Latest Odisha News

BREAKING NEWS

ବଞ୍ଚିବାକୁ ହେବ ଭୂତାଣୁ ସହ

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ

ଓଡ଼ିଶାରେ ମହାମାରୀ କୋଭିଡ-୧୯ ର ସଂକ୍ରମଣକୁ ରୋକିବା ଲାଗି ଦୀର୍ଘ ୬୮ ଦିନର ଲକ୍ ଡାଉନ୍ ଶେଷହେବ ମେ’ ୩୧ ତାରିଖରେ| ସାରା ଭାରତରେ ଏହି ଅବରୋଧ ମାର୍ଚ୍ଚ ୨୫ରୁ ଜାରି କରାଯାଇଥିବା ଯୋଗୁ ସଂକ୍ରମଣର ବ୍ୟାପ୍ତିକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇଛି| ତେବେ କେତେକ ଭାରତୀୟ ଓ ବୈଦେଶିକ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଭାରତରେ ତଥାପି ଦ୍ରୁତ ସଂକ୍ରମଣର ସମୟ ସରିନାହିଁ| ଜୁନ୍ ଶେଷ ସପ୍ତାହରୁ ଅଗଷ୍ଟ ଆରମ୍ଭ ଯାଏଁ ଏହା ବୃଦ୍ଧିପାଇବାର ଆଶଙ୍କା ରହିଛି| ମାତ୍ର ଭାଙ୍ଗିପଡୁଥିବା ଅର୍ଥନୀତିର ପୁନରୁଦ୍ଧାର ତଥା ଜନସାଧାରଙ୍କ ଅବସାଦଗ୍ରସ୍ତ ମାନସିକ ସ୍ଥିତିକୁ ସୁଧାରିବା ପାଇଁ ଆଉ ଅଚଳବସ୍ଥାକୁ ବଢ଼ାଇବା ବିଜ୍ଞତାର କାର୍ଯ୍ୟ ହେବନାହିଁ ବୋଲି ବିଭିନ୍ନ ମହଲରୁ ସରକାରଙ୍କୁ ମତାମତ, ପ୍ରସ୍ତାବ ଓ ପରାମର୍ଶ ଦିଆଯିବା ପରେ କଟକଣା ଉଠାଇବା ନିଷ୍ପତ୍ତିକୁ କେନ୍ଦ୍ର ସରକାର ମେ ୧୭ ଠାରୁ ରାଜ୍ୟମାନଙ୍କ ଉପରେ ନ୍ୟସ୍ତ କରିଥିଲେ| କେନ୍ଦ୍ର ସରକାର ମଧ୍ୟ ତାଙ୍କ କ୍ଷମତାଧୀନ ରେଳ, ବିମାନସେବା ଆଦି କ୍ଷେତ୍ରକୁ ମୁକ୍ତକରିଛନ୍ତି|

କେନ୍ଦ୍ରର ନିର୍ଦ୍ଦେଶିକା ଅନୁସାରେ ଓଡ଼ିଶା ସରକାର ମେ’ ୨୫ରୁ ବସ୍, ଅଟୋ ଚଳାଚଳ, ଅଫିସରେ ସ୍ବାଭାବିକ କାର୍ଯ୍ୟ ତଥା ବ୍ୟବସାୟ-ବାଣିଜ୍ୟକୁ ଅନୁମତି ପ୍ରଦାନକରି ପରୀକ୍ଷାମୂଳକ ଭାବେ ଏକ ସାହସିକ ପଦକ୍ଷେପ ନେଇଛନ୍ତି, ଯାହାକୁ ସବୁବର୍ଗର ଲୋକେ ସ୍ବାଗତ କରିଛନ୍ତି| ଅର୍ଥାତ୍ ଏହି ନିଷ୍ପତ୍ତି ଜରିଆରେ ସ୍ବାସ୍ଥ୍ୟ ବିଶାରଦଙ୍କ ପରାମର୍ଶ ଆଧାରରେ ପ୍ରଶାସନ ସନ୍ଦେଶଦେବାକୁ ଚାହାଁନ୍ତି ଯେ, ସାଧାରଣ ଜୀବନଯାପନ ଲାଗି ଆଗାମୀଦିନରେ ଜନସମୁହକୁ ଏହି ଭୂତାଣୁ ସହ ମିଶି ଚଳିବାର ଅଭ୍ୟାସ କରିବାକୁ ପଡ଼ିବ| କିନ୍ତୁ ଏଥିରେ ପୂର୍ବର ସ୍ବାଧୀନ ଓ ଅନ୍ତରଙ୍ଗ କାର୍ଯ୍ୟଶୈଳୀ ଅନୁସରଣ କରିବାକୁ ହେବନାହିଁ|

