Latest Odisha News

ମୋଦୀଙ୍କୁ କେଜ୍ରିୱାଲଙ୍କ ଚିଠି: ‘ବିଦେଶ ଗସ୍ତ ପାଇଁ କେନ୍ଦ୍ର ଦେଉନି ଅନୁମତି’

ନୂଆଦିଲ୍ଲୀ: ଦିଲ୍ଲୀର କେଜ୍ରିଓ୍ୱାଲ ସରକାର ଏବଂ କେନ୍ଦ୍ର ସରକାର ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ସିଙ୍ଗାପୁର ଯିବାକୁ ଅନୁମତି ନଦେବା ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ କେଜ୍ରିୱାଲ ଲେଖିଛନ୍ତି ଯେ ତାଙ୍କୁ ବିଶ୍ୱସ୍ତରୀୟ ସମ୍ମିଳନୀରେ ଦିଲ୍ଲୀ ମଡେଲ ଉପସ୍ଥାପନ କରିବାକୁ ସିଙ୍ଗାପୁର ଯିବାକୁ ଆମନ୍ତ୍ରଣ ମିଳିଛି ଏବଂ ଏହି ଆମନ୍ତ୍ରଣ ଦେଶ ପାଇଁ ଗର୍ବର ବିଷୟ। କେଜ୍ରିୱାଲ ଲେଖିଛନ୍ତି ଯେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବାକୁ ନିବୃତ୍ତ କରିବା ଦେଶର ସ୍ୱାର୍ଥ ବିରୁଦ୍ଧ କାମ। ସେ ଜଣେ ମୁଖ୍ୟମନ୍ତ୍ରୀ ବରଂ କୌଣସି ଅପରାଧୀ ନୁହନ୍ତି। ଏହାପରେ ବି କାହିଁକି ବିଦେଶ ଯାତ୍ରାକୁ ଅନୁମତି ମିଳୁନି ସେ ନେଇ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।

ପ୍ରୋଟୋକଲ୍ ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ଯେକୌଣସି ମନ୍ତ୍ରୀ ସରକାରୀ ବୈଦେଶିକ ପରିଦର୍ଶନ ପାଇଁ ଯିବେ ସେ ଗୃହ ମନ୍ତ୍ରାଳୟର ଅନୁମୋଦନ ନେବା ଆବଶ୍ୟକ । ଏହି ଅନୁମୋଦନ ପାଇଁ କେଜ୍ରିଓ୍ୱାଲ ଲେଫ୍ଟନାଣ୍ଟ ଜେନେରାଲ(ଏଲଜି) ବା ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ଜରିଆରେ ଗୃହମନ୍ତ୍ରାଳୟ କାର୍ଯ୍ୟାଳୟକୁ ଚିଠି ପଠାଇଛନ୍ତି। ଅନୁମତି ପାଇବା ପରେ ହିଁ ମୁଖ୍ୟମନ୍ତ୍ରୀ ଏହି ବୈଠରେ ଯୋଗ ଦେବାକୁ ଯାଇପାରିବେ।

ସୂଚନା ଅନୁଯାୟୀ, ଜୁନ ୧ରେ ସିଙ୍ଗାପୁର ହାଇ କମିଶନର ସାଇମନ୍ ୱଙ୍ଗ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟି ସିଙ୍ଗାପୁରରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଶିଖର ସମ୍ମିଳନୀରେ ଯୋଗଦେବାକୁ ଆମନ୍ତ୍ରଣ କରିଥିଲେ। ଯାହାକୁ ଅରବିନ୍ଦ କେଜ୍ରିୱାଲ ଗ୍ରହଣ କରିଥିଲେ। ଏହା ପରେ ରାଜନୈତିକ ମଞ୍ଜୁର ପାଇଁ ସରକାର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିକଟକୁ ଫାଇଲ ପଠାଇଥିଲେ। ଯାହା ଏପର୍ଯ୍ୟନ୍ତ କ୍ଲିଅରେନ୍ସ ହୋଇନାହିଁ।

ଉଲ୍ଲେଖଯୋଗ୍ୟ, ୨୦୧୯ରେ ଅରବିନ୍ଦ କେଜ୍ରିୱାଲ ପରିବେଶ ପ୍ରସଙ୍ଗରେ ଏକ ବୈଠରେ ଯୋଗ ଦେବାକୁ ବିଦେଶ ଯିବାର ଥିଲା। କିନ୍ତୁ କେନ୍ଦ୍ର ସରକାର ସହ ବିବାଦ କାରଣରୁ କେଜ୍ରିଓ୍ୱାଲଙ୍କୁ ଅନୁମତି ମିିଳିନଥିବା କୁହାଯାଏ।

Leave A Reply

Your email address will not be published.