ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବାଶିଷ ନାୟକ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କେନ୍ଦ୍ର ସରକାରଙ୍କ ଭୁଲ ଅର୍ଥନୀତି ପରଚାଳନା ଓ ବହୁ କ୍ଷେତ୍ରରେ ଭୁଲ ନିଷ୍ପତ୍ତି ଯୋଗୁଁ ଭାରତ ବର୍ଷର ଅର୍ଥନୀତି ଆଜି ନିମ୍ନଗାମୀ ବୋଲି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଏକ ଭୟଙ୍କର ଅର୍ଥନୈତିକ ବାତ୍ୟା ଭାରତ ପ୍ରତି ମାଡ଼ି ଆସୁଛି ଯାହାକି ଦୀର୍ଘ ବର୍ଷର କଠିନ ପରିଶ୍ରମ ଦ୍ୱାରା ଭାରତ ବର୍ଷର ଅର୍ଥନୀତି ଯେଉଁ ପ୍ରଗତୀ ହାସଲ କରିଥିଲା ତାହା ଆଜି ଶେଷ ହେବାକୁ ଯାଉଛି । ନରେନ୍ଦ୍ର ମୋଦିଙ୍କ ଦୀର୍ଘ ୧୨ ବର୍ଷର ଶାସନ କାଳ ଭିତରେ କେବଳ ଭାରତ ବର୍ଷର ଅର୍ଥନୀତିର ବୃହତ ଅଂଶ କେବଳ ଆଦାନୀ ଓ ଆମ୍ବାନୀଙ୍କ ହାତରେ ରହିଯାଇଛି । ଏହାଦ୍ୱାରା ଯୁବପୀଢ଼ି, ଗରିବ, ମଧ୍ୟମବର୍ଗ, ଚାଷୀ, ଶ୍ରମିକ ଏବଂ କ୍ଷୁଦ୍ର ବ୍ୟବସାୟୀମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ଏବଂ ଆଗକୁ ମଧ୍ୟ ହେବେ ବୋଲି ସେ କହିଛନ୍ତି ।
ପ୍ରଦେଶ କଂଗ୍ରେସର ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି କହିଥିଲେ ଯେ, ଏହି ଦୀର୍ଘ ୧୨ ବର୍ଷ ଭିତରେ ଧନୀ ଗରିବ ତାରତମ୍ୟ ଭୟଙ୍କର ଭାବରେ ବୃଦ୍ଧି ପାଇଛି ଓ ଆଗକୁ ଏହା ଦ୍ରୁତ ଗତିରେ ବଢ଼ି ଚାଲିଛି । ଭାରତ ବର୍ଷରେ ୪୦ ପ୍ରତିଶତ ଗ୍ରାଜୁଏଟ ଯୁବକ ଓ ଯୁବତୀମାନେ ବେରୋଜଗାର ଅଛନ୍ତି । ୧୫ରୁ ୨୯ ବର୍ଷ ଯୁବ ବର୍ଗଙ୍କ ବେକାରୀ ସମସ୍ୟା ପିଏଲଏଫଏସ ରିପୋର୍ଟର ଅପ୍ରେଲ ମାସର ତଥ୍ୟ ଅନୁସାରେ ଏହା ୧୫.୨ ପ୍ରତିଶତ ଅଟେ । ସମାନ ଭାବରେ ୧୫ରୁ ୨୪ ବର୍ଷ ଯୁବ ମହିଳାଙ୍କ କ୍ଷେତ୍ରରେ ବେରୋଜଗାରୀ ହାର ୧୮.୭ ପ୍ରତିଶତ । ମୋଦି ସରକାରଙ୍କର ୧୨ ଶାସନ ଭିତରେ ମୁଣ୍ଡ ପିଛା ଋଣର ପରିମାଣ ୧୧ ଗୁଣା ବୃଦ୍ଧି ପାଇଛି ।
