Latest Odisha News

BREAKING NEWS

ପଞ୍ଚାନନଙ୍କ ପ୍ରଶ୍ନ: ନବ ଦାସଙ୍କ ହତ୍ୟା ପାଇଁ ଗୋପାଳ ଦାସଙ୍କୁ ଅନ୍ୟ କେହି ବ୍ୟବହାର କରିନି ତ ?

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ବର୍ଷିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଗୋପାଳ ଦାସଙ୍କ ପରି ଜଣେ ପୋଲିସ ଅଧିକାରୀ କିପରି ତାଙ୍କୁ ଏତେ ନିକଟରୁ ଗୁଳି କରି ହତ୍ୟା କଲେ ? ହତ୍ୟା ଘଟଣା ପରେ ଗୋପାଳ ଦାସଙ୍କୁ ମାନସିକ ରୋଗୀ ବୋଲି କୁହାଯାଉଛି । ପ୍ରକୃତରେ କ’ଣ ସେ ମାନସିକ ରୋଗୀ ? ହେଲେ ଗୋପାଳ ଦାସଙ୍କ ପରି ଜଣେ ଲୋକଙ୍କୁ ଅନ୍ୟ କେହି ବ୍ୟବହାର କରିନାହାନ୍ତି ତ ?  ନବ ଦାସଙ୍କ ମୃତ୍ୟୁକୁ ନେଇ ଏମିତି ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।

ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୃହ ବିଭାଗର ଜଣେ କର୍ମଚାରୀ ଅତି ନିକଟରୁ ଗୁଳିକରି ହତ୍ୟା କରିବା ଏବଂ ଏହି ଘଟଣାରେ ରାଜ୍ୟର ଇଣ୍ଟେଲିଜେନ୍ସ ଫେଲ ହେବା, ମୁଖ୍ୟମନ୍ତ୍ରୀ ଘଟଣାରେ ନିରବତା ପ୍ରକାଶ କରିବା ଏବଂ ୨୪ ଘଣ୍ଟା ପରେ ହତ୍ୟାକାଣ୍ଡର ରହସ୍ୟ ନ ଖୋଲିବା ରାଜ୍ୟବାସୀଙ୍କ ମନରେ ଅନେକ ପ୍ରଶ୍ନ ଉଠାଇଛି । ଏ ପ୍ରସଙ୍ଗରେ  ଆଜି କଂଗ୍ରେସ ଭବନରେ ପଞ୍ଚାନନ କାନୁନଗୋ ପ୍ରେସ ମିଟ କରି 7ଟି ପ୍ରଶ୍ନ ପଚାରିଛନ୍ତି ।

ଶ୍ରୀ କାନୁନଗୋ ରାଜ୍ୟର ସୁରକ୍ଷା ପ୍ରସଙ୍ଗ ଉଠାଇ କହିଛନ୍ତି,  ଜଣେ କାବିନେଟ ମନ୍ତ୍ରୀଙ୍କୁ ଯେପରି ହତ୍ୟା କରାଗଲା ସେଥିରେ ସମସ୍ତେ ଆଚମ୍ବିତ । ପୁଣି କୁହାଯାଉଛି, ଯିଏ ମାରିଲା ସିଏ ମାନସିକ ରୋଗୀ  । ଏହା ଆଉ ଏକ ଆଶ୍ଚର୍ଯ୍ୟ ହେଲା ପରି ପ୍ରସଙ୍ଗ ।  ଏହା ଏକ ସମ୍ବେଦନଶୀଳ ବିଷୟ ଅଟେ  । ଏ ପ୍ରସଙ୍ଗରେ ସେ ୭ ଟି ପ୍ରଶ୍ନ ଉଠାଇ ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କର ପ୍ରତିନିଧିଙ୍କଠାରୁ ଉତ୍ତର ଦାବି କରିଛନ୍ତି ।

ଶ୍ରୀ କାନୁନଗୋ କହିଛନ୍ତି, ଯଦି ASI  ଗୋପାଳ ଦାସଙ୍କ ମାନସିକ ସ୍ଥିତି ଠିକ ନ ଥିଲା ତେବେ ସେ କିପରି ଚାକିରି କରିଥିଲେ ଏବଂ ତାଙ୍କୁ କେମିତି ସେଠାକୁ ପଠା ଯାଇଥିଲା ? ତେଣୁ ପ୍ରଶ୍ନ ଉଠୁଛି, ଏପରି ଲୋକଙ୍କୁ ଅନ୍ୟ କେହି ବ୍ୟବହାର କରିନାହାନ୍ତି ତ ? ତାଙ୍କର ଅସନ୍ତୁଳନ ଭାବକୁ ଲକ୍ଷ୍ୟ କରି ନିଜ ଫାଇଦା ଉଠାଇବା ପାଇଁ ଅନ୍ୟ କେହି ତାଙ୍କୁ ବ୍ୟବହାର କରି ନବ ଦାସଙ୍କୁ ହତ୍ୟା କରିନାହାନ୍ତି ତ ? ତା ଛଡା ୨୪ ଘଣ୍ଟା ପରେ ମଧ୍ୟ ପୋଲିସ କୌଣସି ସଠିକ ତଥ୍ୟ ପାଇ ନାହିଁ ।

ଶ୍ରୀ କାନୁନଗାେ ପ୍ରଶ୍ନ କରିଛନ୍ତି, ଗୋପାଳ ଦାସଙ୍କ ମାନସିକ ସ୍ଥିତି କେବେ ଖରାପ ହେଲା ଏବଂ ଏ ନେଇ ସେ ବିଭାଗକୁ ଜଣାଇଛନ୍ତି ନା ନାହିଁ ? ୨ ୟ ପ୍ରଶ୍ନ ଥିଲା, ଗୋପାଳ ଦାସଙ୍କୁ ଘଟଣାଦିନ ଯେଉଁ ଦାୟିତ୍ୱ ଦିଆଗଲା  ତାହାର ସିଡ୍ୟୁଲ କିଏ କରିଥିଲା ? ନବ ଦାସ ନିଜେ ଗୋପାଳଙ୍କ ନାଁ ସୁପାରିଶ କରିଥିଲେ ନା ବିଭାଗ ପକ୍ଷରୁ  ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା ?

ଗୋପାଳ ଦାସଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପ୍ରସଙ୍ଗ ଉଠାଇ ଶ୍ରୀ କାନୁନଗୋ କହିଥିଲେ, ଏଏସଆଇଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, ସେ ତାଙ୍କୁ ୧୦ ବର୍ଷ ତଳେ ଚିକିତ୍ସା କରୁଥିଲେ  । ଏବେ ସେ ବିଷୟରେ ତାଙ୍କର ମନେ ନାହିଁ ବୋଲି କହୁଛନ୍ତି । ତେବେ ସେ ତାଙ୍କୁ ଫିଟନେସ ସାର୍ଟିଫିକେଟ ଦେଇଥିଲେ କି ?

ସେହିପରି ଡାକ୍ତର ଲେଖିଥିବା ଔଷଧ କେଉଁ ଦୋକାନରୁ ଆଣୁଥିଲେ  ବା କେଉଁ ଡାକ୍ତରଖାନାରୁ ଆଣୁଥିଲେ ତାହାର ସୂଚନା  ସର୍ବସାଧାରଣରେ ଦିଆଯିବା ଦରକାର ।  ତା ଛଡ଼ା ଘଟଣା ଘଟିବାର କିଛି ସମୟ ପରେ ଏଏସଆଇ ଗୋପାଳ ଦାସଙ୍କ ପତ୍ନୀ କହିଥିଲେ ତାଙ୍କ ସ୍ୱାମୀଙ୍କ ମାନସିକ ସ୍ଥିତି ଠିକ ନାହିଁ । ସେ ଔଷଧ ଖାଉଛନ୍ତି । ତେବେ ଏ ନେଇ ସେ ବିଭାଗକୁ ଜଣାଇଥିଲେ କି  ବୋଲି ପ୍ରଶ୍ନ କରିଛନ୍ତି ପଞ୍ଚାନନ କାନୁନଗୋ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି, ମନ୍ତ୍ରୀଙ୍କୁ ଗୁଳି କରିବା ପରେ ଅଭିଯୁକ୍ତ ଗୋପାଳଙ୍କୁ ସେଠାରେ ଥିବା ପୋଲିସ ଧରି ପାରି ନ ଥିଲେ । ବରଂ ତାଙ୍କୁ ଧରିଥିଲେ ଜଣେ ସାଧାରଣ ଲୋକ । ସାଧାରଣ ଲୋକ ଜାଣିବା ଦରକାର ଯେ ସେ ସମୟରେ ଦାୟିତ୍ୱରେ ଥିବା ପୋଲିସ କ’ଣ କରୁଥିଲେ ? ଗୋପାଳଙ୍କୁ ଧରିବାରେ ସେ କାହିଁକି ବିଫଳ ହେଲେ ?

ଶ୍ରୀ କାନୁନଗୋ ଅନ୍ୟ ଏକ ଗୁରୁ୍ତ୍ୱପୂର୍ଣ୍ଣ ପ୍ରଶ୍ନ କରିଛନ୍ତି. ଗୋପାଳ ଦାସଖଙ୍କୁ ସେଦିନ କିଏ ଡିଉଟି ଦେଇଥିଲା ? ତାଙ୍କର ଡିଉଟି ସେଦିନ କ’ଣ ଥିଲା ? ସେ କେମିତି ନବ ଦାସଙ୍କର ଏତେ ପାଖକୁ ଗଲେ ? ଏ ପ୍ରଶ୍ନର ଉତ୍ତର ବି ସମସ୍ତଙ୍କ ସାମ୍ନାକୁ ଆସିବା ଦରକାର ବୋଲି କହିଛନ୍ତି ପଞ୍ଚାନନ କାନୁନଗୋ ।

Leave A Reply

Your email address will not be published.