Latest Odisha News

BREAKING NEWS

ଘଡ଼ିସନ୍ଧି ସମୟରେ ଗୁଡ୍ ସାଇନ୍ସ

ଗୋଟାଏ ଅଦୃଶ୍ୟ ଭୂତାଣୁର ବିଭୀଷିକାରୁ ବର୍ତ୍ତିବା ପାଇଁ ମନୁଷ୍ୟ ସକଳ ଚେଷ୍ଟା ଜାରିରଖିଛି| ଏହି ସମୟରେ ସରକାର ଓ ଜନସାଧାରଣଙ୍କ ପ୍ରତିକାରମୂଳକ ପଦକ୍ଷେପ ସ୍ପଷ୍ଟ ଦୃଷ୍ଟିଗୋଚର ହେଉଥିଲା ବେଳେ ଚିକିତ୍ସା ବ୍ୟବସ୍ଥା ମାଧ୍ୟମରେ ବିପଜ୍ଜନକ କରୋନା ସଂକ୍ରମଣରୁ ମାନବ ସମାଜକୁ ରକ୍ଷାକରିବା ପାଇଁ ନୀରବରେ ଗବେଷଣାରେ ମନୋନିବେଶ କରିଥିବା ସାରା ଦୁନିଆର ବିଜ୍ଞାନୀମାନଙ୍କ କାର୍ଯ୍ୟକଳାପ କିନ୍ତୁ ରହିଯାଇଛି ଆଢୁଆଳରେ| ଭୂତାଣୁ ବିଜ୍ଞାନ ସମେତ ରୋଗ ନିଦାନ କ୍ଷେତ୍ରରେ କର୍ମରତ ଗବେଷକ ଓ ଚିକିତ୍ସକମାନେ ଏହି ଘଡ଼ିସନ୍ଧି ବେଳାରେ ଯେପରି ଅବିଶ୍ରାନ୍ତ ଉଦ୍ୟମ କରୁଛନ୍ତି ତାହା ଜନସମୁଦାୟରେ ପ୍ରକାଶିତ ହେବାର ଆବଶ୍ୟକତା ରହିଛି| ଏହା ହୋଇପାରିଲେ ଉଭୟ ଗବେଷକ ଏବଂ ସାଧାରଣ ଜନତାଙ୍କ ମନରେ ଉତ୍ସାହ ଓ ଆଶ୍ବାସନା ବଢ଼ିବ, ଯାହା ସାମଗ୍ରିକ ଭାବେ ଦେଶବାସୀଙ୍କ ଆତ୍ମବିଶ୍ବାସର ସ୍ତରକୁ ଉର୍ଦ୍ଧ୍ବମୁଖୀ କରିବାରେ ନିଶ୍ଚୟ ସହାୟକ ହେବ| ସେହିଭଳି କେତେକ ଦିଗ ସମ୍ପର୍କରେ ଆଲୋଚନା କଲାବେଳେ ପ୍ରଥମେ ଭାଇରୋଲଜିଷ୍ଟଙ୍କ କାର୍ଯ୍ୟକୁ ନେଇ କିଛି ଧାରଣା ଦିଆଯିବା ଜରୁରୀ| କୋଭିଡ-୧୯ ରୋଗ ଯେଉଁ ପ୍ରଜାତିର କରୋନା ଭାଇରସ୍ ଦ୍ବାରା ହେଉଛି, ତାହାକୁ ବିଜ୍ଞାନର ଭାଷାରେ କୁହାଯାଉଛି ଏସ୍ଏଆର୍‌ଏସ୍(ସାରସ୍)-ସିଓଭି-୨| ଇଲେକଟ୍ରନ୍ ଅଣୁବୀକ୍ଷଣ ଦ୍ବାରା ଏହାକୁ ଦେଖାଯାଇ ଜଣାଯାଇଛି ଯେ, ଉକ୍ତ ଭୂତାଣୁ ସମେତ ଏହି ଶ୍ରେଣୀର ସମସ୍ତ ଭୂତାଣୁ ଗୋଲାକାର ଓ ମୁକୁଟ ପରି କଣ୍ଟାଯୁକ୍ତ| ଗ୍ରୀକ୍ ଭାଷାରେ ମୁକୁଟକୁ କରୋନା କୁହାଯାଉଥିବାରୁ ଭୂତାଣୁର ନାମ ଦିଆଯାଇଛି କରୋନା| ଅର୍ଥାତ୍ କରୋନା ଭାଇରସ୍ ଶ୍ରେଣୀ ଭିତରେ ବର୍ତ୍ତମାନର ଭାଇରସ୍ ଅନ୍ତର୍ଭକ୍ତ| ଏହା ବୃହତ୍ ପକ୍ଷୀ ମୟୁରଙ୍କ ଠାରୁ ଆରମ୍ଭ କରି ସ୍ଥଳଭାଗର ପଶୁ ତଥା ସମୁଦ୍ରର ତିମିମାନଙ୍କ ସମେତ ସମସ୍ତପ୍ରକାର ପ୍ରାଣୀଙ୍କୁ ହୋଇପାରେ|

