କବିତାକୁ ନେଇ ପ୍ରଦର୍ଶନ ଓ ପରିବେଷଣର ପରମ୍ପରା ପୁଣି ଥରେ ଫେରି ଆସିବା ଉଚିତ 

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ

ମୁଁ ଅନେକ ସମୟରେ ଭାବେ, ଆମର ପୁରାଣପଣ୍ଡାମାନେ ଯଦି ନଥାନ୍ତେ, ତାହେଲେ ବ୍ୟାସ ଓ ବାଲ୍ମୀକି ଆମର ହୋଇ ରହିଥାନ୍ତେ କି? ଆଜି ଯଦି ସାରଳା ଦାସ କି ଜଗନ୍ନାଥ ଦାସ ଆମ ଭିତରେ ବଞ୍ଚିକି ଅଛନ୍ତି, ତାର ଏକମାତ୍ର ଜୀବନୀଶକ୍ତି ଏହି ପୁରାଣପଣ୍ଡା ଓ କଥକମାନେପାଠ ପଢିବାର ପରମ୍ପରା ଅପେକ୍ଷା ପାଠ ଶୁଣିବାର ପରମ୍ପରା ଆମ ଦେଶରେ ବେଶୀ ପ୍ରାଚୀନ। ଶୁଣିବାର ଓ ମନେରଖି ତାକୁ ଅନ୍ୟକୁ ଶୁଣାଇବାର ପରମ୍ପରା ଉପରେ ଆମର ସାହିତ୍ୟ ବଞ୍ଚିଛି। ଭାରତୀୟ ଜ୍ଞାନ ପରମ୍ପରାର ସବୁଠୁ ଅମୂଲ୍ୟ ସମ୍ପଦ “ବେଦ” ଏହି ଶୁଣିବାର ପରମ୍ପରା ବା ଶୃତି ଆଧାରରେ ହଜାର ହଜାର ବର୍ଷ ଧରି ପ୍ରବାହିତ ହୋଇ ଆସିଛି। ମହାକାବ୍ୟ ଓ ପୁରାଣର ଧାରାକୁ ପୁରାଣପଣ୍ଡା, କଥକ, ସୌତି, କଥାବାଚକ, ଚକୁଳିଆପଣ୍ଡାମାନେ ହିଁ ଆମ ସମାଜରେ ବାଣ୍ଟି ଆସିଛନ୍ତି। ସେମାନେ ଗୋଟେ ସମୟରେ ଆମ ସାହିତ୍ୟ ଓ ଜ୍ଞାନ ପରମ୍ପରାର ଅଘୋଷିତ ରେକର୍ଡ କିପର ଦାୟିତ୍ଵ ତୁଲାଇ ଆସିଛନ୍ତି।

ପୁରାଣକୁ ବାଦ ଦେଲେ ପରବର୍ତ୍ତୀ ସମୟର ଅଳଙ୍କାରଧର୍ମୀ ସାହିତ୍ୟ ପାଇଁ ମଧ୍ୟ ଆଉ ଏକ କଥକ ଗୋଷ୍ଠୀ ତିଆରି ହେଲେ। କେବେ ଚିନ୍ତା କରିଛନ୍ତି, ଆମ ରାଜ୍ୟରେ ଯଦି ପାଲା ଓ ଦାସ କାଠିଆର ପରମ୍ପରା ଟି ନଥାନ୍ତା, ତା ହେଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବା ଗୋପାଳକୃଷ୍ଣ ଆମ ସାମାଜିକ ଜୀବନରେ ରହିଥାନ୍ତେ କି? ପୋଥି ପଢି ପାରୁଥିବା ଲୋକଙ୍କ ସଂଖ୍ୟା ଯେତେବେଳେ ହାତ ଗଣତି, ସେତେବେଳେ ଉଚ୍ଚାଙ୍ଗ ସାହିତ୍ୟକୁ ବୃହତ୍ତର ଜନତା ପାଖରେ ପହଞ୍ଚାଇବାର କାମଟି ଆମର ପାଲାକାର ଓ ଦାସକାଠିଆ ଶିଳ୍ପୀମାନେ କରୁଥିଲେ। ଏମାନେ କବିତାକୁ ପ୍ରଦର୍ଶନକାରୀ କଳା ଭାବରେ ଗାଁ ଦାଣ୍ଡକୁ ନେଇ ଆସୁଥିଲେଯିଏ କବିତା ପଢି ପାରୁନଥିଲା, ସେ କବିତାକୁ ଶୁଣୁଥିଲା, କବିତାର ଭାବ ଓ ରସ ରେ ଭିଜୁଥିଲା ଓ କିଛି ସମୟ ଲାଗି କବିତାକୁ ନିଜ ଜୀବନର ଅଂଶ ବୋଲି ଭାବି ନେଉଥିଲା

