Latest Odisha News

BREAKING NEWS

ଜାହାଜରୁ କୋକେନ ମିଳିବା ଘଟଣା: ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜବତ ହେଲା ଏମ.ଭି ଦେବୀ ଜାହାଜ

କଟକ: ପାରାଦ୍ୱୀପ ବନ୍ଦରରେ ଅଟକିଥିବା ଏମ.ଭି ଦେବୀ ଜାହାଜ କୁ ତୁରନ୍ତ ଗିରଫ ବା ଜବତ କରାଯାଉ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବର୍ଥ ଦେୟ ଏବଂ ଅନ୍ୟାନ୍ୟ ଶୁଳ୍କ ବାବଦୀୟ ମାମଲା ପ୍ରସଙ୍ଗରେ ଶୁଣାଣି କରି ଗତକାଲି ହାଇକୋର୍ଟ ଏଭଳି ଅନ୍ତରୀଣ ଆଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଚୂଡ଼ାନ୍ତ ଫଇସଲା ନ ଆସିବା ଯାଏ ଜାହାଜଟି ପାରାଦୀପରେ ଅଟକି ରହିବ ।

ସୂଚନାକ୍ରମେ, ଗତ ନଭେମ୍ବର ୩୦ରେ ପାରାଦୀପ ବର୍ଥରେ ଲାଗିଥିଲା ଏମ.ଭି ଦେବୀ ଜାହାଜ । ଏହାପରେ ସେଥିରେ କୋକେନ ଥିବା ଜଣାପଡ଼ିଥିଲା । କଷ୍ଟମସ୍‌ ବିଭାଗ ଜାହାଜରୁ ୨୨୦ କୋଟିର କୋକେନ ଜବତ କରିଥିବା ବେଳେ ତାହାକୁ କୁଜଙ୍ଗ କୋର୍ଟରେ ଜମା କରିଥିଲା । ଏହାପରେ ଜାହାଜକୁ ବ୍ୟାଜାପ୍ତି କରିବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଥିଲା । ସେବେଠାରୁ ଏହି ଜାହାଜଟି ପାରାଦୀପ ବନ୍ଦରର ଆଙ୍କରେଜରେ ଅଟକି ରହିଛି । ସେଥିରେ ୨୧ ଜଣ କ୍ରୁମେମ୍ବର ମଧ୍ୟ ଅଟକି ରହିଛନ୍ତି ।

ଏନେଇ ହାଇକୋର୍ଟଙ୍କ ଅନୁମତି ଲୋଡ଼ିଥିଲେ ବନ୍ଦର ପରିଚାଳନା କର୍ତ୍ତୃପକ୍ଷ । ଜାହାଜକୁ ମୁକୁଳାଇବାକୁ ନିବେଦନ କରିଥିଲେ । ଜାହାଜଟି ଅଟକି ରହିଥିବାରୁ କ୍ଷତି ହେଉଥିବା ଦର୍ଶାଇ କୋର୍ଟରେ ମାମଲା ଦାୟର କରିଥିଲେ । ଏହି ମାମଲାର ଶୁଣାଣି କରି କୁଜଙ୍ଗ ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ୧୦୦ କୋଟିର ବଣ୍ଡ ଏବଂ ୧୦ କୋଟିର ବ୍ୟାଙ୍କ ଗ୍ୟାରେଣ୍ଟି ବଦଳରେ ଜାହାଜ ମୁକୁଳାଇ ନେବାକୁ ଚଳିତ ମାସ ୧୩ ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଜାହାଜକୁ ବିକ୍ରି କରି ହେବନି, ରଙ୍ଗ ବଦଳାଇ ହେବନି ବୋଲି ସର୍ତ୍ତ ରଖିଥିଲେ ।

ହାଇକୋର୍ଟ ମାମଲାର ଶୁଣାଣି କରି ସମ୍ପୃକ୍ତ ଜାହାଜକୁ ଗିରଫ କରିବାକୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ହାଇକୋର୍ଟଙ୍କ ଏପରି ନିର୍ଦ୍ଦେଶ ପରେ ଜାହାଜ ପାଇଁ ଜଟିଳତା ବଢିଛି । ସେପଟେ ଏପର୍ଯ୍ୟନ୍ତ କୋକେନ୍ ରହସ୍ୟ ଉପରୁ ପରଦା ଉଠିପାରିନାହିଁ ।

Leave A Reply

Your email address will not be published.