ବିଜ୍ଞାନୀଙ୍କ ମତରେ ଏହା ପ୍ରାଣୀକୁ ଦୁଇ ପ୍ରକାରେ ଆକ୍ରାନ୍ତ କରିପାରେ| ଗୋଟିଏ ହେଲା, ଫୁସଫୁସ୍ ରେ ସଂକ୍ରମଣ ଯାହା ସାଧାରଣ ଥଣ୍ଡା-ଶର୍ଦ୍ଦି ଭାବେ ପ୍ରକାଶିତ ହୁଏ ଏବଂ ଅନ୍ୟଟି ପାକସ୍ଥଳୀ ତଳେ ରହିଥିବା ଅନ୍ତନଳୀରେ ସଂକ୍ରମଣ କରି ଡାଏରିଆର କାରଣ ହୋଇଥାଏ| ବର୍ତ୍ତମାନ ସମୟରେ ତାଣ୍ଡବ ରଚିଥିବା ସାରସ୍-ସିଓଭି-୨ ଗୁଣସୂତ୍ର ଦୃଷ୍ଟିରୁ, ପୂର୍ବରୁ ଯଥାକ୍ରମେ ୨୦୦୩ ଏବଂ ୨୦୧୨ରେ ଶ୍ବାସନଳୀ ସଂକ୍ରମଣ ଭାବେ ବ୍ୟାପିଥିବା ସାରସ୍-ସିଓଭି ଓ ଏମ୍‌ଇଆର୍‌ଏସ୍(ମର୍ସ)-ସିଓଭି ସହିତ ସମାନ ହୋଇଥିଲେ ମଧ୍ୟ ଅତିସୁକ୍ଷ୍ମ ସ୍ତରରେ ଟିକେ ଫରକ ରହିଛି| ସେଥିପାଇଁ ଏହା ଏବେ ମରଣାନ୍ତକ ସାବ୍ୟସ୍ତ ହୋଇଛି| ରାତିଦିନ ଏକାକାର କରିଦେଇଥିବା ଗବେଷକମାନେ କିଛିଦିନ ତଳେ ଏକଥା ଜାଣିପାରିଛନ୍ତି| ମଣିଷର ଜୀବକୋଷକୁ ଆକ୍ରମଣ ଓ ଅକାମୀ କରିବା ସହିତ ବଂଶବୃଦ୍ଧି ଲାଗି ନିଜ ଭଳି ଅନେକ ନକଲ ସୃଷ୍ଟିକରିବା ପାଇଁ ଭୂତାଣୁଟି ପୂର୍ବୋକ୍ତ ଭୂତାଣୁ ଦୁଇଟି ତୁଳନାରେ ଦ୍ରୁତଗତିରେ ଆବଶ୍ୟକ ଓ ସଫଳ ପରିବର୍ତ୍ତନ ଆଣିପାରେ ଏବଂ ମଣିଷର କୋଷରେ ସଂଯୁକ୍ତ ହୋଇପାରିବା ଭଳି ଅନୁକୂଳ ସଂରଚନା ସୃଷ୍ଟିକରିଥାଏ| ଏହା ତାଲା-ଚାବିର ଉଦାହରଣ ଅନୁରୂପ|

