ଲକ୍ ଡାଉନ୍‌ର ମାଡ଼ ଉପରେ ଆର୍ଥିକ ପ୍ୟାକେଜ୍‌ର ଉପହାସ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…

ଆମ ଓଡ଼ିଆରେ ଗୋଟେ କଥା ଅଛି, ‘ଉପରେ ପାଣି ଦେଇ ଭିତରେ ଚେର କାଟିବା’ । ଏହାର ଅର୍ଥ ହେଉଛି, ଲୋକଙ୍କୁ ଲାଗୁଥିବ ପାଣି ଦେଇ ଗଛକୁ ବଂଚାଯାଉଛି, କିନ୍ତୁ ଅସଲରେ ଭିତରେ ଚେର କାଟି ଗଛକୁ ମାରିବାର ବ୍ୟବସ୍ଥା କରାଯାଉଥିବ । ଲକ୍ ଡାଉନ୍‌ର ଶିକାର ଲୋକମାନଙ୍କ କ୍ଷେତ୍ରରେ ଆମ ସରକାର ଠିକ୍ ସେପରି କରିଛନ୍ତି ।

କରୋନା ଜନିତ ଦୀର୍ଘ ଦୁଇ ମାସରୁ ଉର୍ଦ୍ଧ୍ୱ କାଳ ଲକ୍ ଡାଉନ୍ ଯୋଗୁ ଦେଶର କୋଟି କୋଟି ଜନସାଧାରଣଙ୍କ ଜୀବନ ଜୀବିକା ବିପନ୍ନ ହୋଇଯାଇଛି । ଲକ୍ଷାଧିକ ଲୋକ ରୋଜଗାର ହରେଇ ବେକାର ହୋଇଯାଇଛନ୍ତି । କୃଷକ ମାନେ ଅସହାୟ ହୋଇପଡ଼ିଛନ୍ତି । ଶ୍ରମିକ ମାନଙ୍କ ଅବସ୍ଥା ତ ନକହିବା ଭଲ । ଏ ପରିସ୍ଥିତିରେ ଦେଶବାସୀଙ୍କୁ ଏହି ସଂକଟରୁ ଉଦ୍ଧାର କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ଓ ଦେଶବାସୀଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ଆହ୍ୱାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଚିରାଚରିତ ଢ଼ଙ୍ଗରେ ଏହାକୁ ‘ଆତ୍ମନିର୍ଭରଶୀଳ ଭାରତ’ ଯୋଜନା ଭାବେ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ଓ ତା’ପରେ ତାଙ୍କ ସରକାରଙ୍କ କାମ ଦେଖି ଏହା ସଂପୂର୍ଣ୍ଣ ଭାବେ ଉପରେ ପାଣି ଦେଇ ଭିତରେ ଚେର କାଟିବା ଭଳି ଜଣାଯାଉଛି ।

ପ୍ରଧାନମନ୍ତ୍ରୀଙ୍କ ୨୦ ଲକ୍ଷ କୋଟିର ପ୍ୟାକେଜ୍ ଘୋଷଣା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଯେତେବେଳେ ପାଂଚ ଦିନ ଧରି ବ୍ୟାଖ୍ୟା କଲେ, ସେତେବେଳେ ବୁଝି ହୋଇଗଲା ଯେ, ଏହା ବୁଡ଼ି ଯାଉଥିବା ଦେଶର ଅର୍ଥନୀତି ଓ କୋଟି କୋଟି ଲୋକଙ୍କର ଉଜୁଡ଼ି ଯାଇଥିବା ଜୀବନ ଜୀବିକା ପ୍ରତି ସଞ୍ଜୀବନି ହେବା ପରିବର୍ତେ ସେମାନଙ୍କ ପାଇଁ କେବଳ ମରିଚୀକା ହୋଇ ଆସୁଛି । ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଆତ୍ମନିର୍ଭର ଭାରତ ପ୍ରତି ତାଙ୍କର ଯେ ଆଦø ଆନ୍ତରିକତା ନାହିଁ, ଏହା ବେଶ୍ ସ୍ପଷ୍ଟ ଭାବେ ବୁଝି ହେଉଛି ।

