Latest Odisha News

ଆରମ୍ଭ ହେଲା ଫିଫା ବିଶ୍ୱକପ ଫୁଟବଲ: ବାଣ, ଆଲୋକ ଓ ଆତସବାଜୀରେ କମ୍ପିଲା ଷ୍ଟାଡ଼ିୟମ୍

ମସ୍କୋ : ଋଷିଆସ୍ଥିତ ମସ୍କୋର ଏକ ଷ୍ଟାଡ଼ିୟମରେ ବାଣ ଓ ଆତସବାଜୀର ରଙ୍ଗୀନ ଆଲୋକରେ ଆଜି ଆରମ୍ଭ ହେଲା ‘ଫିଫା ବିଶ୍ୱକପ ଫୁଟବଲ୍ – ୨୦୧୮’ । ବିଶ୍ୱର ବଛାବଛା ୩୨ ଟି ଦେଶକୁ ନେଇ ଋଷିଆର ୧୧ଟି ସହରରେ ଏବଂ ୧୨ଟି ଫୁଟବଲ ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି ଏହି ଫୁଟବଲ୍ ମହାକୁମ୍ଭ ।

ମସ୍କୋର ଲୁସନିକ ଷ୍ଟାଡ଼ିୟମରେ ଫିଫା ବିଶ୍ୱକପ୍ ର ୨୧ ତମ ସଂସ୍କରଣ ଅଂଶଗ୍ରହଣ କରୁଥିବା ସମସ୍ତ ଦେଶର ଖେଳାଳି ଓ ଦର୍ଶକଙ୍କ ସମ୍ମୁଖରେ ଉଦଘାଟିତ ହୋଇଛି । ୫୦୦ରୁ ଉଦ୍ଧ୍ୱର୍ ନୃତ୍ୟଶିଳ୍ପୀ ତଥା ରକ୍ ଷ୍ଟାରଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କ ସମେତ ବିଶ୍ୱବାସୀଙ୍କୁ ଚକିତ କରିଦେଇଥିଲା ।

ଆୟୋଜକ ଋଷିଆ ସମେତ ବ୍ରାଜିଲ, ଆର୍ଜେଣ୍ଟିନା, ଫ୍ରାନ୍ସ , ସ୍ପେନ, ପର୍ତ୍ତୁଗାଲ ଓ ଜର୍ମାନୀ ମଧ୍ୟରେ ଟାଇଟଲ୍ ଲାଗି କଡ୍ଡା ଟକ୍କର୍ ହେବାର ଆଶା ରଖିଛନ୍ତି ବିଶ୍ୱର ଅଗଣିତ ଫୁଟବଲପ୍ରେମୀ । ଆର୍ଜେଣ୍ଟିନାର ଲିଓନେଲ୍ ମେସୀଙ୍କ ସମେତ ପର୍ତ୍ତୃଗାଲର କ୍ରିଷ୍ଟିଆନୋ ରୋନାଲଡ଼ୋ, ବ୍ରାଜିଲର ନିଏମାର, ଜର୍ମାନୀର ଥମାସ ମୁଲର, ବେଲଜିୟମର ଏଡ଼େନ ହାଜାର୍ଡ଼, ଉରୁଗୁଏର ତାରକା ଫରୱାର୍ଡ଼ ଲୁଇ ସ୍ୱାରେଜ, କଲିମ୍ବିଆର ଜେମସ୍ ରୋଡ୍ରିଗ୍ୟୁଜ, ଫ୍ରାନସର ଷ୍ଟାର ପ୍ଲେୟାର ଆଣ୍ଟୋଏନ୍ ଗ୍ରିଜମ୍ୟାନ ଏବଂ ଇଜିପ୍ଟର ମହମ୍ମଦ ସାଲ୍ଲାଙ୍କ ଆକର୍ଷଣୀୟ ଖେଳ ଉପରେ ସମସ୍ତଙ୍କ ନଜର ରହିବ ।

ଆଜି ବିଶ୍ୱକପର ପ୍ରଥମ ମ୍ୟାଚରେ ଆୟୋଜକ ଋଷିଆ ସାଉଦି ଆରବକୁ ଭେଟୁଛି । ସେମିଫାଇନାଲ ଜୁଲାଇ ୧୦ ଓ ୧୧ ତାରିଖରେ ହେବାକୁ ଥିବା ବେଳେ ଫାଇନାଲ ମ୍ୟାଚ ଜୁଲାଇ ୧୪ ତାରିଖରେ ଅନୁଷ୍ଠିତ ହେବ । ଏହି ବିଶ୍ୱକପରେ ସମୁଦାୟ ୬୩ଟି ମ୍ୟାଚ ଖେଳାଯିବାକୁ ଥିଲା ବେଳେ ୩୨ଟି ଦଳକୁ ୮ଟି ଗ୍ରୁପରେ ଅନ୍ତଭୃକ୍ତ କରାଯାଇଛି ।

Leave A Reply

Your email address will not be published.