Latest Odisha News

BREAKING NEWS

ଦିଲ୍ଲୀ ନିର୍ବାଚନରେ ଆରପାରର ଲଢେଇ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ପାଇଁ ମତଦାନ ଚାଲିଛି । ଏଥର ଦିଲ୍ଲୀରେ ତିନି ପ୍ରମୁଖ ଦଳ ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ଆରପାରର ଲଢେଇ ହେଉଛି । ବାଜିରେ ଲାଗିଛି ଅନେକ କିଛି । ୨୦୧୩କୁ ଛାଡିଦେଲେ ଏପର୍ଯ୍ୟନ୍ତ ସବୁ ନିର୍ବାଚନରେ ସ୍ପଷ୍ଟ ଜନାଦେଶ ଦେଇଛି ଦିଲ୍ଲୀ । ଏଥର କାହାକୁ ବାଛିବେ ଦିଲ୍ଲୀବାସୀ, ସେନେଇ ଫେବ୍ରୁଆରୀ ୮ତାରିଖରେ ଜଣାପଡିବ । ତେବେ ଏଥରର ନିର୍ବାଚନ ତିନି ଦଳ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ।

ଆପ୍ ପାଇଁ ଆରପାର୍ ଲଢେଇ

ଦଳ ଗଠନ ପରଠୁ ସବୁଠୁ ବଡ ଅଗ୍ନିପରୀକ୍ଷାର ସାମନା କରୁଛି ଆପ୍ । ଗତ ଦୁଇଟି ନିର୍ବାଚନରେ ପ୍ରଚଣ୍ଡ ବହୁମତ ସହ ସରକାରକୁ ଆସିଥିବା ଆପର ଭବିଷ୍ୟତ ନିର୍ଣ୍ଣୟ କରିବ ଦିଲ୍ଲୀ ଫଳାଫଳ । ଏଭଳି ସ୍ଥିତିରେ ଯଦି ଆପ ପୁଣି କ୍ଷମତାକୁ ଫେରୁଛି ତେବେ କେବଳ ଦିଲ୍ଲୀ ନୁହେଁ ଜାତୀୟ ରାଜନୀତିରେ ଦଳ ନିଜ ଦବଦବା ବନାଇବ । ଏପରିକି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗୁରୁତ୍ବ ବଢିବ । ପଞ୍ଜାବ ପରେ ଅନ୍ୟ ରାଜ୍ୟରେ ବି ଦଳକୁ ବିସ୍ତାର କରିବାକୁ ଯୋଜନା କରିବ ଆପ୍ । ଦିଲ୍ଲୀ ଜିତିଲେ ଆପ୍ ପାଇଁ ଭବିଷ୍ୟତ ରାସ୍ତା ସହଜ ହେବ । ତେବେ ଆପର ସବୁଠୁ ବଡ଼ ଚିନ୍ତା କଂଗ୍ରେସ । ଯଦି କଂଗ୍ରେସ ଭଲ ପ୍ରଦର୍ଶନ କରେ ତେବେ ଏହାର ସିଧାସଳଖ ପ୍ରଭାବ ଆପ୍ ଉପରେ ପଡିବ । ଦିଲ୍ଲୀରେ ଆପ୍ ହାରିଲେ ଦଳକୁ ଏକାଠି ରଖିବା ବି ବଡ ଚ୍ୟାଲେଞ୍ଜ ହେବ । ଏପରିକି ଦିଲ୍ଲୀ ଫଳାଫଳର ପ୍ରଭାବ ପଞ୍ଜାବର ଆପ୍ ସରକାର ଉପରେ ବି ପଡିପାରେ ।

