Latest Odisha News

BREAKING NEWS

ମଙ୍ଗଳାଯୋଡିରେ ପୃଥିବୀର ପ୍ରଥମ ବେରଙ୍ଗ କାମ ପକ୍ଷୀ ଚିହ୍ନଟ

ଭୁବନେଶ୍ୱର: ପୃଥିବୀର ଏକମାତ୍ର ବେରଙ୍ଗ କାମ ପକ୍ଷୀ ଚିହ୍ନଟ । ଚିଲିକାର ମଙ୍ଗଳାଯୋଡ଼ି ଠାରେ ଏହି ବିରଳ ପକ୍ଷୀ ଚିହ୍ନଟ ହୋଇଛି । ପକ୍ଷୀ ଟି ବିରଳ ନୁହେଁ ବରଂ ତା’ର ବେରଙ୍ଗ ହେବା ଟି ବିରଳ । ୨୦୧୯-୨୦ ରୁ ଅନୁଧ୍ୟାନ କରାଯାଉଥିବା ପକ୍ଷୀ ଟି ଗତ ମେ ୩ରେ କାମ ପକ୍ଷୀ ବୋଲି ସ୍ୱୀକୃତି ପାଇଛି ।

BjdElectrycity

ଗ୍ରେ-ହେଡେଡ ସ୍ଵାମ୍ପ ହେନ ବା ପର୍ପଲ ମୁର ହେନକୁ ଓଡିଆରେ କାମ ପକ୍ଷୀ ବୋଲି କୁହାଯାଏ । ଏହି ପକ୍ଷୀର ଦେହ ବାଇଗଣୀ-ନୀଳ ରଙ୍ଗର ହେବା ସହ, ନାଲି ରଙ୍ଗର ବଡ ଥଣ୍ଟ ଥାଏ । ଓଡ଼ିଶା ସମେତ ପ୍ରାୟ ସମସ୍ତ ରାଜ୍ୟରେ ଏହି କାମ ପକ୍ଷୀ ଦେଖିବାକୁ ମିଳନ୍ତି । ଏହି ପକ୍ଷୀର ବୈଜ୍ଞାନିକ ନାମ ପରଫାଇରିଓ ପୋଲିଓସେଫାଲସ୍ (Porphyrio poliocephalus)। ଏହି ପରଫାଇରିଓ ଜେନସରେ ବେରଙ୍ଗ ଉଦାହରଣ କେବଳ ଅଷ୍ଟ୍ରେଲିଆ ମହାଦେଶ ରେ ରେକର୍ଡ କରଯାଇଥିଲା ।

ତେବେ ୨୦୧୯-୨୦ ମସିହାରେ ଚିଲିକାର ମଙ୍ଗଳାଯୋଡି ଠାରେ ଏକ ଧଳା ରଙ୍ଗର ପକ୍ଷୀ ଏକ ସାଧାରଣ ରଙ୍ଗର କାମ ପକ୍ଷୀ ସହିତ ବୁଲିବା ଲକ୍ଷ କରାଯାଇଥିଲା । କିଛି ଫଟୋଗ୍ରାଫର ତଥା ପକ୍ଷୀ ପ୍ରେମୀ ସେଇ ବିରଳ ବେରଙ୍ଗ କାମ ପକ୍ଷୀର ଫଟୋ ଫେସବୁକ ରେ ପୋଷ୍ଟ କରିଥିଲେ । ତେବେ ୪ ମାର୍ଚ୍ଚ ୨୦୨୦ ଦିନ ମଙ୍ଗଳାଯୋଡି କଞ୍ଜରଭେସନ ଟ୍ରଷ୍ଟ ର ବାର୍ଡ ଗାଇଡ ମଧୁ ବେହେରାଙ୍କ ସହିତ ଯାଇ ସ୍ନେକ ହେଲ୍ପଲାଇନ ର ସାଧାରଣ ସମ୍ପାଦକ ତଥା ଖୋର୍ଦ୍ଧା ଜିଲ୍ଲାର ବନ୍ୟ ପ୍ରାଣୀ ତତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକ ଏବଂ ବନ୍ୟ ପ୍ରାଣୀ ଫଟୋଗ୍ରାଫର ତଥା ଆର୍କିଟେକ୍ଟ ଶକ୍ତି ନନ୍ଦ ସେଇ ବିରଳ ଧଳା କାମ ପକ୍ଷୀ କୁ ନିରୀକ୍ଷଣ କରିଥିଲେ ।

