Latest Odisha News

BREAKING NEWS

ଚାକିରି ନାଁରେ ୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବାପା-ପୁଅ ଗିରଫ

ଅନୁଗୋଳ: ଚାକିରି ଦେବା ନାଁରେ ୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରୁ ଠକ ବାପା-ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେମାନେ ହେଲେ ଚାଇଁପାଳ ଗାଁର ପରମାନନ୍ଦ ବେହେରା ଓ ତାଙ୍କ ବାପା ପ୍ରୀତମ ବେହେରା । ଏନେଇ ତାଳଟେର କୋଲିୟରି ଥାନାରେ ଗତ ୭ ତାରିଖରେ ଲିଖିତ ଅଭିଯୋଗ କରିଥିଲେ ତାଳଚେର ବଡଦାଣ୍ଡ ସାହିର କାର୍ତ୍ତିକ ରାଉତ ।

ଅଭିଯୋଗ ଅନୁସାରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା ପାସ ପରେ ଚାକିରି ସନ୍ଧାନରେ ଥିଲେ କାର୍ତ୍ତିକ । ଏତିକିବେଳେ ନାଲକୋ ଅଞ୍ଚଳରେ ରହୁଥିବା ପରମାନନ୍ଦ ବେହେରା ତାଙ୍କୁ ୫ ଲକ୍ଷ ଟଙ୍କା ଦେଲେ ଓଡ଼ିଶା ଥର୍ମାଲ ପାୱାର ପ୍ଳାଣ୍ଟ ଅଧୀନରେ କାମାକ୍ଷାନଗରରେ ଚାକିରି କରାଇ ଦେବେ ବୋଲି କହିଥିଲେ । ତାଙ୍କ ଠାରୁ ୫ ଲକ୍ଷ ଟଙ୍କା ନେଇଥିଲେ ।
କିଛି ଦିନ ପରେ ସେମାନେ କାର୍ତ୍ତିକଙ୍କୁ ଏକ ଆପଏଣ୍ଟମେଣ୍ଟ ଲେଟର ଓ ଜଏନିଂ ଲେଟର ମେଲ୍ କରିଥିଲେ । ଯାଞ୍ଚ ପରେ ଏହା ନକଲି ବୋଲି ଜଣାପଡ଼ିଥିଲା । ଏହାପରେ ପରମାନନ୍ଦ ଓ ତାଙ୍କ ବାପା ପ୍ରୀତମ ଧରାଛୁଆଁ ଦେଇ ନଥିଲେ । ଫଳରେ ଥାନାର ଦ୍ୱାରସ୍ଥ ହୋଇଥିଲେ କାର୍ତ୍ତିକ । ତଦନ୍ତ ବେଳେ ବାପା-ପୁଅ ଯୋଡ଼ି ବିଭିନ୍ନ ସ୍ଥାନରେ ଏଭଳି ଠକେଇ କରିଥିବା ଜମା ପଡିଛି ।

Leave A Reply

Your email address will not be published.