ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ କୃଷ୍ଣ ରୂପରେ ପରିକଳ୍ପନା କରି ଓ ବ୍ରହ୍ମାଣ୍ଡ ତତ୍ତ୍ୱରେ ତାହାଙ୍କୁ ବର୍ଣ୍ଣନା କରିବାକୁ ଯାଇ ସାଧକ ବଳରାମ ଦାସଙ୍କ ରଚିତ “ବ୍ରହ୍ମାଣ୍ଡ ଭୂଗୋଳ “ଗ୍ରନ୍ଥକୁ ବିଶେଷ ଅନୁଧ୍ୟାନ କଲେ ତ୍ରିତାପ ହରଣ କର୍ତ୍ତା, ମୁକ୍ତି ଦାତା ଶ୍ରୀକୃଷ୍ଣ ଏହି ପିଣ୍ଡ ବ୍ରହ୍ମlଣ୍ଡ ରୂପକ ବୃତ୍ତର କେନ୍ଦ୍ରରେ ଅବସ୍ଥାପନ କରି କେନ୍ଦ୍ରପୁରୁଷ ଭାବରେ ଉଦ୍ଭାସିତ ଅଟନ୍ତି । ଆଉ ସମସ୍ତ ଜୀବ ଏହି କେନ୍ଦ୍ରକୁ ଆଧାର କରି ସୃଷ୍ଟି ହୋଇଥିବା ବଳୟର ଏକ ଏକ ସତ୍ତା ବା ଅର୍ଜୁନ ସଦୃଶ୍ୟ । ଏହି ଜୀବ ରୂପୀ ଅର୍ଜୁନ ଅହରହ କେନ୍ଦ୍ରାଭିମୁଖୀ ହୋଇ ପରମ ସତ୍ତା ଶ୍ରୀକୃଷ୍ଣଙ୍କୁ ଜୀବନ ଜିଜ୍ଞାସା ମାଧ୍ୟମରେ ପ୍ରଶ୍ନ କରି ଚାଲିଛି । ଜୀବନ ଯୁଦ୍ଧରେ ଆକ୍ରାନ୍ତ ଜୀବ(ପିଣ୍ଡ )ଏଠି ପ୍ରଶ୍ନ କରୁଛି ଦେହ ଜଗତକୁ ଜାଣିବାର ପ୍ରଶ୍ନ, ଦେହରୁ ଦେହତୀତ ହେବାର ପ୍ରଶ୍ନ । ଅର୍ଥାତ ପିଣ୍ଡ (ଜୀବ )ର ପରମ (ବ୍ରହ୍ମlଣ୍ଡ )ଚେତନାରେ ପ୍ରବେଶ କରିବାର ପ୍ରଶ୍ନ । ବିଷୟ ଭାବନାରୁ, ବିଷୟାତିତ ହେବାର ପ୍ରଶ୍ନ ଅଥବା ବିଶ୍ଵlତୀତକୁ ଉପଲବ୍ଧି କରିବାର ପ୍ରଶ୍ନ । କେବଳ ବ୍ରହ୍ମlଣ୍ଡ ଭୂଗୋଳ ନୁହେଁ ଏହିପରି ଜୀବନ ଜିଜ୍ଞାଂସା ଛତିଶ ଗୁପ୍ତ ଗୀତା, ମନ୍ମଥ ଚନ୍ଦ୍ରିକା, ଶୂନ୍ୟ ସଂହିତା, ଅମର ଜୁମର, ପ୍ରେମଭକ୍ତି ବ୍ରହ୍ମଗୀତା ଚଉଷଠି ପଟଳ, ଛୟାଳିଶ ପଟଳ, ପ୍ରଭୃତି କାଳଜୟୀ ଗ୍ରନ୍ଥମାନଙ୍କରେ ବର୍ଣ୍ଣିତ ହୋଇଛି । ଏଠାରେ ପ୍ରଥମେ ସାଧକ ଅଚ୍ୟୁତାନନ୍ଦ ଛୟାଳିଶ ପଟଳ ବର୍ଣ୍ଣିତ ଗୂଢ଼ ତତ୍ତ୍ୱକୁ ଆଲୋଚନା କରିବା ଏହା ପରମ ଯୋଗ କଥା ଯଥା –
“ନାଶାଗ୍ର ଦୃଷ୍ଟି ବିନ୍ଦୁଠାରେ,
ନୀଳ ବର୍ଣ୍ଣର ଜ୍ୟୋତି ସ୍ପୁରେ,
ସେ ଜ୍ୟୋତି ତେଜ ବେଳୁ ବେଳ,
ନିଶ୍ଚୟ ହୋଇବ ଉଜ୍ୱଳ
ତା’ ମଧ୍ୟେ ବିନ୍ଦୁଟି ଅଲେଖ,
