Latest Odisha News

BREAKING NEWS

ଭୟାନକ ବାତ୍ୟା ପରେ ଏବେ ଗାଁ’ ଅଭିମୁଖେ ରାଜଧାନୀ ବାସିନ୍ଦା…

ଭୁବନେଶ୍ୱର : ପ୍ରଳୟଙ୍କାରୀ ବାତ୍ୟା ‘ଫନି’ ଓଡିଶାରେ ତାଣ୍ଡବ ରଚିବା ପରେ ଏହା ଏକପ୍ରକାର ବଦଳାଇ ଦେଇଛି ରାଜ୍ୟର ରୂପରେଖ ।

ଏହି ବାତ୍ୟା ପ୍ରଭାବରେ ପୁରୀ, ଭୁବନେଶ୍ୱର, ଜଟଣୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଭଳି ଉପକୂଳ ଓଡିଶାର ଅନେକ ସ୍ଥାନ ଧ୍ୱଂସବିଧ୍ୱସ୍ତ ହୋଇପଡିଛି । ରାଜ୍ୟର ଅନେକ କୋଠା, ଘର, ବିଦ୍ୟୁତ୍ ପୋଲ ଓ ଗଛଲତା ଆଦି ଉପୁଡିଯାଇଥିବାରୁ ଯାତାୟାତ୍ ଓ ବିଦ୍ୟୁତ୍ ସରବରାହା ଏକପ୍ରକାର ଠପ୍ ହୋଇଯାଇଛି । ଏପରିକି ଲୋକମାନେ ବିଜୁଳି, ପାଣି, ଗମନାଗମନ, ଏଟିଏମ୍, ବ୍ୟାଙ୍କ୍ ଆଦି ସବୁ ସେବାରୁ ବଞ୍ଚିତ ହୋଇପଡ଼ିଛନ୍ତି ।

ଆହୁରି ମଧ୍ୟ ସେ ଧନୀ ହେଉବା ଗରୀବ ସମସ୍ତ ଲୋକମାନେ ପାଣି ପାଇଁ ଘଣ୍ଟାଘଣ୍ଟା ଧରି ରାସ୍ତାରେ ଲାଇନ୍ ଲଗାଉଛନ୍ତି । ବିଶେଷକରି ରାଜଧାନୀବାସୀ ପାଣି ପାଇଁ ଏକପ୍ରକାର ଡହଳବିକଳ ହେଉଛନ୍ତି । ଏପରିକି ଏଟିଏମ ଆଗରେ ଲମ୍ବା ଲାଇନ୍ ଲଗାଇଲେ ମଧ୍ୟ ବେଳେବେଳେ ଲୋକଙ୍କୁ ଟଙ୍କା ମିଳିପାରୁନାହିଁ । ଖାସକରି ଗାଧୁଆ, ଶୌଚ, ରୋଷେଇବାସ ଦୂରର କଥା, ପିଇବାକୁ ବି ପାଣି ମୁନ୍ଦେ ମିଳୁନି ଫଳରେ ଅତ୍ୟନ୍ତ ହନ୍ତସନ୍ତ ହୋଇ ଭୁବନେଶ୍ୱରରେ ରହୁଥିବା ଲୋକେ ଧିରେଧିରେ ରାଜଧାନୀ ଛାଡି ଗାଁ ମୁହାଁ ହେଉଛନ୍ତି ।

ବର୍ତ୍ତମାନ ସମୟରେ ପାନୀୟ ଜଳ ରାଜଧାନୀବାସୀଙ୍କର ଏକମାତ୍ର ସମସ୍ୟା ନୁହେଁ । ଏହା ବ୍ୟତୀତ ମୋବାଇଲ୍ ନେଟଓ୍ଵର୍କ ଓ ଇଣ୍ଟରନେଟ୍ ସେବା ଏକ ପ୍ରମୁଖ ସମସ୍ୟା ପାଲଟିଛି । ଏହା ଫଳରେ ଯୋଗାଯୋଗ ବ୍ୟବସ୍ଥା ଏକପ୍ରକାର ବନ୍ଦ ହୋଇଯାଇଥିବା ବେଳେ, ଇଣ୍ଟରନେଟ୍ ସେବା କାମ କରୁନଥିବାରୁ ଲୋକେ ଅନଲାଇନ୍ ଟ୍ରାଞ୍ଜାକସନ୍ ମଧ୍ୟ କରିପାରୁନାହାନ୍ତି । ଫଳରେ ସେମାନଙ୍କ ଆକାଉଣ୍ଟରେ ପଇସା ଥିଲେ ମଧ୍ୟ ଖର୍ଚ୍ଚ କରିପାରୁ ନାହାନ୍ତି ।

ଖାସକରି ବାହାରୁ ଆସି ଭୁବନେଶ୍ୱରରେ କାମ କରୁଥିବା କିମ୍ବା ପଢାପଢି କରୁଥିବା ଛାତ୍ରଛାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟୁତ୍ ଓ ଜଳଯୋଗାଣ ସମ୍ଭବପର ହେଉନଥିବାରୁ ସେମାନଙ୍କୁ ହଷ୍ଟେଲ ଛାଡିବାକୁ କୁହାଯାଉଛି, ଏପରିକି କେହିକେହି ଘୋର ଅସୁବିଧାର ସମ୍ମୁଖୀନ ହୋଇ ଭୁବନେଶ୍ୱର ଛାଡିବାକୁ ଉଚିତ୍ ମନେ କରୁଛନ୍ତି ।

ଯାହାଫଳରେ ରେଲୱେ ଷ୍ଟେସନ୍ ଓ ବସଷ୍ଟାଣ୍ଡ ଗୁଡିକରେ ଭିଡ ଦେଖିବାକୁ ମିଳୁଛି । ଏଭଳି ପରିସ୍ଥିତିରେ ବରମୁଣ୍ଡା ବସ୍ ଷ୍ଟାଣ୍ଡ ସହ ଅନ୍ୟ ବସ୍ ଷ୍ଟାଣ୍ଡରେ ଦେଖିବାକୁ ମିଳିଛି ଅସଂଖ୍ୟ ଭିଡ଼। ଅନେକ ବ୍ୟକ୍ତିବିଶେଷ ଏହାର ଫାଇଦା ଉଠାଇବା ପାଇଁ ମଧ୍ୟ ଭୁଲୁ ନାହାନ୍ତି । ଫଳରେ ବସ୍ ଗୁଡିକର ଭଡ଼ା ମଧ୍ୟ ନାହିଁନଥିବା ଦର ବଢୁଛି।

ଏପରିକି ଘଣ୍ଟାଏ ପାଣି ଲାଗି ଜେନେରେଟର ବ୍ୟବସାୟୀ ମଧ୍ୟ ମୋଟା ଅଙ୍କର ଟଙ୍କା ଦାବି କରୁଛନ୍ତି । ଯାହା ଏବେ ଲୋକମାନଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ପାଲଟିଛି ।

Leave A Reply

Your email address will not be published.