ଜଣେ ଭାଗ୍ୟବାନ ପାଠକର କ୍ଷୁଦ୍ର ଅନୁଭୂତି

(ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅବସରରେ …)

ସ୍କୁଲରେ ପଢ଼ୁଥାଏ, ସେ ସମୟ ‘ସଚିତ୍ର ବିଜୟା’ର ସମୟ । ଘରକୁ ସଚିତ୍ର ବିଜୟା ଆସିଲେ, ତାର ରଙ୍ଗ ଓ ଲେଖା ସବୁଦିନେ ଜାବୁଡି ଧରୁଥିଲା । ସେହି ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶିତ ହେଉଥାଏ ‘ସମୁଦ୍ର କୂଳର ଏକ ଗ୍ରାମ’ । ଗୋଟେ ବଡ ପାଲଟଣା ଡଙ୍ଗାରେ ବସିଥିବା ସାହେବ ଝିଅ, ଯେବେ ଗୋଟେ ଡବାରୁ ବିସ୍କୁଟ କାଢି ଖାଇଲା, ତାକୁ ଜଣେ ଅବୋଧ ବାଳକ ପଚାରିଥିଲା, ଏଇ ତାହେଲ ବିସ୍କୁଟ । ଯାହାକୁ ସାହେବ ମାନେ କୁଟ୍‌କୁଟ୍ କରି ଖାଆନ୍ତି ।

ସେଇଠୁ ମନୋଜ ଦାସଙ୍କ ସହ ପରିଚୟ । ତାଙ୍କ ଲେଖା ସହ, ତାଙ୍କ ଶବ୍ଦ ସହ । ପରେ ଆସିଥିଲା ‘ମନୋଜ ଦାସଙ୍କ କଥା ଓ କାହାଣୀ’ । କଲେଜରେ ନିଶ ଗଜୁରୁ ଥିବା ସମୟ । ‘ଶେଷ ବସନ୍ତର ଚିଠି’ରେ ସେ ଝିଅ ରୀନା ପାଇଁ ଆଖି ଓଦା ହୋଇ ଯାଇଥିଲା । ଘର ଛାତ ଉପରେ ଚିପୁଡି ହୋଇ କାନ୍ଦିବା ମନେ ଅଛି । ସେମିତି ଯେତେବେଳେ ଲକ୍ଷ୍ମୀ ଗାଁର ସେ ପୋଖରୀ ଭିତରକୁ ପଶିଗଲା ଓ ତା ବାବା ତାକୁ ନେଇ ଆସିଲେ ଓ ଶେଷକୁ ଲକ୍ଷ୍ମୀ ଜରରେ ଚାଲିଗଲା । ଲକ୍ଷ୍ମୀ ଚାଲିଗଲା ପରେ, ଯେବେ ସେ ପୂଜାରୀ ବୁଢା ଦିଅଁଙ୍କୁ ପ୍ରାର୍ଥନା କରିଛି- ଭଗବାନ ମୋତେ ଆର ଜନ୍ମରେ ମୂକ କରିଦିଅ , ସେ କ୍ଲାଇମାକ୍ସ ନିସ୍ତବ୍ଧ ଓ ମୋତେ ଆବଦ୍ଧ କରି ରଖିଥିଲା ମୋତେ ଅନେକ ଦିନ । ସେ ଗାଁ ମନ୍ଦିର, ତାର ଜୀର୍ଣ୍ଣ ଚାରିପାଖ, ଏଡିକି ବକୁଟେ ଲକ୍ଷ୍ମୀ, ମନ୍ଦିରର ଅନ୍ଧାରୁଆ ଗହୀରରେ ଦିଅଁ, ଆଉ ସେ ଗାଁ ପୋଖରୀ ଅନେକ ଥର ସ୍ୱପ୍ନରେ ଆସିଛି ।