ଶ୍ରୀରାଧା ରୂପ ତହିଁ ଦେଖ,
ଅରୂପରେ ରୂପ ଥିବ ମିଶି,
ନାହିଁ ସେ ସ୍ଥାନେ ରବି ଶଶୀ
ଥାଇ ନଥିଲା ପ୍ରାୟେ ପିଣ୍ଡ,
ଏ ଅଟେ ସମାଧିର କାଣ୍ଡ,
ସମାଧି ପାଇଁ ମନ ବଳା,
ମନ୍ତ୍ର ଅଟଇ ମୟା ଖେଳା “
ଅର୍ଥାତ ଏଠାରେ ସାଧକମାନଙ୍କ ପାଇଁ ଚରମ ସାଧନା ର ସ୍ଥିତି ସମାଧି କଥା ପ୍ରଯୁର୍ଯ୍ୟ ହେଲେ ବି ସାଧାରଣ ଜୀବଟିଏ ପାଇଁ ରାଧା ଭାବ ହିଁ କେବଳ ପ୍ରଯୁର୍ଯ୍ୟ, ନିତ୍ୟରାସ ରଚି ବୃତ୍ତର ବଳୟରେ ରହି ସର୍ବଦା କେନ୍ଦ୍ରବିନ୍ଦୁରେ ସ୍ଥିତ ପରମ ସତ୍ତା ଶ୍ରୀକୃଷ୍ଣ (ଶ୍ରୀଜଗନ୍ନାଥ )ଙ୍କ ଆଡକୁ ଆକର୍ଷିତ ହେବା ହିଁ ରାଧା ଭାବ । ଏହି ଆକର୍ଷଣ ପିଣ୍ଡ ଓ ବ୍ରହ୍ମlଣ୍ଡ ଉଭୟ ପରିଚାଳିତ । ଏହାକୁ ଆହୁରି ସରଳ କରି ସାଧକ ଅଚ୍ୟୁତାନନ୍ଦ ଦାସ “ମନ୍ମଥ ଚନ୍ଦ୍ରିକା” ରେ ମନକୁ ଶ୍ରୀରାଧା ଓ ଚିତ୍ତକୁ ଶ୍ରୀକୃଷ୍ଣ ଭାବରେ ଅବତାରଣା କରି ବର୍ଣ୍ଣନା କଲେ :
“ମନ ଚିତ୍ତ ବୋଲି ଯାହାକୁଟି କହି
ରାଧା କୃଷ୍ଣ ବେନି ସେ ଯୁଗଳେଛନ୍ତି ରହି,
ସେହି ଚିତ୍ତ ସେହି ମନ ନୁହଇ ଅଭିନ୍ନ,
ଚିତ୍ତ ମନ ରାଧାକୃଷ୍ଣ ଏକ ଅଙ୍ଗ ଜାଣ ”
ଏହି ଭାବର ପୁନଃ ପ୍ରକାଶ କରିଛନ୍ତି “ଶୂନ୍ୟ ସଂହିତା “ରେ :
“ଜୀବ ଆତ୍ମା ରାଧା ବୋଲି ପରମ ପୂଜାରୀ,
ଏଣୁକରି ପରମାତ୍ମା ବୋଲାବନ୍ତି ହରି,
ଅଧେ ରାଧା ଅଧେ କୃଷ୍ଣ ଅର୍ଦ୍ଧ ଆତ୍ମା ଏକ,
ଅର୍ଦ୍ଧ ଅର୍ଦ୍ଧ ଯୁଗ ରୂପ ଜାଣନ୍ତି ବିବେକ ।”
ଏ ଅନନ୍ତ ଭାବର ପରିକଳ୍ପନା ଯେପରି ଅନନ୍ତ ସେହିପରି ପିଣ୍ଡ ଓ ବ୍ରହ୍ମlଣ୍ଡ ତତ୍ତ୍ୱ ମଧ୍ୟ ଅନନ୍ତ ଆଲୋଚନା ଜାରି ରଖିବା କିନ୍ତୁ ଆରାଧନା ଭୁଲିବା ନି । ଆସନ୍ତୁ ତେବେ
“ଶ୍ରୀଜଗନ୍ନାଥ ଚରିତ,
ଦେବ ଦୁର୍ଲଭ ରସlମୃତ,
ଜୀବଙ୍କୁ ପ୍ରେମଦାନ ପାଇଁ
କୃଷ୍ଣ ଚୈତନ୍ୟ ନାମ ବହି,
ପ୍ରକଟ ହୋଇଲେ କଳିରେ,
ନମଇ ତାହାଙ୍କ ପୟରେ ।”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )