Latest Odisha News

BREAKING NEWS

୧୦୮ କୁମ୍ଭ ଜଳରେ ସ୍ନାନକଲେ ଚତୁର୍ଦ୍ଧା ମୂର୍ତ୍ତି, ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହିତ ସ୍ନାନବେଦୀରେ ମହାସ୍ନାନ କରିଛନ୍ତି । ଶ୍ରୀମନ୍ଦିର ବେଢାସ୍ଥିତ ସ୍ନାନମଣ୍ଡପରେ ସେବାୟତମାନେ ଶ୍ରୀଜୀଉମାନଙ୍କ ସ୍ନାନ କରାଇଥିଲେ । ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା ଦର୍ଶନ କରିବାକୁ ପୁରୀ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ଶ୍ରୀସୁଦର୍ଶନଙ୍କର ଭୋର୍ ୫ଟା ବେଳେ ପହଣ୍ଡି ଆରମ୍ଭ ହୋଇଥିଲା । ଏହାପରେ ମଙ୍ଗଳଆରତୀ, ମଇଲମ, ତଡ଼ପଲାଗି ପ୍ରଭୃତି ପାରମ୍ପରିକ ନୀତି ସମାପ୍ତ ହୋଇଥିଲା । ସ୍ନାନବେଦୀ ଉପରେ ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ଫୁଲ, ତୁଳସୀ ଓ ଦୟାଣରେ ସଜ୍ଜିତ କରିଥିଲେ ।

ଶ୍ରୀମନ୍ଦିର ବେଢା ନିକଟସ୍ଥ ଶୀତଳା ଦେବୀଙ୍କ ମନ୍ଦିର ସମ୍ମୁଖରେ ଥିବା ସୁନା କୂଅରୁ ୧୦୮ ଗରା ଜଳ ଅଣାଯାଇ ସେଥିରେ ସୁବାସିତ ଚନ୍ଦନ, ଚୂଆ, କର୍ପୁର ଆଦି ପକାଯାଇ ଅଧିବାସ କରାଯାଇଥିଲା । ଏହାପରେ ମଦନମୋହନ ସ୍ନାନବେଦୀକୁ ବିଜେ କରିଥିଲେ । ଶ୍ରୀଜୀଉମାନଙ୍କୁ ଏହି ସୁବାସିତ ଜଳରେ ସ୍ନାନ କରାଯାଇଥିଲା । ପରମ୍ପରା ଅନୁଯାୟୀ ଶ୍ରୀଜଗନ୍ନାଥଙ୍କୁ ୩୫ କୁମ୍ଭ, ଶ୍ରୀବଳଭଦ୍ରଙ୍କୁ ୩୩ କୁମ୍ଭ, ଦେବୀ ସୁଭଦ୍ରାଙ୍କୁ ୨୨ କୁମ୍ଭ ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ୧୮ କୁମ୍ଭ ଜଳରେ ସ୍ନାନ କରାଯାଇଛି ।

ଏହାପରେ ଶ୍ରୀଉମାନଙ୍କ ହାତୀବେଶ ବା ଗଜାନନ ବେଶ କରାଯିବାକୁ ସମସ୍ତ ପ୍ରସ୍ତୁତି ସରିଛି ।

ମହାପ୍ରଭୁଙ୍କ ଏହି ପବିତ୍ର ଗଜାନନ ବେଶ ଦର୍ଶନ କରିବା ଲାଗି ପୁରୀ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲାଗି ୩୦୦ ପୋଲିସ ଅଫିସରଙ୍କ ସମେତ ୧୨୪ ସେକ୍ସନ ପୋଲିସ ମୂତୟନ ହୋଇଛନ୍ତି ।

Leave A Reply

Your email address will not be published.