Latest Odisha News

ଓଡିଶାର ସମୃଦ୍ଧ କଳାର ପ୍ରୋତ୍ସାହକ ଏବଂ ପ୍ରଶାସକ ଭାବେ କାମ କରିବା ମୋ ସୌଭାଗ୍ୟ: ତାରାକାନ୍ତ ପରିଡା

ହାଇସ୍କୁଲ ସରିବା ଯାଏଁ ସେ ଜାଣି ନଥିଲେ ଯେ ତାଙ୍କର ଚିତ୍ର କଳାରେ ପ୍ରତିଭା ଅଛି ଏପରିକି କଲେଜରେ ଏହାକୁ ଏକ ବିଷୟରେ ଭାବେ ପଢାଯାଏ ବୋଲି । ଜଗତସିଂହପୁର ଜିଲ୍ଲା ଅଖ୍ୟାତ ପଲ୍ଲୀ ଗୁଡୁପାଇଲୋର ସେ ନିରୀହ ଆଉ ସରଳ ପିଲାଟି ବଡ଼ ହୋଇ କଳା ଓ କଳାକାରର ମିଶ୍ରଣରେ କଳାର ଅଧିକାରୀ ଓ ପ୍ରଶଂସକ ହୋଇ ପାରିଛନ୍ତି ।

ହଁ ଆମେ କହୁଛୁ ଓଡିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରୀର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ, ଓଡିଶା ଲଳିତ କଳା ଏକାଡେମୀର ପୂର୍ବତନ ସମ୍ପାଦକ ତଥା ଭୁବନେଶ୍ୱରର କଳିଙ୍ଗ କଲେଜ ଅଫ୍ ଆର୍ଟ ପ୍ରତିଷ୍ଠାତା ତାରାକାନ୍ତ ପରିଡାଙ୍କ କଥା ।

ତାଙ୍କୁ ସାକ୍ଷାତ କରିଛନ୍ତି ବରିଷ୍ଠ ସାମ୍ବାଦିକ ଶ୍ୟାମହରି ଚକ୍ର

ଆପଣ ଚିତ୍ରକଳା ଅଧ୍ୟୟନ କରିବାକୁ କାହିଁକି ନିଷ୍ପତ୍ତି ନେଲେ?
ଉ- ଆପଣ ବିଶ୍ୱାସ କରିବେନି ଯେ ମୋର ହାଇସ୍କୁଲ ସରିବା ଯାଏଁ ମୁଁ ଜାଣି ନ ଥିଲି କି କଲେଜରେ ଚିତ୍ରକଳାକୁ ଏକ ପାଠ୍ୟକ୍ରମ ଭାବେ ପଢାଯାଏ ବୋଲି । ମୁଁ ଏକ ଉପାନ୍ତ ଗାଁର ଗରିବ ଘରର ପିଲା । ମୁଁ ଅତି ସାନ ଥିବା ବେଳେ ମାଆର ଦେହାନ୍ତ ହୋଇଥିଲା । ମୋତେ ଯେତେବେଳେ ଦଶ ବର୍ଷ ବାପା ସନ୍ୟାସୀ ହୋଇ ଗାଁରୁ ପଳାଇଥିଲେ । ମାଟ୍ରିକ ପାସ କରିବା ପରେ ମୁଁ ଯେ ଆଉ ଅଧିକ ପାଠ ପଢିପାରିବି ତା ମୋ ପାଇଁ ସ୍ୱପ୍ନ ଥିଲା ।
କିନ୍ତୁ ମୋର ସୌଭାଗ୍ୟ ଯେ କିଛି ସହୃଦୟ ବ୍ୟକ୍ତିଙ୍କ ସହଯୋଗ ଯୋଗୁଁ ମୁଁ ଆଜି ଏହି ସ୍ଥାନରେ ପହଞ୍ଚିପାରିଛି । କଟକ ସହରର ଏପରି ଜଣେ ବ୍ୟକ୍ତି ଯେ କି ଆମ ଗାଁରେ ଥିବା ଆଶ୍ରମକୁ ଯିବା ଆସିବା କରନ୍ତି ସେ ମୋ ଅନ୍ତର୍ନିହିତ ପ୍ରତିଭା ସମ୍ପର୍କରେ ଜାଣିପାରିଥିଲେ । ସେତେବେଳେ ମୋ ଗାଁ ଲୋକ ଜାଣିଥିଲେ କି ମୋ ହାତରେ ଭଲ ଚିତ୍ର ହେଉଛି । ଆଶ୍ରମର କିଛି ଅନ୍ତେବାସୀ ମତେ କୃଷ୍ଣଙ୍କର ଏକ ଚିତ୍ର ଆଙ୍କିବାକୁ କହିଥିଲେ । କଟକରୁ ଆସିଥିବା ଏହି ବ୍ୟକ୍ତି ଜଣଙ୍କ ମୋ ଚିତ୍ରକଳା ଦେଖି ଖୁସି ହୋଇଯାଇଥିଲେ । ଆଉ ମତେ ଚିତ୍ରକଳା ପଢିବାକୁ ଉପଦେଶ ଦେଇଥିଲେ । ମୁଁ ମୋ ବିଷୟରେ ଓ ମୋ ପରିବାର ବିଷୟରେ ତାଙ୍କୁ ଜଣାଇଥିଲେ । ସେ ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କ ସାହାର୍ଯ୍ୟ ନେଇ ମୋର ଭୁବନେଶ୍ୱରସ୍ଥିତ ବି କେ ଆର୍ଟ କଲେଜରେ ନାମ ଲେଖାଇ ଦେଇଥିଲେ । ପରେ ଶିବ ପାଣିଗ୍ରାହୀ କଲେଜରେ ମୋର ଗୁରୁ ଥିଲେ ।