୧୯୪୭ ମସିହା ଠାରୁ ଆରମ୍ଭ କରି ୨୦୧୪ ମସିହା ମେ ମାସ ପର୍ଯ୍ୟନ୍ତ ଭାରତ ସରକାରଙ୍କ ସମୁଦାୟ ଋଣ ୫୫ ଲକ୍ଷ କୋଟି ଥିଲାବେଳେ ୨୦୨୬ ଅପ୍ରେଲ ମାସ ସୁଦ୍ଧା ଏହା ୨୦୦.୫୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚଛି । ଏହି ୧୨ ବର୍ଷ ଭିତରେ ୧୪୫.୫୩ ଲକ୍ଷ କୋଟି ଟଙ୍କା କେନ୍ଦ୍ର ସରକାର ଋଣ କରିଛନ୍ତି । ଭାରତ ବର୍ଷର ଅତ୍ୟଧିକ ୧ ପ୍ରତିଶତ ଧନୀ ୪୦ ପ୍ରତିଶତ ଜାତୀୟ ସମ୍ପତ୍ତିର ଅଧିକାରୀ ଅଟନ୍ତି । କିନ୍ତୁ ଶେଷ ୫୦ ପ୍ରତିଶତ ଜନସାଧାରଣ ମାତ୍ର ୬ ପ୍ରତିଶତ ଜାତୀୟ ସମ୍ପତ୍ତି ଅଧିକାରୀ ଅଟନ୍ତି, ଖାଲି ସେତିକି ନୁହେଁ ଭାରତ ବର୍ଷର ୧୦ ପ୍ରତିଶତ ଧନୀ ଲୋକମାନେ ୬୫ ପ୍ରତିଶତ ଜାତୀୟ ସମ୍ପତ୍ତିର ଅଧିକାରୀ ଅଟନ୍ତି ।
ଏ ୧୧ ବର୍ଷ ଶାସନକାଳ ଭିତରେ ଗୌତମ ଆଦାନୀଙ୍କର ସମ୍ପତ୍ତି ୧୦୦୦ ପ୍ରତିଶତକୁ ବୃଦ୍ଧି ପାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ୨୦୨୪ ମସିହା ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ୭.୧ ବ୍ରିଲିୟନ ଡଲାର ଥିବା ବେଳେ ୨୦୨୬ ମସିହା ମାର୍ଚ୍ଚ ମାସ ବେଳକୁ ଏହା ୯୨ ବିଲିୟନ ଡଲାରରେ ପହଞ୍ôଚଛି । ୨୦୧୯-୨୦୨୫ ମଧ୍ୟରେ ମୁକେଶ ଆମ୍ବାନୀଙ୍କର ଆୟ ୧୫୩ ଗୁଣା ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ଭାରତ ବର୍ଷର ୫ଟି ଅତ୍ୟନ୍ତ ଧନୀ ପରିବାରର ବ୍ୟକ୍ତିଗତ ଆୟ ୪୦୦ ଗୁଣା ଆୟ ବୃଦ୍ଧି ଘଟିଥିଲା ବେଳେ ଗୌତମ ଆଦାନୀଙ୍କ ବୃଦ୍ଧି ପାଇଛି କିନ୍ତୁ ସେହି ସମୟ ମଧ୍ୟରେ ଭାରତ ବର୍ଷର ୮୦ କୋଟି ଲୋକ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅର୍ଣ୍ଣଯୋଜନା ମାଧ୍ୟରେ ୫ କେଜି ଅଧିକ ଚାଉଳ ପାଇ ଜୀବନ ଜିଉଁଛନ୍ତି । ଏହି ସରକାରଙ୍କ ସମୟରେ ୯୦ଟି ନିଯୁକ୍ତି ଭିତ୍ତିକ ପରୀକ୍ଷା ବାତିଲ ହୋଇଛି ଏବଂ ଏହି ୫ ବର୍ଷ ଭିତରେ ୪ଥର ମେଡିକାଲ ପରୀକ୍ଷାର ପ୍ରଶ୍ନପତ୍ର ଲିକ ହୋଇଛି । ୯ କୋଟି ଯୁବକ ଯୁବତୀ ନିଯୁକ୍ତି ନପାଇଁ ହନ୍ତସନ୍ତ ହେଉଛନ୍ତି ।