ସାରା ଗାଁ ପାଇଁ ଗୋଟେ ଭୂତୁଣୀ କଥାରେ, କାହାଣୀରେ ଓ ଜୀଇଁବାରେ ବି ଗୋଟେ ଚରିତ୍ର ହୋଇଥାଏ, ଆଉ ସେ ଆତ୍ମୀୟ ଭୂତୁଣୀକୁ ନେଇ ଯେବେ ଗୁଣିଆ ତାଳ ଗଛରେ ରଖିଦେଲା, ପରେ ଚଡକମାରି ସେ ତାଳ ଗଛ ପୋଡିଗଲା, ସେତେବେଳେ ଲାଗିଛି, ଗୋଟିଏ ଗାଁ କେମିତି ଏକାତ୍ମ ହୋଇପାରେ ଜଣେ ଅଶରୀରି ସହିତ । କଲେଜ ସମୟରେ ଆମ ଇଂରାଜୀରେ ‘ଦ ନାଇଟ ଦି ଟାଇଗର କେମ୍‌’ ଗପଟି ଥିଲା । ସେଥିରେ ବାଘ ନୁହେଁ, ଗର୍ବ ପଶୁଥିଲା, ଉତୁରୁ ଥିଲା ସାହେବମାନଙ୍କ ଘରୁ । ପୋଲିସ ଯାହାଙ୍କୁ କମ୍ୟୁନିଷ୍ଟ ଆନ୍ଦୋଳନରେ ବାନ୍ଧିନେଇ ହାଜତରେ ପୂରେଇଥିଲା, ସେଇ ଥାନା ବାବୁର ପତ୍ନୀ, ମନୋଜ ଦାସ ବନ୍ଦୀ ଶୁଣି ଓ ତାଙ୍କ ଲେଖାରେ ବିଭୋର, ୨୪ ପ୍ରକାର ରାନ୍ଧଣା ତିଆରି କରି, ପତିଙ୍କ ହାତରେ ଡକାଇ, ବଞ୍ଚଣାରେ ବିଞ୍ଚି ଖାଇବା ପରଶି ଦେଇଥିଲେ । ତାହା ପୁଣି ଆପଣା ଘରେ । ସେବେକୁ ସେ ଯୁବକ । ଏ ସମ୍ମାନ କଣ କାହା ଭାଗ୍ୟରେ ଯୁଟିଛି ?
ମନୋଜ ଦାସଙ୍କ ଉପନ୍ୟାସ ବୌଦ୍ଧିକ ସ୍ତରରେ ଆଦୃତ ଓ ପ୍ରଶଂସିତ । ବୁଲଡୋର୍ଜସ, ପ୍ରଭଞ୍ଜନ, ଆକାଶର ଈଶାରା, ତନ୍ଦ୍ରାଲୋକର ପ୍ରହରୀ ଆଦି ମଣିଷର ଚେତନାରେ ଦୀପ ଜଳେଇବାରେ ସକ୍ଷମ ହୋଇଛି । ଆତ୍ମାର ଚିରନ୍ତନ ଅଭୀସ୍‌ପାର ପ୍ରତୀକ ହେଉଛି ଅମୃତ ଫଳ । ଅମୃତ ଫଳ ହେଉଛି ଅନ୍ତରସ୍ଥ ଚେତନାର ମଣିଷର ଦିବ୍ୟ ପରିଣତି । ପାଠକର ଚେତନାରେ ଅମୃତ ଫଳ ଅମୃତ ହିଁ ପରଷି ଦେଇଛି । ମୁଁ ମୋ ବ୍ୟକ୍ତିଗତ ଜୀବନର କଥା କହୁଛି, ଯେତେବେଳେ ଜୀବନରେ ଭୟାନକ ଅବସାଦର ମୁଁ ସାମ୍ନା କରୁଥିଲି । ସେତେବେଳେ ମୋ ସହକର୍ମୀ ପଦ୍ମ ମୋତେ ଅମୃତ ଫଳ ଆଣି ଦେଇଥିଲେ । ସରସ୍ୱତୀ ସମ୍ମାନ ପାଇଥିବା ଅମୃତ ଫଳ ପଢ଼ିଲା ପରେ ଚେତନାରେ ଆରୋହଣ କିମ୍ବା ନିମ୍ନଗାମୀ ହୋଇଛି, ସେ କଥା ମୁଁ ଜାଣିନି । ଯେତିକି ମୁଁ ବୁଝିଛି, ଲୋଭ, ମୋହ, ସଂକୀର୍ଣ୍ଣତା, ଆଦି ସବୁର ଊର୍ଦ୍ଧ୍ୱରେ ପରମାତ୍ମା ସର୍ବଦା କଲ୍ୟାଣକର, ଆଉ ଜୀବନରେ ପ୍ରାଣ ଭରୁଥିବା ଆଶାକୁ ବଞ୍ଚେଇ ଜୀବନ ସଦାକାଳ ଋଦ୍ଧିମନ୍ତ ।

