Latest Odisha News

BREAKING NEWS

ରେଳ ଯାତ୍ରା ସମୟରେ ଆତସବାଜି ଓ ଫଟକା ପରିବହନ ନିଷିଦ୍ଧ: ପୂର୍ବତଟ ରେଳପଥର ସ୍ଵତନ୍ତ୍ର ଅଭିଯାନ

ଭୁବନେଶ୍ଵର: ଆପଣ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଜ୍ଵଳନ୍ତ ତଥା ବିସ୍ଫୋରକ ଜିନିଷ ପରିବହନ କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ । ଏଥିପାଇଁ ଆପଣଙ୍କୁ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ । କାରଣ ରେଳ ଯାତ୍ରା ସମୟରେ ଆତସବାଜି ଓ ଫଟକା ପରିବହନକୁ ନିଷିଦ୍ଧ କରିଛି ପୂର୍ବତଟ ରେଳପଥ । ଏଥିପାଇଁ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ କରିଛି ପୂର୍ବତଟ ରେଳପଥ ।

ଆସୁଛି ଆଲୋକର ପର୍ବ ଦୀପାବଳି । ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଦ୍ଵାରା ଆରମ୍ଭ ହୋଇଛି ସ୍ଵତନ୍ତ୍ର ଅଭିଯାନ । ଏହି ସ୍ଵତନ୍ତ୍ର ଅଭିଯାନ ଅନୁଯାୟୀ ଟ୍ରେନ୍ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ଫଟକା, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ୍, କିରୋସିନି ଇତ୍ୟାଦି ଜ୍ୱଳନ୍ତ ତଥା ବିସ୍ଫୋରକ ଜିନିଷ ପରିବହନ କରିବା ସମ୍ପୁର୍ଣ୍ଣ ନିଷିଦ୍ଧ କରାଯାଇଛି । ତେବେ ରେଳବାଇ ଅଧିନିୟମ, ୧୯୮୯ ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ ଅଟେ ଏବଂ ଅପରାଧୀ ଏଥିପାଇଁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗି ପାରନ୍ତି । ତେଣୁ ଟ୍ରେନ୍ ଯାତ୍ରାକୁ ଅଧିକ ନିରାପଦ କରିବା ପାଇଁ ପୂର୍ବ ତଟ ରେଳପଥ ଯାତ୍ରୀମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି ଏବଂ ପରିବହନ ନକରିବା ସହ ସେମାନଙ୍କ ସହ-ଯାତ୍ରୀମାନଙ୍କୁ ଜ୍ୱଳନ୍ତ କିମ୍ବା ବିସ୍ଫୋରକ ଜିନିଷ ଟ୍ରେନରେ ବହନ ନ କରିବାକୁ ପରାମର୍ଶ ଦେଇଛି।

ଦୀପାବଳୀ ଉତ୍ସବ ସମୟରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଟ୍ରେନରେ ଜ୍ୱଳନ୍ତ ଜିନିଷ ବହନ ନକରିବା ପାଇଁ ଏକ ସ୍ୱତନ୍ତ୍ର ସୁରକ୍ଷା ପ୍ରକ୍ରିୟା ପୂର୍ବତଟ ରେଳପଥ ପକ୍ଷରୁ ଆରମ୍ଭ କରାଯାଇ ଏହାର ସମସ୍ତ ତିନୋଟି ରେଳବାଇ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଏବଂ ୱାଲ୍ଟେୟାରକୁ କଡା ପଦକ୍ଷେପ ନେବାପାଇଁ ପରାମର୍ଶ ଦେଇଛି | ରେଳ ଯାତ୍ରା ସମୟରେ ଯାତ୍ରୀ ମାନଙ୍କ ଚଳପ୍ରଚଳ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପୂର୍ବତଟ ରେଳପଥ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛି | ଯଦି କୌଣସି ଯାତ୍ରୀ ଜ୍ୱଳନ୍ତ ଜିନିଷ କିମ୍ବା ଆତସବାଜି ନେଉଥିବାର ଦେଖାଯାଏ, ତେବେ ଟ୍ରେନ ଯାତ୍ରୀମାନଙ୍କୁ ବିପଦରୁ ରକ୍ଷା କରିବା ପାଇଁ ସହ-ଯାତ୍ରୀମାନଙ୍କୁ ରେଳ ସୁରକ୍ଷା ବଳ (ଆରପିଏଫ) ଏବଂ ସରକାରୀ ରେଳ ପୋଲିସ (GRP) କର୍ମକର୍ତ୍ତା, ଟିଟିଇ, କୋଚ ଆଟେଣ୍ଡାଣ୍ଟ, ଷ୍ଟେସନ ପରିଚାଳକ, ଟ୍ରେନର ମ୍ୟାନେଜର ମାନଙ୍କୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି |

ଯାତ୍ରୀମାନେ ଟ୍ରେନ୍ ଚଳାଚଳ ସମ୍ବନ୍ଧୀୟ କୌଣସି ଘଟଣା ବିଷୟରେ ଜଣାଇବାକୁ ହେଲ୍ପ ଲାଇନ୍ ନମ୍ବର ୧୩୯ କୁ ଫୋନ କଲ କରିପାରିବେ | ଫଟକା ପରିବହନ ନେଇ କୌଣସି ସନ୍ଦେହ ହେଲେ ଏହି ପରିପ୍ରେକ୍ଷୀରେ ଯାତ୍ରୀମାନେ ରେଳବାଇ କର୍ମଚାରୀଙ୍କୁ ଜଣାଇବାକୁ କୁହାଯାଇଅଛି ଏବଂ ରେଳବାଇ ପକ୍ଷରୁ ଟ୍ରେନରେ ଏହି ଅନିୟମିତତା ସମ୍ବନ୍ଧରେ କଡାକଡି ଯାଞ୍ଚ କରାଯାଉଛି।

Leave A Reply

Your email address will not be published.