ଅନ୍ୟଭାବେ କହିଲେ; ମାସ୍କ ବାନ୍ଧିବା, ଶାରୀରିକ ଦୂରତା ରକ୍ଷାକରିବା, ପରିଛନ୍ନତା ପ୍ରତି ଧ୍ୟାନଦେବା ଆଦି ଉପରେ ଏବେ ଆଇନଗତ କଠୋରତା କୋହଳ ହୋଇଥିଲେ ମଧ୍ୟ ଏସବୁ ନିୟମକୁ ନିଜର ସୁରକ୍ଷା ପାଇଁ ମାନି ଚଳିବାକୁ ଉପଦେଶ ରହିଛି|

କୋଭିଡ-୧୯ ଭୂତାଣୁ ଅନୁରୂପ ସାରସ୍(ସିଭିଅର୍ ଆକ୍ୟୁଟ୍ ରେସ୍ପିରେଟରୀ ସିଣ୍ଡ୍ରୋମ୍), ମର୍ସ(ମିଡିଲ ଇଷ୍ଟ ରେସ୍ସିରେଟରୀ ସିଣ୍ଡ୍ରାମ୍), ଏଚ୍ଓବାନ୍ ଏନ୍‌ଓବାନ୍ ଆଦି ବ୍ୟାପକ ସଂକ୍ରମଣ ଓ ମହାମାରୀର ରୂପନେଉଥିବା ଇନଫ୍ଲୁଏଞ୍ଜା ଭୂତାଣୁଗୁଡ଼ିକ ଟୀକାପ୍ରସ୍ତୁତି ସମୟ ଆଗରୁ ଆପେଆପେ ବିଦାୟ ନେଇଯାଇଥିଲା ବେଳେ ବର୍ତ୍ତମାନର ସାଙ୍ଘାତିକ ଭୂତାଣୁ ଲୋପପାଇବ ନାହିଁ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି|

ଅଧିକ ପଢନ୍ତୁ: ସୁରା ପାଣ୍ଠିରେ କରୋନା ଲଢ଼େଇ !

ଏବେ ସେମାନେ ଧାରଣା କରୁଛନ୍ତି, ଏହା ଏଚ୍‌ଆଇଭି ଭୂତାଣୁ ଭଳି ଶରୀରରେ ନିଷ୍କ୍ରିୟ ଭାବେ ରହିବ ଓ ବ୍ୟକ୍ତିର ଆବଶ୍ୟକ ପ୍ରତିରୋଧୀ କ୍ଷମତା କମିଲେ ରୋଗରେ ପରିଣତ ହେବ| ଏହାକୁ ଦୃଷ୍ଟିରେ ରଖି ଆମ ସମସ୍ତଙ୍କୁ ଦୈନନ୍ଦିନ ଜୀବନରେ ସତର୍କ ରହିବା ଅନିବାର୍ଯ୍ୟ| ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି ଲାଗି ଆମକୁ ଉପଯୁକ୍ତ ଖାଦ୍ୟ, ପାନୀୟ, ପରିଛନ୍ନତା, ପରିଶ୍ରମ, ବ୍ୟାୟାମ ଆଦି ଦିଗରେ ଯତ୍ନବାନ ହେବାକୁ ପଡ଼ିବ|

