Latest Odisha News

BREAKING NEWS

ପ୍ରଧାନ ଶିକ୍ଷକଙ୍କୁ ବିଭିନ୍ନ ଦୁର୍ନୀତି ଅଭିଯୋଗରେ ଘେରିଲେ ଗ୍ରାମବାସୀ

କାମାକ୍ଷାନଗର: ପ୍ରଧାନ ଶିକ୍ଷକଙ୍କ ନାମରେ ଅଭିଯୋଗ ଆଣିଲେ ଗ୍ରାମବାସୀ । ଏହିଭଳି ଘଟଣା ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଜିରିଡ଼ାମାଳି ଗାଁ ରଘୁନାଥ ଜୀଉ ଉଚ୍ଚ ବିଦ୍ୟାଳୟରେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତପନ କୁମାର ସାହୁ ବିଭିନ୍ନ ଦୁର୍ନୀତିରେ ଲିପ୍ତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ବିଦ୍ୟାଳୟର ଲକ୍ଷାଧିକ ଟଙ୍କାର ଶାଗୁଆନ୍ ଗଛ କାଟି ଚୋରି କରିବା, ପିଲାଙ୍କ ଚାଉଳ ବିକ୍ରି କରିବା, ବିଦ୍ୟାଳୟ ଏସଏମସି କମିଟିର ଟଙ୍କାକୁ ଚେୟାରମ୍ୟାନଙ୍କ ଅଗୋଚରରେ ହଡ଼ପ କରିବା । ସେହିପରି ବିଦ୍ୟାଳୟର ଘରକୁ ହଳଦୀ ବେପାରୀଙ୍କୁ ଭଡ଼ାରେ ଦେବା ସହ ବିଦ୍ୟାଳୟ ଉନ୍ନତିମୂଳକ ପ୍ରୋଜେକ୍ଟରେ ଦୁର୍ନୀତି ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ପାଠପଢ଼ାଇବାବେଳେ ପ୍ରଧାନ ଶିକ୍ଷକ ଶୋଇବାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହାସହ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ୨୦୧୧ମସିହାରେ ପିଲାଙ୍କ ଚାଉଳ ବିକ୍ରି କରିବା ଘଟଣାରେ ସସପେଣ୍ଟ ମଧ୍ୟ ହୋଇଥିଲେ ।

ଉତ୍ୟକ୍ତ ଗ୍ରାମବାସୀମାନେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟକୁ ନେଇ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରିଣୀଙ୍କ ସମ୍ମୁଖରେ ଅଭିଯୋଗ କରିଥିଲେ । ପ୍ରଧାନ ଶିକ୍ଷକଙ୍କୁ ତୁରନ୍ତ ବହିଷ୍କାର ସହ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି । ସେପେଟ ଏହି ସବୁ ଖଣ୍ଡନ କରିବା ସହ ଭିତ୍ତିହୀନ ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ ।

Leave A Reply

Your email address will not be published.