କରୋନା ବିପତ୍ତି ସମୟରେ ଏମ୍‌.ଜି.ଏନ.ଆର.ଇ.ଜି.ଏ.ର ଭୂମିକା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…

କରୋନା ମହାମାରୀ ଓ ତଦ୍‌ଜନିତ ସୁଦୀର୍ଘ ଲକ୍ ଡାଉନ୍ ଯୋଗୁ ଦେଶରେ ବେକାରୀ ସମସ୍ୟା ଭୟଙ୍କର ଭାବେ ବଢ଼ିଯାଇଥିବା ବେଳେ ଅର୍ଥନୈତିକ ଅବସ୍ଥା ରସାତଳଗାମୀ ହୋଇଯାଇଛି । ଲକ୍ଷ ଲକ୍ଷ ଶ୍ରମିକ, ଛୋଟ ବେପାରୀ, ମୂଲ ମଜୁରୀ ଲାଗି ଚଳୁଥିବା ଲୋକମାନଙ୍କ ହାତରେ କାମ ନାହିଁ । ଦେଶର ଏକ ସିଂହଭାଗ ଲୋକମାନଙ୍କର କ୍ରୟ ଶକ୍ତି ଅତ୍ୟନ୍ତ ତଳକୁ ଚାଲିଯାଇଛି । ପରିଣାମ ସ୍ୱରୁପ ଦେଶର ଅର୍ଥନୀତି ଅତ୍ୟନ୍ତ ମାନ୍ଦା ଅବସ୍ଥାରେ । ଏପରି ପରିସ୍ଥିତିରେ ସରକାର ଓ ସାଧାରଣ ଲୋକମାନେ ତ୍ରାଣକର୍ତା ଭାବେ ଯାହା ଉପରେ ମୂଖ୍ୟତଃ ନିର୍ଭର କରୁଛନ୍ତି, ତାହା ହେଉଛି ‘ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଂଟି ଆଇନ୍‌’ ଅର୍ଥାତ୍ ଏମ୍‌.ଜି.ଏନ.ଆର.ଇ.ଜି.ଏ. ।

ପ୍ରବାସରୁ ଫେରିଥିବା ତଥା କାମ ଦାମ ହରେଇ ବେକାର ହୋଇଯାଇଥିଲା ଲୋକମାନଙ୍କୁ କାମ ଯୋଗେଇ ଗ୍ରାମୀଣ ଅର୍ଥନୀତିକୁ ସଚଳ କରିବା ପାଇଁ ସରକାର ବର୍ତମାନ ମୂଖ୍ୟତଃ ଏମ୍‌.ଜି.ଏନ.ଆର.ଇ.ଜି.ଏ. ଉପରେ ନିର୍ଭର କରୁଛନ୍ତି । ଏହା ସରକାରଙ୍କ ଭିନ୍ନ ଭିନ୍ନ ଘୋଷଣାରୁ ଜଣା ପଡ଼ୁଛି । ପ୍ରଧାନମନ୍ତ୍ରୀ ମୋଦି କରୋନା ପାଇଁ ଯେଉଁ ୨୦ ଲକ୍ଷ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ସେଥିରେ ଏମ୍‌.ଜି.ଏନ.ଆର.ଇ.ଜି.ଏ. ପାଇଁ ୧.୦୧ ଲକ୍ଷ କୋଟି ଟଙ୍କା ରଖିଛନ୍ତି ।

