Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ବାକି ପର୍ଯ୍ୟାୟ ନିର୍ବାଚନ ପାଇଁ ହୋଇ ପାରିବନି କୌଣସି ରାଲି

ନୂଆଦିଲ୍ଲୀ: କୋଭିଡ୍ ସଂକ୍ରମଣ ବଢ଼ୁଥିବା ବେଳେ ପଶ୍ଚିମବଙ୍ଗରେ ଜମୁଛି ପ୍ରଚାର । ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ସପ୍ତମ ପର୍ଯ୍ୟାୟ ଲାଗି ପ୍ରଚାରକୁ ଶେଷ ସ୍ପର୍ଶ ଦେଇଛନ୍ତି ନେତା । କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରି ପଶ୍ଚିମବଙ୍ଗରେ ବିଭିନ୍ନ ଦଳ ପ୍ରଚାର କରୁଛନ୍ତି । ଷ୍ଟାର ପ୍ରଚାରକଙ୍କ ଠାରୁ ନେଇ ନିର୍ବାଚନ ସଭାରେ କର୍ମୀ ଅଧିକାଂଶ ମାସ୍କ ପିନ୍ଧୁନାହାଁନ୍ତି, ସାମାଜିକ ଦୂରତା ରକ୍ଷା ହେଉନି । ଏହାକୁ ନେଇ ନିର୍ବାଚନ ଆୟୋଗ କ୍ଷୁବ୍ଧ ହେବା ସହ ପ୍ରଚାର ଉପରେ କଟକଣା ଲଗାଇଛନ୍ତି ।

ବାକିଥିବା ସପ୍ତମ ଓ ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ ଲାଗି ରାଜ୍ୟରେ କୌଣସି ପ୍ରକାର ସାଇକେଲ, ବାଇକ୍ ରାଲି ହୋଇପାରିବ ନାହିଁ । ଏନେଇ ନିର୍ବାଚନ ଆୟୋଗ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରୋଡ୍ ଶୋ, ପଦଯାତ୍ରା, ରାଲି ଉପରେ କଟକଣା ଜାରି କରାଯାଇଥିଛି । ସାମାଜିକ ଦୂରତା ରକ୍ଷା କରି କୋଭିଡ୍ ନିୟମକୁ ମାନି ୫୦୦ ଲୋକରେ ସାଧାରଣ ସଭା ଲାଗି ଅନୁମତି ଦେଇଛନ୍ତି ନିର୍ବାଚନ ଆୟୋଗ ।

ପୂର୍ବରୁ ରୋଡ୍ ଶୋ, ବାଇକ୍ ରାଲି ପାଇଁ ଦିଆଯାଇଥିବା ସମସ୍ତ ଅନୁମତିକୁ ପ୍ରତ୍ୟାହାର କରି ନିଆଯାଇଛି । ନିର୍ବାଚନ ଆୟୋଗ ଜାରି କରିଥିବା କଟକଣା ୨୨ ଏପ୍ରିଲ୍ ସନ୍ଧ୍ୟା ୭ଟାରୁ ଲାଗୁ ହୋଇଛି । ପଶ୍ଚିମବଙ୍ଗରେ ଆସନ୍ତା ଏପ୍ରିଲ୍ ୨୬ରେ ସପ୍ତମ ପର୍ଯ୍ୟାୟ ଭୋଟରେ ୩୬ ଆସନରେ ମତଦାନ ହେବ । ସେହିଭଳି ଏପ୍ରିଲ୍ ୨୯ରେ ଅଷ୍ଟମ ପର୍ଯ୍ୟାୟରେ ୩୫ଟି ଆସନରେ ମତଦାନ ହେବାକୁ ଥିବା ବେଳେ ମେ’ ୨ରେ ଗଣତି ସହ ଘୋଷଣା ହେବ ଫଳାଫଳ ।

Leave A Reply

Your email address will not be published.