Latest Odisha News

BREAKING NEWS

ଭୟାନକ ବାତ୍ୟା ପୂର୍ବାପର ସେବାରେ ‘ଆଜାଦୀ ଠେଙ୍ଗା ବାହିନୀ’

ଭୁବନେଶ୍ୱର: ପ୍ରଳୟଙ୍କର ଫଣୀ ଯେତେବେଳେ ତା’ର ଭୟଙ୍କର ପିଶାଚ ଆଖି ଓ ଲହଲହ ଜିହ୍ୱାରେ ବାରଟି ଜିଲ୍ଲାକୁ ଚାଟିନେଇ ଧ୍ୱସ୍ତ ବିଧ୍ୱସ୍ତ କରିଦେଲା-ସେତେବେଳେ ସବୁକିଛି ଅଚଳ ହୋଇଗଲା । ବିଜୁଳି କଟିଗଲା । ଟେଲିଫୋନ୍ ମୋବାଇଲ୍ ସେବା ବନ୍ଦ ହୋଇଗଲା । ରାସ୍ତା ଘାଟରେ ଗଛ ପଡି ଯାତାୟତ ଠପ୍ ହୋଇଗଲା । ବାହାର ଦୁନିଆରୁ ପୁରୀ ବିଛିନ୍ନ ହୋଇଗଲା । ଛିନ୍ଛତ୍ର ସହର ବଜାର । ଗାଁ ସହର ଅନ୍ଧକାର । ଚାରିଆଡେ ହାହାକାର । ଭୁସୁଡି ଯାଇଛି ସ୍ୱପ୍ନର ବାଲିଘର । ଭୋକରଭୂଗୋଳ ଦୁଃଖିନୀ ଓଡିଶା ଫଣୀର ରାହୁ ଗ୍ରାସରେ ମୁମୁର୍ଷ, ଚାରିଆଡେ କୁଢ କୁଢ ଗଛର କଙ୍କାଳ । ବିଷଣ୍ଣ ବର୍ତମାନ- ବିପର୍ଣ୍ଣ ଭବିଷ୍ୟତ, ସବୁତ ଲାଗୁଛି ଅସାର-ସରିନି ତଥାପି ସଂସାର !, ପଲ୍ଲବହୀନ ଆଜି ଏ ପଲ୍ଲୀ- ଝାଉଁଳି ଯାଇଛି ଜୀବନ ମଲ୍ଲୀ! ସବୁ ଧ୍ୱସ୍ତ, ସବୁ ଅସ୍ତ! ଫଣୀର ଫୁତ୍କାରରେ ଦୁଃଖିନି ଓଡିଶାର ବିପନ୍ନ ଅସହାୟ ମଣିଷକୁ ସାହାରା ଦେବାପାଇଁ ଆଜାଦୀ ଠେଙ୍ଗା ବାହୀନୀ ପୂର୍ବାପର ସେବା କାର୍ଯ୍ୟରେ ଲାଗିରହିଛି ବୋଲି ସର୍ବଭାରତୀୟ ଆଜାଦୀ ଠେଙ୍ଗା ବାହୀନୀ ମେଜର୍ ଜେନେରାଲ୍ ମାୟାଧର ନାୟକ ପ୍ରେସ୍ ଇସ୍ତାହାରରେ କହିଛନ୍ତି ।

ଶ୍ରୀ ନାୟକ ଲେଖିଛନ୍ତି- ଜଗନ୍ନାଥ ଧାମ ପୁରୀ ସହରରେ ଲଲାଟେନ୍ଦୁ ମିଶ୍ର, ସଂଜିବ୍ ପଣ୍ଡା, ଜଗବନ୍ଧୁ ସାହୁ ଶର୍ମା, ସୁକାନ୍ତ କୁମାର ନାୟକ ପ୍ରମୁଖଙ୍କ ନେତୃତ୍ୱରେ ସମୁଦ୍ରକୂଳ ତଳିଆ ଅଂଚଳର ହଜାର ହଜାର ଲୋକଙ୍କୁ ଆଶ୍ରୟ ସ୍ଥଳକୁ ନେଇ ସମସ୍ତ ପ୍ରକାର ସହଯୋଗ ସାହାଯ୍ୟ ଜାରି ରଖିଛନ୍ତି । ଭଦ୍ରକ ଜିଲ୍ଲାର ବାସୁଦେବପୁର ବିଦେଇପୁର, ସୁଦର୍ଶନପୁର ଓ ଅନ୍ୟାନ୍ୟ ଅଂଚଳରୁ ଶହ ଶହ ଲୋକଙ୍କୁ ମଂଜୁଲତା ମଲ୍ଲିକ, ମମତା ମହାନ୍ତି, ଗୌରହର କୁଅଁର, ଆଦିତ୍ୟ ବେହେରା, ଜୟନ୍ତୀ ଜେନା, ମାଧବାନନ୍ଦ ସେଠୀ, ପର୍ଶୁରାମ ବାରିକ, ପର୍ଶୁରାମ ବିଶ୍ୱାଳ ଙ୍କ ନେତୃତ୍ୱରେ ବାତ୍ୟା ଆଶ୍ରୟ ସ୍ଥଳକୁ ନେଇ ସମସ୍ତ ପ୍ରକାର ସହଯୋଗ କରିଥିଲେ ।

