Latest Odisha News

ହାତୀକୁ ନିଆଁହୁଳା ମାଡ଼ ଘଟଣା: ଦୁଇ ଅସ୍ଥାୟୀ ବନ କର୍ମଚାରୀ ବହିଷ୍କୃତ

ବାରିପଦା: ହାତୀକୁ ନିଆଁହୁଳା ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ। ଦୁଇ ଅସ୍ଥାୟୀ ବନ କର୍ମଚାରୀଙ୍କୁ ବହିଷ୍କାର କଲା ବନବିଭାଗ । ସେମାନେ ହେଉଛନ୍ତି ଦୀପକ ମୁଣ୍ଡା ଓ ବାପି ମାଝୀ। ବନ ବିଭାଗର ଦୁଧିଆଣି ରେଞ୍ଜ ଅଧିକାରୀ ପ୍ରଦୀପ ପୃଷ୍ଟି ଏହି ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଗତ କିଛିଦିନ ତଳେ ମୟୁରଭଞ୍ଜ ଜିଲ୍ଲା ଦୁଧିଆଣି ରେଞ୍ଜ୍ ଅଧୀନରେ ଥିବା ବଡ଼ଗୁମା ଗାଁରେ ହାତୀ ଘଉଡ଼ାଇବା ବେଳେ ଏହି ଘଟଣା ଘଟିଥିଲା, ଯାହାର ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହୋଇଥିଲା। ବନ କର୍ମଚାରୀ ଓ କିଛି ସ୍ଥାନୀୟ ଲୋକ ହାତୀ ଘଉଡ଼ାଇବା ବେଳେ ହାତୀ ଉପରକୁ ନିଆଁ ହୁଳା ପକାଉଥିଲେ । ଭିଡିଓଟି ଭାଇରାଲ ହେବା ପରେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା । ଭିଡିଓ ଭାଇରାଲ ପରେ କରଞ୍ଜିଆ ଡିଏଫଓ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହାତୀଙ୍କ ଉପରକୁ ନିଆଁ ମାଡ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଆବଶ୍ୟକ ପଡ଼ିଲେ ଗିରଫ କରାଯିବ ବୋଲି କହିଥିଲେ ଡିଏଫଓ । ତେବେ ବନ ବିଭାଗ ପକ୍ଷରୁ ପୂରା ଘଟଣାକୁ ତର୍ଜମା କରାଯାଇ ଏହି ଦୁଇ ଅସ୍ଥାୟୀ ବନ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି।

 

Leave A Reply

Your email address will not be published.