ତେବେ ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, କରୋନା ଭୂତାଣୁ ସଂକ୍ରମଣର ମାତ୍ରା ଜାଣିବା ପାଇଁ ସରକାର ବ୍ୟାପକ ଭାବେ ଟେଷ୍ଟିଂକରିବାର ଆବଶ୍ୟକତା ରହିଛି| ଫଳରେ ସଂକ୍ରମିତଙ୍କ ଚିକିତ୍ସା ସହିତ ହର୍ଡ ଇମ୍ୟୁନିଟି ବା ଗୋଷ୍ଠିଗତ ରୋଗ ପ୍ରତିରୋଧ କ୍ଷମତା ହାସଲ କରିଥିବା ଜନସମୂହକୁ ଚିହ୍ନଟ କରାଯାଇପାରିବ| ଏହାକୁ ଭୂତାଣୁ ସହିତ ବଞ୍ଚିବାର ଏହା ଏକ ପଦ୍ଧତି ଭାବେ ବିବେଚନା କରାଯାଉଛି| ଆଗାମୀ ଦିନରେ କୋଭିଡ-୧୯ ଭୂତାଣୁର ବୃଦ୍ଧିର ହାର କେତେ ରହିବ ସେନେଇ ପ୍ରଶ୍ନ ହେବାରୁ ଜାତୀୟ ଟାସ୍କଫୋର୍ସର ଅଧ୍ୟକ୍ଷ ଭି.କେ.ପଲ୍ କହିଛନ୍ତି ଏହି ବୃଦ୍ଧି କେବଳ ଗବେଷଣାସିଦ୍ଧ ଗାଣିତିକ ସୂତ୍ର ଉପରେ ନିର୍ଭର କରୁନାହିଁ, ଅଧିକନ୍ତୁ କୌଣସି ଗୋଷ୍ଠି କିମ୍ବା ସମାଜର ଆଚରଣ ଓ ଚଳଣି ଉପରେ ନିର୍ଭରକରେ| ତେଣୁ ଏସମ୍ପର୍କରେ ନିର୍ଦ୍ଦିଷ୍ଟ ହିସାବ ଦେବା ସମ୍ଭବ ନୁହେଁ|

ଅନ୍ୟପକ୍ଷରେ ଆମେ ଉପଯୁକ୍ତ ପଦକ୍ଷେପନେଇ ସଂକ୍ରମଣକୁ ନିୟନ୍ତ୍ରଣକରିବା ଲାଗି ପ୍ରସ୍ତୁତ ହେଉଛୁ| ପ୍ରବାସୀ ଶ୍ରମଜୀବୀଙ୍କ ଜରିଆରେ ଭୂତାଣୁ ସହରରୁ ଯାଇ ଗ୍ରାମାଞ୍ଚଳରେ ପ୍ରବେଶ କରିସାରିଥିବାରୁ ନିୟନ୍ତ୍ରଣ ଲାଗି ସେଠାରେ ବ୍ୟାପକ ଭାବେ କୋଭିଡ ଲାବ୍ ଓ ହସ୍ପିଟାଲ ପ୍ରତିଷ୍ଠାକରିବା ଜରୁରୀ| ମହିନ୍ଦ୍ରା ଶିଳ୍ପ ଗ୍ରୁପ୍ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା କହିଛନ୍ତି, ଅକ୍ସିଜେନ ବ୍ୟବସ୍ଥା ସହିତ ଗ୍ରାମ୍ୟ ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ ଆମ ପଦାତିକ ବାହିନୀର ଉଚ୍ଚକୋଟୀର ଅଭିଜ୍ଞତା ରହିଛି, ଯାହାର ତୁରନ୍ତ ଉପଯୋଗ କରିବା ଆବଶ୍ୟକ| କିଛିଦିନ ତଳେ ଇଣ୍ଡିଆନ ଏକ୍ସପ୍ରେସ୍ ର ଏକ ରିପୋର୍ଟ ଅନୁସାରେ ଭାରତର ସ୍ବଳ୍ପ ସଂକ୍ରମିତ ୬୩୦ଜିଲ୍ଲା ମଧ୍ୟରୁ ଦୁଇ-ତୃତୀୟାଶଂରୁ ଅଧିକ ଜିଲ୍ଲାରେ କୋଭିଡ ଲାବ୍ ନାହିଁ| ଏହି ଦୃଷ୍ଟିରୁ ଦେଶର ପୂର୍ବଭାଗ ସବୁଠୁ ବେଶି ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ସୃଷ୍ଟି ହୋଇଛି| କାରଣ ଏହି କ୍ଷେତ୍ରରେ ଅନ୍ୟକ୍ଷେତ୍ର ଅପେକ୍ଷା କୋଭିଡ ଚିକିତ୍ସା ପାଇଁ ଅତିକମ୍ ସ୍ବାସ୍ଥ୍ୟ ଭିତ୍ତିଭୂମି ରହିଛି|

