Latest Odisha News

BREAKING NEWS

ଭିନ୍ନ ବନ୍ୟା ନୀତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର… 

ବର୍ଷା ଅପେକ୍ଷାରେ ବାଉଳି ଚାଉଳି ହେଉହେଉ ଅଚାନକ ଲଘୁଚାପ ସୃଷ୍ଟି ହୋଇ ଚାରି ପାଞ୍ଚ ଦିନ ଅସରାଅସରା ମେଘ ବର୍ଷିଗଲେ ଅଜଗର ଗର୍ଭ ପରି ଫୁଲିଉଠେ ଓଡ଼ିଶାର ନଈନାଳ । ପାଣିଚାପରେ ଫିଟିଯାଏ ହୀରାକୁଦ ବନ୍ଧର ଗୋଟିଏ ପରେ ଗୋଟିଏ କବାଟ ! ଚାରି ଆଡ଼େ ଆର୍ତ୍ତନାଦ ।

ଉପକୂଳବର୍ତ୍ତୀ ଓଡ଼ିଶାରେ ସୃଷ୍ଟି ହୁଏ ଭୟଙ୍କର ବନ୍ୟାର ବିତ୍ପାତ ! ଖବରକାଗଜର ପ୍ରଥମ ପୃଷ୍ଠାରେ ଶିରୋନାମା ହୁଏ ବନ୍ୟା ! ଅଥଚ ବନ୍ୟାକୁ ନେଇ ନୂତନ ନୀତି ନିର୍ଦ୍ଧାରଣ କରାଯାଇ ଯୋଜନାକୁ କାର୍ଯ୍ୟକାରୀ କରାଯାଇପାରିଲେ ବିପତ୍ତି ଯେ ସମ୍ପତ୍ତିରେ ବଦଳି ଯାଇପାରିବ, ଏ କଥା ବୁଝିବା କେବେ ? କେବେ ବନ୍ୟା ତ କେବେ ମରୁଡି, ମଝିରେ ମଝିରେ ବାତ୍ୟା – ପ୍ରତ୍ୟେକବର୍ଷ ଏଇ ଖବରରୁ ଓଡିଶା ନିସ୍ତାର ପାଇଲା ନାହିଁ । ପ୍ରାକୃତିକ ବିପର୍ଯ୍ୟୟରୁ ଓଡିଶା କେବେ ମୁକୁଳିବ ? ବନ୍ୟା, ବାତ୍ୟା, ମରୁଡିର କ’ଣ ସ୍ଥାୟୀ ପ୍ରତିକାର ସମ୍ଭବ ନୁହେଁ? ଯଦି ସମ୍ଭବ, ତାହା ହୋଇ ନପାରିବାର କାରଣ କ’ଣ ?

ମହାନଦୀରେ ବନ୍ୟା ନିୟନ୍ତ୍ରଣ ନିମନ୍ତେ ଦ୍ୱିତୀୟ ବନ୍ଧ ଟିକରପଡାରେ ନିର୍ମାଣ କରିବା ପାଇଁ ଦୀର୍ଘ ବର୍ଷ ହେଲା କଥା ଚାଲିଛି – ଏଇ ଦୀର୍ଘ ବର୍ଷ ଭିତରେ କେତେ ଯେ ଧନଜୀବନ – ଶସ୍ୟସମ୍ଭାର ଉଜୁଡି ସାରିଛି – ତା’ର ହିସାବ କିଏ ରଖିଛି? କେବଳ ବନ୍ୟା ନୁହେଁ, ବନ୍ୟା ପରେ ପରେ ମହାମାରୀ, ମରୁଡ଼ି, ମଡକ ଭଳି ପରିସ୍ଥିତି ଓଡିଶାବାସୀଙ୍କ ଦେହସୁହା ହୋଇଗଲାଣି । ଯେଉଁ ବିପଦକୁ ରୋକିବା ପାଇଁ ଆମେ ଶହେଟଙ୍କା ଖର୍ଚ୍ଚ କରିଥାନ୍ତେ, ସେ ବିପଦ ପଡ଼ିଲା ପରେ ଆମେ ଲକ୍ଷେଟଙ୍କା ଖର୍ଚ୍ଚ କରିଲେ ବି ସୁଫଳ ମିଳୁନି । ବନ୍ୟା ବିପତ୍ତିର ମୁକାବିଲା ପାଇଁ ସରକାରଙ୍କର ଜନାଭିମୁଖୀ ନିଷ୍ପତି ସହିତ ପ୍ରଶାସନର କର୍ତ୍ତବ୍ୟନିଷ୍ଠା ଭିତରେ ଯୋଜନ ଯୋଜନ ବ୍ୟବଧାନ ରହୁଛି ।