ଅଧିକ ପଢନ୍ତୁ: ଲକ୍ ଡାଉନ୍ ବିପତ୍ତିର ବିକଳ୍ପ: ଆଦିବାସୀ ସମାଜ

ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭରଶୀଳ ଭାରତର ଘୋଷଣା ପରେ ପରେ ଅର୍ଥମନ୍ତ୍ରୀ ଘୋଷଣା କରିଦେଲେ ଦେଶର ଏକାଧୀକ କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶ କରାଯିବ । ଏହି ବିଦେଶୀ ପୁଞ୍ଜିନିବେଶ ଶବ୍ଦକୁ ଟିକେ ଭଲ ଭାବେ ବୁଝିଲେ, ଏହାର ଅର୍ଥ ହେଉଛି, ଦେଶର ଏକାଧୀକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ବିଦେଶୀ କଂପାନୀ ମାନଙ୍କୁ ବିକ୍ରି କରିଦିଆଯିବ । ଭାରତ ସରକାରଙ୍କ ଅଧିକାର ସେଥିରେ ଆଦୌ ରହିବ ନାହିଁ କିମ୍ବା ମାତ୍ର କେତେ ପ୍ରତିଶତ ରହିବ । ଗୋଟିଏ କଥା ବୁଝି ହେଉନାହିଁ, ‘ଆତ୍ମନିର୍ଭରଶୀଳ’ ଓ ‘ଘରୋଇକରଣ’, ଦୁଇଟା ଯାକ ଏକାଠି କିପରି ସମ୍ଭବ? ଗୋଟିଏ ପଟେ ସରକାର ଲୋକମାନଙ୍କୁ କହୁଛନ୍ତି, ଆତ୍ମନିର୍ଭରଶୀଳ ହୁଅ, କିନ୍ତୁ ଅନ୍ୟପଟେ ନିଜେ ଆତ୍ମନିର୍ଭରଶୀଳ ନହୋଇ ସରକାରୀ କ୍ଷେତ୍ର ଗୁଡ଼ିକୁ ବିଦେଶୀ କଂପାନୀ ମାନଙ୍କ ହାତକୁ ଟେକି ଦେଉଛନ୍ତି । ତା’ହେଲେ ସରକାରଙ୍କ ପ୍ରକୃତ ଉଦ୍ଦେଶ୍ୟ କ’ଣ?

ଅଧିକ ପଢନ୍ତୁ: କରୋନା ପରବର୍ତ୍ତୀ ସମୟରେ ବେକାରୀ ସମସ୍ୟା

ଅର୍ଥମନ୍ତ୍ରୀ ସୀତାରମଣଙ୍କ ଘୋଷଣା ଅନୁଯାୟୀ ସରକାର ଖଣି, ବିମାନ ଚଳାଚଳ, ପ୍ରତିରକ୍ଷା, ରେଳ ଓ ଆହୁରି ଅନେକ କ୍ଷେତ୍ରକୁ ଘରୋଇ କଂପାନୀ ମାନଙ୍କ ହାତକୁ ଟେକି ଦେବାକୁ ଯାଉଛନ୍ତି । ଏପର୍ଯ୍ୟନ୍ତ ରାଷ୍ଟ୍ରାୟତ ଉଦ୍ୟୋଗ ହାତରେ ଥିବା କୋଇଲା କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶକୁ ଅନୁମତି ଦିଆଯାଇଛି । ମହାକାଶ ଯାତ୍ରା ଓ ଗବେଷଣା କ୍ଷେତ୍ରରେ ଘରୋଇ ସଂସ୍ଥା ଗୁଡ଼ିକୁ ସାମିଲ୍ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଆଜି ପର୍ଯ୍ୟନ୍ତ ଆମ ଦେଶରେ ଏହି କାର୍ଯ୍ୟ ଇସ୍ରୋ ହିଁ କରୁଥିଲା । ପ୍ରତିରକ୍ଷା ପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶକୁ ୭୪ ପ୍ରତିଶତକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ୪୯ ପ୍ରତିଶତ ଥିଲା । ଏବେ ବିଦେଶୀ ମାନେ ଆମ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ମାଲିକାନା ଜାହିର୍ କରିପାରିବେ । ଏଥିରୁ ବୁଝାପଡ଼ୁଛି, ସରକାରଙ୍କ ନିଜର ଆତ୍ମନିର୍ଭରଶୀଳତା ଉପରେ ଭରସା ନାହିଁ । ଯଦି ଥାଆନ୍ତା ତେବେ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରାୟତ କ୍ଷେତ୍ର ଗୁଡ଼ିକୁ ବିଦେଶୀଙ୍କ ହାତକୁ ଟେକି ଦେବା ପାଇଁ ଆଗଭର ହୁଅନ୍ତେ କାହିଁକି? ଯଦି ସରକାରଙ୍କର ନିଜ ଉପରେ ଆତ୍ମନିର୍ଭରଶୀଳ ହେବାକୁ ଭରଷା ପାଉନାହିଁ, ତେବେ ସେ ଲୋକମାନଙ୍କୁ ଆହ୍ୱାନ ଦେଉଛନ୍ତି କିପରି? ନା, ଏହା କେବଳ ଫମ୍ପା ଘୋଷଣା!