ଅସଲକଥା ହେଲା, ଭୂତାଣୁମାନଙ୍କ ଆୟୁଷ ଖୁବ୍ ଅଳ୍ପସମୟ ହୋଇଥିବାରୁ ସେମାନେ ବଞ୍ଚିବା ଲାଗି ନିଜ ଗୁଣସୂତ୍ରରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ| ଏମାନେ ଡିଏନ୍‌ଏ ନୁହେଁ ଆରଏନ୍‌ଏ ମୋଲିକ୍ୟୁଲ୍ ଆଧାରିତ ଭୂତାଣୁ ହୋଇଥିବା ଯୋଗୁ ମୌଳିକ ପରିବର୍ତ୍ତନ ବା ମ୍ୟୁଟେସନ୍ ପାଇଁ ବହୁତ ବେଶି ସ୍ବାଧୀନତା ଥାଏ| କିନ୍ତୁ ସବୁ ମ୍ୟୁଟେସନ୍ ସାଙ୍ଘାତିକ ହୋଇନପାରେ| ତେଣୁ ରୋଗ ବ୍ୟାପୁଥିବା ବେଳେ ହେଉଥିବା ସ୍ବାଭାବିକ ମ୍ୟୁଟେସନ ନେଇ ଲୋକେ ବିଚଳିତ ହେବା ଉଚିତ ନୁହେଁ ବୋଲି ‘ନେଚର ମାଇକ୍ରୋବାୟୋଲୋଜି’ ପତ୍ରିକାର ଫେବୃଆରୀ ୧୮ ତାରିଖ ସଂସ୍କରଣରେ ସ୍ପଷ୍ଟ କରାଯାଇଛି| ଏତଦବ୍ୟତୀତ କୋଭିଡ-୧୯ ଲାଗି ଦାୟୀ ଭୂତାଣୁ ସାରସ୍-ସିଓଭି-୨ର ଜିନ୍ ବା ଗୁଣସୂତ୍ରକୁ ଗଠନ କରିଥିବା ‘ନ୍ୟୁକ୍ଲିଓଟାଇଡ ବେସ୍’ ୩୦ହଜାର ୟୁନିଟ୍ ଲମ୍ବା ହୋଇଥିଲା ବେଳେ ୨୦୦୩ ମସିହାର ସାରସ୍ ଇନଫ୍ଲୁଏଞ୍ଜାର ରହିଛି ମାତ୍ର ୬ହଜାର ନ୍ୟୁକ୍ଲିଓଟାଇଡ ଲମ୍ବବିଶିଷ୍ଟ ଜିନ୍| ତେଣୁ କୋଭିଡ-୧୯ ଭୂତାଣୁର ମୌଳିକ ପରିବର୍ତ୍ତନ ପାଇଁ ଯଥେଷ୍ଟ ସୁବିଧା ରହିଛି| ଏହି ଜ୍ଞାନକୁ ଆଧାରକରି ଏବେ ଟୀକା ଏବଂ ଔଷଧର ପ୍ରସ୍ତୁତି ପାଇଁ ଚେଷ୍ଟା ଚାଲିଛି|

