Latest Odisha News

BREAKING NEWS

ଅଡ଼ୁଆରେ ବାପା-ପୁଅ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

(ପୂର୍ବ ସଂଖ୍ୟାରେ ପ୍ରକାଶିତ “ଧର୍ମ ସଂକଟ”ର ଏହା ପରବର୍ତ୍ତୀ ଭାଗ)

ଗାଁ ସଭାରେ ନିଷ୍ପତ୍ତି ଅନୁସାରେ ପରଦିନ ସକାଳୁ ବଂଶ କୁଟୁମ୍ବର ଭାଇ ବନ୍ଧୁ ସବୁ ପହଞ୍ଚିଗଲେ ଦେବବ୍ରତର ଦୁଆର ଆଗରେ । ସେଠାରୁ ସେମାନେ ତୁଠକୁ ଯିବେ । ତା ପରେ ଆରମ୍ଭ ହେବ ଦଶକର୍ମ । ଏତେ ସଂଖ୍ୟାରେ ଲୋକଙ୍କୁ ଦେଖି ପ୍ରଥମେ ହଡ଼ବଡ଼େଇ ଗଲା ଦେବବ୍ରତ । ବୟସ୍କ ଲୋକ ଜଣେ କହିଲେ, ହଇରେ ଦେବୁ .. ଆରେ ବାରିକକୁ ଖବର ଦେଇଛୁ ନା ନାହିଁ । ତୁଠକୁ ଯିବା ପରା । ଶୀଘ୍ର କାମ ସାରିଲେ ଯିଏ ଯାହା କାମଦାମରେ ଯିବେ । ବେଳ ଗଡ଼ିଯାଉଛି । ସଅଳ କର । ଦେବବ୍ରତ କହିଲା, ତୁଠକୁ କାହିଁକି ଯିବା? ରାତିରେ ପରା ମୋ ବାପା ଘରକୁ ଫେରିଛନ୍ତି । ଆଉ ତୁଠକୁ ଯିବା କଣ ଦରକାର? ଦେବବ୍ରତର କଥା ଶୁଣି, ଦି ଚାରି ଜଣ ଭେଣ୍ଡିଆ ପିଲା ଆଗକୁ ଝପଟେଇ ପଡ଼ିଲେ । କହିଲେ, କୋଡ଼ିଏ ବର୍ଷ ହେଲା ତୋ ବାପାର ଦେଖା ନଥିଲା, ରାତାରାତି ସେ କୁଆଡୁ ଉଭା ହୋଇଗଲେ । ତୁ ତୋ ବାପାକୁ ଚିହ୍ନିଛୁ ଟି? କେବେ ଦେଖିଥିଲୁ ବାପାର ଚେହେରା? କିଛି ମନେ ଅଛି କେମିତି ଦେଖାଯାଆନ୍ତି ତୋ ବାପା? ଏ ପ୍ରଶ୍ନର କୌଣସି ଉତ୍ତର ନଥିଲା ଦେବବ୍ରତ ପାଖରେ । ପ୍ରକୃତରେ ସେ ତା ବାପାକୁ ଚିହ୍ନିପାରୁନଥିଲା । କାରଣ ସ୍ପଷ୍ଟ ଭାବେ ତା ବାପାର ଚେହେରା ତାର ମନେ ନାହିଁ । କିନ୍ତୁ ମାଆ ଯେତେବେଳେ କହୁଛି, ସେହି ଲୋକଟି ହିଁ ତାର ବାପା ହୋଇଥିବ । ସେ ଥା ଥା ମା ମା ହୋଇ କହିଲା, ମୋର ସିନା ସ୍ପଷ୍ଟ ଭାବେ ମନେ ନାହିଁ ମୋ ବାପାଙ୍କ ଚେହେରା, ହେଲେ ମୋ ମାଆ ତ ମନେ ରଖିଛି । ମାଆ ତ ଠିକ୍ ଭାବେ ଚିହ୍ନି ପାରିଛି ମୋ ବାପାଙ୍କୁ ।