ମନୋଜ ଦାସଙ୍କ ଗପ ସଦାକାଳ ପାଠକମାନଙ୍କୁ ବେଦମ ହସେଇଛି, କନ୍ଦେଇଛି ମଧ୍ୟ । ବର୍ଣ୍ଣନାର ଲମ୍ବା ଚାତୁରୀ ନ ଥିଲେ ବି ଗପର କ୍ଲାଇମାକ୍ସ ଅନେକ ସମୟରେ ମଣିଷକୁ ଅଲଗା ରାଜ୍ୟକୁ ନେଇଯାଇଛି । ତାଙ୍କ ଗପରେ ଓଡି଼ଶାର ପୁରୁଣା ସଂସ୍କୃତି, ପରମ୍ପରା, ପ୍ରାଚୀନତା ଏବଂ ଲୋକକଥାର ଝଲକ ସ୍ପଷ୍ଟ । ମୁଁ ହସିଛି, କାନ୍ଦିଛି, ଆଶ୍ଚର୍ଯ୍ୟ ହୋଇଛି, ହତବାକ୍ ହୋଇଛି ମନୋଜ ଦାସଙ୍କ ଲେଖାପଢ଼ି । ତାଙ୍କ ଲେଖା, ତାଙ୍କ ଶବ୍ଦ ସହ ଦୂର ଆକାଶ ଆଡ଼େ, ଦୂର ଦିଗ୍‌ବଳୟ ଆଡେ ବି ଯାଇଛି । ଯାଯାବର ପୁତ୍ରର କାହାଣୀ, ଶେଷ ବସନ୍ତର ଚିଠି ଲୁହ ନିଗିଡେଇ ଆଣିଥିବା ବେଳେ, ମଧୁବନର ମେୟର, ଅପହୃତ ଟୋପିର ରହସ୍ୟ ବେଦମ ହସେଇଛି । ମନୋଜ ଦାସଙ୍କ ପ୍ରତିଟି ଗପ ଗୋଟିଏ ଗୋଟିଏ ଅନୁପମ କାହାଣୀ । ଯାହା ମଣିଷକୁ ବିଭୋର କରେ । ମାନସିକ ଅବସ୍ଥାକୁ ବିସ୍ତିର୍ଣ୍ଣ କରାଏ ।

ମନୋଜ ଦାସଙ୍କ ଜୀବନରେ ଦୁଇଟି ପର୍ଯ୍ୟାୟ ରହିଛି । ପ୍ରଥମଟି ରାଜନୈତିକ ମୁକ୍ତି ଓ ସଭିଙ୍କ ପାଇଁ ସମାନ ଅଧିକାର, ସମାଜବାଦ ଲଢେଇରେ ସାମିଲ ଥିଲେ ମନୋଜ ଦାସ । ପରେ ମାନବ ଚେତନାକୁ ଅଜ୍ଞନତା କବଳରୁ ମୁକ୍ତ କରିବା ନିମନ୍ତେ ସେ ଥିଲେ ସତତ ପ୍ରୟାସୀ ।

ସେ କବିତା ଲେଖିଛନ୍ତି । ଗପ ଲେଖିଛନ୍ତି, ପ୍ରବନ୍ଧ ଲେଖିଛନ୍ତି, ଉପନ୍ୟାସର ଅମୃତ ଆମକୁ ଦେଇଛନ୍ତି । ମନୋଜ ଦାସ କବିତାରେ ଦୂର ଗାଁ ତାଳବଣ ପରିକା, ଗପରେ ଅପହଞ୍ଚ ପାହାଡର ଶିଖର ପରି, ଉପନ୍ୟାସରେ ଆମକୁ ହତବାକ କରୁଥିବା ଘଞ୍ଚ ଜଙ୍ଗଲ ସମ, ପ୍ରବନ୍ଧରେ ଦରିଆ ପରି ବିସ୍ତୃତ ଆଉ ଭାଷଣରେ ଦୂର ଦିଗ୍‌ବଳୟ ପର୍ଯ୍ୟନ୍ତ ଅସୀମ ତାଙ୍କ ଶବ୍ଦ ଚାତୁରୀର ପ୍ରଭାବ ।