 ଏହି ପରିପ୍ରେକ୍ଷୀରେ ଡାକ୍ତରମାନେ ଆଉ ଗୋଟିଏ ଗୁରୁତ୍ତ୍ବପୂର୍ଣ୍ଣ ବିଶ୍ଳେଷଣକୁ ଉପସ୍ଥାପିତ କରିଛନ୍ତି, ଯେଉଁଥିରେ କୋଭିଡ-୧୯ ବିରୋଧରେ ଲଢ଼େଇ କରୁଥିବା ଆମ ଶରୀରର ସୁରକ୍ଷାତ୍ମକ ବ୍ୟବସ୍ଥା କିପରି କାର୍ଯ୍ୟକରୁଛି ତାହା ଦର୍ଶାଯାଇଛି| ଅଷ୍ଟ୍ରେଲିଆର କେତେକ ଚିକିତ୍ସକ-ଗବେଷକ ଉକ୍ତ ପ୍ରାକୃତିକ ପ୍ରତିରୋଧି-କ୍ଷମତାର ଏକ ନକ୍ସା କରିପାରିଥିବା କଥା ଗତ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି| ଏହି ନିଷ୍କର୍ଷର ଦୁଇଟି ଲାଭ ମିଳିବ ବୋଲି ଗବେଷଣା ଦଳର ମୁଖ୍ୟ କାଥେରାଇନ୍ କେଜିରିସ୍କା ନେଚର୍ ମେଡିସିନ୍ ପତ୍ରିକାରେ ପ୍ରକାଶ କରିଛନ୍ତି| ପ୍ରଥମକଥା ହେଲା, କୋଭିଡ-୧୯ରୁ ଆରୋଗ୍ୟ ପାଇଁ ଶରୀର ଅନୁସରଣ କରିଥିବା ଧାରା ସ୍ପଷ୍ଟ ହୋଇଥିବା ଯୋଗୁ ଏହାର ଟୀକା ଉଦ୍ଭାବନ ଦିଗରେ ଭାଇରୋଲଜିଷ୍ଟଙ୍କୁ ସହାୟତା ମିଳିବ| ଦ୍ବିତୀୟତଃ ଆରୋଗ୍ୟର ପ୍ରକ୍ରିୟା ଚାଲିଥିଲା ବେଳେ ଗବେଷକମାନେ ରୋଗୀର ରକ୍ତରେ ୪ଟି ସ୍ବତନ୍ତ୍ର ଇମ୍ୟୁନ୍ ସେଲ୍ ଚିହ୍ନଟ କରିଛନ୍ତି, ଯାହା ଇନଫ୍ଲୁଏଞ୍ଜା ରୋଗୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ| ଯଦିଓ ପ୍ରତିବର୍ଷ ଏହି ରୋଗରେ ବିଶ୍ବରେ ବହୁ ଲୋକଙ୍କ ମୃତ୍ୟୁ ହୁଏ, ତଥାପି ଏହାର ବେଶ୍ ଫଳପ୍ରଦ ଟୀକା ରହିଛି| ଏବେ ଇମ୍ୟୁନ ସେଲ୍ ର ବିଶେଷ ଅଧ୍ୟୟନ ହେଲେ ସେଲ୍ ପ୍ରସ୍ତୁତ କରୁଥିବା ଆଣ୍ଟିବଡିକୁ ପରୀକ୍ଷାଗାରରେ ବିକଶିତ କରାଯାଇପାରିବ ଓ ଟୀକା ବାହାରକରିବା ସହଜ ହୋଇଯିବ|