ପକ୍ଷୀର ନାଲି ଆଖି ଏବଂ ଧଳା ରଙ୍ଗ ଦେଖି ପ୍ରଥମେ ସେମାନେ ଏହାକୁ ଏକ ଆଳବିନୋ ବୋଲି ଚିହ୍ନଟ କରିଥିଲେ । ଯାହା ଏକ ଭୁଲ ଥିଲା । ତେବେ ଏହା ଉପରେ ଅଧିକ ଗବେଷଣା ଜାରି ରଖିଥିଲେ ୩ ଜଣ ଓଡିଆ ଗବେଷକ। ଏହି ଟିମ ରେ ଶୁଭେନ୍ଦୁ ମଲ୍ଲିକ, ଶକ୍ତି ନନ୍ଦଙ୍କ ସହିତ ଏସିଏଫ ଆଶୁତୋଷ ମଲ୍ଲିକ ମଧ୍ୟ ସାମିଲ ଥିଲେ । ସାରା ପୃଥିବୀର ରିପୋର୍ଟ କୁ ପରୀକ୍ଷା କରିବାରୁ କେଉଁଠି ହେଲେ ଏହି କାମ ପକ୍ଷୀର ବେରଙ୍ଗ ହେବାର ଉଦାହରଣ କେଉଁ ବହି ବା ଜର୍ଣ୍ଣାଲରେ ଉଲ୍ଲେଖ ନଥିଲା । ତେବେ ସେଇ ଗବେଷଣା କୁ ସ୍ୱୀକୃତି ମିଳିଛି ।

ମଙ୍ଗଳାଯୋଡିରେ ଥିବା ଧଳା କାମ ପକ୍ଷୀ ଟି ସାରା ପୃଥିବୀରେ ଏକମାତ୍ର ବେରଙ୍ଗ ଉଦାହରଣ ବୋଲି ୩ ମେ ୨୦୨୨ ରେ ପୃଥିବୀର ଅନ୍ୟତମ ଶ୍ରେଷ୍ଠ ଆନ୍ତର୍ଜାତିକ ଅରନିଥୋଲୋଜି ଜର୍ଣ୍ଣାଲ ୱିଲସନ ଜର୍ଣ୍ଣାଲ ଅଫ ଅରନିଥୋଲୋଜି ରେ ‘ଅନଲାଇନ ଅର୍ଲି’ ଭାବରେ ‘ବ୍ରିଫ ରିପୋର୍ଟ’ ଶ୍ରେଣୀରେ ପ୍ରକାଶିତ ହୋଇଛି । ଏହି ଗବେଷଣା ପ୍ରକାଶିତ ହେବା ଫଳରେ ସାରା ପୃଥିବୀରେ ଏଇ ଧଳା କାମ ପକ୍ଷୀ ଟି ପ୍ରଥମ ଘଟଣା ବୋଲି ପ୍ରମାଣିତ ହେଲା ।

୬ ପୃଷ୍ଠା ବିଶିଷ୍ଟ ଏଇ ଆର୍ଟିକିଲ୍ ପୃଥିବୀରେ ଯେଉଁଠି ବି ପରଫାଇରିଓ ଜେନସ ରେ ବେରଙ୍ଗ ଉଦାହରଣ ଦେଖା ଯାଇଛି ସେଗୁଡିକୁ ଗବେଷକ ମାନେ ରିଭ୍ୟୁ ମଧ୍ୟ କରିଥିଲେ । ତେବେ ପକ୍ଷୀ ମାନଙ୍କ କ୍ଷେତ୍ରରେ ସାଧାରଣ ରଙ୍ଗ, ବେରଙ୍ଗ ହେବା କିଛି ଅସାଧାରଣ ଘଟଣା ନୁହେଁ । ମାତ୍ର ପକ୍ଷୀ ପ୍ରେମୀ ଏବଂ ବିଶେଷଜ୍ଞ ମାନଙ୍କର ଏଇ ରଙ୍ଗଭେଦ ବିଷୟରେ ପର୍ଯ୍ୟାପ୍ତ ଜ୍ଞାନ ନ ଥିବାରୁ ବନ୍ୟ ପକ୍ଷୀମାନଙ୍କ ବେରଙ୍ଗ ଉଦାହରଣ ଚିହ୍ନିବାରେ ଭୁଲ କରିଥାନ୍ତି ବୋଲି କହିଛନ୍ତି ଶୁଭେନ୍ଦୁ ମଲ୍ଲିକ । “ମୁଁ ମଧ୍ୟ ୨୦୨୦ ରେ ଏହି ବେରଙ୍ଗ କାମ ପକ୍ଷୀକୁ ଆଲବିନୋ ବୋଲି ଭାବିଥିଲି । ହେଲେ ଅଧିକ ଗବେଷଣା କରିବା ପରେ ଜାଣିଲି ଯେ, ଖରାପ ଦୃଷ୍ଟି ଶକ୍ତି ହେତୁ ବନ୍ୟ ପରିବେଶରେ ଆଲବିନୋ ପକ୍ଷୀ ମାନେ ଅଧିକ ଦିନ ବଞ୍ଚନ୍ତି ନାହିଁ । ଡେଣାରେ ପର ଉଠି ଉଡିବା ବେଳକୁ ଅଧିକାଂଶ ମରି ମଧ୍ୟ ଯାଆନ୍ତି । ମଙ୍ଗଳାଯୋଡିର ବେରଙ୍ଗ କାମ ପକ୍ଷୀ ଟି ଯେହେତୁ ପ୍ରାପ୍ତ ବୟସ୍କ ହୋଇଯାଇଥିଲା, ଏଣୁ ଆଳବିନୋ ହେବାର ସମ୍ଭାବନା ହିଁ ନଥିଲା” ବୋଲି କହିଛନ୍ତି ଶୁଭେନ୍ଦୁ ମଲ୍ଲିକ ।

ତେବେ, ଗୋଟିଏ ରଙ୍ଗୀନ ପକ୍ଷୀ ୫ ଟି କାରଣରୁ ବେରଙ୍ଗ ହୋଇ ଧଳା ରଙ୍ଗର ହୋଇ ପାରିବ ବୋଲି ଏଇ ଗବେଷଣା ରୁ ଜଣାପଡିଛି । ସେଇ ୫ଟି କାରଣ ହେଲା ଆଲବିନୋ, ଲିୟୁସିଷ୍ଟିକ, ଆଇନୋ, ଡ଼ାଇଲ୍ୟୁସନ ଏବଂ ପ୍ରୋଗ୍ରେସିଭ ଗ୍ରେଇଙ୍ଗ । ମଙ୍ଗଳାଯୋଡି ର ବେରଙ୍ଗ ଧଳା କାମ ପକ୍ଷୀଟି ର ଏଇଭଳି ରଙ୍ଗର କାରଣ ଡ଼ାଇଲ୍ୟୁସନ ଯୋଗୁଁ ହୋଇଅଛି । ଅଣ୍ଡାରୁ ଫୁଟିବା ବେଳେ ଯଦିଓ ଛୁଆଟି ସାଧାରଣ ରଙ୍ଗର ହେଇ ଉଭା ହେଇଥିବ, କିନ୍ତୁ ବୟସ ବଢିବା ସହିତ ଡ଼ାଇଲ୍ୟୁସନ ପ୍ରକ୍ରିୟା ଯୋଗୁଁ ଧୀରେ ଧୀରେ ପକ୍ଷୀଟିର ରଙ୍ଗ ଧଳା ହୋଇଯାଇଥିଲା ।

ପୃଥିବୀରେ ଏଯାବତ ଗ୍ରେ-ହେଡେଡ ସ୍ଵାମ୍ପ ହେନ ପକ୍ଷୀ ପ୍ରଜାତିରେ କୌଣସି ବି କୌଣସି ସ୍ଥାନରେ ବେରଙ୍ଗ ଉଦାହରଣ ନଥିଲା ।  ଓଡିଆ ଗବେଷକ ମାନଙ୍କର ଏଇ ଗବେଷଣାରୁ ଏହା ପ୍ରଥମ ବୋଲି ଜଣା ପଡିଛି । ତେବେ ବେରଙ୍ଗ ପକ୍ଷୀକୁ ଚିହ୍ନିବା ନିଶ୍ଚିତ ଭାବେ କଷ୍ଟସାଧ୍ୟ । କାରଣ ପକ୍ଷୀ ଠାରୁ ଦୂରତା, ତାର ଗତିବିଧି, ସଠିକ ଆଲୋକ, ଇତ୍ୟାଦି ଅନେକ ପରିମାଣରେ ଦାୟୀ ବୋଲି କହିଛନ୍ତି ଶୁଭେନ୍ଦୁ । “ଆମକୁ ମାତ୍ର ୫ ମିନିଟ ସମୟ ମିଳିଥିଲା ଫୋଟୋ ଉଠେଇବା ପାଇଁ । ସେତିକି ସମୟ ଭିତରେ ଶକ୍ତି ନନ୍ଦଙ୍କର ଚମତ୍କାର ଫୋଟୋଗ୍ରାଫି ଯୋଗୁଁ ଆମେ ସେଇ ବେରଙ୍ଗ କାମ ପକ୍ଷୀର ସଠିକ ଚିହ୍ନଟ କରି ପାରିଥିଲୁ ।”

Leave A Reply

Your email address will not be published.