ଏତିକି କଥାବାର୍ତ୍ତା ଭିତରେ ଗାଁର ଅନ୍ୟମାନେ ବି ସେଠାରେ ପହଞ୍ଚିଗଲେ । ଦେବବ୍ରତର ଦୁଆରେ ସତେ ଯେମିତି ମେଳା ଲାଗିଥିଲା । ଗାଁର ପୁରୁଷ ତିରିଲା ସମସ୍ତେ ଏକାଠି ହୋଇଯାଇଥିଲେ । ଦୁଇ ଚାରି ଜଣ ଏକା ସାଙ୍ଗରେ କହିଲେ, ତୋ ବାପା ମାଆଙ୍କୁ ବାହାରକୁ ଡାକ ଦେବୁ । ତୁ ସିନା ଠିକ୍ ଭାବେ ଚିହ୍ନିପାରୁନୁ, ଆମେ ତ ଚିହ୍ନିପାରିବୁ । ଆମ ଗାଁ ଲୋକଟା, ଏଇଠି ଜନ୍ମ ହୋଇଛି, ଏଇଠି ବଡ଼ ହୋଇଛି, କେତେ ବର୍ଷ ବାହାରେ ରହିଗଲା ବୋଲି କଣ ଆମେ ତାକୁ ଚିହ୍ନି ପାରିବୁ ନାହିଁ ? ଡାକ ତୋ ବାପା-ମାଆକୁ । ଦୁଆର ମୁହଁରେ ଏଭଳି ଲୋକଙ୍କ କୋଳାହଳ ଶୁଣି ଘର ଭିତରୁ ବାହାରକୁ ବାହାରିଲା ସତ୍ୟବତୀ । ଦେବବ୍ରତର ମାଆ । ତା ମୁହଁରେ ଥିଲା ଏକ ଅବ୍ୟକ୍ତ ଆନନ୍ଦ । ତା ହାବଭାବରୁ ଲାଗୁଥିଲା ଯେମିତି ସେ ସ୍ୱର୍ଗ ଧନ ପାଇଯାଇଛି । ଦୁଆର ମୁହଁକୁ ବାହାରି ସେ କହିଲା, ମୋ ମାଆ ମତେ କଲ୍ୟାଣ କରିଥିଲା, ମୁଁ ଅହ୍ୟ ସୁଲକ୍ଷଣୀ ହେବି । ତମେ କେତେ ଶୁଦ୍ଧିକ୍ରିୟା କରିବ ବୋଲି କହିଲେ, ମୁଁ କଣ ମୋ ଶଙ୍ଖା ସିନ୍ଦୂର ଉଜାଡ଼ି ଦେବି? ମୋ ଦେବୁର ବାପା ବଞ୍ଚିଛନ୍ତି । ଭଗବାନ ଆମ ଡାକ ଶୁଣିଲେ ବୋଲି ସିନା, ଏତେ ଦିନ ପରେ ସେ ଘରକୁ ପୁଣି ଥରେ ଫେରି ଆସିଲେ ।

ଏଇତକ କଥା ଶୁଣି ଲୋକ ଗହଳି ଭିତରୁ ଜଣେ ମହିଳା କହିଲା, ଆଲୋ ଆମେ ଜାଣିଛୁ, ତୁ ଅହ୍ୟସୁଲକ୍ଷଣୀ ବୋଲି ଯେ, ହେଲେ ତୋ ଗେରସ୍ତ କୋଉଠେ ଅଛି ତାକୁ ଟିକେ ଡାକ । ତାକୁ ଦେଖିଲେ ତ ଆମେ ବିଶ୍ୱାସ କରିବୁ । ଏତେ ବର୍ଷ ହେଲାଣି ଯାହାର ଦେଖା ନଥିଲା, ସିଏ ଯଦି ରାତାରାତି ଉଭା ହୋଇଛି, ତାହେଲେ ତାକୁ ସମସ୍ତଙ୍କ ସାମ୍ନାକୁ ଆସିବାକୁ ଦିଏ ନା । ସେହି ସ୍ତ୍ରୀ ଲୋକର କଥା ଶୁଣି, ଖୁବ୍ ରାଗି ଯାଇଥିଲା ସତ୍ୟବତୀ । କହିଲା, ତମେ ସବୁ ଗାଁ ଲୋକ ସଜ ମାଛରେ ପୋକ ପକେଇ ଦେବ । ଏତେ ଦିନ ପରେ ଲୋକଟା ଘରକୁ ଫେରିଛି । ଘର ଭିତରେ ସେ ଶୋଇଛି । ତାକୁ ଟିକେ ଶାନ୍ତିରେ ଶୋଇବାକୁ ମଧ୍ୟ ଦେବନି ତମେ । ସତ୍ୟବତୀର କଥା ଶୁଣି ହଠାତ୍ ରାଗିଗଲେ ଗାଁର ସେହି ବୟସ୍କ ବ୍ୟକ୍ତି ଜଣକ, ଯିଏ ଆସି ଦେବବ୍ରତକୁ ଡାକ ପକାଉଥିଲେ ତୁଠକୁ ଯିବା ପାଇଁ । ସେ ରାଗରେ କହିଲେ, ହଉ ହଉ ଶଙ୍କର୍ଷଣ ଯଦି ଗାଁକୁ ଫେରି ଆସିଛି, ତାହେଲେ ସେଇଟା ଭଲ କଥା । ହେଲେ ସିଏ ଥରେ ଆମ ସାମ୍ନାକୁ ଆସି ତା ପରେ ପୂରା ଜୀବନ ତମାମ ଶୋଉନି, ଆମର କଣ ଯାଉଛି । ତାକୁ ଯଦି ଗାଁରେ ରହିବାର ଅଛି, ତାହେଲେ ତାକୁ ଆଜି ସମସ୍ତଙ୍କ ସାମ୍ନାକୁ ଆସିବାକୁ ହେବ । ତା ପରେ ଯାଇ ଯାହା କିଛି ନିଷ୍ପତ୍ତି । ନହେଲେ ଏବେ ବନ୍ଧତୁଠକୁ ଚାଲ, ଦଶକର୍ମ ଆଗକୁ ବଢ଼ିବ । ତା ପାଇଁ ବୋଲି ଗାଁରେ ବାରମ୍ବାର ସଭା ଡକାଯାଇପାରିବନି କି ଏମିତି ପାଲା ଚାଲିପାରିବନି।

ଘର ଭିତରେ ରହି ଏ ସବୁ କଥା ଶୁଣୁଥାଏ ଶଙ୍କର୍ଷଣ । ସେ ଆଉ ନିଜକୁ ରୋକି ପାରିଲାନି । ବାହାରକୁ ଆସିଲା । ଦେହରେ ଘୋଡ଼େଇ ହୋଇଥାଏ କାହିଁ କେଉଁ କାଳର ମଇଳା କାଣ୍ଟିଆ ଚାଦରଟିଏ । ମୁଣ୍ଡରେ ଅଲରା ହୋଇ ରହିଥିବା ଗଦାଏ ବାବୁରି ବାଳ । ପ୍ରାୟ ନବେ ଭାଗ ପାଚିଲା । ମୁହଁରେ ଲମ୍ବା ଦାଢ଼ି । କୃଶୋଦର ଶରୀର । ଦେଖିଲେ ଯେ କେହି କହିବ, ଲୋକଟା ବର୍ଷ ବର୍ଷ ଧରି ଠିକ୍ ଭାବେ ଖାଇବାକୁ ପାଇନି । ଆଖି ଦିଟା କୋରଡ଼ ଭିତରେ ଥିଲା ଭଳି ଲାଗୁଛି । ତଥାପି ଆଖିରେ ସେହି ଯୁବକ ବୟସର ତେଜ । ଅଧା ଲୋକ କହିଲେ, ଇଏ ତ ଶଙ୍କର୍ଷଣ ନୁହେଁ । କୁଆଡୁ ଗୋଟେ ବାୟା ପାଗଳ ଲୋକଟେ ଆସିଛି, ତାକୁ ତୁ ନିଜ ଗେରସ୍ତ ବୋଲି କହୁଛୁ ସତ୍ୟବତୀ । ହଇରେ ଦେବୁ, ଶୁଦ୍ଧିକ୍ରିୟା ଭୟରେ ଏମିତି ଯାହାକୁ ତାକୁ ତୁ ତୋ ବାପା ବନେଇଦେବୁ କିରେ ? ଏତିକିବେଳେ ଗାଁର ବୟସ୍କଲୋକମାନେ କିନ୍ତୁ ସ୍ଥିର ଥାଆନ୍ତି । ସେମାନେ ହଠାତ୍ କୌଣସି ମନ୍ତବ୍ୟ ଦେଲେ ନାହିଁ । ସେମାନେ କେବଳ ଶଙ୍କର୍ଷଣକୁ ପାଦରୁ ମୁଣ୍ଡ ଯାଏଁ ବାଲୁ ବାଲୁ ହୋଇ ଦେଖୁଥାନ୍ତି । ଶଙ୍କର୍ଷଣ ବାରଣ୍ଡା ଉପରୁ ତଳକୁ ଓହ୍ଲାଇ ଆସି ଗାଁର ସବୁଠୁ ବୟସ୍କ ଆନନ୍ଦ ରାଉତରାୟଙ୍କୁ ଜୁହାର ହେଲା ।  କହିଲା, ମଉସା, ତମେ ବି ମତେ ଚିହ୍ନି ପାରୁନ? ମୁଁ ଶଙ୍କର୍ଷଣ .. ତମ ପୁଅ ଦୀନନାଥର ପିଲାଦିନର ସାଥୀ । ତମର କଣ ମନେ ନାହିଁ, ତମ ଝିଅ ମାଳତୀର ବାହାଘରରେ ମୁଁ କେତେ କାମ କରିଥିଲି ? ମତେ ପରା ପୂରା ବରଯାତ୍ରୀଙ୍କ ଚର୍ଚ୍ଚା ପାଇଁ ତମେ ଦାୟିତ୍ୱ ଦେଇଥିଲ? ତମର କଣ କିଛି ମନେ ନାହିଁ ? ବାସ୍, ଏତକ କଥା ଶୁଣି, ଶଙ୍କର୍ଷଣକୁ କୁଣ୍ଢାଇ ପକାଇଲେ ଆନନ୍ଦ ରାଉତରାୟ । ଏହି ଦୃଶ୍ୟ ଦେଖି ସେଠାରେ ଥିବା ସବୁ ଲୋକ ଅବାକ୍ । ଢେର ସମୟ ଧରି ସେଠାରେ ରାଜୁତି କରୁଥିଲା ଏକ ଅଖଣ୍ଡ ନୀରବତା। ହଠାତ୍ ଦୁଇଟା ଭେଣ୍ଡିଆ ପିଲା କହି ଉଠିଲେ, ତାହେଲେ ଆଉ ଶୁଦ୍ଧିକ୍ରିୟା କଣ ? ଏଥର ଯିଏ ଯାହା ଘରକୁ ଚାଲ । ହେଲେ କଥାଟା ଏଇଠି ସରିବନି । ଆଜି ରାତିରେ ଆଉ ଥରେ ଗାଁରେ ସଭା ବସିବ । ସେଇଠି ନିଷ୍ପତ୍ତି ହେବ, ଆଗକୁ କଣ କରାଯିବ । ସତକୁ ସତ ସେଇଆ ହେଲା । ଗାଁର ଯିଏ ଯୁଆଡ଼େ ଚାଲିଗଲେ ।

ସନ୍ଧ୍ୟା ବେଳେ ପୁଣି ଥରେ ଗାଁରେ ସଭା ବସିଲା । ଏଥର ସଭା ମଝିରେ କେବଳ ଦେବବ୍ରତ ନୁହେଁ, ତା ସାଙ୍ଗରେ ତା ବାପା ଶଙ୍କର୍ଷଣ ବି ଠିଆ ହୋଇଥିଲା । ଗାଁ ଲୋକଙ୍କ ପ୍ରଶ୍ନବାଣରେ ସେମାନେ ଆହତ ହୋଇସାରିଥିଲେ । ଜଣକ ପରେ ଜଣେ କହୁଥିଲେ, ଦେବବ୍ରତ ସବୁ ଜାଣି ଶୁଣି ତା ବାପା କଥା ଗାଁ ଲୋକଙ୍କୁ ଲୁଚାଇ ରଖିଥିଲା । ବାପା ପୁଅ ଭିତରେ ସଂପର୍କ ନିୟମିତ ଭାବରେ ରହିଥିଲେ ବି କେହି ଏ ବାବଦରେ ଗାଁ ଲୋକଙ୍କୁ ଜଣାଉନଥିଲେ । ଏମିତି ଗୋଟିଏ ପରେ ଗୋଟିଏ ଅଭିଯୋଗ ଅଜାଡ଼ି ହୋଇପଡୁଥିଲା ଦେବବ୍ରତ ଉପରେ । ତା ପାଖରେ ଏ ସବୁ କଥାର କୌଣସି ଉତ୍ତର ନଥିଲା । ସେପଟେ ବୟସ୍କ ଲୋକମାନେ ଘେରି ବସିଥିଲେ ଶଙ୍କର୍ଷଣକୁ । ଏତେ ବର୍ଷ ଯାଏଁ କୋଉଠି ଥିଲୁ ତୁ ଶଙ୍କର୍ଷଣ ? ଏମିତି କଣ ହୋଇଗଲା ଯେ, ତୁ ଗାଁ ଛାଡ଼ି କୋଡ଼ିଏ ବର୍ଷ ହେଲା କୁଆଡ଼େ ପଳେଇଲୁ । କଣ କରୁଥିଲୁ ତୁ ଏତେ ଦିନ ଯାଏଁ ? ଅନେକ ସମୟ ଧରି ନୀରବରେ ରହିଥିଲା ଶଙ୍କର୍ଷଣ । କାହାରି କୌଣସି ପ୍ରଶ୍ନଉ ଉତ୍ତର ଦେଉନଥାଏ ସେ । ଏତିକି ବେଳେ ଗାଁ ସଭାରେ କେହି ଜଣେ ପଚାରିଦେଲା, ତୋ ପ୍ରଥମ ସ୍ତ୍ରୀ ସୁକୁମାରୀ କୁଆଡ଼େ ଗଲା ? ଏତେ ଦିନ ଯାଏଁ ତୁ ନଥିଲୁ। ଗାଁ ସଭାରେ ଯେତେବେଳେ ସୁକୁମାରୀ ତୋ ବିରୋଧରେ ଅଭିଯୋଗ କରିଥିଲା, ସେତିକି ବେଳେ ତୁ ଗାଁ ଛାଡ଼ି କୁଆଡ଼େ ପଳେଇଗଲୁ ଯେ, ସେବେଠୁ ତୋର ଦେଖା ଦର୍ଶନ ନଥିଲା । ହେଲେ ତୁ ଯିବା ପରେ, ସୁକୁମାରୀ ବି କୁଆଡ଼େ ଉଭାନ ହୋଇଗଲା । ତାର ବି ଦେଖାଦର୍ଶନ ନାହିଁ । କଥାଟା ଟିକିଏ ରହସ୍ୟମୟ ଲାଗୁଛି ।