ବିଜେପି ପାଇଁ କର ବା ମର ସ୍ଥିତି

ପ୍ରାୟ ୨୭ବର୍ଷ ଧରି ଦିଲ୍ଲୀ କ୍ଷମତାଠୁ ଦୂରରେ ରହିଥିବା ବିଜେପି ପାଇଁ ଏଥର ନିର୍ବାଚନ କର ବା ମର ସ୍ଥିତି । ଏପର୍ଯ୍ୟନ୍ତ ଦିଲ୍ଲୀରେ ହୋଇଥିବା ସବୁ ନିର୍ବାଚନ ଅପେକ୍ଷା ଏଥର ସବୁଠୁ ଅଧିକ ଉଦ୍ୟମ କରିଛି ବିଜେପି । ବର୍ଷେ ପୂର୍ବରୁ ହିଁ ରଣନୀତି କରିଛି ଦଳ । ପ୍ରଥମ ଥର ପାଇଁ ଆପର ଶୀର୍ଷ ନେତୃତ୍ବଙ୍କ ବିରୋଧରେ ବରିଷ୍ଠ ପ୍ରାର୍ଥୀ ଓହ୍ଲାଇଛି ବିଜେପି । ଦିଲ୍ଲୀ ଜିତିଲେ ବିଜେପିର ଜୋଶ୍ ଆହୁରି ବଢିବ । ଲଗାତର ଲୋକସଭା ନିର୍ବାଚନରେ କ୍ଲିନ୍ ସୁଇପ୍ କରିଥିଲେ ବି ବିଧାନସଭାରେ ହାରିଆସୁଛି ଦଳ । ତେଣୁ ଏଥର ଜିତିଲେ ବିଜେପି ପାଇଁ ବଡ଼ ଉପଲବ୍ଧି ହେବ । ଆଉ ହାରିଗଲେ ଦିଲ୍ଲୀ ବିଜେପି ନେତୃତ୍ବ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆପର ମୁକାବିଲା କରିବାରେ ବିଫଳ ହୋଇଥିବା ପ୍ରମାଣ ହେବ । କେବଳ ଦିଲ୍ଲୀ ବିଜେପି ନୁହେଁ ଜାତୀୟ ନେତୃତ୍ବ ଉପରେ ବି ପ୍ରଶ୍ନ ଉଠିବ।

କଂଗ୍ରେସ ପାଇଁ ଅସ୍ତିତ୍ବର ଲଢେଇ

ଦିଲ୍ଲୀରେ ୧୫ବର୍ଷ ଧରି କ୍ଷମତାରେ ରହିଥିବା କଂଗ୍ରେସ ଏଥର ଅସ୍ତିତ୍ବର ଲଢେଇ ଲଢୁଛି । ବହୁମତ ନହେଲେ ବି ୧୦ବର୍ଷ ପରେ ବିଧାନସଭାକୁ ଏଣ୍ଟ୍ରି ସହ ସମ୍ମାନଜନକ ଭୋଟ୍ ପ୍ରତିଶତ ପାଇପାରେ କଂଗ୍ରେସ । ଗତ ଦୁଇଟି ନିର୍ବାଚନରେ ଆଦୌ ସିଟ୍ ଜିତିନଥିବା କଂଗ୍ରେସ ପାଇଁ ଏଥର ନିଜ ପୂର୍ବ ଜନାଧାର ଫେରି ପାଇବା ସବୁଠୁ ବଡ ଚ୍ୟାଲେଞ୍ଜ । କଂଗ୍ରେସ ଦିଲ୍ଲୀ ନିର୍ବାଚନରେ ଖାତା ଖୋଲିଲେ ଦଳର ଆଶା ଉଜ୍ଜ୍ବଳ ହେବ । ସଂଗଠନ ମଜବୁତ ହେବା ସହ ପୁରୁଣା ସମର୍ଥକ ପୁଣି ଦଳକୁ ଫେରିବେ । ଏହାସହ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଶେଷ ପର୍ଯ୍ୟାୟ ଦିଲ୍ଲୀ ପ୍ରଚାର କାମ ଦେଇଥିବା ପ୍ରମାଣିତ ହେବ । ତେବେ ଯଦି କଂଗ୍ରେସ ପୁଣି ଶୂନ ଫଳାଫଳ ପ୍ରଦର୍ଶନ କରେ, ତେବେ ଦଳ ପାଇଁ ସବୁଠୁ ନିରାଶାଜନକ ସ୍ଥିତି ହେବ । କେବଳ ଦିଲ୍ଲୀ ନୁହେଁ ଅନ୍ୟ ରାଜ୍ୟରେ କଂଗ୍ରେସ ଉପରେ ଏହାର ପ୍ରଭାବ ପଡିବ । ନେତା ଓ କର୍ମୀଙ୍କ ମନୋବଳ ଭାଙ୍ଗିବ । ପରାଜୟ ହେଲେ କଂଗ୍ରେସ ନେତା ହାତ ଛାଡି ଅନ୍ୟ ଦଳକୁ ଯିବାର ଆଶଙ୍କା ବି ରହିଛି । ତେଣୁ ଦିଲ୍ଲୀ ନିର୍ବାଚନ ଫଳାଫଳ ଉପରେ ତିନି ପ୍ରମୁଖ ଦଳର ଭବିଷ୍ୟତ ନିର୍ଭର କରୁଥିବା ବେଳେ କାହା ସପକ୍ଷରେ ଜନମତ ଯିବ, ତାଉପରେ ନଜର ରହିଛି ।

Comments are closed.