ଭୁବନେଶ୍ୱରରେ ପାଞ୍ଚ ବର୍ଷର ପାଠପଢା ପାଇଁ ଟଙ୍କା ବ୍ୟବସ୍ଥା କେମିତି କରିଥିଲେ ?
ଉ- ଭୁବନେଶ୍ୱରର ଚିତ୍ର କଳା ଛାତ୍ର ଭାବରେ ରହିବା ପାଇଁ ନଅ ବର୍ଷ ଯାଏଅଁ ମତେ ସଂଘର୍ଷ କରିବାକୁ ପଡିଥିଲା । ଗାଁ ଛାଡି ଆସିବା ବେଳେ ମୋ ବଡ ଭାଇ ଧାନ ବିକି ମୋତେ ୨ଶହ ଟଙ୍କା ହାତରେ ଦେଇଥିଲେ । ସେ ଧାନ ଆମ ପରିବାରର ବର୍ଷ ସାରାର ଖାଦ୍ୟ । ନାମ ଲେଖା ସରିବା ପରେ ମେସ୍ ଖର୍ଚ୍ଚ ମଧ୍ୟ ମୁଁ ଦେଇପାରୁ ନ ଥିଲା ତେଣୁ ମୁଁ ବସ୍ତିରେ ଏକ ପରିତ୍ୟକ୍ତ ଘରେ ଯାହାର କବାଟ କି ଝରକା ନ ଥିଲା ସେଠାରେ ରହିଛି । ପରେ କଲେଜର ଏକ ଅଧାତୋଳା ଗାଧୁଆ ଘରେ ରହିଥିଲି । ମୋର ଶିକ୍ଷକ ପଞ୍ଚାନନ ସୁର ପ୍ରଥମ ବର୍ଷ ପାଠପଢା ବେଳେ କିଛି ଟଙ୍କା ସାହାଯ୍ୟ କରିଥିଲେ । ଏହା ପରର ଚାରି ବର୍ଷ ମୋର ସ୍ନାତକୋତ୍ତର ଶେଷ ହେବା ଯାଏଁ ସ୍କୁଲ ଛାତ୍ରଛାତ୍ରୀଙ୍କ ଚିତ୍ରକଳା ଶିଖାଇ କିଛି ରୋଜଗାର କରୁଥିଲି ।

ସ୍ନାତକ ହାସଲ କରିବା ପରେ ମୁଁ ଆଉ ସ୍ନାତକୋତ୍ତର ପଢି ପାରିଲି ନାହିଁ କାରଣ ଥିଲା ଅର୍ଥାଭାବ । ସେତେବେଳେ ଓଡିଶାରେ ଚିତ୍ରକଳାରେ ସ୍ନାତ୍ତତ୍ତୋରତର ଶିକ୍ଷା ପାଇଁ କୌଣସି ଶିକ୍ଷାନୁଷ୍ଠାନ ନ ଥିଲା । ତେଣୁ ମୁଁ ଚାରି ବର୍ଷ ଅପେକ୍ଷା କଲି । ଏହି ସମୟରପେ ମୁଁ ଭୁବନେଶ୍ୱରର କିଛି ସ୍କୁଲରେ ଚିତ୍ରକଳା ଶିକ୍ଷକ ଭାବେ କାମ କଲି । ଏଥିରୁ ରୋଜଗାର ହୋଇଥିବା ଟଙ୍କାରୁ କିଛି ସଞ୍ଚୟ କରି ମଧ୍ୟ ପ୍ରଦେଶ ଖଇରାଗଡର ଇନ୍ଦିରା କଳା ସଂଗୀତ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲି ।