ଅଧିକ ପଢନ୍ତୁ: ପ୍ରବାସୀ ଶ୍ରମିକ ସମସ୍ୟାର ପରିଚାଳନା ଏକ ଆହ୍ୱାନ

କିନ୍ତୁ ବିଭିନ୍ନ ଅଧ୍ୟୟନରୁ ଜଣାପଡ଼ିଛି, ଦୀର୍ଘକାଳୀନ ଲକ୍ ଡାଉନ୍ ସମୟ ଭିତରେ ଯେତିକି ପରିମାଣର ପରୀକ୍ଷଣ ହେବା କଥା ତାହା ହୋଇନାହିଁ ଏବଂ ସଂକ୍ରମଣ ନେଇ ପୂର୍ଣ୍ଣାଙ୍ଗ ତଥ୍ୟ ସଂଗୃହୀତ ହୋଇନାହିଁ| ଭୂତାଣୁ ସହ ବଞ୍ଚିବା ଲାଗି ଏହାହିଁ ବଡ଼ ସାଧନ| ବୃହତ୍ ସଂଖ୍ୟକ ସଂକ୍ରମଣ ଘଟିଥିବା ବିଶ୍ବର ୧୦ଟି ଦେଶ ମଧ୍ୟରେ ଭାରତର ସ୍ଥାନ ଥିଲେ ବି ସମ୍ପୃକ୍ତ ଦେଶଗୁଡ଼ିକ ତୁଳନାରେ ପ୍ରତି ହଜାରେ ଲୋକସଂଖ୍ୟା ଆଧାରରେ ଆମର ଟେଷ୍ଟିଂ ହାର ସର୍ବନିମ୍ନ| ଏନେଇ ଦେଶର ଅନେକ ଥିଙ୍କଟ୍ୟାଙ୍କ୍ ତଥା ସ୍ବାସ୍ଥ୍ୟ ବିଶେଷଜ୍ଞ ସରକାରଙ୍କୁ କଟୂ ସମାଲୋଚନା କରିଛନ୍ତି| କହିଛନ୍ତି, ଲକ୍ ଡାଉନ୍ ଅବଧିକୁ ରୋଗ ନିରାକରଣ ଦିଗରେ ପ୍ରସ୍ତୁତି ଲାଗି ବ୍ୟବହାର କରାଯାଇନଥିବାରୁ ଏତେବଡ଼ ସୁଯୋଗକୁ ହାତଛଡ଼ା କରିଛନ୍ତି ସରକାର| ଠିକଣା ବେଳକୁ ଚିକିତ୍ସକ, ନର୍ସ, ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ସୁରକ୍ଷା ଉପକରଣ, ମାସ୍କ, ଟେଷ୍ଟିଂକିଟ୍ ଇତ୍ୟାଦି ଉତ୍ପାଦନ କରାଯାଇନଥିବାରୁ ଆମର କରୋନା-ବିରୋଧି ଲଢ଼େଇ ମାନ୍ଦା ପଡ଼ିଯାଇଛି| ଭାରତରେ ମେଡିକାଲ ଉପକରଣ ପ୍ରସ୍ତୁତକରୁଥିବା ପ୍ରାୟ ୧୫୦ କମ୍ପାନୀଙ୍କ ସଙ୍ଗଠନ ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ବୟନଶିଳ୍ପ ମନ୍ତ୍ରଣାଳୟ କିପରି ଆରମ୍ଭରୁ ଅବହେଳା ଏବଂ ପକ୍ଷପାତ ନୀତି ଅନୁସରଣ କରିବା ଫଳରେ ତାହା ପ୍ରକାଶକରିବା ପରେ ସରକାରଙ୍କ ଚେତା ପଶିଥିଲା| ମାତ୍ର ସେତେବେଳକୁ ପ୍ରାୟ ଏକମାସ ମୂଲ୍ୟବାନ ସମୟ ନଷ୍ଟ ହୋଇଯାଇଥିଲା|

 

ଆହୁରି ବିଡ଼ମ୍ବନା ହେଉଛି କିଟ୍-ଅଭାବୀ ସମସ୍ୟାର ସମାଧାନ ପାଇଁ ସରକାର ଚୀନ୍ ଠାରୁ ଯେଉଁ ରାପିଡ୍ ଡାଇଗ୍ନୋଷ୍ଟିକ୍ କିଟ୍ ଆମଦାନୀ କରିଥିଲେ ସେଥିରେ ତ୍ରୁଟିଥିବା ବିଭିନ୍ନ ରାଜ୍ୟସରକାରମାନେ ଅଭିଯୋଗ କରିଥିଲେ|

ଅଧିକ ପଢନ୍ତୁ: ମହାମାରୀ ସଙ୍କଟରେ କେତେଦୂର ସଫଳ ହେବ ଦୂରଶିକ୍ଷା ?