ଏତଦ୍‌ବ୍ୟତୀତ ପୂର୍ବରୁ ସରକାର ଖୁଚୁରା କ୍ଷେତ୍ରକୁ ବି ବିଦେଶୀ କଂପାନୀଙ୍କ ପାଇଁ ଖୋଲି ସାରିଛନ୍ତି । ଦେଶବାସୀଙ୍କ ତରଫରୁ ଅନେକ ବିରୋଧ ସତ୍ୱେ ବି ସରକାର ନିଜ ଜିଦ୍‌ରେ ଅଟଳ ରହି ଖୁଚୁରା କ୍ଷେତ୍ରକୁ, ଯେଉଁଥିରେ କୋଟି କୋଟି ଲୋକଙ୍କ ଜୀବନ ଜୀବିକା ନିର୍ଭର କରେ ସେଥିରେ ବିଦେଶୀ ପୁଞ୍ଜିନିବେଶକୁ ଅନୁମତି ଦେଇଛନ୍ତି । ତାହେଲେ ଲୋକମାନେ ଆତ୍ମନିର୍ଭରଶୀଳ ହେବେ କିପରି? କେବଳ ଘରୋଇ କଂପାନୀଙ୍କ ପାଇଁ ରାସ୍ତା ଖୋଲି ଦିଆଯାଉନି, ସେମାନଙ୍କୁ ଅନେକ ସବ୍‌ସିଡ଼୍ ଓ ଛାଡ଼୍ ବି ଦିଆଯାଉଛି । ଗୋଟିଏ ପଟେ ସରକାରଙ୍କ ପାଖରୁ ୧୫ ହଜାର ଟଙ୍କା ଋଣ ନେଇ (ସରକାରଙ୍କ ପ୍ୟାକେଜ୍ ଅନୁଯାୟୀ) ଯେକୌଣସି ଗୋଟେ ଛୋଟ ସଂସ୍ଥା ଆରମ୍ଭ କରିଥିବା ଗୋଟେ ଲୋକ, କୋଟି କୋଟି ଟଙ୍କା ସବ୍‌ସିଡ଼୍ ଓ ଏକାଧୀକ ସୁବିଧା ପାଉଥିବା ଏହି ଧନ କୁବେର କଂପାନୀ ମାନଙ୍କ ସହିତ ପ୍ରତିଦ୍ୱନ୍ଦିତାରେ ତିଷ୍ଠି ପାରିବ କି? ଏହା କଦାପି ସମ୍ଭବ ନୁହେଁ । କାରଣ ବାଘ ସହିତ ଛେଳି କେବେ ବି ପ୍ରତିଦ୍ୱନ୍ଦିତା କରିପାରିବ ନାହିଁ । ବଡ଼ ପୁଞ୍ଜିର ଚରିତ୍ର ହେଉଛି ସେ ଛୋଟ ପୁଞ୍ଜିକୁ ଗିଳିଦେବ । ୧୫ ହଜାର ଟଙ୍କାର ଋଣ ନେଇ ସଂସ୍ଥା ଆରମ୍ଭ କରିଥିବା ଲୋକଟି ଆତ୍ମନିର୍ଭରଶୀଳ ହେବା ପରିବର୍ତେ ଆତ୍ମପ୍ରବଂଚନାର ଶିକାର ହେବ । ତେଣ ସରକାର କେବଳ ଆତ୍ମନିର୍ଭରଶୀଳ କଥା କହିଲେ ହେବ ନାହିଁ, ସେଥିପାଇଁ ପରିବେଶକୁ ବି ଅନୁକୂଳ କରିବା ପାଇଁ ହେବ ।

