Latest Odisha News

BREAKING NEWS

ଅଳିଆ ଅଡୁଆ: ମେୟର ସୁଲୋଚନା ନୁହଁ ଉଷା ଦେବୀ ଦାରୁଠେଙ୍ଗବାସୀଙ୍କ ଭରସା !

ଓଡ଼ିଶା ସମ୍ବାଦ ବ୍ୟୁରୋ: ମେୟର ମାଡାମଙ୍କୁ ଅଡୁଆ କରିଛି ଅଳିଆ ବିବାଦ । ସହରରେ ଅଳିଆ ଟ୍ରକ ଛିଡା ହୋଇଛି । ଆଉ ବିବାଦର ସମାଧାନ କରିବେ ବୋଲି ବିଭିନ୍ନ ସମୟରେ ମିଡିଆକୁ ପ୍ରତିକ୍ରିୟା ଦେଇ କହୁଛନ୍ତି ମେୟର ସୁଲୋଚନା ଦାସ। ହେଲେ ଏଯାବତ ସେ ଅଳିଆ ପକାଯାଉଥିବା ସ୍ଥାନ ଦାରୁଠେଙ୍ଗବାସୀଙ୍କୁ ମନାଇବାରେ ବିଫଳ ହୋଇଛନ୍ତି। ସେହିପରି ଦାରୁଠେଙ୍ଗବାସୀ ମଧ୍ୟ ବିଏମସିର ଅଫିସର କି ମେୟର ସୁଲୋଚନା ଦାସଙ୍କୁ ଏବେ ବିଶ୍ୱାସକୁ ନେଉନଥିବା ଜଣାପଡିଛି। ଯେଉଁଥିପାଇଁ ଏବେ ଦାରୁଠେଙ୍ଗବାସୀ ଅଳିଆ ବିବାଦକୁ ନେଇ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି।

ନିକଟରେ ବିଏମସି ଅଫିସର ଏବଂ ଦାରୁଠେଙ୍ଗବାସୀଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ଆଶା କରାଯାଉଥିଲା ମେୟର ସମସ୍ୟାର ସମାଧାନ କରିଦେବେ ହେଲେ ବିଏମସି ୨୦୦୮ ପ୍ରତିଶ୍ରୁତି ପୂରଣ କରିନଥିବାରୁ ଏଥର ମଧ୍ୟ ପ୍ରତିଶ୍ରୁତି ପୂରଣ କରିବ ବୋଲି ଗ୍ୟାରେଣ୍ଟି କଣ ବୋଲି ଗ୍ରାମବାସୀ ପଚାରିଥିଲେ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ମେୟର ପ୍ରାର୍ଥୀ ହୋଇଥିବା ବେଳେ ସୁଲୋଚନା କହିଥିଲେ ସେ ନିର୍ବାଚିତ ହେଲେ ସହରବାସୀଙ୍କ ସମସ୍ୟା ସେ ନିଶ୍ଚିତ ଦୂର କରିବେ। କିନ୍ତୁ ଏଠାରେ ଦାରୁଠେଙ୍ଗବାସୀ ତାଙ୍କୁ ବିଶ୍ୱାସକୁ ନନେବା ତାଙ୍କ ନେତୃତ୍ୱ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି।

ଦାରୁଠେଙ୍ଗବାସୀ କହିଛନ୍ତି ଯେ ସହର ଯାକର ଅଳିଆ ପଡୁଛି ଦାରୁଠେଙ୍ଗରେ। ୨୦୦୮ରେ ଏହି ଅଳିଆ ପ୍ରଥମେ ପଡିଥିଲା। ପ୍ରଥମେ ୪ ବର୍ଷ ପାଇଁ ଅଳିଆ ଦାରୁଠେଙ୍ଗରେ ପଡିବ ବୋଲି ଚୁକ୍ତି ହୋଇଥିଲା। ଏହି ସମୟରେ ବାୟୋ ଡିଗ୍ରେଡେବେଲ ମେସିନ ବସାଯିବ ବୋଲି ମଧ୍ୟ କୁହାଯାଇଥିଲା। ହେଲେ ବିଏମସି ପୂରଣ କରିନାହିଁ। ଅର୍ଥାତ୍ ଏଠି ବିଏମସି ଖିଲପକାରୀ । ଏବେ ୨୦୧୨ ଯାଇ ୨୦୨୨ ହୋଇଛି। କିନ୍ତୁ ଏଯାଏ ସେହି ମେସିନ ବସିପାରିନି କି ବିଏମସି ଦେଇଥିବା ଅନ୍ୟାନ୍ୟ ପ୍ରତିଶ୍ରୁତି ପୂୂରଣ କରିପାରିନି।

ଏବେ ଲୋକଙ୍କ ଦାବି ରହିଛି ଯେ, କୁଢ କୁଢ ଅଳିଆ ଏବେ ଦାରୁଠେଙ୍ଗର ଉପର ମୁଣ୍ଡରେ ଜମା ହେଉଛି। ଗ୍ରାମବାସୀ ତଳମୁଣ୍ଡରେ ରହୁଛନ୍ତି। ତେଣୁ ସମସ୍ତ ଆବର୍ଜନା ପବନରେ ଉଡି ଆସୁଛି ଏଥିସହ ଚାରିପାଖରେ ପ୍ରବଳ ପୁତି ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଏହାଦ୍ୱାରା କ୍ୟାନସର ପାଖରୁ ଆରମ୍ଭ କରି ବିଭିନ୍ନ ରୋଗର ଶିକାର ହେଲେଣି ଲୋକେ। ଅନେକ ଖର୍ଚ୍ଚାନ୍ତ ମଧ୍ୟ ହେଲେଣି। ଏପରି ସ୍ଥିତିରେ ସହରୀ ଲୋକଙ୍କ ଅଳିଆ କାହିଁକି ଗାଁରେ ପଡ଼ିବ ବୋଲି ଦାରୁଠେଙ୍ଗବାସୀ ଜବାବ ମାଗିଛନ୍ତି।

ପୂର୍ବରୁ ଯେଉଁ ମେସିନ ବସାଇବାକୁ ନେଇ ନିଷ୍ପତ୍ତି ହୋଇଥିଲା ତାହା କେଉଁ କାରଣ ପାଇଁ ଏଯାଏ ବସି ପାରିନି ତାର ଜବାବ ମଧ୍ୟ ମାଗିଛନ୍ତି ଲୋକେ। ଏବେ ଗ୍ରାମବାସୀ ବିଏମସିକୁ ଭରସା ନକରି ସିଧା ନଗର ଉନ୍ନୟନ ବିଭାଗ ସହ ଆଲୋଚନା କରିବେ ବୋଲି କହିଛନ୍ତି। ସଚ୍ଚିବାଳୟରେ ବିଏମସି ଅଧିକାରୀ, ଜଟଣି ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ ଓ ଦାରୁଠେଙ୍ଗବାସୀ ଉପସ୍ଥିତ ରହି ଆଲୋଚନା କରିବେ ବୋଲି ଜଣାପଡିଛି। ଦିନକ ପରେ ବିଏମସି ପାଳିବ ସ୍ୱାୟତ୍ତ ଶାସନ ଦିବସ ରହିଛି। ତେଣୁ ଆଜି ସମସ୍ୟାର ସମାଧାନ ନେଇ ଉଭୟ ପକ୍ଷ ଆଶାବାଦୀ ଥିବା ସୂଚନା ରହିଛି।

Leave A Reply

Your email address will not be published.