Latest Odisha News

BREAKING NEWS

ଆଗାମୀ ୬୦ ଦିନ ଲାଗି ସ୍ଥଗିତ ରହିଲା ପାଟକୁରା ବିଧାନସଭା ନିର୍ବାଚନ

ଭୁବନେଶ୍ୱର: ନିର୍ବାଚନ କମିଶନ ପାଟକୁରା ବିଧାନସଭା ନିର୍ବାଚନକୁ ୬୦ ଦିନ ଲାଗି ସ୍ଥଗିତ ରଖିଛନ୍ତି । ଓଡ଼ିଶାରେ ଭୟଙ୍କର ବାତ୍ୟା ଫନିର ବିଭିଷିକା ଯୋଗୁଁ ରାଜ୍ୟର ଅଧିକାଂଶ ଜିଲ୍ଲା କ୍ଷତିଗ୍ରସ୍ତ ହୋଇ ପଡ଼ିଛି । ଏହି କାରଣ ଯୋଗୁଁ ନିର୍ବାଚନ କମିଶନ ପାଟକୁରା ନିର୍ବାଚନକୁ ସ୍ଥଗିତ ରଖିଥିବା ସୂଚନା ମିଳିଛି ।

ଏପ୍ରିଲ୍ ୨୯ ତାରିଖରେ ଅନୁଷ୍ଠିତ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣରେ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟକୁରା ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିଲା । ପାଟକୁରା ଆସନର ବିଜେଡ଼ି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଯୋଗୁଁ ଏଠାରେ ନିର୍ବାଚନ ସ୍ଥଗିତ ରହିଥିଲା । ତେବେ ଏଠାରେ ମେ ୧୯ ତାରିଖରେ ନିର୍ବାଚନ କରିବା ନେଇ ନିର୍ବାଚନ କମିଶନ ମଧ୍ୟ ତାରିଖ ଘୋଷଣା କରିସାରିଥିଲେ । ମାତ୍ର ମେ ୩ ତାରିଖ ଦିନ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ସମେତ ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାରେ ଭୟଙ୍କର ଫନି ବାତ୍ୟା ବିପର୍ଯ୍ୟୟ ଘଟାଇ ଥିବାରୁ ବହୁ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଠାରେ ସମ୍ଭାବ୍ୟ ବାତ୍ୟାକୁ ଲକ୍ଷ୍ୟ କରି ନିର୍ବାଚନ ତାରିଖ ଘୁଞ୍ଚାଇଦେବାକୁ କମିଶନଙ୍କୁ ଅନୁରୋଧ କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ, ପାଟକୁରା ବିଧାନସଭା ଆସନରେ ମେ ୧୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାର ଥିଲା । ବିଜେପି ପକ୍ଷରୁ ବରିଷ୍ଠ ନେତା ବିଜୟ ମହାପାତ୍ର, ବିଜେଡ଼ି ପକ୍ଷରୁ ସ୍ୱର୍ଗତ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ନିର୍ବାଚନ ଲଢୁଥିଲେ ।

Leave A Reply

Your email address will not be published.