ଆପଣ ପ୍ରିଣ୍ଟମେକିଂରେ ସ୍ପେଶାଲାଇଜେସନ କରିବାକୁ କାହିଁକି ଇଚ୍ଛା କଲେ ? ଆପଣଙ୍କ ସମସାମୟିକ ଚିତ୍ରକରମାନେ ପେଣ୍ଟିଂ କିମ୍ବା ଅନ୍ୟ ବ୍ରାଞ୍ଚରେ ନାମ ଲେଖାଇଥିଲେ ।
ଉ- ଯେତେବେଳେ ମୁଁ ସ୍କୁଲରେ ପଢୁଥିଲି, ମୁଁ ଅନେକ ବର୍ଷ ଧରି ଏକ ପ୍ରଶ୍ନ ମୋ ମନକୁ ଆସୁଥିଲା । ମୋ ଶ୍ରେଣୀର ସମସ୍ତ ସହପାଠୀଙ୍କ ପାଠ୍ୟ ପୁସ୍ତକଗୁଡ଼ିକରେ ଥିବା ଚିତ୍ର ସମାନ କିପରି । ମୁଁ ଆର୍ଟ କଲେଜରେ ନାମଲେଖାଇବା ପରେ ଏହାର ଉତ୍ତର ପାଇଲି । ସେବେଠାରୁ ପ୍ରିଣ୍ଟମେକିଂରେ ମୋର ବିଶେଷ ଆଗ୍ରହ ଥିଲା । ତେଣୁ ସ୍ନାତକୋତ୍ତରରେ ଏହାକୁ ସ୍ପେଶାଲାଇଜେସନ ଭାବେ ରଖିଲି ।

ମୁଁ ସ୍ୱୀକାର କରିବି ଯେ ପ୍ରିଣ୍ଟମେକିଂ ଶିଖିବା ଦ୍ୱାରା ମୁଁ ସଂସ୍କୃତି ମନ୍ତ୍ରଣାଳୟର ଜାତୀୟ ସ୍କଲାରସିପ୍ ପାଇବାର ସୌଭାଗ୍ୟ ପାଇଥିଲି । ଦିଲ୍ଲୀର ସର୍ବଭାରତୀୟ ଚିତ୍ରକଳା ଏବଂ ହସ୍ତଶିଳ୍ପ ସୋସାଇଟି ପକ୍ଷରୁ ପୁରସ୍କାର, ରାଜ୍ୟ ଯୁବ ପୁରସ୍କାର ଏବଂ ଓଡିଶା ଲଳିତ କଳା ଏକାଡେମୀ ପୁରସ୍କାର ଭଳି ଅନେକ ପୁରସ୍କାର ମୋତେ ଅନେକ ଖ୍ୟାତି ଓ ଯଶ ଆଣିଦେଇଥିଲା ।

ମୁମ୍ବାଇର ଜାହାଙ୍ଗୀର ଆର୍ଟ ଗ୍ୟାଲେରୀ, ଦିଲ୍ଲୀର ଇଣ୍ଡିଆ ହାବିଟାଟ୍ ସେଣ୍ଟର, ହାଇଦ୍ରାବାଦର ଷ୍ଟେଟ୍ ଗ୍ୟାଲେରୀ ଅଫ୍ ଆର୍ଟ, ହାଇଦ୍ରାବାଦ, ବାରଣାସୀର ଏବିସି ଆର୍ଟ ଗ୍ୟାଲେରୀ, ଏବଂ ରାଷ୍ଟ୍ରିୟ ଲଳିତ କଳା କେନ୍ଦ୍ରରେ ମୋର ଏକକ ପେଣ୍ଟିଂ ପ୍ରଦର୍ଶିତ ହୋଇଛି । ଏହା ସହିତ ମୋର ଚିତ୍ରକଳା ଜାପାନ, ଆମେରିକା, କାନାଡା, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆ, ବ୍ରିଟେନ, ଇଟାଲୀ ଏବଂ ଶ୍ରୀଲଙ୍କାର ଅନେକ ବ୍ୟକ୍ତିଗତ ସଂଗ୍ରହାଳୟରେ ସ୍ଥାନ ପାଇଛି ।

ଜଣେ କଳାକାର ହେବା ପାଇଁ ଏତେ ସଂଘର୍ଷ ପରେ ଅନେକ ସଫଳତା ପାଇଛନ୍ତି । ଓଡ଼ିଶାର ମର୍ଡନ ଆର୍ଟ ଗ୍ୟାଲେରୀର ସହ-ପ୍ରତିଷ୍ଠାତା ଭାବରେ ଚିତ୍ରକଳାର ପ୍ରସାର ପାଇଁ କାମ କରିବାକୁ ପସନ୍ଦ କଲେ । ଏହି ନିଷ୍ପତ୍ତି ଆପଣଙ୍କ ସୃଜନଶୀଳତାକୁ ପ୍ରଭାବିତ କରିଛି କି?

