Latest Odisha News

BREAKING NEWS

ପିଏମ ମୋଦୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦରେ ଜେମିନି ଏଆଇ, ଗୁଗୁଲକୁ ମିଳିବ କି ସରକାରୀ ନୋଟିସ୍

ନୂଆଦିଲ୍ଲୀ: ଏଆଇକୁ ନେଇ ଉପୁଜିଥିବା ବିବାଦ ମଧ୍ୟରେ ବିଶ୍ଵର ସବୁଠାରୁ ବଡ ବୈଷୟିକ କମ୍ପାନୀ ଗୁଗୁଲକୁ କ୍ରମାଗତ ଭାବରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡୁଛି । ଚାଟ୍ ଜିପିଟି ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଗୁଗୁଲ୍ ନିକଟରେ ନିଜର ବୋର୍ଡ ଏଆଇ ଚାଟବୋଟର ନାଁ ପରିବର୍ତ୍ତନ କରି ଜେମିନି କରିଦେଇଛି । କିନ୍ତୁ ଏହା ଲଗାତର ଭାବରେ ବିବାଦର ସମ୍ମୁଖିନ ହେଉଛି । ଏହାରି ଭିତରେ ଏକ ନୂତନ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଆପତ୍ତିଜନକ ଉତ୍ତର ଦେବାରୁ ଗୁଗୁଲ ଏବେ ଏକ ନୂଆ ସମସ୍ୟାର ସମ୍ମୁଖୀନ ହୋଇଛି ।

ଜେମିନି ଏଆଇକୁ ପିଏମ ମୋଦୀଙ୍କ ବିଷୟରେ ପଚରାଯିବାରୁ ସେ ଆପତ୍ତିଜନକ ଉତ୍ତର ଦେଇଥିଲା । ଜଣେ ଉପଭୋକ୍ତା ସୋସିଆଲ ମିଡିଆରେ ସେତେବେଳର ବାର୍ତ୍ତାଳାପର ସ୍କ୍ରିନସଟ ପୋଷ୍ଟ କରିଛନ୍ତି | ଏହା ପରେ ଏହି ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଯାହା ଇଲେକ୍ଟ୍ରୋନିକ୍ସ ତଥା ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଦୃଷ୍ଟି ଆକର୍ଷଣ କରିଛି। ସମ୍ପୃକ୍ତ ପୋଷ୍ଟ ସେୟାର କରିବାବେଳେ ସେ କହିଛନ୍ତି ଯେ, ଉକ୍ତ ମାମଲାରେ ଗୁଗୁଲ୍ ଏଆଇର ଆପତ୍ତିଜନକ ପ୍ରତିକ୍ରିୟାରେ ଅନେକ ଆଇନ ଉଲ୍ଲଂଘନ କରାଯାଇଛି।

ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ପୋଷ୍ଟଟିକୁ ସେୟାର କରିବା ବେଳେ ତାଙ୍କ କ୍ୟାପସନରେ ଲେଖିଛନ୍ତି – ଏହା ଆଇଟି ଆକ୍ଟର ନିୟମ ୩(୧)(ଖ) ମଧ୍ୟସ୍ଥି ନିୟମର ସିଧାସଳଖ ଉଲ୍ଲଂଘନ ଅଟେ । ଏହାଛଡା ଏଥିରେ କ୍ରମିନାଲ୍ କୋର୍ଡର ମଧ୍ୟ ଅମେଲ ନିୟମ ମଧ୍ୟ ଉଲ୍ଲଂଘନ କରାଯାଇଛି । ରିପୋର୍ଟ ଅନୁସାରେ ଯେ, ପିଏମ ମୋଦୀଙ୍କ ଉପରେ ବିବାଦୀୟ ଉତ୍ତରକୁ ନେଇ ଏବେ ଆଇଟି ମନ୍ତ୍ରଣାଳୟ ଗୁଗୁଲକୁ ଏକ ଲିଗାଲ ନୋଟିସ ପଠାଇବାକୁ ଯାଉଛି ।

ବାସ୍ତବରେ ଜେମିନି ଏଆଇକୁ ପ୍ରଧାନମନ୍ତ୍ରୀ ମୋଦୀ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ନେଇ ସମାନ ପ୍ରଶ୍ନ ପଚରାଯାଇଥିଲା । କିନ୍ତୁ ଏଆଇ ଭିନ୍ନ ଭିନ୍ନ ଢଙ୍ଗରେ ଉତ୍ତର ଦେଇଥିଲା । ଟ୍ରମ୍ପ ଏବଂ ୟୁକ୍ରେନ ମାମଲାରେ ଜେମିନି ପ୍ରତ୍ୟକ୍ଷ ଭାବରେ ଉତ୍ତର ନଦେଇ କୂଟନୈତିକ ଆଭିମୁଖ୍ୟ ଗ୍ରହଣ କଲା ଏବଂ ଗୁଗୁଲ ସର୍ଚ୍ଚ କରିବାକୁ ପରାମର୍ଶ ଦେଇଥିଲା । ସେପଟେ ପିଏମ ମୋଦୀଙ୍କ କ୍ଷେତ୍ରରେ ଜେମିନିର ଉତ୍ତର ସିଧାସଳଖ ଥିଲା । ଏହାକୁ ଆଧାର କରି ଉପଭୋକ୍ତାମାନେ କହିଛନ୍ତି ଯେ, ଗୁଗୁଲର ଏଆଇ ଆମେରିକା ଏବଂ ଏହାର ସହଯୋଗୀ ଦେଶମାନଙ୍କ ପାଇଁ ଏକ ଗୋଟେ ପ୍ରକାର ଉତ୍ତର ଦେଉଥିବା ବେଳେ ଅନ୍ୟ ଦେଶ ପାଇଁ ଅନ୍ୟଏକ ପ୍ରକାର ଉତ୍ତର ଦେଉଛି ।

 

Leave A Reply

Your email address will not be published.