Latest Odisha News

BREAKING NEWS

ବିସିସିଆଇ ସହ ଗୌତମଙ୍କ ‘ଗମ୍ଭୀର’ ସମସ୍ୟା

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ମହଲରେ ଗୌତମ ଗମ୍ଭୀର ଟିକେ ଅଲଗା ମିଜାଜର ବ୍ୟକ୍ତି । ଲଢୁଆ ଓ ସ୍ପଷ୍ଟବାଦୀ । ଭାରତର ଏହି ପୂର୍ବତନ ଟେଷ୍ଟ କ୍ରିକେଟର ଜଣକ ଏବେ ଟିମ୍ ଇଣ୍ଡିଆ ହେଡ୍ କୋଚ୍ । ଗମ୍ଭୀର ଟିମ୍ ଇଣ୍ଡିଆ ନୂଆ କୋଚ୍ ଘୋଷିତ ହେଲା ପରେ ଦଳର ସପୋର୍ଟ ଷ୍ଟାଫ୍ ନେଇ ସେ ଦେଇଥିବା ପ୍ରସ୍ତାବରେ ସହମତ ହୋଇନାହିଁ ବିସିସିଆଇ, ଯାହା କି ସୃଷ୍ଟି କରିଛି ଅଡୁଆ ପରିସ୍ଥିତି। ଗମ୍ଭୀର ଫିଲଡିଂ କୋଚ୍ ଭାବେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଟେଷ୍ଟ କ୍ରିକେଟର ଜଂଟି ରୋଡେସଙ୍କ ନାଁ ପ୍ରସ୍ତାବ ଦେଇଥିଲେ । କେକେଆର୍ ଟିମ୍ ସହ ଜଡିତ ଥିବା ନେଦରଲ୍ୟାଣ୍ଡସର ପୂର୍ବତନ କ୍ରିକେଟର ରାୟନ ଟେନ୍ ଡସେଟ ମଧ୍ୟ ଗମ୍ଭୀରଙ୍କ ପସନ୍ଦ । କିନ୍ତୁ ବିସିଆଇ ବର୍ତ୍ତମାନର ଫିଲଡିଂ କୋଚ୍‌ ଟି.ଦିଲ୍ଲୀପଙ୍କୁ ବଜାୟ ରଖିବାକୁ ଚାହୁଁଛି ।

ନୂଆ ବୋଲିଂ କୋଚ୍ ଭାବେ ଗୌତମ ଗମ୍ଭୀରଙ୍କ ପ୍ରଥମ ପସନ୍ଦ ଥିଲେ ଆର.ବିନୟ କୁମାର। ହେଲେ ବିନୟଙ୍କ ସାମର୍ଥ୍ୟ ଉପରେ ବିସିସିଆଇର ଭରସା ନାହିଁ। ଏବେ ବୋଲିଂ କୋଚ୍ ଭାବେ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ମୋର୍ନ ମରକେଲଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି ଗମ୍ଭୀର। ବୋଲିଂ କୋଚ୍ ଭାବେ ଜାହିର ଖାନ୍ ଓ ଲକ୍ଷ୍‌ମୀପତି ବାଲାଜୀଙ୍କ ନାଁ ମଧ୍ୟ ଉଠିଛି । ଏ ଦୁଇ ବୋଲରଙ୍କ ନାମ ପ୍ରସ୍ତାବ ଦେଇଛି ବିସିସିଆଇ। ମର୍କେଲ ଯଦି ବୋଲିଂ କୋଚ୍ ନହୁଅନ୍ତି, ତାହା ହେଲେ ଜାହିର କିମ୍ବା ବାଲାଜୀଙ୍କ ସହ କାମ କରିବାକୁ ଗମ୍ଭୀରଙ୍କୁ ବୋଧହୁଏ ସେତେଟା ଅସୁବିଧା ହେବ ନାହିଁ। କାରଣ ଗମ୍ଭୀର ସେମାନଙ୍କ ସହ ଜାତୀୟ ଦଳରେ ଖେଳିସାରିଛନ୍ତି। ଅଭିଜ୍ଞତା ଦୃଷ୍ଟିରୁ ବାଲାଜୀଙ୍କ ଅପେକ୍ଷା ଜାହିର ଖାନ ଗମ୍ଭୀରଙ୍କ ପସନ୍ଦ ହୋଇପାରନ୍ତି।

ବିସିସିଆଇ କୁଆଡେ ଅଲ୍ ଇଣ୍ଡିଆ କୋଚିଂ ଷ୍ଟାଫ୍ ଚାହୁଁଛି । ଯଦି ବିସିସିଆଇ ଏହି ନୀତିରେ କାଏମ ରହେ, ତାହାହେଲେ ଗମ୍ଭୀରଙ୍କୁ ଏହା ଅସନ୍ତୁଷ୍ଟ କରିବ । କାରଣ ଜଣେ କୋଚ୍ ନିଜକୁ ସୁହାଉଥିବା ହିଁ ସପୋର୍ଟ ଷ୍ଟାଫ୍ ଚାହିଁବେ । କୋଚିଂ ଷ୍ଟାଫଙ୍କ ମଧ୍ୟରେ କେମିଷ୍ଟ୍ର ରହିବା ବି ଜରୁରୀ । କୋଲକାତା ନାଇଟ ରାଇଡର୍ସ ସହ ଜଡିତ ମୁମ୍ବାଇର ପୂର୍ବତନ ଅଲରାଉଣ୍ଡର ଅଭିଷେକ ନାୟାର , ଗମ୍ଭୀରଙ୍କ ପସନ୍ଦ ଭାବେ ଟିମ୍ ଇଣ୍ଡିଆ ସପୋର୍ଟ ଷ୍ଟାଫରେ ସ୍ଥାନ ପାଇବା ନିଶ୍ଚିତ ବୋଲି ଜଣାପଡୁଛି । ନାୟାର ଆସିଷ୍ଟାଂଟ୍ କୋଚ୍ ଭାବେ ଗମ୍ଭୀରଙ୍କ ସପୋର୍ଟ ଷ୍ଟାଫରେ ସ୍ଥାନ ମିଳିପାରେ ।

ଯାହା ଜଣାପଡୁଛି ଗମ୍ଭୀରଙ୍କ ଅନେକ ଚଏସରେ ବିସିସିଆଇ ଏକମତ ଥିବା ଭଳି ଲାଗୁନାହିଁ । ଗମ୍ଭୀରଙ୍କୁ ହେଡ୍ କୋଚ ଭାବେ ଘୋଷଣା କରିବା ପୂର୍ବରୁ ସପୋର୍ଟ ଷ୍ଟାଫ୍ ନେଇ ତାଙ୍କ ସହ ବିସ୍ତୃତ ଆଲୋଚନା କରିବା ଦରକାର ଥିଲା ବୋଲି କିଛି କ୍ରୀଡା ସମୀକ୍ଷକ କହୁଛନ୍ତି । ବିସିସିଆଇ ମଧ୍ୟ ଜିଦରେ ଅଟଳ ନରହି କୋହଳ ମନୋଭାବ ପ୍ରଦର୍ଶନ ନକଲେ ଭବିଷ୍ୟତରେ ଟିମ୍ ଇଣ୍ଡିଆରେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଲୋଚନା ହେଉଛି ।

Comments are closed.