Latest Odisha News

BREAKING NEWS

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ନୀରବତା ନେଇ ପ୍ରଶ୍ନ ଉଠାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ରତ୍ନଭଣ୍ଡାର ଚାବି ହଜିବା ନେଇ ଏବେ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ପ୍ରଶାସନ ସମେତ ରାଜ୍ୟର ଖୋଦ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ଟ୍ୱିଟ୍ କରି କହିଛନ୍ତି, “ଛୋଟ ଛୋଟ କଥାରେ ଟିପ୍ପଣୀ ଦେଉଥିବା ବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମୁହଁ ଖୋଲୁ ନାହାଁନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଏହି ନିରବତା ଚାବି ହଜିବା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି” ।

କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି କହିଛନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଦଳି ପରେ ଡୁପ୍ଲିକେଟ ଚାବି ମିଳିବା ଏକ ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ୱାଭାବିକ । ତେବେ ଚାବି ହଜିବା ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ଉପରେ କଳାପାହାଡ଼ ଆକ୍ରମଣ ସହିତ ଯୋଡ଼ିବାକୁ ପଛେଇନାହାଁନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

“ଶ୍ରୀମନ୍ଦିରର ସୁରକ୍ଷା ଏବଂ ରତ୍ନଭଣ୍ଡାର କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହିତ ଜଡ଼ିତ । ଏହି ଚାବି ହଜିବା ପ୍ରସଙ୍ଗ ଅଧିକାଂଶ ଓଡ଼ିଆମାନଙ୍କୁ ମର୍ମାହତ କରିଛି” ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ତେବେ ଯାହାବି ହେଉ ଏହି ଚାବି ହଜିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ବିଚାର ବିଭାଗୀୟ ତଦନ୍ତ ଲାଗି ଏକ କମିଟି ଗଠନ କରି ତୁରନ୍ତ ଏହି ଚାବି ହଜିବା ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୩ମାସର ଅବଧି ମଧ୍ୟରେ କମିଟି ଚୂଡ଼ାନ୍ତ ରିପୋର୍ଟ ଦେବାକୁ ସ୍ଥିର ହୋଇଛି ।

Leave A Reply

Your email address will not be published.