‘Second Class Passenger’: ‘’ସେକେଣ୍ଡ କ୍ଳାସ ପାସେଞ୍ଜର’ କହିବା ବନ୍ଦ କର’, ରେଳବାଇକୁ ବଡ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ବ୍ୟବହୃତ ଶବ୍ଦାବଳୀକୁ ନେଇ ସୁପ୍ରିମକୋର୍ଟ କଠୋର ମତ ଦେଇଛନ୍ତି। କୌଣସି ବ୍ୟକ୍ତିଙ୍କୁ ‘ସେକେଣ୍ଡ କ୍ଲାସ୍ ଯାତ୍ରୀ’ ବୋଲି ସମ୍ବୋଧନ କରିବା ସଂବିଧାନର ମର୍ଯ୍ୟାଦା ଓ ସମାନତାର ମୂଳ ଭାବନା ସହ ସଙ୍ଗତିପୂର୍ଣ୍ଣ ନୁହେଁ ବୋଲି ଅଦାଲତ କହିଛନ୍ତି। ଜଷ୍ଟିସ୍ ସଞ୍ଜୟ କରୋଲ ଓ ଜଷ୍ଟିସ୍ ଏନ୍. କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ ରେଳବାଇକୁ ଏହି ଶବ୍ଦର ବ୍ୟବହାର ବଦଳାଇବାକୁ ପରାମର୍ଶ ଦେଇଛନ୍ତି।
ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ‘ସେକେଣ୍ଡ କ୍ଲାସ୍’ ଶବ୍ଦ କେବଳ କୋଚ୍ କିମ୍ବା ବଗିକୁ ବୁଝାଇବା ପାଇଁ ବ୍ୟବହୃତ ହେଉ, ଯାତ୍ରୀଙ୍କ ପରିଚୟ ଭାବେ ନୁହେଁ। ଜଣେ ବ୍ୟକ୍ତିଙ୍କୁ ତାଙ୍କ ଯାତ୍ରା ଶ୍ରେଣୀ ଆଧାରରେ ସମ୍ବୋଧନ କରିବା ତାଙ୍କ ସମ୍ମାନକୁ କ୍ଷୁଣ୍ଣ କରିଥାଏ ବୋଲି କୋର୍ଟ ମତ ପ୍ରକାଶ କରିଛନ୍ତି।
ଏହି ମାମଲା ୨୦୧୫ ମସିହାର ଏକ ଟ୍ରେନ୍ ଦୁର୍ଘଟଣା ସହ ଜଡିତ। ଚନ୍ଦ୍ରକାନ୍ତ ଠକ୍କର ନାମକ ଜଣେ ବ୍ୟକ୍ତି ଚଳନ୍ତା ଟ୍ରେନ୍ରୁ ଖସି ପ୍ରାଣ ହରାଇଥିଲେ। ମୃତକଙ୍କ ନିକଟରୁ ଟିକେଟ୍ ମିଳିନଥିବାରୁ ରେଳବାଇ କ୍ଲେମ୍ସ ଟ୍ରିବ୍ୟୁନାଲ୍ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟ କ୍ଷତିପୂରଣ ଦେବାକୁ ମନା କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ସେହି ରାୟକୁ ଖାରଜ କରି କହିଛନ୍ତି ଯେ, ଦୁର୍ଘଟଣା ସମୟରେ ଟିକେଟ୍ କିମ୍ବା ସାମଗ୍ରୀ ହଜିଯିବା ସ୍ୱାଭାବିକ। କେବଳ ଟିକେଟ୍ ମିଳିନଥିବାରୁ କୌଣସି ବୈଧ ଯାତ୍ରୀଙ୍କ ଅଧିକାରକୁ ଅସ୍ୱୀକାର କରାଯାଇପାରିବ ନାହିଁ। ଅଦାଲତ ମୃତକଙ୍କ ପତ୍ନୀଙ୍କ ହଲଫନାମାକୁ ଗ୍ରହଣ କରି ରେଳବାଇକୁ ୮ ଲକ୍ଷ ଟଙ୍କା କ୍ଷତିପୂରଣ ସହ ସୁଧ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଶୁଣାଣି ସମୟରେ ସୁପ୍ରିମକୋର୍ଟ ରେଳବାଇରେ ଖାଲି ପଦବୀ ପୂରଣ ଏବଂ କର୍ମଚାରୀ ସଂଖ୍ୟା ବଢ଼ାଇବା ଉପରେ ମଧ୍ୟ ଜୋର ଦେଇଛନ୍ତି। ଅଦାଲତ କହିଛନ୍ତି, ପର୍ଯ୍ୟାପ୍ତ କର୍ମଚାରୀ ନିଯୁକ୍ତି ହେଲେ ରେଳ ସୁରକ୍ଷା ଅଧିକ ସୁଦୃଢ଼ ହେବ, ଦୁର୍ଘଟଣା କମିବ ଏବଂ ଯୁବପିଢ଼ି ପାଇଁ ନୂଆ ରୋଜଗାର ସୁଯୋଗ ମଧ୍ୟ ସୃଷ୍ଟି ହେବ।