ମୋର ମନେ ଅଛି, ଜଣେ ଚମତ୍କାର ପାଲା ଗାୟକ ସୀତା ବନବାସ ଆଖ୍ୟାନଟି କହୁଛନ୍ତି। ଲୋକ ଅପବାଦ ଭୟରେ ଶ୍ରୀରାମଚନ୍ଦ୍ରଙ୍କର ଆଦେଶରେ ଲକ୍ଷ୍ମଣ ଜନକ ନନ୍ଦିନୀ ସୀତାଙ୍କୁ ବାଲ୍ମୀକି ଆଶ୍ରମ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇ ଆସୁଛନ୍ତି। ସୀତାଙ୍କର ଅନ୍ତରା ବେଦନାକୁ ନେଇ ଗାୟକ କେତେ କବିଙ୍କ କଥା କହୁଛନ୍ତି। ଭବଭୂତିଙ୍କର “ଉତ୍ତର ରାମଚରିତ” ଠୁ ଗଙ୍ଗାଧର ମେହେରଙ୍କର “ତପସ୍ଵିନୀ” ଯାଏ । “ତପସ୍ଵିନୀ”ର ତିନୋଟି ପଦ ମୋର ସେଇ ଶୁଣାକଥାରୁ ଇ ମନେ ଅଛି-  

”ତା ଚାହିଁ ବିହଗ ମୁଖେ କାନ୍ଦିଲା ସେ ବନ

ବହିଲା ପ୍ରଶ୍ଵାସ ରୂପେ ପ୍ରଖର ପବନ

ଶୁଭିଲା ନିଶ୍ଵାସ ରୂପେ ସର ସର ସ୍ଵର

କାରୁଣ୍ୟ ଲହରୀ ପ୍ରାୟେ ଚଳିଲେ ପତର

ଭରିକି ଶୀଶକ ଗୁଳି ତରଙ୍ଗର ତୋପେ

ନିୟତିକି ଭାଗିରଥି ପ୍ରହାରିଲା କୋପେ।”

ପାଲା ଗାୟକଙ୍କ କବିତା କେବଳ ଗାୟନ ନୁହେଁ, ସେଥିରେ ଅଭିନୟ ଅଛି। ରସ ସଂଚାର ଓ ଭାବ ବିନିମୟ ଅଛିସୀତାଙ୍କ ବେଦନାରେ ସମଗ୍ର ପ୍ରକୃତି ସହଭାଗୀସୀତାଙ୍କ ସାଙ୍ଗରେ ସେ ବନାନୀ, ସବୁ ପକ୍ଷୀଙ୍କର କଣ୍ଠରେ କାନ୍ଦି ଉଠୁଛିଶୋକାତୁର ନିଶ୍ଵାସ ପ୍ରଶ୍ଵାସ ଭାବରେ ସମଗ୍ର ବୃକ୍ଷ, ପବନ ଓ ପତ୍ର ସମଦୁଃଖୀ। ସୀତାଙ୍କ ପ୍ରତି ନିୟତିର ଏ ଅବିଚାରକୁ ସାହି ନପାରି ଭାଗିରଥି ନଦୀର ତରଙ୍ଗ ନିୟତି ଉପରକୁ ଗୁଳି ମାଡ କରୁଛନ୍ତି। ଏ ଦୃଶ୍ୟକୁ ବର୍ଣ୍ଣନା କଲାବେଳେ ନଦୀର ପ୍ରବାହ, ତାର କୋପ ଓ ତୋପ ର ବର୍ଣ୍ଣନା ଏବଂ ସବୁଠୁ ବଡ ମାନବୀୟ କରୁଣାକୁ ଜଣେ କଳାକାର ଆମକୁ ସବିସ୍ତାର ବୁଝାଇ ଚାଲିଛନ୍ତିକବି କବିତା ଲେଖି କେବଠୁ ବିଦାୟ ନେଇ ସାରିଛନ୍ତିହେଲେ ତାଙ୍କ କବିତାର ଅର୍ଥ ଓ ଅର୍ଥାନ୍ତର ଆଉ ଜଣେ କଳାକାର କରୁଛନ୍ତି। କବିତାର ଜୀବନ ଶକ୍ତି ଏହି ପ୍ରଦର୍ଶନକାରୀ କଳା ମାଧ୍ୟମରେ ଅଧିକ ବ୍ୟାପକ ହେଇ ଆସିଛି ଏବଂ ଉଭୟ କବି ଓ କବିତାକୁ ଏହା ହିଁ ଅମରତ୍ଵ ଦେଇଛି।

