Latest Odisha News

BREAKING NEWS

ପବିତ୍ର ଅଁଳା ନବମୀ, ଶ୍ରୀରାଧାଙ୍କ ପାଦ ଦର୍ଶନ ପାଇଁ ଚଳଚଞ୍ଚଳ ଗୋପାଳଜୀଉ ମନ୍ଦିର

ପୁରୀ: ଆଜି ପବିତ୍ର ଅଁଳା ନବମୀ । ସେଥିପାଇଁ ସାକ୍ଷୀଗୋପାଳର ଗୋପାଳଜିଉ ମନ୍ଦିରରେ ଲାଗିଛି ଭକ୍ତଙ୍କ ଗହଳି । ବର୍ଷକରେ ଥରେ ଶ୍ରୀରାଧାଙ୍କର ଓଡିଆଣୀ ବେଶ ଦର୍ଶନ ଲାଗି ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି । ପୂର୍ବବର୍ଷ ଭଳି ରାଧାଙ୍କ ପାଦ ସ୍ପର୍ଶ ଉପରେ କଟକଣା ରହିଥିବା ବେଳେ ମନ୍ଦିର ଭିତରକୁ ମୋବାଇଲ ପ୍ରବେଶ ଉପରେ ମଧ୍ୟ ଲାଗିଛି କଟକଣା ।  ସେପଟେ ଭକ୍ତ ମାନଙ୍କର ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଆଜିର ଦିନରେ ଶ୍ରୀରାଧାଙ୍କର ଓଡିଆଣୀ ବେଶ ସହିତ ପାଦ ଦର୍ଶନର ସୁଯୋଗ ପାଇଥାନ୍ତି ଭକ୍ତ । ଏଥିପାଇଁ ମଧ୍ୟରାତ୍ରରୁ ଗୋପାଳଜିଉ ମନ୍ଦିର ସାମନାରେ ଭକ୍ତ ମାନଙ୍କର ଭିଡ ଲାଗିଛି । ରାତ୍ର ୧ଟାରେ ଦ୍ଵାରପୂଜା ପରେ ମଙ୍ଗଳା ଆରତୀ, ମର୍ଦନ ଅବକାଶ ନୀତି ସମ୍ପନ୍ନ ହୋଇଥିଲା । ପରେ ନଟବର ବେଶ ସମାପ୍ତ ହେବା ପରେ ଭୋରରୁ ସୂର୍ଯ୍ୟପୂଜା, ବଲ୍ଲଭ, ସକାଳ ଧୂପ, ବାଳଧୂପ ,ମଦନ ମୋହନ ଭୋଗ ପରେ ସକାଳ ୬ଟା ଠାରୁ ଭକ୍ତ ମାନଙ୍କ ନିମନ୍ତେ ସାହାଣ ମେଲା ଦର୍ଶନ ଚାଲିଛି । ସେପଟେ ଭକ୍ତ ମାନେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି ।

ଆଜିର ଦିନରେ ଶ୍ରୀରାଧାଙ୍କୁ ଦର୍ଶନ କଲେ ମହିଳା ମାନେ ସୈାଭାଗ୍ୟବତୀ ହେବାର ବିଶ୍ଵାସ ରହିଛି । ଶ୍ରଦ୍ଧାଳୁ ମାନେ ଆଜିର ଦିନରେ ଅଁଳା ଗଛ ମୂଳରେ ପୂଜାର୍ଚ୍ଚନା କରି ମାନସିକ ରଖି ସଂକଳ୍ପ କରିଥାନ୍ତି । ଅଁଳା ଗଛ ପାଖରେ, ବର୍ଷକରେ ଥରେ ମା ଏଠାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ପୂର୍ବରୁ ଶ୍ରଦ୍ଧାଳୁ ଶ୍ରୀରାଧାଙ୍କ ପାଦ ସ୍ପର୍ଶ କରିବାର ସୌଭାଗ୍ୟ ଅର୍ଜନ କରୁଥିବା ବେଳେ ଏହା ଉପରେ ପ୍ରଶାସନ କଟକଣା ଜାରି କରିଥିବାରୁ ଗତ ଦୁଇ ବର୍ଷ ହେବ ପାଦସ୍ପର୍ଶ ରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ । ସେପଟେ ପ୍ରଥମ ଥର ଭାବରେ ମନ୍ଦିର ପ୍ରବେଶ ସମୟରେ ଭକ୍ତ ଓ ସେବାୟତ ଉଭୟଙ୍କ ପାଇଁ ମୋବାଇଲ ନେବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।

Leave A Reply

Your email address will not be published.