Latest Odisha News

BREAKING NEWS

କେବଳ ଇନ୍ଦ୍ରଦେବଙ୍କ କୃପା ଯୋଗୁ ହେଉଛି ଚାଷ, ବୃହତ୍ତ ଇନ୍ଦ୍ରାବତୀ ନଦୀବନ୍ଧ ଥାଇ ଜଳସେଚନ ସୁବିଧାରୁ ବଞ୍ଚିତ ଚାଷୀ

ନବରଙ୍ଗପୁର: ବୃହତ ଇନ୍ଦ୍ରାବତୀ ଥାଇ ମିଳୁନି ଟୋପାଏ ପାଣି । ନବରଙ୍ଗପୁର ଜିଲାରେ ବୃହତ୍ତ ଇନ୍ଦ୍ରାବତୀ ନଦୀବନ୍ଧ ଥାଇ ଚାଷୀ ଜଳସେଚନ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଜିଲାର ପ୍ରାୟ ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରନ୍ତି । ଜିଲାରେ ଧାନଚାଷ ମୁଖ୍ୟ ଫସଲ । ମକା ଓ ଆଖୁ ଅନ୍ୟତମ ପ୍ରମୁଖ ଫସଲ ହୋଇଥିବା ବେଳେ ଜିଲାରେ ଗୋଟିଏ ମଧ୍ୟ କୃଷିଭିତ୍ତିକ ଶିଳ୍ପ ନାହିଁ । 

ଜିଲାରେ ବହୁନଦୀ ପ୍ରଭାହିତ ହେଉଛି । ସେଥିମଧ୍ୟରୁ ଇନ୍ଦ୍ରାବତୀ, ଭାସ୍କେଲ, ତେଲ, ଅଙ୍ଗୀ, ଟୁରୀ ଓ ଗୁଣଥାଟ ନଦୀ ଅନ୍ୟତମ । ଏହି ନଦୀରେ କେବଳ ବର୍ଷା ଋତୁ ୪ ମାସ ବନ୍ୟାଜଳ ସହ ପାଣି ରହୁଛି । ଅନ୍ୟ ୮ ମାସ ପ୍ରାୟ ଶୁଖିଲା ପଡୁଛି । ଫସଲ ପାଇଁ ଆବଶ୍ୟକ ଜଳସେଚନର ସୁବିଧା ନ ଥିବାରୁ ଜିଲାର ଚାଷୀ କେବଳ ବର୍ଷା ଜଳ ଉପରେ ନିର୍ଭର କରୁଛନ୍ତି । ଯେଉଁ ବର୍ଷ ଭଲ ବର୍ଷା ହେଲା, ସେହିବର୍ଷ ଭଲ ଚାଷ ହେଉଛି । 

ନବରଙ୍ଗପୁର ଓ କଳାହାଣ୍ଡି ସୀମାନ୍ତ ଅଞ୍ଚଳରେ ସର୍ବବୃହତ୍ତ ଇନ୍ଦ୍ରାବତୀ ଜଳପ୍ରକଳ୍ପ ନିର୍ମାଣ କରାଯାଇଛି । ଜିଲାର ଖାତିଗୁଡାରେ ଏହାର ୧୧୦ ବର୍ଗ କିଲୋମିଟର ବୃହତ୍ତ ଜଳଭଣ୍ଡାରରେ ପାଣି ରହୁଛି । ଏହି ସମସ୍ତ ପାଣିରୁ ଟୋପାଏ ମଧ୍ୟ ନବରଙ୍ଗପୁର ଜିଲାର ଚାଷୀ ପାଇ ପାରୁନାହାନ୍ତି । 

ସମସ୍ତ ପାଣିକୁ ଟନେଲ ମାଧ୍ୟମରେ କଳାହାଣ୍ଡି ଜିଲାର ମୁଖୀଗୁଡା ଜଳବିଦ୍ୟୁତ ପ୍ରକଳ୍ପକୁ ଛଡା ଯାଇ ବିଦ୍ୟୁତ ଉତ୍ପାଦନ କରାଯାଉଛି। ଏହି ପାଣିକୁ କେନାଲ ମାଧ୍ୟମରେ ସମଗ୍ର କଳାହାଣ୍ଡି ଜିଲାକୁ ଛଡା ଯାଉଛି। ସେଠାରେ ବର୍ଷକୁ ୩ଟି ଫସଲ ସହ ସୁଜଳା ସୁଫଳା କରାଯାଇ ଚାଷୀଙ୍କ ଅର୍ଥନୈତିକ ବିକାଶ ଘଟି ପାରୁଛି। ନବରଙ୍ଗପୁର ଜିଲାବାସୀ ଟୋପାଏ ପାଣି ପାଇପାରୁ ନ ଥିବା ଅଭିଯୋଗ ହେଉଛି।ଇନ୍ଦ୍ରାବତୀ ଡ୍ୟାମ ହେବା ପରେ ତଳ ଅଞ୍ଚଳରେ ରହୁଥିବା ନବରଙ୍ଗପୁର ଜିଲାର ଚାଷୀଙ୍କ ଦୁର୍ଦ୍ଦଶା ଦୁଇଗୁଣିତ ହୋଇଛି।

ପୂର୍ବରୁ ଚୀରସ୍ରୋତା ଇନ୍ଦ୍ରାବତୀ ଉପର ଡ୍ୟାମ କରାଯିବା ପରେ ତଳ ଅଞ୍ଚଳକୁ ପାଣି ଆସିବା ବନ୍ଦ ହେବାରୁ ନଦୀ ଶୁଖିଲା ରହୁଛି। ଏହି ନଦୀ ଉପରେ ନିର୍ଭର କରୁଥିବା ଶତାଧିକ ଚାଷୀ ବିଭିନ୍ନ ଚାଷରୁ ବଞ୍ଚିତ ହୋଇଛନ୍ତି। ଜିଲାର ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ନବରଙ୍ଗପୁର ଓ କୋଷାଗୁମୁଡା ବ୍ଲକ ଅଞ୍ଚଳର ଚାଷୀ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି। ଯାହାକି ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

Leave A Reply

Your email address will not be published.