ଆମେ ସାଧାରଣତଃ ଦେଖିଛୁ ଯେ, ସରକାର ଜନ ଆନ୍ଦୋଳନ ବା ନାଗରିକ ସମାଜ ଆନ୍ଦୋଳନକୁ ଆଦୌ ଭଲ ଦୃଷ୍ଟିରେ ଦେଖନ୍ତି ନାହିଁ । ଆନ୍ଦୋଳନକୁ ପ୍ରାଣପଣେ ଦମନ କରିବା ବା ରାସ୍ତାଭ୍ରଷ୍ଟ କରିବା ସରକାରଙ୍କ ମୂଖ୍ୟ ଏଜେଣ୍ଡା ହୋଇଥାଏ । କିନ୍ତୁ ବର୍ତମାନ ଦେଖାଯାଉଛି ଯେ, ନାଗରିକ ସମାଜ ଆନ୍ଦୋଳନର ଏକ ‘ଉତ୍ପାଦ’ ଉପରେ ଏହି କରୋନା ବିପତି ସମୟରେ ସରକାର ସଂପୂର୍ଣ୍ଣ ରୁପେ ଆସ୍ଥା ପ୍ରକଟ କରିଛନ୍ତି । ନାଗରିକ ସମାଜ ଆନ୍ଦୋଳନର ସେହି ଉତ୍ପାଦ ହିଁ ସାରା ଦେଶକୁ ଏହି ବେକାରୀ ଓ ଅର୍ଥନୈତିକ ମାନ୍ଦାବସ୍ଥାର ସଂକଟରୁ ଅନେକାଂଶରେ ଉଦ୍ଧାର କରିପାରିବ ବୋଲି ଅର୍ଥନୀତିଜ୍ଞ ଓ ରାଜନୀତିଜ୍ଞ ମାନେ ମତ ଦେଉଛନ୍ତି ।

ଅଧିକ ପଢନ୍ତୁ: କରୋନା ପରବର୍ତ୍ତୀ ସମୟରେ ବେକାରୀ ସମସ୍ୟା

ସେହି ନାଗରିକ ସମାଜର ଆନ୍ଦୋଳନର ଉତ୍ପାଦଟି ହେଉଛି ଏମ୍‌.ଜି.ଏନ.ଆର.ଇ.ଜି.ଏ. । ଏଠାରେ ସୂଚନା ଯୋଗ୍ୟ ଯେ, ୨୦୦୫ରେ କଂଗ୍ରେସ୍ ନେତୃତ୍ୱାଧୀନ ଉପା ସରକାର ଦ୍ୱାରା ଏମ୍‌.ଜି.ଏନ.ଆର.ଇ.ଜି.ଏ. ଆଇନ୍ ପ୍ରଣୟନ ହୋଇଥିଲା । ସେତେବେଳେ ଏହି ଆଇନ୍‌କୁ ଏକ ଐତିହାସିକ କ୍ରାନ୍ତିକାରୀ ଆଇନ୍ କୁହାଯାଉଥିଲା ।

କାରଣ ପ୍ରଥମ ଥର ପାଇଁ ଏହି ଆଇନ୍ ମାଧ୍ୟମରେ ଦେଶର ଗରିବ ଲୋକଙ୍କ ପାଇଁ ୧୦୦ ଦିନର କର୍ମ ନିଯୁକ୍ତି ନିଶ୍ଚିତ କରାଯାଇଥିଲା । ଲୋକମାନେ କାମ ମାଗିଲା ମାତ୍ରେ କାମ ପାଇବେ ବୋଲି ଏହି ଆଇନ୍‌ରେ କୁହାଗଲା । ଲୋକଙ୍କୁ କାମ ଯୋଗାଇବା ସରକାରୀ ବାବୁଙ୍କ ଇଛା ମତେ ନହୋଇ ଲୋକଙ୍କ ଇଛାରେ ହେବ ବୋଲି ଏହି ଆଇନ୍‌ରେ ସ୍ପଷ୍ଟ କୁହାଯାଇଥିଲା । ଯାହାକି ଆମ ଦେଶରେ ଏକ ଐତିହାସିକ ପରିବର୍ତନର ସଂକେତ ଦେଇଥିଲା । ଏହି ଐତିହାସିକ ଆଇନ୍‌ଟି କେବଳ ସରକାରଙ୍କ ଯୋଜନା ଅନୁଯାୟୀ ବା ଇଛାରେ ଆସିନଥିଲା । ଲୋକମାନଙ୍କ ପାଇଁ ନିଶ୍ଚିତ କର୍ମନିଯୁକ୍ତିକୁ ନେଇ ନାଗରିକ ସମାଜ ତରଫରୁ ଦୀର୍ଘ ଦିନର ଆନ୍ଦୋଳନ ପରେ ସରକାର ଏହି ଆଇନ୍ ଆଣିବାକୁ ବାଧ୍ୟ ହୋଇଥିଲେ । ସମସ୍ତଙ୍କ ହାତକୁ କାମ ଯୋଗାଇଦେବା ସରକାରଙ୍କ ଦାୟିତ୍ୱ ବୋଲି ଏହି ଆନ୍ଦୋଳନ ତରଫରୁ ବାରମ୍ବାର ଦାବୀ କରାଯାଇ ଆସୁଥିଲା । ଅନେକ ବିକ୍ଷୋଭ, ସଭା ସମିତି, କାର୍ଯ୍ୟକର୍ତାଙ୍କୁ ଜେଲ୍ ଆଦି ପରେ ତତ୍‌କାଳୀନ ସରକାର ନାଗରିକ ସମାଜର ଦାବୀକୁ ଶୁଣିବାକୁ ବାଧ୍ୟ ହୋଇଥିଲେ ଓ ଲୋକସଭାରେ ନିଶ୍ଚିତ କର୍ମନିଯୁକ୍ତି ଆଇନ୍ ପାସ୍ ହୋଇଥିଲା । ଏହି ଆଇନ୍‌କୁ ଲେଖିବାରେ ନାଗରିକ ସମାଜର ଅନେକ ସଭ୍ୟ ମାନଙ୍କର ମଧ୍ୟ ଭୂମିକା ଥିଲା । ସିଧା ଭାଷାରେ କହିଲେ ଏମ୍‌.ଜି.ଏନ.ଆର.ଇ.ଜି.ଏ. ଆଇନ୍ ଏକ ସୁଦୀର୍ଘ ନାଗରିକ ସମାଜ ଆନ୍ଦୋଳନର ସୁପରିଣାମ ଥିଲା । ଆଇନ୍ ପ୍ରଣୟନ ପରେ ଏଥିରେ ବିଭିନ୍ନ ପ୍ରକାର ପରିବର୍ତନ ଆଣି ଏହାକୁ ଆହୁରି ମଧ୍ୟ ଲୋକାଭିମୂଖୀ କରାଯାଇଛି ।

