଜୁନାଗଡ, ଲାଞ୍ଜିଗଡ, ନର୍ଲା, ଧର୍ମଗଡ, ଭବାନିପାଟଣା ।  ଏହିସବୁ ନିର୍ବାଚନମଣ୍ଡଳୀର ୧୩ଟି ବ୍ଲକର ୩୧୦ଟି  ଗ୍ରାମ ପଞ୍ଚାୟତରେ ୪୬୭୮ଟି ପ୍ରକଳ୍ପ ହେବ । ସେହିପରି ନବରଙ୍ଗପୁର ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୯୪.୫୦ କୋଟି ଟଙ୍କା  ମଂଜୁର ହୋଇଛି । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଡାବୁଗାଁ, ନବରଙ୍ଗପୁର, ଉମରକୋଟ, ଝରିଗାଁ । ଏଥିରେ ୧୦ଟି ବ୍ଲକର ୧୮୯ଟି   ଗ୍ରାମପଞ୍ଚାୟତରେ ୨୯୪୨ଟି ପ୍ରକଳ୍ପ କରାଯିବ । ଏହି କାର୍ଯ୍ୟକ୍ରମରେ ବିଧାୟକ ଦିବ୍ୟଶଙ୍କର ମିଶ୍ର, ବିଧାୟକ ପ୍ରଦୀପ କୁମାର ଦିଶାରି, ବିଧାୟକ ଭୂପିନ୍ଦର ସିଂ, ବିଧାୟକ ମୌସଧି ବାଗ, ବିଧାୟକ ମନୋହର ରନ୍ଧାରି, ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ବିଧାୟକ ସଦାଶିବ ପ୍ରଧାନୀଙ୍କ ସମେତ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ ଗାଁଗୁଡିକ ହେବ ରୂପାନ୍ତରର ପ୍ରକୃତ କେନ୍ଦ୍ର। ଗାଁର ଲୋକମାନେ ହିଁ ନୂଆ ଓଡିଶାର ପରିଚୟ ସୃଷ୍ଟି କରିବେ ବୋଲି ସେ କହିଥିଲେ। ସେ ପୁଣି କହିଲେ ଯେ  ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା । ନବୀନ ଓଡିଶାର ପରିଚୟ ନେଇ ରାଜ୍ୟର ପ୍ରତି ଗାଁ ବିକାଶର ମାର୍ଗରେ ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଜୁନାଗଡରେ ଉପସ୍ଥିତ ବିଧାୟକ ଦିବ୍ୟଶଙ୍କର ମିଶ୍ର କହିଲେ ଯେ କଳାହାଣ୍ଡିରେ ମେଡିକାଲ କଲେଜ, ବିଶ୍ୱବିଦ୍ୟାଳୟ ଆଦି ପ୍ରତିଷ୍ଠା କରି ମୁଖ୍ୟମନ୍ତ୍ରୀ ଶିକ୍ଷାର ବିକାଶ ଜରିଆରେ ଜିଲ୍ଲାକୁ ମା ସରସ୍ୱତୀକୁ ଆଣିଛନ୍ତି । ପୂର୍ବରୁ ଇନ୍ଦ୍ରାବତୀ ଜରିଆରେ ମା ଗଙ୍ଗାଙ୍କୁ ଆଣିଛନ୍ତି ଏବଂ ନିକଟରେ  ପରିବହନ ବ୍ୟବସ୍ଥାରେ ମା ଲକ୍ଷ୍ମୀଙ୍କୁ ମଧ୍ୟ ଆଣିଛନ୍ତି । ଏବେ କଲାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ତିନି ଦେବୀଙ୍କ ଆଶୀର୍ବାଦ ମିଳିଛି । ନର୍ଲାରେ ଉପସ୍ଥିତ ବିଧାୟକ ଭୂପିନ୍ଦର ସିଂ କହିଲେ ଯେ ମୁଖ୍ୟମନ୍ତ୍ରୀ ସବୁବେଳେ କହନ୍ତି କଳାହାଣ୍ଡି ତାଙ୍କ ହୃଦୟରେ ଅଛି । ଆଜି ସେ ତାହା କାର୍ଯ୍ୟରେ କରି ଦେଖାଇଛନ୍ତି । ନବରଙ୍ଗପୁର ଝରିଗାଁରେ ଉପସ୍ଥିତ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଏବଂ ଅନ୍ୟ ବିଧାୟକମାନେ କହିଥିଲେ ଯେ ୫-ଟି ଅଧ୍ୟକ୍ଷ ଜିଲ୍ଲାଗସ୍ତ ସମୟରେ ଆମର ଯେଉଁ ସବୁ ପ୍ରସ୍ତାବ ନେଇଥିଲେ ସେସବୁ ମାତ୍ର ୭ଦିନ ଭିତରେ ସମାଧାନ ହୋଇଗଲା । ଏଭଳି ଅନୁଭବ ଆମ ନବରଙ୍ଗପୁର ଜିଲ୍ଲାବାସୀଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ନୂଆ ଓ ବିରଳ ।

Leave A Reply

Your email address will not be published.