ଦୁର୍ଭାଗ୍ୟ କ୍ରମେ ଆଧୁନିକ କବିତାରୁ କେବଳ ପ୍ରକୃତି ବିଦାୟ ନେଇନାହିଁ, କବିତାର ପ୍ରଦର୍ଶନକାରୀ ଚରିତ୍ର ଟି ମଧ୍ୟ ଆସ୍ତେ ଆସ୍ତେ ଫିକା ପଡି ଆସୁଛି। ବିଶେଷକରି ସମକାଳର ଭାରତୀୟ କବିତା କେବଳ ବହି ଭିତରେ ନିଜକୁ ସୀମିତ ରଖୁଛିଏହି ସମାନ ସମୟରେ ଅନେକ ୟୁରୋପୀୟ ଭାଷାର କବିତା, ଆରବର କବିତା, ଏପରିକି ଆମେରିକୀୟ କବିତାରେ ପ୍ରଦର୍ଶନକାରୀ କଳା ଲାଗି ଯଥେଷ୍ଟ ସୁଯୋଗ ତିଆରି ହୋଇଛି। ଆମେରିକାର ପ୍ରସିଦ୍ଧ କବି ଆଲେନ ଜିନ୍ସବର୍ଗ, ଲାଟିନ ଆମେରିକାର ମହାକବି ପାବ୍ଲୋ ନେରୁଦା, ଆରବର ସବୁଠୁ ଲୋକପ୍ରିୟ କବି ମେହମୁଦ ଦାରୱିଶ, ଆମ ସମୟର ଜର୍ମାନ କବି ଆନ୍ୟା ଉତଲର ପ୍ରମୁଖଙ୍କ କବିତାକୁ ଲକ୍ଷ ଲକ୍ଷ ଲୋକଙ୍କ ଆଗରେ ଆଜି ମଧ୍ୟ ପ୍ରଦର୍ଶିତ କରା ଯାଇପାରେ। କବିତାର ଲୋକପ୍ରିୟତାକୁ ଆମ ସମୟର ଅନେକ କବି ସନ୍ଦେହ କରନ୍ତିସେମାନଙ୍କ ଦୃଷ୍ଟିରେ ଲୋକଙ୍କ ପାଇଁ କବିତା ଲେଖିବା (playing to the gallery) ଗୋଟେ ପ୍ରକାର ନିକୃଷ୍ଟ ସମ୍ମୋହନଅନେକ ସମାଲୋଚକ ସେଥିପାଇଁ ନୂଆ କବିଙ୍କୁ ଲୋକପ୍ରିୟତାର ମୋହରେ ନ ପଡିବା ଲାଗି କହିଥାନ୍ତି। ତେବେ ଲୋକପ୍ରିୟତାର ମୋହ ଏବଂ ଲୋକଙ୍କ ଭିତରେ ବଞ୍ଚିବାର ପ୍ରବଣତା ଦୁଇଟି ଭିନ୍ନ କଥା।

କବିତା ଲୋକଙ୍କ ପାଖରେ ପହଞ୍ଚିବାକୁ ହେଲେ, କବିତାକୁ ଅନ୍ୟ କଳା ଓ କଳାକାର ଲାଗି ନିଜ ଦୁଆର ଉନ୍ମୁକ୍ତ କରିବାକୁ ପଡିବ। କବିତା ଖାଲି ପଢାହେଲେ ଚାଲିବ ନାହିଁ, କବିତାର ପ୍ରଦର୍ଶନ ଓ ପରିବେଷଣ ମଧ୍ୟ ଏକ ଆବଶ୍ୟକତା ।   

ଶାସ୍ତ୍ରୀ ନଗର, ୟୁନିଟ୍ ୪, ଭୁବନେଶ୍ୱର  ମୋ: ୯୪୩୭୧୫୪୪୪୫
(ଲେଖକ ଜଣେ ସାମ୍ବାଦିକ ତଥା ସ୍ତମ୍ଭକାର)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।