ଆଜି ଦେଶର ଏହି ଘଡ଼ିସନ୍ଧି ସମୟରେ ଏମ୍‌.ଜି.ଏନ.ଆର.ଇ.ଜି.ଏ. ସବୁଠାରୁ ଉପଯୋଗୀ ଆଇନ୍ ଭାବେ ଉଭା ହୋଇଛି । ପ୍ରବାସରୁ ଫେରିଥିବା ଶ୍ରମିକ ମାନଙ୍କ ହାତକୁ କାମ ଯୋଗେଇ ଦେବା ପାଇଁ ଆମ ରାଜ୍ୟ ଓଡ଼ିଶାରେ ଏମ୍‌.ଜି.ଏନ.ଆର.ଇ.ଜି.ଏ.ରେ ୬୬୪୦ କୋଟି ଟଙ୍କା ଖର୍ଚ୍ଚ କରି ୨୦ କୋଟି ଶ୍ରମ ଦିବସ ସୃଷ୍ଟି କରିବା ପାଇଁ ମୂଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କରୋନାର ଏହି ବିପଦ ସମୟରେ ସଂପ୍ରତି ସମସ୍ତଙ୍କ ମୁହଁରେ ଏମ୍‌.ଜି.ଏନ.ଆର.ଇ.ଜି.ଏ.ର କଥା ହିଁ ଶୁଣାଯାଉଛି । ଏଥିରୁ ଗୋଟିଏ କଥା ବୁଝାପଡ଼ୁଛି ଯେ, ଜନଆନ୍ଦୋଳନ ବା ନାଗରିକ ସମାଜ ଆନ୍ଦୋଳନକୁ ସରକାରମାନେ ଆଦୌ ବି ଅଣଦେଖା କରିବା ଉଚିତ୍ ନୁହେଁ । ଆନ୍ଦୋଳନ ସବୁବେଳେ ଦୀର୍ଘକାଳୀନ ଭିତିରେ ଲୋକଙ୍କ ହିତରେ ହିଁ ଥାଏ । ଆନ୍ଦୋଳନକୁ ସକରାତ୍ମକ ଭାବେ ଅନୁଧ୍ୟାନ କରି କାମରେ ଲଗେଇବା ଗଣତନ୍ତ୍ର ରାଷ୍ଟ୍ରର ଶାସକଙ୍କ ଦାୟିତ୍ୱ ହେବା ଉଚିତ୍ । ‘କାମର ଅଧିକାର’ ଆନ୍ଦୋଳନକୁ ସେଦିନ ଯଦି ସରକାର ଅଣଦେଖା କରିଥାନ୍ତେ ଓ ଏମ୍‌.ଜି.ଏନ.ଆର.ଇ.ଜି.ଏ. ପରି ଏକ ଆଇନ୍ ଆମ ଦେଶରେ ନଥାନ୍ତା, ତେବେ ବର୍ତମାନ ଏତେ ଲୋକଙ୍କୁ କାମ ଯୋଗେଇବା ପାଇଁ ସରକାର କ’ଣ କରିଥାନ୍ତେ!