କୋଭିଡ-୧୯ ବିରୁଦ୍ଧରେ ଲଢ଼େଇ ପାଇଁ ଅନ୍ୟଏକ ମହତ୍ତ୍ବପୂର୍ଣ୍ଣ ପଦ୍ଧତି ବିଷୟରେ ମଧ୍ୟ ପରୀକ୍ଷା ଆରମ୍ଭ ହୋଇଯାଇଛି| ତାହା ହେଉଛି, କୋଭାଲସେଣ୍ଟ ପ୍ଲାଜମା ଥେରାପୀ| ଏହି ପଦ୍ଧତିରେ ରୋଗମୁକ୍ତ ହୋଇଥିବା ବ୍ୟକ୍ତିଙ୍କ ଠାରୁ ପ୍ଲାଜମା ବା ରକ୍ତରସ ଆଣି ତାହାକୁ ସଙ୍କଟାପନ୍ନ ରୋଗୀକୁ ଦିଆଯାଏ| ଫଳରେ ଆରୋଗ୍ୟ ବ୍ୟକ୍ତିର ରକ୍ତରେ ରହିଥିବା କରୋନା-ବିରୋଧି ଆଣ୍ଟିବଡି ରୋଗୀ ଦେହକୁ ଯାଇ ତାର ଭୂତାଣୁ ଧ୍ବଂସକାରୀ କ୍ଷମତାକୁ ବଢ଼ାଇଦିଏ ଓ ରୋଗ କବଳରୁ ଉଦ୍ଧାରକରେ| ଲାଲ୍ ରକ୍ତ କଣିକା ସମେତ ଅନ୍ୟାନ୍ୟ ଉପାଦାନକୁ ଭାସମାନ ରଖେ ଏହି ପ୍ଲାଜମା, ଯାହା ଦେଖିବାକୁ ଇଷତ୍ ହଳଦିଆ| ଜଣେ ବ୍ୟକ୍ତି ଠାରୁ ୪୦୦ ମିଲି.ଲିଟର ପ୍ଲାଜମା ସଂଗ୍ରହ କରାଯାଇ କରୋନା ସଂକ୍ରମିତ ଦୁଇଜଣ ରୋଗୀଙ୍କୁ ଦିଆଯାଇପାରିବ| ଏହି ପାସିଭ୍ ଇମ୍ୟୁନାଇଜେସନ୍ ପଦ୍ଧତି ସଂକ୍ରାମକ ବ୍ୟାଧିରୁ ରକ୍ଷାକରିବାର ଏକ ପୁରୁଣା ଚିକିତ୍ସା ପଦ୍ଧତି| ବିଂଶ ଶତାବ୍ଦୀରେ ଏହାର ବ୍ୟବହାର ଆରମ୍ଭ ହୋଇଥିଲା| ନିର୍ଦ୍ଦିଷ୍ଟ ସଂକ୍ରାମକ ରୋଗର ଆଣ୍ଟିବଡି ହାସଲକରିବା ଲାଗି ସେତେବେଳେ ଘୋଡ଼ା ଓ ଠେକୁଆମାନଙ୍କୁ ପ୍ରଥମେ ଆଣ୍ଟିବଡ଼ିର ସ୍ବଳ୍ପମାତ୍ରା ଇଂଜେକ୍ଟକରାଯାଇ ପରେ ସେମାନଙ୍କ ଠାରୁ ଯଥେଷ୍ଟ ଆଣ୍ଟିବଡିର ସିରମ୍ ସଂଗ୍ରହ କରାଯାଉଥିଲା|

ନିକଟ ଅତୀତରେ ଏବୋଲା ଭୂତାଣୁ ସଂକ୍ରମଣର ସଫଳ ଚିକିତ୍ସା ପାଇଁ ଏହି ପଦ୍ଧତିର ବ୍ୟବହାର କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଗୁରୁତ୍ବ ପ୍ରଦାନ କରିଛି|

ଏବେ କୋଭିଡ-୧୯ କ୍ଷେତ୍ରରେ ମଧ୍ୟ ସେହି ଉପାୟର ପ୍ରୟୋଗ କରାଗଲେ ଅଧିକ ସାଙ୍ଘାତିକ ରୋଗୀଙ୍କୁ ନିଶ୍ଚୟ ସୁସ୍ଥ କରାଯାଇପାରିବ ଏଥିରେ ସନ୍ଦେହ ନାହିଁ| ଘୋର ସଙ୍କଟ କାଳରେ ସାରା ଦୁନିଆର ବୈଜ୍ଞାନିକମାନେ ଯେପରି ଏକାଠି ହୋଇ କୋଭିଡକୁ ପରାଜିତ କରିବାର ମିଶନରେ ଲାଗିପଡ଼ିଛନ୍ତି, ତାହା ଭାରତର ଉଦାତ୍ତ ମାନବୀୟ ମନ୍ତ୍ର ‘ବସୁଧା ଗୋଟିଏ କୁଟୁମ୍ବ ଭଳି’ ମହାଭାବକୁ ପ୍ରକଟିତ କରୁଛି|

କାର୍ଯ୍ୟନିର୍ବାହୀ ସମ୍ପାଦକ, ଲୋକ ସମାଚାର (ମୋବାଇଲ୍ ନମ୍ବର – ୯୮୬୧୩୫୭୩୪୭)

 

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.