ଗ୍ରାମୀଣ ଜୀବନର, ଚଳଣିର ପରିପ୍ରକାଶ ଯେଉଁ ଢଙ୍ଗରେ ସେ କରିଛନ୍ତି, ତାହା ସାରା ଭାରତରେ କ୍ୱଚିତ୍ ଦେଖାଯାଇଛି । ତାଙ୍କ ଲେଖାର ବିଭିନ୍ନ ସ୍ତରକୁ ଆପଣ ଦେଖନ୍ତୁ । ପିଲାଙ୍କ ପାଇଁ ଶିଶୁ ସାହିତ୍ୟ ସେ ଲେଖିଛନ୍ତି । କଥା ସାହିତ୍ୟ, ଗପରେ ତ ସେ ଥିଲେ ବିଷ୍ଣୁଶର୍ମା । ପ୍ରତିଟି ଉପନ୍ୟାସ ତାଙ୍କର ଆପଣଙ୍କ ଚେତନାକୁ ଅଲଗା ସ୍ତରକୁ ନେଇଯିବ । ପିଲାଙ୍କଠାରୁ ଆରମ୍ଭ କରି ଆଧ୍ୟାତ୍ମିକତା ପ୍ରତିଟି ସ୍ତରକୁ ଗଭୀର ଭାବେ ସେ ଛୁଇଁଛନ୍ତି । ଖବରକାଗଜରେ ସ୍ତମ୍ଭ ଲେଖିଛନ୍ତି । ସଂପାଦନା କରିଛନ୍ତି । ଆଉ ସଦାକାଳ ଶ୍ରେଷ୍ଠ ଭାବେ ସବୁ କିଛି କରିଛନ୍ତି ।

ମନୋଜ ଦାସ ଯିବାର ଦୁଇ ସପ୍ତାହ ଚାଲିଲାଣି । ସାରା ରାଜ୍ୟ ଭୟଙ୍କର ମହାମାରୀର ସାମ୍ନା କରୁଛି । କିନ୍ତୁ ତାରି ଭିତରେ ଏ ରାଜ୍ୟର, ଏ ରାଜ୍ୟ ବାହାରର କୋଟି କୋଟି ପାଠକ ତାଙ୍କୁ ଝୁରିବା ଜାରି ରହିଛି । ସେ ଝୁରିବା କେବେ ସରିବ ବି ନାହିଁ । ଅନେକ ମତେ ପ୍ରଶ୍ନ କରନ୍ତି- ମନୋଜ ଦାସ ଏତେ ଲୋକପ୍ରିୟ କାହିଁକି ? ଗୋପୀ ମହାନ୍ତିଙ୍କ ପରି ତାଙ୍କ ବର୍ଣ୍ଣନା ନୁହେଁ, ବା ଏମିତି ଏମିତି । କୌଣସି ଅନ୍ୟ ଲେଖକଙ୍କ କଥା ମୁଁ କହୁନାହିଁ । ତଥାପି କଣ ପାଇଁ ମନୋଜ ଦାସଙ୍କୁ ସଭିଏଁ ଭଲ ପାଆନ୍ତି?

ଏହାର କି ଉତ୍ତର ମୁଁ ଦେବି । ଏତକ ହୁଏତ କହିହେବ- ମନୋଜ ଦାସ ପ୍ରତିଟି ଓଡ଼ିଆ ଘରର ନିଜର ମଣିଷ ଥିଲେ । ପ୍ରତିଟି ଓଡ଼ିଆ ତାଙ୍କ ଭିତରେ ଆପଣାକୁ ଖୋଜି ପାଉଥିଲା । ତାଙ୍କ ଭିତରେ ଅତି କୋମଳ ଶିଶୁଟେ ବଞ୍ଚୁଥିଲା । ଚେତନାର ଚଇତାଳି ପରି ଥିଲେ ସେ । ସେଥିପାଇଁ ମନୋଜ ଏ ଜାତିର ଇତିହାସରେ ସର୍ବଦା ଅକ୍ଷୟ ହୋଇ ରହିବେ ।

ଏତକ ଶେଷକୁ କହି ହେବ- ଆମେ ଭାଗ୍ୟବାନ, ଯେ ଆମ ଜୀବଦ୍ଦଶାରେ ଆମେ ମନୋଜଙ୍କୁ ସଶରୀରେ ଦେଖିଛୁ । ପଢିଛୁ । ଶୁଣିଛୁ । ଅନୁଭବ କରିଛୁ । ତାହା ହିଁ ତ ଏ ଜନ୍ମର ଅମୃତ ଅନୁଭବ ।