ଅଧିକ ପଢନ୍ତୁ: ଲକ୍ ଡାଉନ୍‌ର ମାଡ଼ ଉପରେ ଆର୍ଥିକ ପ୍ୟାକେଜ୍‌ର ଉପହାସ

ଦୁର୍ଭାଗ୍ୟର ବିଷୟ ଯେ, ମୋଦି ସରକାର କ୍ଷମତାକୁ ଆସିବା ପରଠାରୁ ଏମ୍‌.ଜି.ଏନ.ଆର.ଇ.ଜି.ଏ.କୁ ଦୁର୍ବଳ କରିବା କାମରେ ଲାଗିପଡ଼ିଥିଲେ । ଏମ୍‌.ଜି.ଏନ.ଆର.ଇ.ଜି.ଏ. ପାଇଁ ବଜେଟ୍‌ରେ କମ୍ ଅର୍ଥ ବ୍ୟବସ୍ଥା କରିବା ଆଦି କାମ ଆରମ୍ଭରୁ ମୋଦି ସରକାର କରୁଥିଲେ । କିନ୍ତୁ ଆଜି ମୋଦି ସରକାର ନିଶ୍ଚିତ ଭାବେ ଏମ୍‌.ଜି.ଏନ.ଆର.ଇ.ଜି.ଏ.ର ମହତ୍ୱକୁ ବୁଝୁଥିବେ ଓ ଏହା ଦେଶର କୋଟି କୋଟି ସାଧାରଣ ଲୋକଙ୍କୁ କର୍ମ ନିଯୁକ୍ତି ଯୋଗେଇବା ପାଇଁ କେତେ ଉପଯୋଗୀ ଅନୁଭବ କରୁଥିବେ ।

ବର୍ତମାନର ଏହି ଅର୍ଥନୈତିକ ମାନ୍ଦାବସ୍ଥା ଓ ବେକାରୀ ପରିସ୍ଥିତିରେ ଯଦି ଠିକ୍ ଭାବେ ଏମ୍‌.ଜି.ଏନ.ଆର.ଇ.ଜି.ଏ. ଆଇନ୍‌କୁ ତୃଣମୂଳ ସ୍ତରରେ ପ୍ରୟୋଗ କରାଯିବ, ତେବେ ନିଶ୍ଚିତ ଭାବେ ଲୋକମାନେ କାମ ପାଇବେ ଓ ଉପଯୁକ୍ତ ରୋଜଗାର ପାଇବେ । ଲୋକମାନେ ରୋଜଗାର ପାଇବା ଅର୍ଥ କ୍ଷୁଧା ଓ ଦାରିଦ୍ର‌୍ୟ ହଟିବ ଓ ସେମାନଙ୍କର କ୍ରୟ ଶକ୍ତି ବୃଦ୍ଧି ପାଇବ । ଲୋକମାନଙ୍କର କ୍ରୟ ଶକ୍ତି ବୃଦ୍ଧି ପାଇଲେ ଦୁର୍ବଳ ହୋଇପଡ଼ିଥିବା ଅର୍ଥନୀତିରେ ଜୀବନ ଫେରିବ । ତେଣୁ ତୃଣମୂଳ ସ୍ତରରେ ଏହି ଆଇନ୍ କିପରି ଗୁରୁତ୍ୱର ସହିତ ଓ ସଚ୍ଚୋଟତାର ସହିତ ପ୍ରଣୟନ ହୋଇପାରିବ, ତାହା ସଂପ୍ରତି ସରକାରଙ୍କୁ ନିଶ୍ଚିତ କରିବାକୁ ପଡ଼ିବ । ପ୍ରବାସରୁ ଫେରିଥିବା ଅନେକ ଶ୍ରମିକଙ୍କୁ ଠିକ୍ ଭାବେ କାମ ଯୋଗେଇ ଦେବା ପାଇଁ ସରକାରଙ୍କୁ ବ୍ୟବସ୍ଥା କରିବାକୁ ପଡ଼ିବ । ଅନେକ ପ୍ରବାସୀ ଶ୍ରମିକଙ୍କ ପାଖରେ ଜବ୍ କାର୍ଡ଼ ନାହିଁ ।