ସମୀକ୍ଷା, ପ୍ରସ୍ତାବ, ପ୍ରକଳ୍ପ ସବୁ ଶୁଣିବାକୁ ଭଲ ଲାଗିପାରେ; କିନ୍ତୁ କୌଣସିଟି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାର ଦେଖାନାହିଁ । ମଧ୍ୟପ୍ରଦେଶ, ଛତିଶଗଡରେ ବର୍ଷା ହେଲେ ହୀରାକୁଦ ଡ୍ୟାମରେ ପାଣି ଭର୍ତ୍ତି ହୋଇଯାଉଛି । ହୀରାକୁଦ ଡ୍ୟାମ ଉଛୁଳିଲେ ସ୍ଲୁଇସ୍ ଗେଟ୍ ଖୋଲୁଛନ୍ତି । ସେ ଜଳର ଖରପ୍ରଖର ମହାବେଗ ବଙ୍ଗୋପସାଗରରେ ପଡିଲା ବେଳକୁ ମହାନଦୀ ଓ ତାର ଶାଖାନଦୀରେ ପ୍ରବଳ ବନ୍ୟା ହୋଇ ନଦୀକୂଳ ପାଖାପାଖି ଅଂଚଳରେ ବାସ କରୁଥିବା ଦୁଇକୋଟି ଲୋକଙ୍କର ନାହିଁ ନଥିବା କ୍ଷୟକ୍ଷତି କରି ଚାଲିଯାଉଛି । ବନ୍ୟା, ବାତ୍ୟା, ମରୁଡି, ଘରପୋଡି, ଅଂଶୁଘାତ, ଘୂର୍ଣ୍ଣିବାତ୍ୟା, କରକାପାତ ତଥା ଅନ୍ୟାନ୍ୟ କେତେକ ବିପର୍ଯ୍ୟୟ ଓଡିଶାବାସୀଙ୍କ ସହଚର ହୋଇଯାଇଛି । ପ୍ରତିବର୍ଷ କିଛି ନା କିଛି ଘଟୁଛି । ସବୁ କ୍ଷେତ୍ରରେ ଯେ କେବଳ ପ୍ରକୃତି ଦାଉ ସାଧୁଛି, ତା’ ନୁହେଁ; ଅଧିକାଂଶ ‘ମନୁଷ୍ୟକୃତ’ ବିପଦ । ଯେଉଁମାନେ ବିପଦ ପକାଇ ଖସିଯାଉଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଶ୍ରାଦ୍ଧଦିବସ ଆମେ ପାଳନ କରୁଛୁ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ମଧ୍ୟ ଲୋକଙ୍କୁ ପରାମର୍ଶ ଦେଉଛୁ, ଏହା ହିଁ ବିଡମ୍ବନା ।