ବିମୁଦ୍ରୀକରଣ, ଜିଏସଟି ଭାରତର ଅର୍ଥନୀତିକୁ ସମୁଦାୟ ଟଳମଳ କରିଦେଇଥିଲା ବେଳେ ଭିଡ ହିଂସା ଭୟ ଓ ଘୃଣା ଆଜି ସମାଜରେ ଅରାଜକତା ସୃଷ୍ଟି କରିଛି । ଫଳସ୍ୱରୂପ ଏହାର ପ୍ରଭାବ ଅର୍ଥନୀତି ଉପରେ ଖୁବ ଜୋରରେ ପଡ଼ିଛି । ମୋଦି ସରକାରଙ୍କର ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶ ଦାତା ଅରବିନ୍ଦ ସୁବ୍ରମଣ୍ୟମ କହିଛନ୍ତି ଯେ ଭାରତର ଜିଡିପିର ଅଭିବୃଦ୍ଧି ହାର ପ୍ରକୃତ ସଂଖ୍ୟାଠାରୁ ୨.୫ ଅଧିକ ଦେଖା ଯାଉଛି । ଫଳ ସ୍ୱରୂପ ଆଇଏନଏଫ ଭାରତର ପରିସଂଖ୍ୟନ ବ୍ୟବସ୍ଥାକୁ ସି ଗ୍ରେଡ ଦେଇଛି । ମୋଦି ସରକାର ଜନକଲ୍ୟାଣ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଏହାକୁ ବନ୍ଦ କରିଦେଉଛନ୍ତି । ମୋଦିଙ୍କ ଶାସନ କାଳରେ କୃଷକର ଆୟ ଦୁଇଗୁଣା ବୃଦ୍ଧି ପାଇଲା ନାହିଁ । ସରକାରଙ୍କର ସାମଗ୍ରିକ ବିଫଳା ଯୋଗୁଁ ଆଜି ଦେଶ ଟ୍ରମ୍ପ ସରକାରଙ୍କ ପାଖରେ ନତମସ୍ତକ । ଭାରତବର୍ଷର ଶକ୍ତି ନିରାପତ୍ତା ପାଇଁ କେନ୍ଦ୍ର ସରକାର ୧୨ ବର୍ଷ ଭିତରେ ଏକ ଟଙ୍କା ଖର୍ଚ୍ଚ କରିନାହାନ୍ତି । ଖୁଚୁରା ମୁଦ୍ରାସ୍ପିତି ହୁ ହୁ ହୋଇ ବଢ଼ିଚାଲିଛି । ମୁଣ୍ଡପିଛା ଆୟ ମୁଦ୍ରାସ୍ପତ୍ତିକୁ ହିସାବକୁ ନେଲେ ଏହା ସର୍ବନିମ୍ନ ସ୍ତରକୁ ଚାଲିଯାଇଛି । ଲୋକଙ୍କର ସଂଚୟ ବହୁ ପରିମାଣରେ କମି ଯାଇଛି । କିନ୍ତୁ ସରକାର ନିଜର ମିଛ ପ୍ରଚାର କରୁଛନ୍ତି ।
ଦୁର୍ବଳ ଅର୍ଥନୀତି ଯୋଗୁଁ ଆମ ପୁଞ୍ଜିବଜାରରେ ବଡ଼ ଭୁକମ୍ପ ଦେଖିବାକୁ ମିଳୁଛି । ଭାରତ ବର୍ଷର ଲକ୍ଷ ଲକ୍ଷ ନିମ୍ନ ଆୟକାରୀ ବର୍ଗ ସ୍ୱଳ୍ପ ସଂଚୟ ମ୍ୟୁଚୁଆଲ ଫଣ୍ଡ ମାଧ୍ୟମରେ କରିଥିଲେ ଆଜି ସେମାନଙ୍କର ମୂଳ ଧନ ମଧ୍ୟ ଉଡିଯାଇଛି । ଦେଶବାସୀଙ୍କୁ ଖୋଦ ପ୍ରଧାନମନ୍ତ୍ରୀ ଏଭଳି ସମସ୍ୟାର ସମାଧାନ ନିମନ୍ତେ ସହଯୋଗ ଲୋଢ଼ୁଥିବା ବେଳେ ନିଜେ ବିଦେଶ ଯାଇ ରିଲ କରିବା ଏହା ତାଙ୍କ ନୀତି ଓ ନୈତିକାର ସ୍କଳନର ପରିଚୟ ଦେଉଛି । ଗରିବ ଅଧିକ ଗରିବ ହୋଇଯାଉଛି । ଧନୀ ଅଧିକ ଧନୀ ହୋଇଯାଉଛି । ଭାରତ ବର୍ଷ ଯେଉଁ ସାମ୍ୟବାଦ ରାଷ୍ଟ୍ରର ପରିକଳ୍ପନା କରିଥିଲା ତାର ଏକ ବଡ଼ ଭଟା ପଡିସାରିଛି ବୋଲି ଶ୍ରୀ ମହାନ୍ତି କହିଥିଲେ ।