Latest Odisha News

BREAKING NEWS

ଇଡି କରୁଛି କଳାଟଙ୍କାର ଖୋଳତାଡ଼, ଭୁବନେଶ୍ୱରରୁ କେସିଙ୍ଗା.. ୮ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଇଡିର ତନାଘନା । ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ ୮ଟି ସ୍ଥାନରେ ରେଡ୍ କରିଛି । ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ଇଡି ଅର୍ଚ୍ଚନାଙ୍କ କଳାହାଣ୍ଡି କେସିଙ୍ଗା ସ୍ଥିତ ପୈତୃକ ଘର ସହ ବାଲେଶ୍ୱର ଜଳେଶ୍ୱର ସ୍ଥିତ ଶାଶୂଘରେ ଚଢ଼ାଉ କରିଛି ।

ଅର୍ଚ୍ଚନାଙ୍କ ସତ୍ୟବିହାର ସ୍ଥିତ ବଙ୍ଗଳାରେ ମଧ୍ୟ ଛାପା ମାରିଛି ଇଡି । ପୋଲିସ ଓ ସିଆରପିଏଫ୍ ଯବାନଙ୍କ ଉପସ୍ଥିତିରେ ରେଡ୍ ଚାଲିଛି । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱରଙ୍କ ବାଲିପାଟଣା ସ୍ଥିତ ଘରେ ଚଢ଼ାଉ ହୋଇଛି ।

ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ ଚାନ୍ଦ, ଖଗେଶ୍ୱର ପାତ୍ର ଓ ଶ୍ରଦ୍ଧାଞ୍ଜଳିଙ୍କ ବିରୋଧରେ ମାମଲା ରୁଜୁ କରି ଇଡି ତଦନ୍ତ କରୁଛି । ପ୍ରାଥମିକ ପର୍ଯ୍ୟାୟରେ ଇଡି ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟକୁ ତନ୍ନ ତନ୍ନ କରି ଯାଞ୍ଚ କରିବା ସହ ୩ ଜଣଙ୍କୁ ପଚରାଉଚରା ପାଇଁ ନୋଟିସ୍ କରିଥିବା ଜଣାପଡ଼ିଛି ।

ତେବେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟ ଯାଞ୍ଚ ବେଳେ ପ୍ରାୟ ସମସ୍ତ କାରବାର ନଗଦରେ ଦମ୍ପତି କରିଥିବା ଜାଣିବାକୁ ପାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କ ସହ ସମ୍ପୃକ୍ତ ଥିବା ଏକାଧିକ ବ୍ଯକ୍ତିଙ୍କ ତାଲିକା ଇଡି ପ୍ରସ୍ତୁତ କରିଥିବା ବେଳେ ଆଗକୁ କାହା ଘରେ ରେଡ୍ ହେବ ତାକୁ ନେଇ ଛନକା ପଶିଛି ।

ଏବେ ଉଭୟ ଅର୍ଚ୍ଚନା ଓ ଜଗବନ୍ଧୁ ଗିରଫ ପରେ ଝାରପଡ଼ା ଜେଲରେ ଅଛନ୍ତି । ବିଭିନ୍ନ ଦଳର ନେତାଙ୍କ ସହ ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ହନିଟ୍ରାପରେ ଫସାଇ ଅର୍ଚ୍ଚନା ବ୍ଲାକମେଲିଂ କରି ଟଙ୍କା ଆଦାୟ କରି ୪ ବର୍ଷ ମଧ୍ୟରେ ୩୦ କୋଟି ଟଙ୍କାର ସମ୍ପତ୍ତି କରିଥିବା କୁହାଯାଉଛି ।

ତେବେ ଅର୍ଚ୍ଚନା ଓ ଜଗବନ୍ଧୁ କାହାକୁ ବ୍ଲାକମେଲିଂ କରି କେତେ ଟଙ୍କା ଆଣିଥିଲେ, ମାଧ୍ୟମ କିଏ ଥିଲା ? ଏବେ ଏସବୁର ତଦନ୍ତ କରୁଛି ଇଡି । ଯାହାକୁ ନେଇ ଅର୍ଚ୍ଚନାଙ୍କୁ ଟଙ୍କା ଦେଇ ଆସୁଥିବା ବଡ଼ ବଡ଼ିଆ ଆତଙ୍କିତ ହୋଇ ପଡ଼ିଛନ୍ତି ।

Leave A Reply

Your email address will not be published.