ଆତ୍ମନିର୍ଭରଶୀଳତାର କଥା କହୁଥିବା ସରକାର ହ୍ୟାଣ୍ଡଲୁମ୍ ଓ ହ୍ୟାଣ୍ଡିକ୍ରାଫ୍ଟକୁ ବି ଜି.ଏସ.ଟି.ରୁ ମୁକ୍ତ ରଖିନାହାନ୍ତି । କରୋନାର ଏହି ବିପଦ ସମୟରେ ଲୋକମାନଙ୍କୁ ଆତ୍ମନିର୍ଭରଶୀଳ କରେଇବା ପାଇଁ ହେଲେ, ସେମାନଙ୍କୁ ଅସଲ ଅର୍ଥରେ ସହଯୋଗ କରିବା ପାଇଁ ହେବ । ସେମାନଙ୍କୁ ମାତ୍ର କେଇ ହଜାର ଟଙ୍କା ଋଣ ଦେଇ ତାଙ୍କୁ ଅମ୍ବାନୀ କି ଅଦାନୀ କିମ୍ବା କେଉଁ ବିଦେଶୀ କଂପାନୀଙ୍କ ଆହାର ହେବା ପାଇଁ ଛାଡ଼ି ଦେବା ଆଦୌ ନ୍ୟାୟସଙ୍ଗତ ଓ ଯୁକ୍ତିଯୁକ୍ତ ନୁହେଁ ।

ଲକ୍ ଡାଉନ୍ ଥାଉ ଥାଉ ସରକାର ପ୍ରଥମେ ପ୍ୟାକେଜ୍ ଘୋଷଣା କରି, ଓ ତା’ପରେ ତୁରନ୍ତ ଯେପରି ରାଷ୍ଟ୍ରାୟତ କ୍ଷେତ୍ର ଗୁଡ଼ିକୁ ଘରୋଇ କ୍ଷେତ୍ର ହାତକୁ ଟେକି ଦେଲେ, ଯେମିତି ବୁଝାପଡ଼ୁଛି, ସରକାର ଏମିତି ଏକ ସୁଯୋଗ ଅପେକ୍ଷାରେ ଥିଲେ, ନିଜ ଅର୍ଥଦାତା କଂପାନୀ ମାନଙ୍କ ନିର୍ବାଚନ ସମୟରେ ଦେଇଥିବା ଋଣ ସୁଝିବା ପାଇଁ ।

ପ୍ରଧାନମନ୍ତ୍ରୀ ପ୍ରଥମ ଦିନ ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କାର ପରିମାଣ ଶୁଣି ଲୋକ ଯେତିକି ଖୁସି ହୋଇଥିଲେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାର ବ୍ୟବହାରିକ ବ୍ୟାଖ୍ୟା କରିବା ବେଳେ ଲୋକମାନଙ୍କର ଖୁସି ପାଣିରେ ମିଳେଇ ଗଲା । ୨୦ ଲକ୍ଷ କୋଟିର ସିଂହ ଭାଗ କେବଳ ଋଣ, ଋଣ ଓ ଋଣ ପାଇଁ ହିଁ ଉଦ୍ଦିଷ୍ଟ । ଲୋକମାନେ ଜୀବନ ଜୀବିକା ହରେଇ ଅତ୍ୟନ୍ତ ସଂକଟଜନକ ପରିସ୍ଥିତିରେ ଥିବା ବେଳେ, ସରକାର ସେମାନଙ୍କ ପାଇଁ କେବଳ ଋଣର ହିଁ ବ୍ୟବସ୍ଥା କରିଛନ୍ତି । ଯେତେବେଳେ ଲୋକମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି, ଘରେ ଖାଦ୍ୟର ସଂକଟ ଠିଆ ହୋଇଛି, ଜମିରେ ଫସଲ ପଚିଗଲାଣି, ଦୁଇ ମାସରୁ ଉର୍ଦ୍ଧ୍ୱ ହେବ ଛୋଟ ବେପାରୀ ମାନଙ୍କର ବେପାର ବନ୍ଦ, ସେତେବେଳେ ସେମାନେ ଋଣ ନେଇ (ଅଳ୍ପ ସୁଧରେ ବି ହେଉ) ନିଜକୁ ଠିଆ କରିବା ପାଇଁ ସାହସ ଜୁଟେଇ ପାରିବେ କି? ସେମାନେ ତ ଆଉ ଅମ୍ବାନୀ, ଆଦାନୀଙ୍କ ପରି ପୁଞ୍ଜିପତି ନୁହଁନ୍ତି ବା ନୀରବ ମୋଦି ବା ବିଜୟ ମାଲ୍ୟା ପରି ଋଣ ଟଙ୍କା ଫାଙ୍କି ଦେଇ ବିଦେଶକୁ ଉଡ଼ିଯାଇ ପାରିବେ ନାହିଁ! ତେଣୁ ଏଭଳି ପରିସ୍ଥିତିରେ ଆଶା କରାଯାଉଥିଲା, ସରକାର ଲୋକଙ୍କ ସଂକଟକୁ ବୁଝି, ତାଙ୍କୁ ସୁହାଇଲା ପରି ଏକ ଅର୍ଥନୈତିକ ପ୍ୟାକେଜ୍ ଆଣିବେ । କିନ୍ତୁ ସରକାର ଯେଉଁ ପ୍ୟାକେଜ୍ ଆଣିଛନ୍ତି, ସେଥିରେ ଅନେକ ଲୋକଙ୍କର ଭୂମିକା ହିଁ ରହିବ ନାହିଁ । କାରଣ ଏପରି ଅନିଶ୍ଚିତ ପରିସ୍ଥିତିରେ ଅନେକ ଲୋକ ଋଣ ନେବାକୁ ଆଗଭର ହେବେ ନାହିଁ । ଯଦି ବି ନେବେ, ସେଥିରେ ସେମାନେ ନିଜ ସଂସ୍ଥା ଠିଆ କରିପାରିବେ ନାହିଁ ।