ହୀରାକୁଦ ଜଳଭଣ୍ଡାରରେ ସର୍ବୋଚ୍ଚ ୬୩୦ ଫୁଟ ଜଳ ଧାରଣ କରିବା ସମ୍ଭବପର । କିନ୍ତୁ ବର୍ତ୍ତମାନ ପ୍ରାୟ ଜଳଭଣ୍ଡାରରେ ୩୦ ଭାଗ ପଟୁମାଟି ପୋତି ହୋଇଗଲାଣି । ଅର୍ଥାତ୍ ୬୦୦ ଫୁଟ ଜଳଧାରଣ କ୍ଷମତା ରହିଛି । ଉପର ମୁଣ୍ଡରୁ ବର୍ଷା ହେଲେ ଖୁବ୍ ଶୀଘ୍ର ଜଳପ୍ରବେଶ କରୁଛି । ବାସ୍ତବରେ ୬୩୦ ଫୁଟ ବିପଦ ସଙ୍କେତ ଚିହ୍ନଟ କରି ଜଳ ଛାଡୁଛନ୍ତି । ଯାହା ଫଳରେ ମହାନଦୀର ଓ ଶାଖାନଦୀରେ ମାତ୍ରାଧିକ ଜଳ ପ୍ରବେଶ କରୁଛି । ଏହି ସବୁ ନଦୀ ଯୋଜନାରହିତ ଯତ୍ନ ଅଭାବରୁ ବହୁ ଦିନ ହେଲା ପୋତି ହୋଇଆସିଲାଣି । ଜଳ ଉଛୁଳି ଗାଁ ଗଣ୍ଡା ଜନଜୀବନ, ଫସଲର ବ୍ୟାପକ ହାତି ଘଟାଉଛି । ହୀରାକୁଦ ଡ୍ୟାମ ଓ ବିଭିନ୍ନ ନଦୀରୁ ପଟୁମାଟି ବହାର କରିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି । ଫଳରେ ସମ୍ପଦ ସୂଚକ ହୀରାକୁଦ ଆଜି ବିପଦ ବ୍ୟଞ୍ଜକ ହୀରାକୁଦରେ ପରିଣତ ହୋଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏକଦା ଚୀନର ଦୁଃଖ ହୋୟାଂହୋ ନଦୀ ଥିଲା । ମାଓ ସେତୁଙ୍କ ନେତୃତ୍ୱରେ ଚୀନବାସୀ ନଦୀରୁ ମାଟି ଉଠାଇ ବନ୍ଧ ଉଚ୍ଚା କରିଦେଲେ । ସେହି ଦୁଃଖନଦୀ ଏବେ ସୁଖନଦୀରେ ପରିଣତ ହୋଇଛି । ହୀରାକୁଦ ଡ୍ୟାମ, ରାଜ୍ୟର ନଦୀ, କେନାଲ ସବୁରୁ ପଟୁମାଟି, ବାଲି ବାହାର କରାଯାଇପାରିଲେ ହିଁ ବନ୍ୟା ବିପତ୍ତି ବନ୍ୟା ସମ୍ପତ୍ତିରେ ପରିଣତ ହେବ ।

୧୮୬୬ ମସିହାରେ ନ’ଅଙ୍କ ଦୁର୍ଭିକ୍ଷରେ ୩୦ ହଜାର ଲୋକ ମରିଥିଲେ । ୧୮୯୯ରେ ଭୟାବହ ମରୁଡି, ଅନାହାର ଓ ଦୁର୍ଭିକ୍ଷ ପଡିଥିଲା । ବ୍ରିଟିଶବାଲାଙ୍କ ଅବହେଳା ଯୋଗୁ ଲୋକେ ମରୁଥିଲେ । ଏହି ସବୁ ବିପଦ ଥିଲା ମନୁଷ୍ୟକୃତ । ବିଶେଷକରି ୧୯୯୯ ବିଶ୍ୱର ସର୍ବାଧିକ ବିଭୀଷିକାମୟ ଚରମ ଚକ୍ରବାତ୍ୟା, ୨୦୦୦ରେ ମହାମରୁଡି, ପୁଣି ୨୦୦୧, ୨୦୦୩, ୨୦୦୮ରେ ମହାବନ୍ୟା ତାଣ୍ଡବଲୀଳାରେ ଓଡ଼ିଶାର ଅର୍ଥନୈତିକ ଓ ସାମାଜିକ ସ୍ଥିତି ଚୂର୍ଣ୍ଣବିଚୂର୍ଣ୍ଣ ହୋଇଗଲା ପରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଯୋଜନା ପ୍ରତି ସରକାର ଆଜି ପର୍ଯ୍ୟନ୍ତ ଧ୍ୟାନ ଦେଲେ ନାହିଁ । ପାଗ ଭିଡୁ ଭିଡୁ କଚେରୀ ବରଖାସ୍ତ ହେଲାଭଳି, ସରକାର ବନ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ କହୁଥିବାବେଳେ ୨୦୦୮ ସେପ୍ଟେମ୍ବର, ୨୦୧୪ ଅଗଷ୍ଟବନ୍ୟା ପୁଣି ବନ୍ୟାଞ୍ଚଳ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଲା । ପୁଣି ୨୦୨୧ ବନ୍ୟାର ତାଣ୍ଡବଲୀଳା ।