ଉ- ମୋର ଏହି ୨୦ ବର୍ଷ ପୁରୁଣା ନିଷ୍ପତ୍ତିକୁ ପୁନର୍ବାର ଦେଖିଲେ ମୁଁ ଅନୁଭବ କରୁଛି ଯେ ଓଡିଶାର ଚିତ୍ରକଳାର ପ୍ରଚାରକ ଓ ପ୍ରଶାସକ ଭାବେ କାମ କରିବା ମୋ ପାଇଁ ସୌଭାଗ୍ୟର କଥା । କିନ୍ତୁ ଏହା ମୋ ଚିତ୍ରକଳାକୁ ନେଇ ସୃଜନଶୀଳତା ଓ କ୍ୟାରିଅର ଉପରେ ପ୍ରଭାବ ପକାଇଲେ ମଧ୍ୟ ମୁଁ ଅନୁତପ୍ତ ନୁହେଁ ।

ମୋର ହଠାତ୍ ଆମେରିକୀୟ ମହିଳା କରେନ କେଣ୍ଟଙ୍କ ସହ ଦେଖାହୁଏ ଆଉ ତାଙ୍କ ସହ ଆଲୋଚନାର ଫଳ ସ୍ୱରୂପ ଗଢିଉଠେ ଓଡିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ । ମୁଁ ଏହା ପରେ ଭୁବନେଶ୍ୱର ଫେରିଆସି ମୋ ପ୍ରିଣ୍ଟ ମେକିଂ କାମକୁ ନେଇ ଏକ ଏକକ ପ୍ରଦର୍ଶନୀ କରିଥିଲି । କରେନ ସେତେବେଳେ ସ୍ୱାମୀଙ୍କ ସହ ଏହି ସହରର ଅବସ୍ଥାପିତ ଥାନ୍ତି । ସେ ମୋ ପ୍ରଦର୍ଶନୀକୁ ବୁଲିବାକୁ ଆସିବା ସହ ମୋର କିଛି ଚିତ୍ରକଳାକୁ କିଣିଥିଲେ । ଧୀରେ ଧୀରେ ମୋ ସହ ତାଙ୍କ ବନ୍ଧୁତା ସୃଷ୍ଟି ହେଲା ଓ ସେ ମୋର ସମସ୍ତ ପ୍ରଦର୍ଶନୀକୁ ବୁଲିବାକୁ ଆସିଥାନ୍ତି ।

ଥରେ ସେ ମତେ ପଚାରିଲେ ତମ ସହରରେ ଅନ୍ୟ ସହର ଭଳି ଆର୍ଟ ଗ୍ୟାଲେରୀ କାହିଁକି ନାହିଁ । ସେତେବେଳେ ମୁଁ ତାଙ୍କୁ କହିଥିଲି ଯେ, ମୋର ଏପରି ଏକ ଆର୍ଟ ଗ୍ୟାଲେରୀ କରିବା ପାଇଁ ଇଚ୍ଛା ଅଛି କିନ୍ତୁ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେଲେ ମୁଁ ଏହାକୁ ନିଶ୍ଚୟ କରିବି । ସୌଭାଗ୍ୟ କ୍ରମେ ସେ ଏଥି ପାଇଁ ଆର୍ଥିକ ସହାୟତା କରିବେ ବୋଲି କହିଲେ । ଆଉ ଆମେ ଦୁହେଁ ମିଶି ଏହି ଆର୍ଟ ଗ୍ୟାଲେରୀ କରିପାରିଥିଲୁ । ଏହାର ଦୁଇ ବର୍ଷ ପରେ ତାଙ୍କ ସ୍ୱାମୀଙ୍କ ଚାକିରୀରେ ବଦଳି ଯୋଗୁଁ ସେମାନେ ସାଉଥ ଆଫ୍ରିକା ପଳାଇଲେ । ଏହା ପରେ ମୁଁ ଏକା ଏହାର ପରିଚାଳନା କରୁଛି ।

Leave A Reply

Your email address will not be published.