Latest Odisha News

ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାରେ ବିତାଇଦେଲେ ୧୪ ବର୍ଷ, ଏବେ ଚାହୁଁଛନ୍ତି ଇଚ୍ଛାମୃତ୍ୟୁ

ବଲାଙ୍ଗୀର: ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଚିଠି ଲେଖିଲେ ପୂର୍ବତନ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ୍) ଯବାନ ସୁଧୀର ଦାସ । ଚାକିରିରୁ ବହଷ୍କୃତ ହୋଇ ଏବେ କଷ୍ଟକର ଜୀବନ ବିତାଉଥିବାବେଳେ ଆଉ ବଞ୍ଚିବାକୁ ଇଚ୍ଛା ନଥିବା ଭାବି ଶେଷରେ ପରିବାର ସହ ଇଚ୍ଛା ମୃତ୍ୟୁ ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ଆବେଦନ କରିଛନ୍ତି ।

ସୁଧୀରଙ୍କ ଘର ବଲାଙ୍ଗୀରର ତାଲପାଲିପଡାରେ । ସେ ୨୦୦୮ ମସିହାରେ ସିଆରପିଏଫ୍ ରେ ନିଯୁକ୍ତି ପାଇଥିଲେ । ହେଲେ ଚାକିରିର ମାତ୍ର ଦୁଇ ବର୍ଷ ପରେ ତାଙ୍କ ବିରୋଧରେ ଟଙ୍କା ଠକେଇ ଅଭିଯୋଗ ଆସିଥିଲା । ପରେ ୨୦୧୦ ମସିହାରେ ଠକେଇ ମାମଲାରେ ଗିରଫ ହେବା ପରେ ଚାକିରୀ ହରେଇଥିଲେ ସୁଧୀର । ଆଉ ଏବେ ଦୀର୍ଘ ୧୪ ବର୍ଷ ଧରି ଆଇନଗତ ଲଢ଼େଇ ଲଢିବା ପରେ କୋର୍ଟ ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କଲେ ।

ଓଡ଼ିଶା ହାଇକୋର୍ଟ ୨୦୨୪ ନଭେମ୍ବର ୨୦ ତାରିଖରେ ରାୟ ଶୁଣାଇଥିଲେ । ହାଇକୋର୍ଟ ଏହି ରାୟ ଉପରେ ପୁନର୍ବିଚାର ସହିତ ତାଙ୍କୁ ଚକିରିରୁ ବହିଷ୍କାର ଭଳି କଠୋର ଦଣ୍ଡ ନଦେବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଦୀର୍ଘ ୯୦ ଦିନ ବିତିଥିଲେ ସୁଦ୍ଧା ‘ସିଆରପିଏଫ’ ପକ୍ଷରୁ ଏହାକ କାର୍ଯ୍ୟକାରୀ କରାଯାଉନଥିବା ଅଭିଯୋଗ ଆଣିଛନ୍ତି ସୁଧୀର ।

ସୁଧୀର କହିଛନ୍ତି,‘‘ ମୋ ବିରୋଧରେ ସେତେବେଳେ ମିଥ୍ୟା ମାମଲା କରାଯାଇଥିଲା । ୧୪ ବର୍ଷ ହେଲା ଚାକିରୀ ହରାଇ କୋର୍ଟରେ ମାମଲା ଲଢ଼ି ସର୍ବସ୍ୱାନ୍ତ ହୋଇଯାଇଛନ୍ତି ପୁରା ପରିବାର । ମାମଲା ଲଢିବାକୁ ଘରର ସବୁ କିଛି ସାରି ସାରିଲିଣି । ଏବେ କେମିତି ବଞ୍ଚିବି । ଏବେ ଆଉ କିଛି ଉପାୟ ନାହିଁ । ତେଣୁ ରାଷ୍ଟ୍ରପତିଙ୍କୁ ଇଚ୍ଛାଧୀନ ମୃତ୍ୟୁ ପାଇଁ ଅନୁମତି ମାଗିଛି । ଯଦି କୌଣସି ସମାଧାନ ନହୁଏ ତେବେ ମାର୍ଚ୍ଚ ଦୁଇ ତାରିଖରେ ମୁଁ ମୋର ପରିବାର ସହ ଓଡିଶା ରାଜଭବନ ସମ୍ମୁଖରେ ଆତ୍ମଦାହ କରିବି ।’’

Comments are closed.