ଜଳବହୁଳେ ସୃଷ୍ଟିନାଶ , ଜଳବିହୁନେ ସୃଷ୍ଟିନାଶ । ଏ କଥାପଦକ କେଉଁ ଅନାଦିକାଳରୁ ଚଳିଆସିଛି । ଏଥିରେ ବୈଜ୍ଞାନିକ ସତ୍ୟତା ଅଛି । ଆମ ଓଡିଶାରେ ଏତେ ନଦୀନାଳ ଅଛି , ସବୁବର୍ଷ ବର୍ଷା ମଧ୍ୟ ହେଉଛି ; କିନ୍ତୁ ପାଣିକୁ ଆମେ ଅଟକାଇ ପାରୁନୁ ସବୁ ସମୁଦ୍ରକୁ ବହିଯାଉଛି । ଫସଲ ପାଇଁ ପାଣି ଦରକାର । ସବୁ ଶୁଖିଲା ହେଲା । ମରୁଡି ମାଟିତଳୁ ମଧ୍ୟ ପାଣି ଉଠାଇ ଜମିରେ ମଡାଇବା କଷ୍ଟକର ଟଙ୍କା ଖର୍ଚ୍ଚ କରି କଳକାରଖାନା ସବୁ ମାଟି ତଳୁ ପାଣି ଶୋଷି ନେଉଛନ୍ତି ।

ବହୁ ବର୍ଷ ହେଲା ନଈ, ନାଳ ସବୁ ପୋତି ହୋଇଗଲାଣି । ବର୍ଷାପାଣି ନଈ, ନାଳରେ ଉଛୁଳି, ଏ କୂଳ ସେ କୂଳ ଖାଇ ବିଲବାଡି, ଘରଦ୍ୱାର, ଧନସମ୍ପତ୍ତି , ଗାଈଗୋରୁ, ପଶୁ ମଣିଷ ସମସ୍ତଙ୍କୁ ଖାଇ ଗୋଡାଉଛି । ଆମେ ବନ୍ୟାକୁ ଅଟକେଇ ପାରୁନାହାଁନ୍ତି । ଅଟକାଇପାରିଲେ ବନ୍ୟାବିପଦ ବରଂ ବିପୁଳ ସମ୍ପଦରେ ପରିଣତ ହୁଅନ୍ତା । ବିଭିନ୍ନ ନଦୀବନ୍ଧ, କେନାଲ ବନ୍ଧରେ କେଡେକେଡେ ଯେଉଁ ସବୁ ବିରାଟ ବିଶାଳ ବପୁବନ୍ତ ବୃକ୍ଷ ଥିଲା ସେ ସବୁ ଦେଖିବାକୁ ମିଳୁନି । ଲୋକେ ଗଛକାଟି ନେଉଛନ୍ତି । ନୂଆ ଗଛ ଲଗାହେଉନି । କେବଳ କାଗଜପତ୍ରରେ ଗଛ ଲଗାଯାଉଛି । ବନ୍ଧବାଡ ମରାମତି ପାଇଁ ପ୍ରିୟାପ୍ରୀତି ତୋଷଣରେ ଯେଉଁ ଟଙ୍କା ବରବାଦ ହେଉଛି ; ତା’ଦ୍ୱାରା ଦୁର୍ବଳ ନଦୀବନ୍ଧ ଯୋଗୁ ଘାଇ ସୃଷ୍ଟି ହେଉଛି ।

ବନ୍ୟା କାହା ପାଇଁ ପୁଷମାସ, କାହା ପାଇଁ ସର୍ବନାଶ । ଉପଯୁକ୍ତ ଉପଦେଷ୍ଟାହୀନ ସରକାରଙ୍କ ଅଦୂରଦର୍ଶିତା ଯୋଗୁ ଲୋକଙ୍କର ଯେଉଁ ବ୍ୟାପକ କ୍ଷତି ହେଉଛି, ତାହା ଭରଣା କରିବା ସମ୍ଭବ ନୁହେଁ । ଶାସକଦଳ ବିରୋଧିଦଳ ପରସ୍ପର ପ୍ରତି ଯେତେ କାଦୁଅ ଫୋପଡା ଫୋପଡି ହୁଅନ୍ତୁ ପଛେ, ଏହାଦ୍ୱାରା ବାସ୍ତବ ସମସ୍ୟା ସମାଧାନ ହେଉନାହିଁ । ସମ୍ପ୍ରତି ବନ୍ୟା ବିପର୍ଯ୍ୟୟର ମୁକାବିଲା ପାଇଁ ସରକାରୀ ଦଳ ଯେତେ ଯୋଜନା କରୁଛନ୍ତି , ସେଥିରୁ ସୁଫଳ ମିଳିବ ବୋଲି ଭାବିବା ମୁର୍ଖାମୀ ହେବ । ଶସ୍ତା ଭୋଟ ରାଜନୀତି ପାଇଁ ଲୋକଙ୍କ ଉପରେ ବିପଦ ପଡୁ ; ଏଭଳି ମନୋଭାବ ମଧ୍ୟ ବହୁ ରାଜନେତାଙ୍କ ମଧ୍ୟରେ ଅଛି ଏବଂ ଅଫିସର କର୍ମଚାରୀମାନେ ମଧ୍ୟ କିଛି କିଛି ସୁବିଧା ହାସଲ କରୁଛନ୍ତି । ଆଉ ବିପନ୍ନ ଲୋକେ, ଚୁଡା, ଚାଉଳ, ଗୁଡ, ବିସ୍କୁଟ, ବ୍ଲିଚିଙ୍ଗ୍ ପାଉଡର, ହାଲୋଜେନ୍ ବଟିକାଟିଏ, କିଛି ଘରଭଙ୍ଗା ସାହାଯ୍ୟ ମିଳିଲେ, ଭାଗ୍ୟକୁ ଆଦରି ପଡିରହିଛନ୍ତି ।

