Latest Odisha News

BREAKING NEWS

ପୁଣି ଫେରିଲା ଶୀତ, ଦାରିଙ୍ଗିବାଡିରେ ୭ ଡିଗ୍ରୀକୁ ଖସିଲା ପାରଦ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଶୀତ ଲହରୀରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ସୋମବାର ଦିନ ଓଡିଶାର ଅଧିକାଂଶ ଭାଗରେ ପାରଦ ହ୍ରାସ ପାଇବା ସହ ଶୀତର ପ୍ରକୋପ ବୃଦ୍ଧି ପାଇଛି ।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ରାଜ୍ୟର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଛି ।

ଏହାବ୍ୟତିତ ରାଜ୍ୟର ପ୍ରାୟ ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଛି । ସେହି ସ୍ଥାନ ଗୁଡିକ ହେଲା- ସୋନପୁର (୭.୫), ସମ୍ବଲପୁର (୯.୫) ଓ ଅନୁଗୁଳ (୯) ।

ଏହାବ୍ୟତିତ ଅନେକ ସ୍ଥାନରେ ମଧ୍ୟ ରାତ୍ରୀର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସକୁ ଖସିଛି । ସେଥିମଧ୍ୟରେ ବାରିପଦା (୧୨),ବାଲେଶ୍ୱର (୧୧.୪), ଝାରସୁଗୁଡା (୧୦.୪), କେନ୍ଦୁଝର (୧୦.୩), ହୀରାକୁଦ (୧୨.୧), ତାଳଚେର(୧୨.୩),ଭବାନୀପାଟଣା (୧୦.୪), ବଲାଙ୍ଗିର(୧୧.୫), କୋରାପୁଟ (୧୧.୨), ଫୁଲବାଣୀ (୧୦) ଏବଂ ଟିଟିଲାଗଡ (୧୨.୧) ରହିଛି ।

କଟକ ଓ ଭୁବନେଶ୍ୱରରେ ରାତିର ତାପମାତ୍ରା ଯଥାକ୍ରମେ ୧୨.୪ ଓ ୧୫.୩ ଡିଗ୍ରି ସେଲସିୟସ୍ ରହିଥିଲା ।

ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍ ଚରଣ ବେହେରା କହିଛନ୍ତି, ଆଗାମୀ ୧୨ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରିର ତାପମାତ୍ରା ୪ରୁ ୫ ଡିଗ୍ରି ସେଲସିୟସ ହ୍ରାସ ପାଇବ ।

ସେ ଆହୁରି ମଧ୍ୟ କହିଛନ୍ତି “ଉପ-ହିମାଲୟନ୍ ପଶ୍ଚିମବଙ୍ଗ ଓ ତତ୍ ସଂଲଗ୍ନ ବାଙ୍ଗଲାଦେଶରେ ସମୁଦ୍ର ତଳୁ ୧.୫କିମି. ଉପରେ ସାଇକ୍ଲୋନିକ ସର୍କୁଲେସନ୍ ହେଉଥିବା ଯୋଗୁଁ ଏହାର ପ୍ରଭାବରେ ଆଗାମୀ ଏକ ସପ୍ତାହ ଯାଏଁ ଓଡିଶାରେ ତୀବ୍ର ଶୀତ ଲହରୀ ଜାରି ରହିବ” ।

ଏହାବ୍ୟତିତ ଆସନ୍ତା ଜାନୁଆରୀ ୮ ତାରିଖ ବେଳକୁ ସୁନ୍ଦରଗଡ, କେନ୍ଦୁଝର, ସମ୍ବଲପୁର, ବରଗଡ, ଝାରସୁଗୁଡା ଓ ନୂଆପଡାର ଗୋଟିଏ କିମ୍ବା ଦୁଇଟି ସ୍ଥାନ ଏବଂ ଜାନୁଆରୀ ୯ ତାରିଖରେ ରାଜ୍ୟର ଭିନ୍ନଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସେ ପ୍ରକାଶ କରିଛନ୍ତି ।

ଅପରପକ୍ଷରେ ଜଳବାୟୁରେ ଆର୍ଦ୍ରତା ଯୋଗୁଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରୁ ଉତ୍ତର-ଉପକୂଳ ଜିଲ୍ଲାର ଅନୁଗୁଳ, ସୁନ୍ଦରଗଡ, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା ଓ ପୁରୀକୁ ଘନ କୁହୁଡି ଲାଗି ହଳଦିଆ ୱାର୍ଣ୍ଣିଂ ଜାରି କରିଛି ବୋଲି ଡ୍ୟୁଟି ଅଫିସର କହିଛନ୍ତି ।

Leave A Reply

Your email address will not be published.