ଏହିଭଳି ବାଲେଶ୍ୱର ଜିଲ୍ଲାରେ ବିଜୟ କୁମାର ଆଚାର୍ଯ୍ୟ, ହରିଶ ଦାସ, ତୈଲୋକ୍ୟନାଥ ସେନ, ଗୋବିନ୍ଦ କୁମାର ମହାନ୍ତ, ଡ. ରବିନ୍ଦ୍ର କୁମାର ଦାସ, ଯାଜପୁର ଜିଲ୍ଲାରେ ଶିକ୍ଷାବିତ୍ ବାବାଜୀ ଚରଣ ସାହୁ, ମହମ୍ମଦ ଆବୁଲ୍ କାଲାମ୍, ରଂଜନ କୁମାର ଜେନା, ନରେନ୍ଦ୍ର କୁମାର ନାୟକ, ପ୍ରକାଶ ମିଶ୍ର, କେନ୍ଦ୍ରାପଡା ଜିଲ୍ଲାରେ ସୋହେନା ବେଗମ୍, ଉର୍ବସୀ ଦାସ, ପ୍ରଦ୍ୟୁମ୍ନ ବାରିକ, ସତ୍ୟ ରଂଜନ ମହାରଣା, ଜଗତସିଂହପୁର ଜିଲ୍ଲାରେ ପ୍ରଭାତ ରଂଜନ ସ୍ୱାଇଁ, ତପନ କୁମାର ମହାନ୍ତି, କଟକ ଜିଲ୍ଲାରେ ପ୍ରଶାନ୍ତ ବାରିକ, ପଦ୍ମଶ୍ରୀ ପଦ୍ମଲାଭ ମୁଦୁଲି, ଅଭିନାସ ଦାସ, ଗୌରୀ କୁମାର ସତପଥୀ, ଭୂବନେଶ୍ୱରରେ ଶରତ ଜେନା, ହରିଶ ଦାସ, ଏବଂ ଗଂଜାମ ଜିଲ୍ଲାରେ ମଥୁରା ବଳ, ଲୋକନାଥ ସାହୁ ପ୍ରମୁଖ ଫଣୀ ଆସିବା ପୂର୍ବରୁ ଏବଂ ପରେ ଏବେ ମଧ୍ୟ ସାହାଯ୍ୟ ସହଯୋଗ କରୁଛନ୍ତି । ଆଜାଦୀ ଠେଙ୍ଗା ବାହୀନୀର ଚିଫ୍ କମାଣ୍ଡର କୃଷକ ଲକ୍ଷ୍ମଣ ଦାସ ବାରବାଟୀ ଠାରେ ଜାତୀୟ ରାଜପଥ ଓ ଗାଁ ଗଣ୍ଡାରେ ଉପୁଡି ପଡିଥିବା ବିରାଟକାୟ ଗଛ କାଟି ରାସ୍ତା ସଫାକରିବା ଏବଂ ସ୍ୱାସ୍ଥ୍ୟରକ୍ଷା ପାଇଁ କୂଅ ମାନଙ୍କରେ ବ୍ଲିଚିଂ ପାଉଡର ପକାଇବା ଏବଂ ସାରା ଓଡିଶାରେ ବିପନ୍ନ ମାନଙ୍କୁ ସାହାସ ସହଯୋଗ କରିବା କାର୍ଯ୍ୟରେ ଅହରହ ଲାଗିରହିଛନ୍ତି ।

ନିର୍ବାଚନ ଫଳ ବାହାରିବାକୁ ମଇ ୨୩ ତାରିଖ ଅଛି । ଏହି ୧୫ ଦିନ ଭିତରେ ଭୟଙ୍କର ଫଣୀ କ୍ଷୟକ୍ଷତିର ତାଲିକା ଓ ରିଲିଫ ପାଇବା ପାଇଁ ବିପନ୍ନମାନେ ଯେତିକି ତତ୍ପର ହେବେ, ନେତା, ଦଲାଲ୍ ଓ ସରକାରୀ ଅଫିସରମାନେ ବେଶି ତତ୍ପର ହେବେ । କେନ୍ଦ୍ର ରାଜ୍ୟ ରାଜକୋଷରୁ ଯେଉଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଯାଉଛି ସେଥିରୁ ଗୋଟିଏ ଟଙ୍କା ବାଟମାରଣା ପ୍ରତି ଲୋକେ ବରଦାସ୍ତ କରିବେ ନାହିଁ । ବିପନ୍ନ, ଜନପ୍ରତିନିଧୀ, ସରକାରୀ ଅଫିସରଙ୍କ ମଧ୍ୟରେ ମହାକଳି, ମହାଗଣ୍ଡଗୋଳ ଲାଗିଯିବ । ଏଥିପ୍ରତି ସମସ୍ତେ ସତର୍କ ରହିବା ପାଇଁ ଶ୍ରୀ ନାୟକ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.