ଏତକ କଥା ଶୁଣିବା ପରେ ଭୋ ଭୋ ହୋଇ କାନ୍ଦି ଉଠିଲା ଶଙ୍କର୍ଷଣ । ଦେବବ୍ରତ ବାପା ପାଖକୁ ଯାଇ, ତାକୁ ବୁଝାଇବାକୁ ଚେଷ୍ଟା କରୁଥିଲା । ଶଙ୍କର୍ଷଣ ଓ ଦେବବ୍ରତର ଏ ଦୃଶ୍ୟରେ କିଛି ସମୟ ପାଇଁ ନୀରବ ହୋଇଯାଇଥିଲା ପୂରା ସଭା । ହଠାତ୍ ନୀରବତାକୁ ଭାଙ୍ଗି ଶଙ୍କର୍ଷଣ କହିଲା, ଲୋକଲଜ୍ୟାରୁ ବଞ୍ଚିବା ପାଇଁ ମୁଁ ଗାଁ ଛାଡ଼ି ପଳେଇଗଲି । କିନ୍ତୁ, ସୁକୁମାରୀ ମୋର ପ୍ରଥମ ସ୍ତ୍ରୀ । ତାକୁ ମୁଁ ନିଜେ ପସନ୍ଦ କରି ବାହା ହୋଇଥିଲି । ତା ଭିତରେ ମୋ ଜୀବନ ବସୁଥିଲା । ମୁଁ ତାକୁ କେତେ ଭଲ ପାଉଥିଲି, ତାହା କହିବା ମୋ ପକ୍ଷେ ସମ୍ଭବ ନୁହେଁ । ହଁ .. ସେ କିନ୍ତୁ ଜିଦ୍ ଖୋର ଥିଲା । ମାତ୍ର ଗୋଟିଏ ଥର ମୁହଁଶୁଖା ହୋଇ ସେ ବାପଘରକୁ ଚାଲିଗଲା ଯେ, ଫେରି ଚାହିଁ ନଥିଲା ମୋ ମୁହଁକୁ । ତାରି ଉପରେ ରାଗି ମୁଁ ଦ୍ୱିତୀୟ ବିବାହ କରିଥିଲି । ମୁଁ ମୋର ସଂସାରରେ ଖୁସିଥିଲି ସତ, କିନ୍ତୁ ସବୁବେଳେ ସୁକୁମାରୀ ମୋ ମନରେ ରାଜୁତି କରୁଥିଲା। ତେବେ ଯେତେବେଳେ ସେ ମୋ ଦେବୁ ଜନ୍ମ ହେବା ପରେ ଫେରିଲା, ସେତେବେଳେ ଅଡୁଆରେ ପଡିଯାଇଥିଲି ମୁଁ । କାହାକୁ ରଖିବି, କାହାକୁ ଛାଡ଼ିବି .. ସେକଥା ସ୍ଥିର କରିପାରୁନଥିଲି । ତେବେ ମୁଁ ଭାବିଲି, ଗାଁରେ ଘରଦ୍ୱାର ଓ ଜମିବାଡ଼ି ଯଦି ସତ୍ୟବତୀ ସମ୍ଭାଳି ନେବ, ତାହେଲେ ଦେବୁକୁ ବଡ଼ କରିବାରେ ତାର କିଛି ଅସୁବିଧା ହେବନି । ମୋର ବାହୁରେ ବଳ ଅଛି, ଆଉ ବୟସ ଅଛି ଯେତେବେଳେ, ମୁଁ କେଉଁଠି ବି କିଛି କରି ବଞ୍ଚିଯିବି । ସେଥିପାଇଁ ସୁକୁମାରୀକୁ କହି, ଗାଁ ସଭାର ନାଟକ କରିଥିଲି ମୁଁ । ସୁକୁମାରୀ ଜାଣିଥିଲା