 

ରାଜ୍ୟ ତଥା ଦେଶର ବାସ୍ତବ ଦୂରଦୃଷ୍ଟି ଥିବା ବୈଜ୍ଞାନିକ, ଇଞ୍ଜିନିୟର ଓ କାରିଗରୀ ଜ୍ଞାନକୌଶଳରେ ନିପୁଣ ତଥା ଜନଦରଦୀ ବ୍ୟକ୍ତିମାନଙ୍କୁ ନେଇ ଏବଂ ସବୁ ସ୍ଥାନରୁ ମତାମତ ସଂଗ୍ରହ କରି ଦୁଃଖିନୀ ଓଡିଶାକୁ ସୁଖସମୃଦ୍ଧିରେ ପରିପୂର୍ଣ୍ଣର କରିବା ପାଇଁ ପ୍ରବଳ ଇଚ୍ଛାଶକ୍ତି ଓ ସାଧୁତା ଥାଇ ନିଷ୍ଠାର ସହ ତୁରନ୍ତ ନଈ, ନାଳରୁ ବାଲି ପଟୁ ମାଟି ବାହାର କରିବା, ବନ୍ଧବାଡକୁ ମଜବୁତ୍ କରିବା , ଅଧିକ କେନାଲ, ଡ୍ୟାମ୍‌, ବନ୍ଧ ନିର୍ମାଣ କରିବା, ବନ୍ଧ କେନାଲ କଡେକଡେ ପ୍ରଚୁର ଗଛ ଲଗେଇବା ନିହାତି ଆବଶ୍ୟକ। ବିଶେଷକରି ମହାନଦୀକୁ ସବୁ ନଦୀ କେନାଲ ସହ ସଂଯୋଗ କରି ରିଭରଗ୍ରିଡ୍ ସୃଷ୍ଟି କରିବା ପ୍ରୟୋଜନ ।

ହୀରାକୁଦ ପାଣି ଛାଡିଲେ କିମ୍ବା ରେଙ୍ଗାଳି ପାଣି ଛାଡିଲେ ମହାନଦୀ, ବ୍ରାହ୍ମଣୀ ଦେଇ ଆସିଲାବେଳକୁ ଅନ୍ୟାନ୍ୟ ନଦୀ, ନାଳ ଦେଇ ଜଳ ଅତିବାହିତ ହେବ । ଯାହାଫଳରେ ବନ୍ୟାକୁ ପ୍ରଥମ ସ୍ତରରୁ ହିଁ ନିୟନ୍ତ୍ରଣ କରାଯାଇପାରିବ । ବର୍ଷା ଓ ବନ୍ୟାଜଳକୁ ବିଭିନ୍ନ ସ୍ଥାନରେ ସଂରକ୍ଷିତ କରାଯାଇ, ଜଳସେଚନର ବନ୍ଦୋବସ୍ତ କରିହେବ । ଓଡ଼ିଶାର ଦୁଃଖ ବନ୍ୟା କ୍ଷତି କରିବ ନାହିଁ କି ମରୁଡ଼ିର ଭୟ ଦେଖାଯିବ ନାହିଁ । ଏଥିପାଇଁ ଯେତେ ଟଙ୍କା ଖର୍ଚ୍ଚ ହେବ, ଆଦୌ କାଳ ବିଳମ୍ବ ନକରି କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ବହନ କରିବା ଅବଶ୍ୟ କରଣୀୟ ନୁହେଁ କି ?

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.