ସରକାରଙ୍କ ଏପ୍ରକାର ଦାୟିତ୍ବହୀନତା ଫଳରେ ଏହି କାର୍ଯ୍ୟ ପଛେଇଗଲା ଏବଂ ବିଭିନ୍ନ ମହଲରେ ଅନାସ୍ଥା ସୃଷ୍ଟିହେଲା| ଏବେ ଆଇସିଏମ୍‌ଆର୍ ଏକ ନୂଆ ରାପିଡ ଟେଷ୍ଟିଂକିଟ୍ ବିକଶିତ କରିଛନ୍ତି, ହେଲେ ତାହା କେତେଦୂର କାର୍ଯ୍ୟକ୍ଷମ ହେବ ସେ ନେଇ କେତେକ ପ୍ରଶ୍ନ ଉଠାଇଛନ୍ତି| ମାତ୍ର ଏହି କିଟ୍ ରୋଗ ଜାଣିବାରେ ସହାୟକ ହେଲେ ଲୋକଙ୍କ ଜୀବନ ରକ୍ଷା ସହିତ ଅନ୍ୟମାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ପରାମର୍ଶ ପ୍ରଦାନ କରାଯାଇପାରିବ| ଅର୍ଥାତ୍ ସଂଖ୍ୟାଗରିଷ୍ଠ ଜନତାଙ୍କ ସ୍ବାଭାବିକ ଜୀବନ ନିଶ୍ଚିତ କରିବା ପାଇଁ  ନିର୍ଦ୍ଦିଷ୍ଟ ସଂକ୍ରମିତ ଗୋଷ୍ଠିକୁ କମ୍ୟୁନିଟି କଣ୍ଟେନମେଣ୍ଟରେ ରଖାଯିବ| ତେଣୁ ରାଜ୍ୟ କିମ୍ବା ସହରବ୍ୟାପି ପୁରା ଲକ୍ ଡାଉନ୍ କିମ୍ବା ସଟ୍ ଡାଉନ୍ ପରିସ୍ଥିତି ଉପୁଜିବ ନାହିଁ| ଉଦାହରଣସ୍ବରୂପ ଗୁଜରାଟରେ ଲକ୍ ଡାଉନ୍ ସମୟରେ ଯେଉଁ ବ୍ୟକ୍ତିମାନେ ସଂକ୍ରମିତ ସଉଦା ଦୋକାନୀ, ପନିପରିବା ବିକ୍ରେତା ଏବଂ ସଫେଇ କର୍ମୀଙ୍କ ସଂସ୍ପର୍ଶରେ ବେଶି ଆସିଥିଲେ ସେମାନଙ୍କୁ ଏକ ସ୍ବତନ୍ତ୍ର ଟେଷ୍ଟିଂ ଡ୍ରାଇଭ୍ ରେ ଚିହ୍ନଟ କରାଯିବା ପରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଯାଇଥିଲା| ଏହାପରେ ସେମାନଙ୍କୁ ଅଲଗାକରି ଚିକିତ୍ସା କରାଗଲା|

ଭାରତରେ ଏହି ସ୍ବତନ୍ତ୍ର ଚିହ୍ନଟ ପଦ୍ଧତିରେ ହିଁ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ| ଅବଶିଷ୍ଟ ଲୋକେ ଅଯଥା ଭୟଭୀତ ନହୋଇ ସମସ୍ତ କାର୍ଯ୍ୟକରିବା ଭିତରେ ସରକାରଙ୍କ ସ୍ବତନ୍ତ୍ର ଡାଇଭ୍ ରେ ପରୀକ୍ଷିତ ହୋଇପାରିବେ ଓ ପ୍ରଥମରୁ ଚିକିତ୍ସିତ ହୋଇ ରୋଗମୁକ୍ତ ହେବେ| ଭୂତାଣୁ ସହ ବଞ୍ଚିବାର ଏହା ଏକ ବିଶେଷ କୌଶଳ| 

( ସ୍ତମ୍ଭକାର ଜଣେ ବରିଷ୍ଠ ସାମ୍ବାଦିକ )

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।                    

Leave A Reply

Your email address will not be published.