Latest Odisha News

BREAKING NEWS

ପ୍ରଳୟଙ୍କରୀ ବାତ୍ୟା ଫନି: ଓଡ଼ିଶାରେ ୩୫ ଜଣ ମୃତ

ଭୁବନେଶ୍ୱର: ଭୟଙ୍କର ବାତ୍ୟା ଫନି ଯୋଗୁଁ ଓଡ଼ିଶାରେ ୩୫ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି ବୋଲି ରାଜ୍ୟ ସରକାର ସୋମବାର ଦିନ ସ୍ପଷ୍ଟ କରିଛନ୍ତି ।

ତେବେ ଏହି ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି କାରଣ, ବିଭିନ୍ନ ବାତ୍ୟା ପ୍ରପୀଡ଼ିତ ଅଞ୍ଚଳରୁ ଆହୁରି ରିପୋର୍ଟ ଆସିବାର ବାକି ରହିଛି, ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି ।

ମେ ୩ ତାରିଖରେ ପୁରୀଜିଲ୍ଲାରେ ଏହି ବାତ୍ୟା ସ୍ଥଳଭାଗ ଛୁଇଁଥିଲା ଏବଂ ଏହି ଜିଲ୍ଲାରେ ସର୍ବାଧିକ ୨୧ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ୪ ଜଣ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେହିପରି କଟକରେ ୩ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୩ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଥିବା ସରକାରୀ ସୂତ୍ରରୁ ପ୍ରକାଶ ।

ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ରାଜ୍ୟର ୧୬,୦୦୦ ଗ୍ରାମରେ ଥିବା ୧.୪ କୋଟି ଲୋକ ଏହି ବାତ୍ୟାରେ ପ୍ରଭାବିତ ହୋଇଛନ୍ତି । ସେଥିମଧ୍ୟରୁ ୫୧ଟି ସହରାଞ୍ଚଳ ଏବଂ ମୋଟ ୧୪ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ପ୍ରପୀଡ଼ିତ ଜିଲ୍ଲା ଗୁଡ଼ିକ ହେଲା – ଅନୁଗୁଳ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଗଞ୍ଜାମ, ନୟାଗଡ଼, ଢେଙ୍କାନାଳ ଏବଂ କେନ୍ଦୁଝର ଜିଲ୍ଲା ।

ବାତ୍ୟା ପରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ପ୍ରପୀଡ଼ିତଙ୍କ ଲାଗି ୧୭,୦୦୦ କୋଟି ଟଙ୍କା ଏବଂ ବିଦ୍ୟୁତ ଭିତ୍ତିଭୂମି ପୁନରୁଦ୍ଧାର ଲାଗି ରାଜ୍ୟ ସରକାର ୧୦,୦୦୦ ଟଙ୍କା କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏକ ଦଳ ଏହି ବାତ୍ୟା ପ୍ରପୀଡ଼ିତ ଅଞ୍ଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି ।

ଯଦିଓ ସରକାରୀ ପ୍ରଶାସନଙ୍କ କହିବାନୁଯାୟୀ, ବାତ୍ୟା କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କରେ ପୁନଃରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧ କାଳୀନ ଭିତ୍ତିରେ କରାଯାଉଛି । ମାତ୍ର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇ ବିପର୍ଯ୍ୟସ୍ତ ପରିସ୍ଥିତି ସୃଷ୍ଟି ହୋଇଥିବା ପୁରୀ, ଭୁବନେଶ୍ୱର ଏବଂ କଟକରେ ପ୍ରଶାସନର ମନ୍ଥର ଗତିର କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦା ନାପସନ୍ଦ କରିଛନ୍ତି । ଏହିସବୁ ସ୍ଥାନମାନଙ୍କରେ ଥିବା ଅଧିକାଂଶ କ୍ଷତିଗ୍ରସ୍ତ ଅଞ୍ଚଳରେ ମୌଳିକ ସୁବିଧା ଯେପରିକି ପାନୀୟ ଜଳ ଏବଂ ବିଦ୍ୟୁତ ସରବରାହ ବ୍ୟବସ୍ଥା ଏପର୍ଯ୍ୟନ୍ତ ଚାଲୁ ହୋଇପାରିନାହିଁ ।

Leave A Reply

Your email address will not be published.