ସିଏମଓ ଫାଇଲ୍ ଉଭାନ ରହସ୍ୟ: ତନାଘନା କରୁଛି ଏସଆଇଟି, ପାଣ୍ଡିଆନଙ୍କ ପରେ ଏବେ ରାଡାରରେ ଆଉ ଜଣେ ପ୍ରଭାବଶାଳୀ ପୂର୍ବତନ ଆଇଏଏସ୍ ଅଫିସର!
ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ହଇଚଇ ସୃଷ୍ଟି କରିଥିବା ବହୁଚର୍ଚ୍ଚିତ ସିଏମଓ ଫାଇଲ ଗାଏବ ମାମଲାରେ ଏବେ ଗୋଟିଏ ପରେ ଗୋଟିଏ ନୂଆ ଫର୍ଦ୍ଦ ଯୋଡ଼ି ହେବାରେ ଲାଗିଛି। ପୂର୍ବତନ ସରକାରଙ୍କ ଅମଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ବାବୁମାନଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ପୂର୍ବତନ ଆଇଏଏସ୍ ଭି.କେ. ପାଣ୍ଡିଆନଙ୍କୁ ଜେରା କରାଯିବା ପରେ ଏବେ କମିଶନରେଟ୍ ପୋଲିସର ତଦନ୍ତକାରୀ ଟିମ୍ ସ୍କାନରରେ ଆସିଛନ୍ତି ଆଉ ଜଣେ ପ୍ରଭାବଶାଳୀ ତଥା ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଉପେନ୍ଦ୍ର ନାଥ ବେହେରା। ଆଜି ତାଙ୍କୁ ପଚରାଉଚରା ପାଇଁ ପୋଲିସ ଆଗରେ ହାଜର ହେବାକୁ ନୋଟିସ୍ କରାଯାଇଛି।
ସୂଚନା ଅନୁଯାୟୀ, ୧୯୮୩ ବ୍ୟାଚ୍ର ପୂର୍ବତନ ଆଇଏଏସ୍ ଅଫିସର ଉପେନ୍ଦ୍ର ନାଥ ବେହେରା ନଭେମ୍ବର ୨୦୧୫ରୁ ଜାନୁଆରୀ ୨୦୧୭ ପର୍ଯ୍ୟନ୍ତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ଘଟିଥିବା ଘଟଣାବଳୀ ବାବଦରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। କ୍ୟାପିଟାଲ୍ ଥାନାର ତଦନ୍ତକାରୀ ଅଧିକାରୀ ବିପିନ ବିହାରୀ ହୋତା ତାଙ୍କୁ ଆଜି ସକାଳ ୧୧ଟାରେ ଜୋନ୍-୧ ଏସିପିଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ, ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ପାଇଁ ଘଟଣା ସହ ଜଡ଼ିତ ଯେକୌଣସି କାଗଜପତ୍ର, ରେକର୍ଡ କିମ୍ବା ଇଲେକ୍ଟ୍ରୋନିକ୍ ଉପକରଣ ନିଜ ସାଥିରେ ଆଣିବାକୁ ତାଙ୍କୁ କୁହାଯାଇଛି।
ଏହି ସମ୍ବେଦନଶୀଳ ମାମଲାରେ ପୂର୍ବ ବିଜେଡି ସରକାର ସହ ଜଡ଼ିତ ଚତୁର୍ଥ ବ୍ୟକ୍ତି ଭାବେ ଶ୍ରୀ ବେହେରାଙ୍କୁ ସମନ୍ ହୋଇଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପୂର୍ବତନ ପ୍ରମୁଖ ଶାସନ ସଚିବ ରାଜେଶ ବର୍ମାଙ୍କୁ ମଧ୍ୟ ପୋଲିସ ପକ୍ଷରୁ ଦ୍ୱିତୀୟ ଥର ପାଇଁ ନୋଟିସ୍ ଜାରି କରାଯାଇଛି। ପୂର୍ବରୁ ବୁଧବାର ଦିନ ତାଙ୍କୁ ହାଜର ହେବାକୁ କୁହାଯାଇଥିଲେ ହେଁ ସେ ଆସିନଥିଲେ, ତେଣୁ ଏବେ ତାଙ୍କୁ ଜୁଲାଇ ୩୦ ତାରିଖ ସୁଦ୍ଧା ଉପସ୍ଥିତ ରହିବାକୁ ସମୟ ଦିଆଯାଇଛି।
ଏଠାରେ ସବୁଠୁ ବଡ଼ ପ୍ରଶ୍ନ ଉଠୁଛି ଯେ, କଡ଼ା ସୁରକ୍ଷା ବଳୟ ଭିତରେ ଥିବା ରାଜ୍ୟର ସର୍ବୋଚ୍ଚ କାର୍ଯ୍ୟାଳୟରୁ ଗାଏବ ହୋଇଥିବା ସେହି ଫାଇଲଗୁଡ଼ିକରେ ଏମିତି କ’ଣ ଥିଲା? ସୂଚନା ମୁତାବକ, ନିଖୋଜ ଥିବା ନଥିପତ୍ର ମଧ୍ୟରେ କିଛି ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ରହିଛି। ବିଶେଷ କରି ୨୦୦୮ ମସିହା କନ୍ଧମାଳ ଦଙ୍ଗା ଉପରେ ଜଷ୍ଟିସ୍ ଏ.ଏସ୍. ନାଇଡୁ କମିଶନଙ୍କ ରିପୋର୍ଟ ଏବଂ ୨୦୧୬ ମସିହା ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ଟ୍ରାଜେଡି ଉପରେ ଆରଡିସିଙ୍କ ତଦନ୍ତ ରିପୋର୍ଟ ଭଳି ଅତି ଗୁରୁତ୍ୱପୂର୍ଣ୍ଣ ଦଲିଲ୍ ଏଥିରେ ସାମିଲ ରହିଛି। ଏହି ଫାଇଲଗୁଡ଼ିକ କିଭଳି, କେଉଁ ପରିସ୍ଥିତିରେ ଏବଂ କାହା ଇଙ୍ଗିତରେ ଅନ୍ତର୍ଦ୍ଧାନ ହେଲା, ତା’ର ଗୁମର ଖୋଲିବାକୁ ଏବେ ଏସଆଇଟି ଛାନ୍ଭିନ୍ ଜୋରଦାର କରିଛି।