ବରଗଡ଼: ବରଗଡ଼ରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛିଥିଲେ ସୁଦ୍ଧା ଜିଲାର ଅନେକ ଚାଷୀଙ୍କୁ ଏପର୍ଯ୍ୟନ୍ତ ଧାନବିକ୍ରି ଟୋକନ ମିଳିନାହିଁ। ଫଳରେ ଧାନ ବିକ୍ରିରୁ ବଞ୍ଚିତ ହୋଇଥିବା ଚାଷୀ ଆଜି ଡିଆରସିଏସ୍ ଅଫିସ୍ ଆଗରେ ଧାରଣାରେ ବସିଛନ୍ତି। ତେବେ ଆଜି ଚାଲିଥିବା ଧାରଣାରେ ଜଣେ ଚାଷୀ ଟୋକନ ପାଇ ନଥିବାରୁ ବିଷ ବୋତଲ ଧରି ଆତ୍ମହତ୍ୟା ଧମକ ଦେଇଛନ୍ତି ।
ସୂଚନାଥାଉକି, ବରଗଡ଼ ଡିଆରସିଏସ ଅଫିସରେ ଚାଷୀ ଧାରଣା ଚାଲିଥିବା ବେଳେ ଭଟଲି ବ୍ଲକ ଅନ୍ତର୍ଗତ ବାଞ୍ଜିପାଲି ଗ୍ରାମର ଯୁବଚାଷୀ କନ୍ଦର୍ପ ବାରିକ ବିଷ ବୋତଲ ଦେଖାଇବା ଏବଂ ଟୋକନ ନ ମିଳିଲେ ତାହା ସେଠାରେ ପିଇଦେବା ପାଇଁ କହିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।
ସେ କହିଥିଲେ, ଧାର କରଜ କରି ଚାଷ କରିଥିଲେ। ହେଲେ ଏପର୍ଯ୍ୟନ୍ତ ଧାନ ବିକ୍ରି ହୋଇପାରିନାହିଁ। କରଜ ଟଙ୍କା ଘରକୁ ମାଗିବାକୁ ଆସୁଛନ୍ତି ଲୋକେ, ହେଲେ ତାଙ୍କ ପାଖରେ ପଇସା ନାହିଁ। ଏଥିପାଇଁ ବିଷ ବୋତଲ ସାଙ୍ଗରେ ନେଇ ଆସିଥିଲେ ଚାଷୀ। ପୁଲିସ ଚାଷୀଙ୍କଠାରୁ ବିଷ ବୋତଲ ଛଡ଼ାଇ ନେଇଥିବା ଦେଖିବାକୁ ମିଳିଛି।
ପାକ୍ସ ସମ୍ପାଦକ, ଡିଆରସିଏସ୍ଙ୍କଠାରୁ ଆରମ୍ଭ କରି ଜିଲାପାଳ ଏବଂ ଭଟଲି ବିଧାୟକଙ୍କୁ ବାରମ୍ବାର ଜଣାଇବା ସତ୍ତ୍ୱେ ସେ ଚାଷ କରିଥିବା ଜମି ଅନୁଯାୟୀ ତାଙ୍କୁ ଧାନ ବିକ୍ରି ଟୋକନ ମିଳିପାରିନାହିଁ ଏବଂ ସେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି କନ୍ଦର୍ପ କହିଛନ୍ତି।
