Latest Odisha News

BREAKING NEWS

ପାଲା ଜଗତର ଅନନ୍ୟ ପ୍ରତିଭା; ଗାୟକ ମଣି ଅଗାଧୁ ବେଉରା

କଟକ: କଟକ ଜିଲ୍ଲା ଆଠଗଡ଼ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଗାୟକ ଅଗାଧୁ ବେଉରା। ଯିଏକି ପରବର୍ତ୍ତୀ ସମୟରେ ପାଲା ଜଗତରେ ଖୁବ୍ ଜଣାଶୁଣା ପାଲଟିଥିଲେ।

 

୧୯୫୫ ମସିହା ଜାନୁଆରି ୧୫ ତାରିଖରେ ସେ ବାପା ରଘୁନାଥ ବେଉରା ଏବଂ ମାଆ ଅଖାରୀ ଦେବୀଙ୍କର କୋଳମଣ୍ଡନ କରିଥିଲେ। ପିଲା ଦିନରୁ ତାଙ୍କର ପୁରାଣ, ସାହିତ୍ୟ, ସଙ୍ଗୀତ ପ୍ରତି ଥିଲା ଅହେତୁକ ଆଗ୍ରହ।

ଚାଟଶାଳୀ ପଢା ପରେ ତୃତୀୟ ଶ୍ରେଣୀରେ ପଢ଼ିବା ସମୟରୁ ସେ ମଙ୍ଗଳା ସ୍ତୁତି, ଜହ୍ନି ଓଷା, ଖୁଦୁରୁକୁଣୀ, ଗୋପୀଭାଷା, କୋଇଲି ମାଳିକା ଆଦି ମୁଖସ୍ଥ କରିସାରିଥିଲେ। ତାଙ୍କର ସୁନ୍ଦର ସାବଳୀଳ କଣ୍ଠରେ ଏହି ଗୀତସବୁ ଲୋକଙ୍କୁ ମନ୍ତ୍ରମୁଗ୍ଧ କରୁଥିଲା।

ପଞ୍ଚମ ଶ୍ରେଣୀରେ ପଢ଼ିବା ବେଳକୁ ଅଗାଧୁ ଡ୍ରାମାରେ ଅଭିନୟ କରି ବେଶ୍ ସୁନାମ ଅର୍ଜନ କରିଥିଲେ। ଯେତେବେଳେ ସେ ନବମ ଶ୍ରେଣୀରେ ପଢୁଥିଲେ ଗଣକବି ବୈଷ୍ଣବ ପାଣିଙ୍କ ବିଭିନ୍ନ ଗୀତିନାଟ୍ୟରେ ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଉଥିଲେ।

 

ହାଇସ୍କୁଲ ଶିକ୍ଷା ଶେଷ ପରେ ଅଗାଧୁ ବେଉରା ଆଠଗଡ଼ର ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ନାମ ଲେଖାଇଲେ। ଓଡିଆରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ।

ପରିବାରରେ ତିନି ପୁରୁଷ ଧରି ପାଲା ରହିଥିଲା ବେଳେ ଅଗାଧୁ ମଧ୍ୟ ସେ ଦିଗକୁ ମନବଳାଇଲେ। ସପ୍ତମ ଶ୍ରେଣୀରେ ପଢିବା ସମୟରୁ ସେ ନୈଷଧ, କୁମାର ସମ୍ଭବମ୍, ମାଘ କାବ୍ୟ ଆଦି କଣ୍ଠସ୍ଥ କରିସାରିଥିଲେ।

୧୯୬୭ ମସିହାରେ ଗାୟକ ଆଚାର୍ଯ୍ୟ ଅମରେଶ୍ବର ଦାସଙ୍କୁ ଗୁରୁ ଭାବେ ଗ୍ରହଣ କରି ତାଙ୍କଠାରୁ ଚାମର ଗ୍ରହଣ କରିଥିଲେ ସେ। ପାଲା ଜଗତରେ ପାଦ ଦେବା ବେଳକୁ ଅଗାଧୁ ୩୭ଟି ନାଟକର ନିର୍ଦ୍ଦେଶନା ଦେବା ସହ ମୁଖ୍ୟ ଭୂମିକାରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟି ପାରିଥିଲେ।

ହେଲେ ପରବର୍ତ୍ତୀ ସମୟରେ ଅଗାଧୁ ସରକାରୀ ଚାକିରିରେ ଯୋଗ ଦେଇଥିବା ବେଳେ ଓଡ଼ିଶା ସରକାରଙ୍କର କୃଷି ବିଭାଗ ଅଧୀନରେ ଗ୍ରାମ କୃଷି କର୍ମଚାରୀ ଭାବେ ମୟୂରଭଞ୍ଜ କରଞ୍ଜିଆ ବ୍ଲକରେ ପ୍ରଥମ ନିଯୁକ୍ତି ପାଇଥିଲେ।

ସରକାରୀ ଚାକିରି ସହିତ ଓଡିଶା, ବିହାର, ବେଙ୍ଗଲର ଅନେକ ପାଲା ମଞ୍ଚରେ ପାଲା ପରିବେଷଣ କରି ଅଗାଧୁ ଖ୍ୟାତି ଅର୍ଜନ କରିଥିଲେ। ୨୦୧୩ ମସିହାରେ ଚାକିରିରୁ ଅବସର ନେବା ପରେ ସେ ପାଲା କ୍ଷେତ୍ରରେ ଅଧିକ ସକ୍ରିୟ ରହିଛନ୍ତି।

ପୂର୍ବରୁ ଚାକିରି ପାଇଁ ପାଲା ପ୍ରତି ଅଧିକ ସମୟ ଦେଇପାରୁ ନଥିବା ବେଳେ ଏବେ ସମ୍ପୂର୍ଣ୍ଣ ସମୟ ପାଲାରେ ହିଁ କଟୁଛି ବୋଲି କୁହନ୍ତି ଅଗାଧୁ।

କଟକ ଜିଲ୍ଲା ପାଲା ଗାୟକ ପରିଷଦର ସମ୍ପାଦକ ଭାବେ ସେ ଦୀର୍ଘ ୯ ବର୍ଷ ଧରି କାର୍ଯ୍ୟ କରିଛନ୍ତି। ଏହାସହ ଆଠଗଡ଼, ତିଗିରିଆ, ବଡ଼ମ୍ବା, ନରସିଂହପୁର ଓ ବାଙ୍କୀ ବ୍ଳକକୁ ନେଇ ଶ୍ରୀଶ୍ରୀ ଧବଳେଶ୍ବର ପାଲା ଗାୟକ ପରିଷଦ ଗଠନ କରି ପାଲାର ପ୍ରଚାର ପ୍ରସାରରେ ନିଜକୁ ନିୟୋଜିତ କରିଛନ୍ତି।

ପାଲା ସହିତ ଜୟମାଆ କନକ ଦୁର୍ଗା ରାମଲୀଳା ନାଟ୍ୟ ସଂସଦ ମଧ୍ୟ ସ୍ଥାପନା କରିଛନ୍ତି ଶ୍ରୀ ବେଉରା। ପାଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର, ମାନପତ୍ର ଓ ଉପାଧି।

Leave A Reply

Your email address will not be published.