Latest Odisha News

ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ: ପାଖେଇ ଆସୁଛି ୫ ରାଜ୍ୟରେ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ପ୍ରତିଦ୍ବନ୍ଦି ଦଳ ପ୍ରାର୍ଥୀ ଘୋଷଣା କରୁଛନ୍ତି । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ମଧ୍ୟପ୍ରଦେଶରେ ୧୪୪ ଜଣ, ଛତିଶଗଡରେ ୩୦ ଜଣ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ୫୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ନବରାତ୍ରୀର ଶୁଭ ସମୟରେ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୧୪୪ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ ଛିନ୍ଦବାଡ଼ା ଆସନରୁ ନିର୍ବାଚନ ଲଢ଼ିବେ । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ପୁତ୍ର ଜୟବର୍ଦ୍ଧନ ସିଂହ ରାଘୋଗଡ଼ରୁ ନିର୍ବାଚନ ଲଢ଼ିବେ । ସେହିପରି ଛତିଶଗଡ଼ର ୩୦ ଟି ବିଧାନସଭା ଆସନ ଓ ତେଲେଙ୍ଗାନାର ୫୫ ଟି ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ପାଟନ ଆସନରୁ ପ୍ରତିଦ୍ବନ୍ଦିତା କରିବାକୁ ଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଟିଏସ ସିଂଦେଓ ଅମ୍ବିକାପୁରରୁ ପ୍ରାର୍ଥୀ ହେବା ନେଇ ଦଳ ଘୋଷଣା କରିଛି । ତେଲେଙ୍ଗାନାର ପିସିସି ସଭାପତି ରେଭେନ୍ତ ରେଡ୍ଡୀ କୋଡେଙ୍ଗା ଆସନରୁ ପ୍ରତିଦ୍ବନ୍ଦିତା କରିବେ । ତେବେ ମହାକୌଶଲ ଅଞ୍ଚଳର ୩୮ ଟି ଆସନରେ ଗତ ନିର୍ବାଚନରେ ସୁଯୋଗ ମିଳିଥିବା ଅଧିକାଂଶ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି ।

ଗତ ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ମଧ୍ୟପ୍ରଦେଶରେ କ୍ଷମତାକୁ ଆସିଥିଲା । ତେଣୁ ଏଥର ମଧ୍ୟ ଦଳ ବହୁମତ ହାସଲ କରି ସରକାର ଗଠନ ପାଇଁ ଜୋରଦାର ଭାବେ ପ୍ରୟାସ ଜାରି ରଖିଛି । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ଓ ବିଜେପି ମରେ ହେଭି ଟକ୍କର ହେବ । ଗତ ୯ ତାରିଖରେ ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ନିର୍ବାଚନ ତାରିଖ ଘୋଷଣା କରିଥିଲେ । ନଭେମ୍ବର ୩ରୁ ୩୦ ତାରିଖ ପର୍ଯ୍ୟନ୍ତ ୫ଟି ରାଜ୍ୟରେ ଅଲଗା ଅଲଗା ଭାବେ ମତଦାନ ହେବ । ମଧ୍ୟପ୍ରଦେଶରେ ନଭେମ୍ବର ୧୭ରେ ଏବଂ ଛତିଶଗଡ଼ରେ ନଭେମ୍ବର ୭ ଓ ୧୭ ତାରିଖରେ ଦୁଇଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ଡିସେମ୍ବର ୩ ତାରିଖରେ ସମସ୍ତ ୫ ରାଜ୍ୟରେ ଭୋଟ ଗଣତି ସହ ଜନାଦେଶ ପ୍ରକାଶ ପାଇବ ।

Leave A Reply

Your email address will not be published.