Latest Odisha News

BREAKING NEWS

ନିଜ ଛୁଆ ନୁହେଁ ଅନ୍ୟ ଛୁଆଙ୍କୁ ସ୍ତନ୍ୟପାନ କରାଉଛି ଗାଈ

ଭୁବନେଶ୍ୱର: ମା’ର ମମତା ଅତୁଳନୀୟ । ସେ ପଶୁ ହେଉ ଅବା ମଣିଷ, ମମତାର ମୂଲ୍ୟ ସବୁଠି ସମାନ । ମା’ର ରୂପ ସମସ୍ତଙ୍କ ପାଇଁ ଏକାପରି । ଆଜିର ଏହି ସ୍ୱାର୍ଥପର ଦୁନିଆରେ ମଣିଷ ନିଜ ମାନବିକତା ହରାଇ ପଶୁ ଭଳି ବ୍ୟବହାର କରୁଛି । କେତେକ ମା’ ମଧ୍ୟ ନିଜ ଜନ୍ମିତ ଶିଶୁକୁ ନିଜ ବକ୍ଷରର ସ୍ତନ୍ୟପାନ କରାଇ ଦେଉ ନାହାନ୍ତି । ଏହି ସ୍ୱାର୍ଥପର ସମାଜରେ ପଶୁଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅନାବିଳ ମାତୃତ୍ୱର ନିଆରା ନିଦର୍ଶନ । ନିରୀହ ପଶୁଟିଏ କେମିତି ନିଜ ଛୁଆକୁ ନୁହେଁ ବରଂ ଅନ୍ୟ ଛୁଆକୁ ଅତି ସ୍ନେହରେ ସ୍ତନ୍ୟପାନ କରାଉଛି ତାହା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଜଗନ୍ନାଥଖୁଣ୍ଟା ଗ୍ରାମରେ ।

ସୂଚନା ଅନୁସାରେ, ଜଗନ୍ନାଥଖୁଣ୍ଟା ଗ୍ରାମର ବିବେକ କୁମାର ହୋତା ତାଙ୍କ ଘରେ ଏକ ଛେଳି ଓ ଗାଈ ପାଳିଥିଲେ । ଗାଈ ଓ ଛେଳିଙ୍କୁ ସେ ଗୋଟିଏ ଗୁହାଳରେ ରଖୁଥିଲେ । ଛେଳି ଓ ଗାଈକୁ ସେ ଅତି ସ୍ନେହ ଆଦର କରି ବଢାଇଥିଲେ । କିଛିଦିନ ପରେ ଛେଳିଟି ଗର୍ଭ ଧାରଣ କରି ଦୁଇଟି ଛେଳି ଛୁଆ ଜନ୍ମ କରିଥିଲା । ଛେଳି ଛୁଆ ଜନ୍ମ ହେବାର କିଛି ଦିନ ପରେ ମା’ ଛେଳିଟି ମରିଯାଇଥିଲା । ଛୋଟ ଛେଳି ଛୁଆ ଦୁଇଟିକୁ କେମିତି ବଞ୍ଚାଇବେ ବୋଲି ଚିନ୍ତାରେ ପଡ଼ିଯାଇଥିଲେ ବିବେକ ହୋତା ।

ହେଲେ କଥାରେ ଅଛି ଯାହାକୁ ରଖିବେ ଅନନ୍ତ ତାକୁ କେ କରିପାରେ ବଳବନ୍ତ । ମା’ ଛେଳିଟି ମରିଯିବାର ଦିନକ ପରେ ବିବେକଙ୍କ ଘରେ ଥିବା ଗାଈଟି ଏକ ଛୁଆ ଜନ୍ମ କରିଥିଲା । ଗୋଟିଏ ଗୁହାଳରେ ରହୁଥିବା ଛେଳି ଛୁଆ ଦୁଇଟି ଭୋକରେ ଆଉଟୁ ପାଉଟୁ ହେଉଥିବା ସମୟରେ ଗାଈ ପାଖକୁ ଯାଇଥିଲେ । ଛେଳି ଛୁଆ ଦୁଇଟି ଯେତେବେଳେ ଗାଈଙ୍କ ପାଖକୁ ଯାଇଥିଲେ ଗାଈଟି ମଧ୍ୟ ନିଜ ଛୁଆ ସହ ସେମାନଙ୍କୁ କ୍ଷୀର ପିଆଇଥିଲା ଓ ସ୍ନେହ କରିଥିଲା ।

Comments are closed, but trackbacks and pingbacks are open.