ଯେ, ମୁଁ ଶ୍ରୀକାକୁଲମରେ ଏକ ହୋଟଲେ କାମ କରୁଛି । ସେଥିପାଇଁ ଗାଁ ଛାଡ଼ି ଚାଲିଯିବା ପରେ, ସେ ବି ଗାଁ ଛାଡ଼ି ଉଭାନ ହୋଇଯାଇଥିଲା । ଏତେ ବର୍ଷ ଯାଏଁ ପ୍ରକୃତରେ ଆମେ ଦୁହେଁ ଏକାଠି ଥିଲୁ। ଦୁହେଁ ଦିହିଙ୍କ ସୁଖଦୁଃଖରେ ସାଥୀ ହୋଇଥିଲୁ । ହେଲେ ଆଠ ଦିନ ତଳେ ସୁକୁମାରୀ ଜରରେ ପଡ଼ି ଆରପାରିକୁ ଚାଲିଗଲା । ସେଇଠି ଲୋକମାନଙ୍କ ସହାୟତାରେ ତାର ଦାହ ସତ୍କାର କରିଦେଲି ସିନା, କିନ୍ତୁ ମନ ମାନିଲା ନାହିଁ। ସାହି ଭାଇ, ଜ୍ଞାତି କୁଟୁମ୍ବଙ୍କୁ ଏ ଅଶୌଚ ସମ୍ପର୍କରେ ନକହିବା, ଆଉ ସେମାନଙ୍କୁ ଶୁଦ୍ଧିକ୍ରିୟାରେ ସାମିଲ ନକରିବା କଥା ଭାବି ମୋ ମନ ଭାଙ୍ଗି ପଡ଼ିଲା । ମୋତେ ଲାଗୁଥିଲା ମୁଁ ଗୋଟିଏ ପାପୀ । ମୋ ଘର, ମୋ ପୁଅ .. ସବୁ ମନେ ପଡ଼ିଲା ମୋର । ସୁକୁମାରୀ ଚାଲିଯିବା ପରେ ଖୁବ୍ ଏକାକୀ ହୋଇଯାଇଥିଲି ମୁଁ । ସେଥିପାଇଁ ଗାଁକୁ ଫେରି ଆସିଲି । ହଁ .. ଏଇଟା ମୋର ଯଦି ଦୋଷ, ତାହେଲେ ଗାଁ ଭାଇଏ ଯାହା ଦଣ୍ଡ ଦେବେ, ସେଇଟା ମୁଁ ମାନିନେବି ।

ଗୋଟିଏ ସୁଅରେ ଏତେ କଥା କହିଗଲା ଶଙ୍କର୍ଷଣ । ଏତେ କଥା କହିବା ପରେ ବି ସଭାରେ କେହି କିଛି କହୁନଥିଲେ । ସେଇଠି ବସା ବାନ୍ଧି ବସିଥିଲା ନୀରବତା । ହଠାତ୍ ଚିତ୍କାର କରିଉଠିଲା ଦେବବ୍ରତ । ନିଜ ବାପାକୁ ଗାଁ ସଭାମଝିରେ ହିଁ ପଚାରିଲା, ଏତେ ବର୍ଷ ପରେ ପୁଅ ଆଉ ସ୍ତ୍ରୀ କଥା ମନେ ପଡ଼ିଲା ତମର ? ତମକୁ ତମର ପ୍ରଥମ ସ୍ତ୍ରୀ ଯଦି ଏତେ ପସନ୍ଦ ଥିଲା, ତାହେଲେ ମୋ ମାଆକୁ କାହିଁକି ବାହା ହୋଇଥିଲ ? କାହିଁକି ମୋତେ ଜନ୍ମ ଦେଇଥିଲ ? କିଭଳି କେଉଁ ପରିସ୍ଥିତିରେ କେତେ କଷ୍ଟ କରି ମୋ ମାଆ ମୋତେ ବଡ଼ କରିଛି, ସେ ସମ୍ପର୍କରେ କେବେ ଥରେ ଭାବିଛ ତମେ ? ଏବେ ତମ ପ୍ରଥମ ସ୍ତ୍ରୀ ମରିଗଲା ପରେ, ଆମେ ହଠାତ୍ ତମର ମନେ ପଡିଲୁ ? ଏତେ ଦିନ ପରେ ବାପାକୁ ପାଇ ସେ ଯେତିକି ଖୁସି ହୋଇଥିଲା, ତାଠୁ ବେଶୀ ଭାଙ୍ଗି ପଡ଼ିଲା ଦେବବ୍ରତ । ସଭା ମଝିରେ ଭୋ ଭୋ ହୋଇ କାନ୍ଦି ଉଠିଲା । ଗାଁର ବୟସ୍କ ଲୋକମାନେ କହିଲେ, ଏଥର ସଭା ଭାଙ୍ଗ । ବାପା ପୁଅ ଘରକୁ ଯାଅ। ଏମିତିରେ ତ ଶୁଦ୍ଧିକ୍ରିୟା ହେବାର ଥିଲା, ହେଲେ ଏବେ ଶଙ୍କର୍ଷଣର ନୁହେଁ, ସୁକୁମାରୀର ଶୁଦ୍ଧିକ୍ରିୟା କରିବାକୁ ପ୍ରସ୍ତୁତ ହୁଅ ।

ଦୁଇ ଦିନ ପରେ ପୁଅ ହିସାବରେ ନିଜର ଧର୍ମ ରକ୍ଷା କରିବାକୁ ଯାଇ ଶୁଦ୍ଧିକ୍ରିୟା କରିବାକୁ ତୁଠକୁ ଗଲା ଦେବବ୍ରତ । ଆଉ ସେଦିନଠୁ ଶଙ୍କର୍ଷଣକୁ ଦାଣ୍ଡ ବାରଣ୍ଡାରୁ ଏରୁଣ୍ଡି ବନ୍ଧ ଭିତରକୁ ପାଦ ପକାଇବାକୁ ଦେଇନି ସତ୍ୟବତୀ । ଘରେ ରହିବ ନା ନିଜ ଜୀବନର ଶେଷ ଦିନଗୁଡ଼ିକୁ ପୁଣି କେଉଁଠି କଟାଇବାକୁ ଗାଁ ଛାଡ଼ିବ ଶଙ୍କର୍ଷଣ, ସେକଥା ସ୍ଥିର କରିପାରୁନି ସେ । ଏଣେ ବାପା ଆଉ ମାଆକୁ କିଭଳି ଏକାଠି କରିପାରିବ ବା କାହାକୁ ସମର୍ଥନ କରିବ ସେକଥା ନିଶ୍ଚିତ କରିପାରୁନି ଦେବବ୍ରତ । ଏମିତି ଏକ ଅଡୁଆ ଜାଲରେ ଛନ୍ଦି ହୋଇପଡ଼ିଛନ୍ତି ଉଭୟ ବାପା-ପୁଅ । ହେଲେ କେହି କାହା ଆଡ଼କୁ ପାଦ ବଢ଼ାଇ ପାରୁନାହାନ୍ତି । କିନ୍ତୁ ସମ୍ପର୍କ ଓ ସନ୍ତାନର ମୋହରେ ଉଭୟେ ପଡ଼ି ରହିଛନ୍ତି ସେଇଠି, ସେଇ ଘରେ । ଜଣେ ବାରଣ୍ଡାରେ ଆଉ ଜଣେ ଘର ଭିତରେ ।

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ଫୋନ୍- ୯୯୩୭୨୫୨୪୬୪    

Leave A Reply

Your email address will not be published.