ସେମାନଙ୍କୁ ଯଥା ଶୀଘ୍ର ଜବ୍ କାର୍ଡ଼ ଯୋଗେଇ ଦେବା ପାଇଁ ସରକାର ବ୍ୟବସ୍ଥା କରିବା ଉଚିତ୍ । ଏତଦ୍‌ବ୍ୟତୀତ ଗାଁଡ଼ ଠାରୁ ନିର୍ଦ୍ଦିଷ୍ଟ ଦୂରତା ମଧ୍ୟରେ କାମ ଯୋଗେଇ ଦେବା, କାର୍ଯ୍ୟ ସ୍ଥଳୀରେ ଆବଶ୍ୟକୀୟ ସୁବିଧା ପ୍ରଦାନ କରିବା, ବ୍ୟକ୍ତିଗତ ସମ୍ବଳ ସୃଷ୍ଟି କରିବା ପାଇଁ କାମ ଯୋଗେଇ ଦେବା, ଜମିର ଉନ୍ନତି କରଣ କରିବା, ଗୃହପାଳିତ ପଶୁଙ୍କ ପାଇଁ ଗୁହାଳ ତିଆରି କରିବା, ଜଳ ସଂରକ୍ଷଣ ପାଇଁ ବିଭିନ୍ନ ପ୍ରକାର ଛୋଟ ଛୋଟ ପ୍ରକଳ୍ପ ଆଦି କରିବା ପାଇଁ ସରକାର ଏମ୍‌.ଜି.ଏନ.ଆର.ଇ.ଜି.ଏ. ମାଧ୍ୟମରେ ଲୋକମାନଙ୍କୁ କାମ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିପାରିଲେ ଲୋକମାନଙ୍କୁ କାମ ମିଳିବା ସହିତ ଆହୁରି ଅନେକ ବିକାଶ ମୂଳକ କାମ ବି ହୋଇପାରିବ । ଯାହା ଲୋକମାନଙ୍କୁ ଆହୁରି ଅଧିକ ରୋଜଗାର ଯୋଗେଇ ଦେବ ।

ଗତ ମେଁ ମାସରେ ଅନେକ ସ୍ଥାନରେ ଲକ୍ ଡାଉନ୍ ଥିବା ସତ୍ୱେ ବି ସମଗ୍ର ଦେଶରେ ୨.୧୯ କୋଟି ଲୋକ ଏମ୍‌.ଜି.ଏନ.ଆର.ଇ.ଜି.ଏ. ଅଧୀନରେ କାମ ମାଗିଛନ୍ତି । ଏହା ଗତ ଆଠ ବର୍ଷ ମଧ୍ୟରେ ସର୍ବାଧିକ । ଏଥିରୁ ଏମ୍‌.ଜି.ଏନ.ଆର.ଇ.ଜି.ଏ. ଆଇନ୍‌ର ଗୁରୁତ୍ୱ ବୁଝି ହେଉଛି । ସାଧାରଣ ସମୟରେ ଏମ୍‌.ଜି.ଏନ.ଆର.ଇ.ଜି.ଏ. ଆଇନ୍‌ର ଯେତିକି ଗୁରୁତ୍ୱ ଥିଲା ବର୍ତମାନ କରୋନାର ବିପତି ସମୟରେ ଏହି ଆଇନ୍‌ର ଗୁରୁତ୍ୱ ଆହୁରି ବଢ଼ିଯାଇଛି ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