Latest Odisha News

BREAKING NEWS

ବାପା ଡାକ ଶୁଣିପାରିଲେନି କୋ ପାଇଲଟ ଅଖିଳେଶ ଶର୍ମା ..

ଭୁବନେଶ୍ୱର : ନୀଳ ଆକାଶରେ ଘୁରି ବୁଲୁଥିଲେ ସେ । ସ୍ୱପ୍ନ ଥିଲା ଅନ୍ଧାରକୁ ଚିରି ନବଜାତ ଦୁନିଆର ଆଲୋକ ଦେଖିବା ପରେ ତାଙ୍କ ଭଳି ନୀଳ ଆକାଶରେ ଘୁରିବୁଲିଥାନ୍ତା । କିନ୍ତୁ ଆକାଶରୁ ଓହ୍ଲାଉ ଓହ୍ଲାଉ ବାପା ଚାଲିଗଲେ ଅନ୍ଧାର ଭିତରକୁ ।

ଆଉ ୧୫ ଦିନ ପରେ କେରଳରେ ଗତକାଲି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କୋ ପାଇଲଟ ଅଖିଳେଶ ଶର୍ମା ବାପା ହୋଇଥାନ୍ତେ । ଏଥି ପାଇଁ ଉଭୟ ଅଖିଳେଶ ଓ ପତ୍ନୀ ମେଘା ବେଶ୍ ଖୁସି ଥିଲେ । କିନ୍ତୁ ଗତକାଲିର ଦୁର୍ଘଟଣା ସବୁ ସ୍ୱପ୍ନ ଚୁରମାର କରିଦେଇଛି । ଏବେ ବି ମେଘା ଏସମ୍ପର୍କରେ କିଛି ଜାଣିନାହାନ୍ତି । ଆସନ୍ନପ୍ରସବା ମେଘାଙ୍କର ଏ ଖବର ପାଇବା କଣ ଅବସ୍ଥା ସେ ନେଇ ଆଶା ଆଶଙ୍କାରେ ରହିଥିବା ପରିବାର ତାଙ୍କୁ ଏସ ବିଷୟରେ ଜଣାଇବା ପାଇଁ ଉଚିତ ମଣିନାହାନ୍ତି ।

ଅଖିଳେଶଙ୍କ ପରିବାର ଉତ୍ତରପ୍ରଦେଶର ମଥୁରାରେ ରହନ୍ତି । ତିନି ଭାଇ ଗୋଟିଏ ଭଉଣୀଙ୍କୁ ନେଇ ତାଙ୍କ ପରିବାରରେ ଅଖିଳେଶ ବଡ ପୁଅ । ଭଉଣୀ ବିବାହିତ । ତାଙ୍କ ସାନ ଭାଇଙ୍କ ସୂଚନା ଅନୁସାରେ, ‘ଗତକାଲି ପ୍ରଥମେ ଦୁର୍ଘଟଣା ପରେ ଭାଇ(ଅଖିଳେଶ) ଗୁରୁତର ଥିବା ଖବର ଆସିଥିଲା । କିନ୍ତୁ ଏହାର କିଛି ସମୟ ପରେ ତାଙ୍କ ମୃତ୍ୟୁ ଖବର ପହଞ୍ଚିଲା ।’

ଅଖିଳେଶଙ୍କ ଭାଇ ଓ ଭିଣୋଇ ଏବେ କୋଜିକୋଡ୍ ଯାଇଛନ୍ତି । ଏପଟେ ପରିବାର ଲୋକେ ଚାହିଁ ବସିଛନ୍ତି ମରଶରୀର ପହଞ୍ଚିଲେ ଶେଷକୃତ୍ୟ କରିବା ପାଇଁ ।

ଅଖିଳେଶ ମଥୁରାର ଅମରନାଥ କଲେଜରୁ ପାଠ ପଢିବା ପରେ ମହାରାଷ୍ଟ୍ରର ଅକ୍ସଫୋର୍ଡ ଆଭିଏସନ ଏକାଡେମୀରୁ ପାଇଲଟ ପାଇଁ ତାଲିମ ନେଇଥିଲେ । ୨୦୧୭ରେ ସେ ଏୟାର ଇଣ୍ଡିଆରେ ଯୋଗ ଦେଇଥିବା ବେଳେ ୨୦୧୮ରେ ତାଙ୍କର ବିବାହ ହୋଇଥିଲା ।

Leave A Reply

Your email address will not be published.