ଏପରି ସଂକଟଜନକ ପରିସ୍ଥିତିରୁ ଲୋକମାନଙ୍କୁ ମୁକାଳିବା ପାଇଁ ପ୍ରଥମେ ସେମାନଙ୍କୁ ସିଧା ଆର୍ଥିକ ସାହାଯ୍ୟ ଦରକାର ଥିଲା । ଚାଷୀ, ଶ୍ରମିକ, ଛୋଟ ବେପାରୀ ଯେଉଁମାନେ ଲକ୍ ଡାଉନ୍ ଯୋଗୁ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି, ସେମାନଙ୍କୁ ସରକାର ଯଦି ସିଧା ଅନ୍ତତଃପକ୍ଷେ ଅତି କମ୍‌ରେ ୧୦ ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ଦେଇଥାନ୍ତେ, ସେମାନେ ଅଧିକ ଉପକୃତ ହୋଇଥାନ୍ତେ ଓ ଅଂଟା ସଳଖି ଠିଆ ହେବାକୁ ବଳ ପାଇଥାନ୍ତେ । ତା’ପରେ ଋଣର ବ୍ୟବସ୍ଥା କରାଯାଇପାରିଥାନ୍ତା । ତାହେଲେ ଲୋକମାନେ ନିଜ ଭଗ୍ନ ମନୋବଳକୁ ଠିଆ କରି ନୂଆ କରି ରୋଜଗାରର ବ୍ୟବସ୍ଥା କରିଥାନ୍ତେ । ଯାହା ସେମାନଙ୍କ ଅବସ୍ଥାକୁ ସଜାଡ଼ିବା ସହିତ, ଦେଶର ଅର୍ଥନୀତିକୁ ନୂଆ ଜୀବନ ଦେଇଥାନ୍ତା । କିନ୍ତୁ ସରକାରଙ୍କ ପ୍ୟାକେଜ୍ ଲୋକମାନଙ୍କ ପାଇଁ କେବଳ ଶୁସ୍କ ସଂଖ୍ୟାରେ ହିଁ ସୀମିତ ହୋଇଯାଇଛି ।

ଲକ୍ ଡାଉନ୍ ଲୋକମାନଙ୍କୁ ଯେତିକି ହଇରାଣ କରିଛି, ସରକାରଙ୍କ ପ୍ୟାକେଜ୍ ବି ଲୋକମାନଙ୍କୁ ସେତିକି ଉପହାସ କରିଛି । କାରଣ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ପାଇଁ ସେଥିରେ ଠୋସ୍ କିଛି ନାହିଁ । ଉପରେ ପୁଣି ସରକାର ରାଷ୍ଟ୍ରାୟତ କ୍ଷେତ୍ର ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଗୁଡ଼ିକୁ ଘରୋଇ ଓ ବିଦେଶୀ କଂପାନୀଙ୍କ ପାଇଁ ଖୋଲି ଦେଇଛନ୍ତି । ଏହା ଦ୍ୱାରା ଲକ୍ ଡାଉନ୍ ମାଡ଼ ଖାଇଥିବା ଲୋକମାନଙ୍କର ଲକ୍ ତଥା ଭାଗ୍ୟ କେବେ ବି ସୁଧୁରିବ ନାହିଁ ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮, ମୋ- ୯୪୩୮୪୬୮୪୭୪

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।